ତାଲା ବନ୍ଦରେ ଆତଙ୍କରାଜ୍‌: ଟ୍ରକ୍‌ ଚାଳକକୁ ମାଡ଼ ମାରି ଲୁଟିଲେ, ପଥଚାରୀଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଲେ

ଆଜ୍‌ବେଷ୍ଟସ ଭାଙ୍ଗି ଗ୍ରୋସରି ନେଇଗଲେ

ଭୁବନେଶ୍ବର: କୋଭିଡ୍‌-୧୯ ମୁକାବିଲା ପାଇଁ ରାଜଧାନୀରେ ତାଲା ବନ୍ଦ ଚାଲିଥିବା ବେଳେ ଗତକାଲି ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ୪ରୁ ୫ ଜଣ ଯୁବକ ରାସ୍ତା ମଝିରେ ଆତଙ୍କ ଖେଳାଇଛନ୍ତି। ଜଣେ ଟ୍ରକ୍‌ ଚାଳକକୁ ମାଡ଼ ମାରି ଲୁଟିଛନ୍ତି। ଜଣେ ଦୁର୍ବୃତ୍ତ ଟ୍ରକ୍‌ ଉପରେ ଚଢ଼ି ଜିନିଷ ପତ୍ର ତଳକୁ ପକାଇଥିବା ବେଳେ ଅନ୍ୟମାନେ ଏହାକୁ ଲୁଟ୍‌ କରିଛନ୍ତି। ଚାଳକକୁ ମାଡ଼ ମାରି ୧୦ ହଜାର ଟଙ୍କା ନେଇ ଯାଇଛନ୍ତି। ଏଭଳି ଲୁଟ୍‌ତରାଜ୍‌ ବେଳେ ସେହି ରାସ୍ତା ଦେଇ ଯାଉଥିବା କେତେକ ପଥଚାରୀଙ୍କୁ ସେମାନେ ଗୋଡ଼ାଇ ଗୋଡ଼ାଇ ବି ପିଟିଛନ୍ତି। ଭୟରେ ସେହି ବାଟ ଦେଇ ଯାଉଥିବା କେତେକ ପଥଚାରୀ ଛତ୍ରଭଙ୍ଗ ଦେଇଥିଲେ। ଦଉଡ଼ିବା ବେଳେ ତଳେ ପଡ଼ି ଜଣେ ଆହତ ହୋଇଛନ୍ତି। ଦୁଇଜଣ ଦୁର୍ବୃତ୍ତଙ୍କ ମାଡ଼ରେ ଲହୁ ଲୁହାଣ ହୋଇଛନ୍ତି। ସହିଦନଗର ଥାନା ପୋଷ୍ଟାଲ କଲୋନି ତଳ ଛକରେ ଏଭଳି ଏକ ଅଭାବନୀୟ କାଣ୍ଡ ଘଟିଛି। ଏହି ସମସ୍ତ ଘଟଣା ସିସିଟିଭି କ୍ୟାମେରାରେ କଏଦ୍‌ ହୋଇଛି। ରବିବାର ଭୋର ୪ଟା ବେଳେ ଏହି ଅଘଟଣ ଘଟିଛି। ତେବେ ଟ୍ରକ୍‌ ଚାଳକ ସହିଦନଗର ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଆଧାର କରି ପୁଲିସ ତଦନ୍ତ ଆରମ୍ଭ କରିଛି। ଦୁର୍ବୃତ୍ତଙ୍କ ଆକ୍ରମଣରେ ଆହତମାନେ ଭୟରେ ଥାନାରେ ଅଭିଯୋଗ କରିନାହାନ୍ତି।

ସେହି ରବିବାର ରାତିରେ ଆଉ ଏକ ଅଘଟଣ ଘଟିଛି। ପୋଷ୍ଟାଲ କଲୋନି ଛକରେ ଥିବା ଏକ ଗ୍ରୋସରି ଦୋକାନ ଆଜ୍‌ବେଷ୍ଟସ ଭାଙ୍ଗି ୫୦ ହଜାରରୁ ଊର୍ଦ୍ଧ୍ବ ଟଙ୍କାର ସାମଗ୍ରୀ ଚୋରି ହୋଇଛି। ଦୁର୍ବୃତ୍ତମାନେ ଆତଙ୍କ ଖେଳାଇଥିବା ସ୍ଥାନଠାରୁ ଏହି ଦୋକାନ ମାତ୍ର ୨ଶହ ମିଟର ଦୂରରେ ରହିଛି। ଉଭୟ ଘଟଣାରେ ଅପରାଧୀ ସମାନ ବୋଲି ସ୍ଥାନୀୟ ଲୋକେ ସନ୍ଦେହ କରୁଛନ୍ତି। ଗ୍ରୋସରି ଦୋକାନ ଉମେଶ ଚନ୍ଦ୍ର ମଲ୍ଲିକଙ୍କର ବୋଲି ଜଣାପଡ଼ିଛି। ଦୀର୍ଘ ଦିନ ହେବ ସେ ଏଠାରେ ଗ୍ରୋସରି ଦୋକାନ କରି ଗୁଜୁରାଣ ମେଣ୍ଟାଉ ଥିଲେ। ଅତ୍ୟାବଶ୍ୟକ ସାମଗ୍ରୀ ହୋଇଥିବାରୁ ତାଲା ବନ୍ଦ ସମୟରେ ମଧ୍ୟ ଦୋକାନ ଖୋଲିବା ପାଇଁ ତାଙ୍କୁ ସ୍ବୀକୃତି ମିଳିଥିଲା। ଦିନ ସାରା ଦୋକାନ ଖୋଲା ରଖିବା ପରେ ରବିବାର ବିଳମ୍ବିତ ରାତିରେ ସେ ଦୋକାନ ବନ୍ଦ କରି ଘରକୁ ଫେରିଥିଲେ। ଆଜି ସକାଳେ ସେ ଦୋକାନ ଖୋଲିବା ବେଳେ ଆଜ୍‌ବେଷ୍ଟସ୍‌ ଭଙ୍ଗାଯିବା ସହିତ ଦୋକାନରେ କୌଣସି ଜିନିଷ ନ ଥିବା ଦେଖିବାକୁ ପାଇଥିଲେ। ଆଜ୍‌ବେଷ୍ଟସ ‌ଭାଙ୍ଗି ଦୁର୍ବୃତ୍ତ ମାନେ ଚାଉଳ, ତେଲ, ଡାଲି ପ୍ରଭୃତି ନେଇ ଯାଇଥିଲେ। ଏନେଇ ସେ ସହିଦନଗର ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଆଧାର କରି ପୁଲିସ ପ୍ରାଥମିକ ତଦନ୍ତ କରିଛି। ହେଲେ ଉଭୟ ଘଟଣାରେ ପୁଲିସ ଦୁର୍ବୃତ୍ତଙ୍କ ଟେର୍‌ ପାଇ ନାହିଁ। ସମ୍ପ୍ରତି ରାଜଧାନୀର ବିଭିନ୍ନ ସ୍ଥାନରେ ପୁଲିସ ବାଡ଼ ପକାଇ ସାମାଜିକ ଦୂରତ୍ବକୁ ନିଶ୍ଚିତ କରୁଛି। ଗତକାଲି ଠାରୁ ନିରାଶ୍ରୟଙ୍କୁ ଖାଦ୍ୟ ବାଣ୍ଟିବା କାମ ମଧ୍ୟ ଆରମ୍ଭ କରିଛି। ତାଲା ବନ୍ଦ ଡାକରା ସମୟରେ ଅଦ୍ୟାବଧି ଚୋରି କିମ୍ବା ଅନ୍ୟ କୌଣସି ଅପରାଧ ରାଜଧାନୀରେ ଘଟି ନ ଥିବା ରେକର୍ଡ ରହିଥିଲା। ଏଭଳି ସ୍ଥିତିରେ ଏହି ଅଭାବନୀୟ କାଣ୍ଡ ପୁଣି ଥରେ ପୁଲିସର ମୁଣ୍ଡବ୍ୟଥା ବଢ଼ାଇ ଦେଇଛି।

ସମ୍ବନ୍ଧିତ ଖବର