ନିଶା ଦେଇ ଦୁଷ୍କର୍ମ: ଜେଲ୍‌ ଗଲେ ପୂଜକ

ଭୁବନେଶ୍ୱର : ପାଣିରେ ନିଶା ଦେଇ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତ ପୂଜକ ଗିରଫ ହୋଇଛନ୍ତି। ମଙ୍ଗଳବାର ବିଳମ୍ବିତ ରାତ୍ରିରେ ମହିଳା ଥାନା ପୁଲିସ ତାଙ୍କୁ ଗିରଫ କରିବା ପରେ ଆଜି କୋର୍ଟ ଚାଲାଣ କରିଛି। ସେ ହେଲେ ବାଲେଶ୍ୱର ଅଞ୍ଚଳର ସରୋଜ ଦାଶ। ସେ ବିବାହିତ ଓ ତାଙ୍କର ଗୋଟିଏ ପୁଅ ଓ ଗୋଟିଏ ଝିଅ ଥିବା ପୁଲିସ୍‌ କହିଛି। ୭ ବର୍ଷ ଧରି ସେ ଭୁବନେଶ୍ୱରରେ ରହିବା ସହ ବିଭିନ୍ନ ମନ୍ଦିରରେ ପୂଜା କରୁଥିବା ଜଣାପଡ଼ିଛି। ପଚରାଉଚରା ବେଳେ ମହିଳା କରିଥିବା ଅଭିଯୋଗ ସତ୍ୟ ବୋଲି ଜଣାପଡ଼ିଛି। ତାଙ୍କ ମୋବାଇଲରେ ରହିଥିବା ଅନ୍ୟ କେତେକ ଭିଡିଓ କ୍ଲିପ୍‌କୁ ମଧ୍ୟ ପୁଲିସ୍‌ ଡିଲିଟ୍‌ କରିବା ସହ ମୋବାଇଲ ଜବତ କରିଛି। ତେବେ ପୂଜକ ଜେଲ ଯିବା ପରେ ପରିବାରରେ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି। ଭିଡିଓ ଭାଇରାଲ ପ୍ରସଙ୍ଗରେ ତାଙ୍କର ସମ୍ପୃକ୍ତ ନଥିବା ପରିବାର ଲୋକ କହିଛନ୍ତି।

ଅଭିଯୋଗ ମୁତାବକ ପୀଡ଼ିତାଙ୍କ ସହ ପୂଜକଙ୍କ ପାରିବାରିକ ସମ୍ପର୍କ ରହିଥିଲା। ନିକଟ ଅତୀତରେ ମହିଳାଙ୍କର କିଛି ଅର୍ଥ ଦରକାର ହେବାରୁ ସେ ସୁନା ବନ୍ଧକ ରଖି ଟଙ୍କା ଆଣିବା ପାଇଁ ଯୋଜନା କରିଥିଲେ। ପୂଜକଙ୍କ ସହିତ ଉକ୍ତ ମହିଳାଙ୍କ ସମ୍ପର୍କ ଥିବାରୁ ବିଭିନ୍ନ ସମୟରେ ତାଙ୍କ ପରାମର୍ଶ ନେଉଥିଲେ। ଏ ନେଇ ତାଙ୍କ ପରାମର୍ଶ ଗ୍ରହଣ କରିବା ପାଇଁ ମହିଳା ଚିନ୍ତା କଲେ। ସୁନା ବନ୍ଧକ ରଖି ବିନା ସୁଧରେ ଟଙ୍କା ଆଣିବେ ବୋଲି ପୂଜକ ପ୍ରସ୍ତାବ ଦେବାରୁ ମହିଳା ଜଣଙ୍କ ତାଙ୍କୁ ସୁନା ଦେଇ ଦେଇଥିଲେ। ହେଲେ ପୂଜକ ମହିଳାଙ୍କୁ ଟଙ୍କା ଦେଇ ନଥିଲେ। ଏଣୁ ମହିଳା ଜଣକ ବାଧ୍ୟ ହୋଇ ପୂଜକଙ୍କ ଘରେ ପହଞ୍ଚିଥିଲେ। ପରେ ପୂଜକ ତାଙ୍କୁ ପାଣିରେ ନିଶା ଦେଇ ଦୁଷ୍କର୍ମ କରିଥିଲେ ବୋଲି ଅଭିଯୋଗ ହୋଇଛି।

ସମ୍ବନ୍ଧିତ ଖବର