ହୋଟେଲରେ ସେକ୍ସ ର‍୍ୟାକେଟ ମାମଲା : ଜେଲ୍‌ ଗଲେ ପରିଚାଳକଙ୍କ ସମେତ ୮

ପୁଲିସ୍‌କୁ ଭୁଆଁ ବୁଲାଇଲେ ମାଲିକ

ଭୁବନେଶ୍ୱର : ଦେହ ବ୍ୟବସାୟରେ ସଂପୃକ୍ତ ଘଟଣାରେ ବୁଧବାର ରାତିରେ ଗିରଫ ହୋଇଥିବା ଗ୍ରାହକ ଓ ହୋଟେଲ ପରିଚାଳକଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି। ବୁଧବାର ଆରବି ପ୍ୟାଲେସ୍‌ରେ ଚଢ଼ଉ କରି କ୍ୟୁଏଟି (କୁଇକ୍‌ ଆକ୍ସନ ଟିମ୍‌) ଓ କ୍ୟାପିଟାଲ ଥାନା ପୁଲିସ୍‌ ଲୁଚାଛପାରେ ଚାଲିଥିବା ଏହି ବ୍ୟବସାୟର ପର୍ଦାଫାସ୍‌ କରିଥିଲା। ଏହି ଘଟଣାରେ ପୁଲିସ ୮ ଜଣ ଯୁବକଙ୍କୁ ଗିରଫ କରିବା ସହ ୫ ଅଣଓଡ଼ିଆ ଯୁବତୀଙ୍କୁ ଅଟକ ରଖିଥିଲା। ତଦନ୍ତ ବେଳେ ଏହି ବେପାରର ଏକ ବଡ଼ ଗୁମର ଫିଟିଛି। ନିଜେ ଧରା ନ ପଡ଼ିବା ପାଇଁ ମାଲିକ ଏହାକୁ ଲିଜ୍‌ ଦେଇ ଦେଇଥିବା ଜଣାପଡ଼ିଛି। ନୟାଗଡ଼ର ବିଭୂତି ଭୂଷଣ ଛୋଟରାୟ ଏହାକୁ ଲିଜ୍‌ରେ ନେଇ ଚଳାଉଛନ୍ତି। ତାଙ୍କ ନାମରେ ମାଲିକ କ୍ଷମତାପତ୍ର ପ୍ରଦାନ କରିଛନ୍ତି। ଫଳରେ ଏହି ବେଆଇନ କାରବାରରେ ମାଲିକ ଲିପ୍ତ ଥିଲେ ମଧ୍ୟ ହୋଟେଲ ଲିଜ୍‌ ହୋଲ୍ଡର, ପରିଚାଳକ, େଓ୍ଵଟର, ମେଣ୍ଟେନାନ୍‌ସ୍‌ ମ୍ୟାନେଜର୍‌ ଗିରଫ ହୋଇଛନ୍ତି। ମାଲିକଙ୍କ ପାଖରେ ପୁଲିସ ପହଞ୍ଚି ପାରିନାହିଁ। ଚତୁରତାର ସହ ଏହି ବ୍ୟବସାୟ କରାଯାଉଛି। ଏମାନେ ବନ୍ଧା ହେବା ପରେ ସମସ୍ତଙ୍କୁ ଜାମିନ୍‌ ମିଳିବା ସହ ମାମଲାକୁ ରଫାଦଫା କରିବାରେ ମଧ୍ୟ ସହଜ ହେବ ବୋଲି ଚର୍ଚା ହେଉଛି। ଅନ୍ୟପକ୍ଷରେ କ୍ୟାପିଟାଲ ଥାନାର ଜଣେ ଏସ୍‌ଆଇଙ୍କ ଛତ୍ରଛାୟା ତଳେ ଏହି ସେକ୍ସ ର‍୍ୟାକେଟ୍‌ ଚାଲୁଥିଲା ବୋଲି ସ୍ଥାନୀୟ କିଛି ବ୍ୟବସାୟୀ ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର