ସେକ୍ସ ର‍୍ୟାକେଟରେ ସାମିଲ ନହେବାରୁ ବୋହୂକୁ ଜୀଅନ୍ତା ଜାଳି ଦେଲେ ଶାଶୁଘର ଲୋକ

କୋଲକାତା: ପଶ୍ଚିମବଙ୍ଗରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ମହିଳା ସେକ୍ସ ର‍୍ୟାକେଟରେ ସାମିଲ ହେବାକୁ ମନା କରି ଦେବାରୁ ଶାଶୁଘର ଲୋକ ତାକୁ ଜୀଅନ୍ତା ଜାଳି ଦେଇଛନ୍ତି।

ଏଭଳି ଏକ ହୃଦୟବିଦାରକ ଘଟଣା ପଶ୍ଚିମ ମିଦନାପୁର ଜିଲ୍ଲାରେ ଘଟିଛି। ପୀଡିତାଙ୍କ ଶାଶୁ ଏକ ସେକ୍ସ ର‍୍ୟାକେଟ ଚଳାଉଥିଲେ। ମହିଳାଙ୍କ ସ୍ୱାମୀଙ୍କୁ ମଧ୍ୟ ଏହି ଘଟଣା ସମ୍ପର୍କରେ ଜଣାଥିଲେ। ପୀଡିତାଙ୍କ ଛଅମାସ ପୂର୍ବରୁ ପୋରାଲଦା ଗ୍ରାମର ନିବାସୀ ବିଶ୍ୱଜିତ ଗିରିଙ୍କ ସହିତ ବିବାହ ହୋଇଥିଲା। ପ୍ରଥମେ ପ୍ରଥମେ ଶାଶୁଘରେ ସବୁକିଛି ଠିକ୍‌ଠାକ୍‌ ଥିଲା। ଦୁଇମାସ ପରେ ପୀଡିତାଙ୍କ ଶାଶୁ ନବବଧୂକୁ ଅନ୍ୟ ପୁରୁଷ ସହିତ ଶାରୀରିକ ସମ୍ବନ୍ଧ ରଖିବାକୁ ବାଧ୍ୟ କରାଇଥିଲେ। କିନ୍ତୁ ମହିଳା ଏପରି କରି ପାରିବେ ନାହିଁ ବୋଲି ରୋକଠୋକ୍‌ ମନା କରି ଦେଇଥିଲେ। ଶାଶୁ କିନ୍ତୁ କଳେବଳେ କୌଶଳ ବଧୂକୁ ଏଥିପାଇଁ ରାଜି କରିବାରେ ଲାଗିଥିଲେ। ମହିଳା କିନ୍ତୁ ଶାଶୁଙ୍କର କୌଣସି କଥା ନଶୁଣିବାରୁ ମାର୍ଚ୍ଚ ୧୨ ତାରିଖ ଦିନ ଶାଶୁ, ଶ୍ୱଶୁର ଓ ସ୍ୱାମୀ ମିଶି ବଧୂକୁ ଜୀଅନ୍ତା ଜାଳି ଦେଇଥିଲେ।

ମହିଳାଙ୍କ ଚିତ୍କାର ଶୁଣି ପାଖପଡୋଶି ଧାଇଁ ଆସିଥିଲେ। ମହିଳାଙ୍କୁ ଉଦ୍ଧାର କରି ସଙ୍ଗେସଙ୍ଗେ ଚିକିତ୍ସା ପାଇଁ ମିଦନାପୁର ମେଡିକାଲ କଲେଜରେ ଭର୍ତ୍ତି କରିଥିଲେ। ମହିଳାଙ୍କ ଶରୀରର ଅଧିକାଂଶ ଅଂଶ ଜଳି ଯାଇଥିଲା। ଡାକ୍ତର ମହିଳାଙ୍କୁ ବଞ୍ଚାଇବା ପାଇଁ ବହୁ ଚେଷ୍ଟା କରିଥିଲେ ହେଁ ଅସଫଳ ହୋଇଥିଲେ।

ଏହି ଘଟଣା ପରେ ପୀଡିତାଙ୍କ ଶାଶୁଘର ଲୋକ ଫେରାର ହୋଇଯାଇଛନ୍ତି। ପୁଲିସ ସେମାନଙ୍କ ବିରୋଧରେ ମାମଲା ରୁଜୁ କରି ଯାଞ୍ଚ ଆରମ୍ଭ କରି ଦେଇଛି।

ସମ୍ବନ୍ଧିତ ଖବର