ନିଶାସକ୍ତ ସ୍ୱାମୀର ଅଜବ କାଣ୍ଡ : ପତ୍ନୀଙ୍କୁ ହତ୍ୟା ପରେ ସାରା ରାତି ଜଗିଲା

ଅନୁଗୁଳ : ପତ୍ନୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲା ସ୍ୱାମୀ। ଏଭଳି ଚାଞ୍ଚଲ୍ୟକର ଘଟଣା ଅନୁଗୁଳ ଜିଲ୍ଲା ନିଶା ଥାନା ଅନ୍ତର୍ଗତ ବଡ଼କେରଜାଙ୍ଗ ଗୁହାଳବାଙ୍କ ସାହିରେ ଘଟିଛି। ନିଶାସକ୍ତ ଅବସ୍ଥାରେ ସ୍ୱାମୀ ସୁକାନ୍ତ ଦେହୁରୀ ରବିବାର ସଂଧ୍ୟାରେ ପତ୍ନୀ ଟିକି ଦେହୁରୀଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି। ଏ ଘଟଣା ଜଣାପଡ଼ିବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତହେଦକୁ ଶବ ବ୍ୟବଚ୍ଛେଦ ପାଇଁ ପଠାଇ ସ୍ୱାମୀ ଶ୍ରୀ ଦେହୁରୀଙ୍କୁ ଥାନାରେ ଅଟକ ରଖିଛି।

ମିଳିଥିବା ସୂଚନା ଅନୁଯାୟୀ, ଶ୍ରୀ ଦେହୁରୀ ବେଆଇନ ଭାବେ ମହୁଲ ରାନ୍ଧି ମଦ ବିକ୍ରି କରେ। ରବିବାର ସଂଧ୍ୟାରେ ସେ ଅତ୍ୟଧିକ ନିଶାରେ ହିତାହିତ ଜ୍ଞାନ ହରାଇ ପତ୍ନୀଙ୍କ ମୁଣ୍ଡ ଓ କାନମୁଣ୍ଡାକୁ ଟାଙ୍ଗିଆରେ ହାଣି ଦେଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ଟିକିଙ୍କ ମୃତ୍ୟୁ ଘଟିଥିଲା। କିନ୍ତୁ ନିଦରେ ଶୋଇଥିବା ଭାବି ସେ ସାରା ରାତି ପତ୍ନୀଙ୍କ ଶବ ପାଖରେ ଜଗି ବସିଥିଲା। ଆଜି ସକାଳେ ଲୋକ ଏ ଘଟଣା ଦେଖି ପାଖକୁ ଯିବା ପାଇଁ ଉଦ୍ୟମ କରିବାରୁ ସେ ଆକ୍ରମଣ କରିବାକୁ ଉଦ୍ୟମ ହୋଇଥିଲା। ଲୋକମାନେ ଏ ସଂକ୍ରାନ୍ତରେ ନିଶା ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଟିକିଙ୍କ ମୃତଦେହକୁ ଉଦ୍ଧାର କରିଥିଲା।

ସମ୍ବନ୍ଧିତ ଖବର