ଚାଷୀଙ୍କ ମୁଣ୍ଡରେ ଚକଡ଼ା ଚଡ଼କ

ଦେଓଗାଁ: ଦେଓଗାଁ ବ୍ଲକ୍ ଅଞ୍ଚଳର ଧାନ ଫସଲରେ ଚକଡ଼ା ପୋକ ଲାଗିଥିବାରୁ ଚାଷୀ ଚିନ୍ତାରେ ପଡ଼ିଯାଇଛି। ଅନ୍ୟପକ୍ଷରେ ଚାଷ ଜମିକୁ ଯାଇ କୃଷି ଅଧିକାରୀମାନେ ଚାଷୀଙ୍କୁ ପରାମର୍ଶ ଦେବା ବଦଳରେ ବଲାଙ୍ଗୀରରେ ରହୁଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ସେମାନଙ୍କୁ ଫୋନ କରି ପଚାରିଲେ ବଲାଙ୍ଗୀରରେ କୃଷି ସମ୍ବନ୍ଧୀୟ ସମୀକ୍ଷା ବୈଠକରେ ଥିବା କହୁଛନ୍ତି। ଧାନ ଗଛରେ ଚକଡ଼ା ପୋକ ଥିବା ଗଛକୁ ଧରି ବ୍ଲକ୍ କୃଷି ପରାମର୍ଶ କେନ୍ଦ୍ରକୁ ଯାଉଥିଲେ ମଧୢ ଅଧିକାରୀଙ୍କ ଦେଖା ନାହିଁ କି ଆବଶ୍ୟକ ଔଷଧ ନାହିଁ ବୋଲି ଚାଷୀମାନେ କହୁଛନ୍ତି।
ବଡ଼ବନ୍ଧ ପଞ୍ଚାୟତର ଚାଷୀମାନେ ଅଭିଯୋଗ କରୁଛନ୍ତି ଯେ, ଦେଓଗାଁ ବ୍ଲକ କୃଷି କାର୍ଯ୍ୟାଳୟ ସହିତ ବାରମ୍ବାର ଯୋଗାଯୋଗ କଲେ ମଧୢ କୌଣସି ଅଧିକାରୀ ଜମିକୁ ଦେଖି ଆସୁ ନାହାନ୍ତି। ଏପରିକି ବ୍ଲକକୁ ଗଲେ ମଧୢ କୃଷି ଅଧିକାରୀଙ୍କୁ ଭେଟି ପାରୁନାହାନ୍ତି। ଦେଓଗାଁ ବ୍ଲକରେ ୯୪୫୦ ହେକ୍ଟର ଜମିରେ ଚଳିତ ବର୍ଷ ଧାନ ଚାଷ ହୋଇଥିବା ବେଳେ ଚକଡ଼ା ରୋଗର ପ୍ରତିକାର ପାଇଁ ମାତ୍ର ୭ କେଜି ଅର୍ଥାତ୍‌ ୩୦ ଏକର ଜମି ପାଇଁ ଔଷଧ ଆସିଥିବା ବିସ୍ବସ୍ତ ସୂତ୍ରରୁ ଜଣାପଡ଼ିଛି। ଏଣୁ ଏଥିପ୍ରତି ଜିଲ୍ଲାପାଳ ଦୃଷ୍ଟି ଦେବାକୁ ଦାବି ହେଉଛି।

ସମ୍ବନ୍ଧିତ ଖବର