ରାସ୍ତା କଡ଼ରେ ଟ୍ରେଲରକୁ ପିଟିଲା ପିକ୍‌ଅପ୍‌, ୧ ମୃତ

ବଲାଙ୍ଗୀର: ବଲାଙ୍ଗୀର-ଟିଟିଲାଗଡ ରାସ୍ତାର ବିଜାଖମନ ପୋଲ ନିକଟରେ ମଙ୍ଗଳବାର ସନ୍ଧ୍ୟାରେ ଏକ ପିକ୍‌ଅପ୍‌ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ସେଥିରେ ବସିଥିବା ଲୋଇସିଂହା ବ୍ଲକ କୁଶଙ୍ଗ ଜ୍ୟୋତି ଦୁଲ୍‌ଦୁଲି ବାଦ୍ୟ ଦଳର ସଦସ୍ୟ ପିଣ୍ଟୁ ଚିରଗୁନ (୩୨)ଙ୍କ ମୃତ୍ୟୁ ହୋଇଯାଇଛି। ମିଳିଥିବା ସୂଚନାନୁସାରେ ମଙ୍ଗଳବାର ସଇଁନ୍ତଲା ବ୍ଲକ୍‌ ଶିଶକେଲାରୁ ଏକ ବରଯାତ୍ରୀ ଦଳ ଲୋଇସିଂହାର କୁଶମେଲକୁ ଯାଉଥିଲେ। ସେଥିରେ ବାଜା ବଜାଇବାକୁ ଜ୍ୟୋତି ଦୁଲ୍‌ଦୁଲି ଦଳର ସଦସ୍ୟମାନେ ଏକ ପିକ୍‌ଅପ୍‌ (ଓଆର୍‌ ୧୯ଏମ୍‌-୭୧୦୨)ରେ ଶିଶକେଲାରୁ କୁଶମେଲ ଯାଉଥିଲେ।

ତେବେ ସନ୍ଧ୍ୟା ପ୍ରାୟ ୭ଟା ୪୫ରେ ବିଜାଖମନ ପୋଲ ନିକଟ ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଟ୍ରେଲର୍‌କୁ ପିକ୍‌ଅପ୍‌ ଧକ୍କା ଦେବାରେ ଆଗ ସିଟ୍‌ରେ ବସିଥିବା ପିଣ୍ଟୁଙ୍କ ଘଟଣା ସ୍ଥଳରେ ହିଁ ମୃତ୍ୟୁ ହୋଇ ଯାଇଥିଲା। ସେହିପରି ଦଳର ଅନ୍ୟ ସଦସ୍ୟମାନେ ଆହତ ହୋଇଥିବା ବେଳେ ସୁଶୀଳ ସୁନା ନାମକ ଜଣେ ସଦସ୍ୟଙ୍କୁ ଅଚେତ ଅବସ୍ଥାରେ ବଲାଙ୍ଗୀର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣା ପରେ ଚାଳକ ଫେରାର୍‌ ହୋଇ ଯାଇଥିବା ବେଳେ ବଲାଙ୍ଗୀର ଟାଉନ୍‌ ଥାନା ଅଧିକାରୀ ଗୋକୁଳାନନ୍ଦ ସାହୁ ସଦଳବଳେ ପହଞ୍ଚି ରାସ୍ତା ଉପରୁ ଦୁର୍ଘଟଣାଗ୍ରସ୍ତ ଗାଡ଼ିକୁ ହଟାଇବା ସହ ପିଣ୍ଟୁଙ୍କ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ବଲାଙ୍ଗୀର ଡାକ୍ତରଖାନାକୁ ପଠାଇଥିଲେ।

ସମ୍ବନ୍ଧିତ ଖବର