ଶ୍ରେଷ୍ଠ ସାଂସଦ ସମ୍ମାନ ଗ୍ରହଣ କଲେ ରବୀନ୍ଦ୍ର

ବାଲେଶ୍ବର: ଭାରତର ଅନ୍ୟତମ ଅଗ୍ରଣୀ ପତ୍ରିକା ‘ଫେମ୍‌ ଇଣ୍ଡିଆ’ ଓ ‘ଏସିଆ ପୋଷ୍ଟ’ ପକ୍ଷରୁ ଅନ୍‌ଲାଇନ୍‌ ସର୍ଭେ‌ରେ ଦେଶର ୨୫ ଜଣ ସାଂସଦଙ୍କ ମଧ୍ୟରୁ ‘ଶାନଦାର’ ବିଭାଗରେ ଶ୍ରେଷ୍ଠ ସାଂସଦ ଭାବେ ବିବେଚିତ ‌ହୋଇଥିବା ବାଲେଶ୍ବର ସାଂସଦ ଇଂ ରବୀନ୍ଦ୍ର କୁମାର ଜେନା ଆଜି ଦିଲ୍ଲୀରେ ଆୟୋଜିତ ଏକ ଭବ୍ୟ ସମାରୋହରେ ଏହି ସମ୍ମାନ ଗ୍ରହଣ କରିଛନ୍ତି। ଉତ୍ସବରେ କେନ୍ଦ୍ର ଶିଳ୍ପ ଓ ବାଣିଜ୍ୟ ତଥା ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଗିରିଜା ସିଂ ଓ ଫେମ୍‌ ଇଣ୍ଡିଆର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଉମାଶଙ୍କର ସୋନ୍ଥାଲିଆ ପ୍ରମୁଖ ଯୋଗ ଦେଇ ଶ୍ରୀ ଜେନାଙ୍କୁ ସମ୍ମାନିତ କରିଥିଲେ। ପୂର୍ବ ବର୍ଷ ମଧ୍ୟ ଶ୍ରୀ ଜେନା ଏହି ପତ୍ରିକା ଦ୍ବାରା କରାଯାଇଥିବା ଅନ୍‌ଲାଇନ୍‌ ସର୍ଭେରେ ଶ୍ରେଷ୍ଠ ସାଂସଦ ବିବେଚିତ ହୋଇଥିଲେ।
ସୂଚନାଯୋଗ୍ୟ ଯେ, ଏହି ଅନ୍‌ଲାଇନ୍‌ ସର୍ଭେରେ ସାଂସଦଙ୍କ ଲୋକ ସଂପର୍କ, ବକ୍ତିତ୍ବ, ନିଜର ପରିଚିତି, ସାଂସଦ ଭାବେ କାମ କରିବାର ଶୈଳୀ, ଲୋକମାନଙ୍କ ଉପରେ ପ୍ରଭାବ, ସାମାଜିକ ଉତ୍ତରଦାୟିତ୍ବ ଓ ଦୂରଦର୍ଶିତା ଭଳି ଗୁରୁତ୍ବପୂର୍ଣ୍ଣ ମାନକୁ ନେଇ ସର୍ବେକ୍ଷଣ କରାଯାଇଥିଲା। ଏତଦ୍‌ଭିନ୍ନ ସଂସଦରେ ଉପସ୍ଥାନ, ପ୍ରଶ୍ନ ଉତ୍‌ଥାପନ ଓ ପ୍ରାଇଭେଟ୍‌ ବିଲ୍‌ ଆଦିରେ ସାଂସଦଙ୍କ ପାରଦର୍ଶିତାକୁ ମଧ୍ୟ ବିଚାରକୁ ନିଆଯାଇଥିଲା।
ଶ୍ରୀ ଜେନା ଭାଗ ସଂସଦରେ ନେଇଥିବା ଡିବେଟ୍‌ରେ ଶିକ୍ଷା, ସ୍ବାସ୍ଥ୍ୟ, ପରିବେଶ ସୁରକ୍ଷା, ନିଶା ନିବାରଣ, ଭୂତଳ ଜଳ ସଂରକ୍ଷଣ, କୃଷିର ବିକାଶ, କଠିନ ବର୍ଜ୍ୟବସ୍ତୁ ପରିଚାଳନା, ବନ୍ୟା ବାତ୍ୟା ସମୟରେ ରିଲିଫ୍‌ ଓ ଲୋକଙ୍କୁ ଥଇଥାନ କରିବା ଭଳି ବିଷୟବସ୍ତୁ ମଧ୍ୟ ବିଚାରକୁ ନିଆଯାଇଥିଲା। ଶ୍ରୀ ଜେନା ୩୪୧ରୁ ଅଧିକ ଡିବେଟ୍‌ରେ ଭାଗ ନେଇଥିବା ବେଳେ ୫ ଶହରୁ ଅଧିକ ପ୍ରଶ୍ନ ପଚାରିଛନ୍ତି। ସଂସଦରେ ତାଙ୍କର ଉପସ୍ଥାନ ଶତ ପ୍ରତିଶତ। ପତ୍ରିକାରେ ଆହୁରି ଉଲ୍ଲେଖ ରହିଛି ଯେ, ଶ୍ରୀ ଜେନା ତାଙ୍କ ନିର୍ବାଚନମଣ୍ଡଳୀର ଜନକଲ୍ୟାଣ କାର୍ଯ୍ୟରେ ସକ୍ରିୟ ରହିଥିବା ବେଳେ ଦାରିଦ୍ର୍ୟ ଦୂରୀକରଣ, ବୃକ୍ଷରୋପଣ, ଫ୍ଲୋରାଇଡ୍‌ ମୁକ୍ତ ପାନୀୟ ଜଳ, କୃଷି କ୍ଷେତ୍ରରେ ସ୍ବାବଲମ୍ବୀ ହେବା ପାଇଁ କାମ କରିଥିବାରୁ ତାଙ୍କୁ ଏଭଳି ସମ୍ମାନ ମିଳିଛି।
ପ୍ରକାଶ ଥାଉକି ଶ୍ରୀ ଜେନା ପ୍ରଥମ ଥର ପାଇଁ ୨୦୧୩ରେ ବିଜେଡିରେ ଯୋଗ ଦେବା ପରେ ପ୍ରତ୍ୟକ୍ଷ ରାଜନୀତିକୁ ଆସିଥିଲେ। ୨୦୧୪ ସାଧାରଣ ନିର୍ବାଚନରେ ସେ ବାଲେଶ୍ବର ସାଂସଦ ଭାବେ ନିର୍ବଚିତ ହୋଇଥିଲେ। ଶ୍ରୀ ଜେନା ଏକମାତ୍ର ଓଡ଼ିଆ ସାଂସଦ ଭାବେ ଏଭଳି ସମ୍ମାନରେସମ୍ମାନୀତ ହୋଇଛନ୍ତି।

ସମ୍ବନ୍ଧିତ ଖବର