‘ମୃତ’ ବାହୁଡ଼ିବା ଘଟଣା:ପୁଲିସ୍‌ର ଭୂମିକା ନେଇ ସନ୍ଦେହ

ବରଗଡ଼: ‘ମୃତ’ ବୋଲି ଘୋଷଣା ହୋଇ ସାରିଥିବା ପାଇକମାଲ ଥାନା ଭେଙ୍ଗରାଜପୁର ପଞ୍ଚାୟତ ମାଝିପାଲି ଗ୍ରାମର ଜିତୁ ଡନସନା ୧୯ ମାସ ପରେ ଜୀବିତ ଅବସ୍ଥାରେ ଘରକୁ ଫେରିବା ଚର୍ଚ୍ଚାର କେନ୍ଦ୍ର ବିନ୍ଦୁରେ ରହିଛି। ଏହି ୧୯ମାସର ବିବରଣୀ କୌଣସି ସିନେମା କାହାଣୀରୁ କମ୍‌ ନୁହେଁ। ସୁରକ୍ଷିତ ଅବସ୍ଥାରେ ଜିତୁ ଘରକୁ ବାହୁଡ଼ିବା ସମସ୍ତଙ୍କୁ ବିସ୍ମିତ କରି ଦେଇଛି। ଘର ଲୋକେ ପୁଅକୁ ପାଇ ଖୁସିରେ ଆତ୍ମହରା ହୋଇପଡ଼ିଛନ୍ତି। ତେବେ, ଜିତୁ ମାନସିକ ଅବସାଦରେ ଥିବା ପରିବାର ଲୋକେ କହୁଛନ୍ତି। କିନ୍ତୁ ଏସବୁ ଘଟଣାବଳୀକୁ ତର୍ଜମା କଲେ ପୁଲିସ୍‌ର ଭୂମିକାକୁ ନେଇ ନାନାଦି ପ୍ରଶ୍ନ ଉଙ୍କି ମାରୁଛି।
୨୦୧୬ ଡିସେମ୍ବର ୭ ତାରିଖ ଜିତୁ ବରଗଡ଼ ଆସିଥିବା ବେଳେ ଜୀରା ନଦୀ ପାଖରେ ଲୁଟ୍‌ ଶିକାର ହୋଇଥିଲେ। ପୁଅ ନିଖୋଜ ରହିବା ପରେ ତାଙ୍କ ପିତା ସେହି ମାସ ୨୫ ତାରିଖ ପାଇକମାଳ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ କେସ ନମ୍ବର ୧୮୭/୧୬ ଦଫା ୩୬୩ରେ ମାମଲା ରୁଜୁ କରିଥିଲା। ବହୁ ଦିନ ଧରି ଛାନଭିନ୍‌ ପରେ ବି ଜିତୁଙ୍କ କୌଣସି ସନ୍ଧାନ ମିଳିନଥିଲା। ଜିତୁଙ୍କ ମୋବାଇଲ୍‌ ଏବଂ ଟଙ୍କା ଲୁଟ୍‌ ମାମଲାରେ ବରଗଡ଼ର ହଲୁ ଗୁଲା (୨୨) ଓ ରାଘବ ନାୟକ (୨୨) ୨୦୧୭ ମସିହା ଅକ୍ଟୋବର ୨୨ ତାରିଖ ଗିରଫ ହେଲେ। ସେମାନେ ଜିତୁଙ୍କୁ ହତ୍ୟା କରିଥିବା ସ୍ୱୀକାର କରିବା ପରେ ପୁଲିସ୍‌ ହତ୍ୟା ମାମଲା ରୁଜୁ କରି ଉଭୟଙ୍କୁ କୋର୍ଟ ଚାଲାଣ କରିଥିଲା। ପ୍ରଶ୍ନ ଉଠୁଛି, ଜିତୁଙ୍କ ଶବ ନମିଳିଥିଲେ ହେଁ ପୁଲିସ୍‌ ହତ୍ୟା ମାମଲା ରୁଜୁ କଲା କିଭଳି? ପାରିପାର୍ଶ୍ୱିକ ସ୍ଥିତି ଏବଂ ଅଭିଯୁକ୍ତଙ୍କ ବୟାନରୁ ସେତେବେଳେ ହତ୍ୟା ମାମଲା ରୁଜୁ ହୋଇଥିଲା। ଜିତୁ ଫେରିବା ପରେ ହତ୍ୟା ମାମଲା ପ୍ରତ୍ୟାହାର କରାଯିବ ବୋଲି ପାଇକମାଳ ଥାନାଧିକାରୀ ବିଶ୍ୱଜିତ ମନବୋଧ ପ୍ରତିକ୍ରିୟା ରଖିଛନ୍ତି। ଏହାବାଦ କୋଲକତାର ଆଇସ୍କ୍ରିମ ବିକାଳି ଜିତୁ ଜୀବିତ ଥିବା ତାଙ୍କ ପରିବାରକୁ ମୋବାଇଲ ଯୋଗେ ଜଣାଇଥିଲା। ଏହାପରେ ଜିତୁଙ୍କ ପିତା ମନୋରଂଜନ ପାଇକମାଳ ପୁଲିସ୍‌କୁ ଜଣାଇଥିଲେ। ପୁଅକୁ ଉଦ୍ଧାର କରିବା ପାଇଁ ନେହୁରା ହୋଇଥିଲେ। ହେଲେ କୌଣସି ପୁଲିସ୍‌ ଅଧିକାରୀ କୋଲକତା ଯାଇନଥିଲେ। ବରଂ ପରିବାରର ୭ଜଣ କୋଲକତା ଯାଇ ଜିତୁଙ୍କୁ ସାଂଗରେ ନେଇ ଆସିଥିଲେ ବୋଲି ମନୋରଂଜନ କୋହଭରା ଗଳାରେ କୁହନ୍ତି। ଏହି ଦୁଇଟି ଯୁକ୍ତିରୁ ପୁଲିସ୍‌ ମାମଲାକୁ ଅତି ଖାମଖିଆଲି ଭାବେ ପରିଚାଳନା କରିଛି ବୋଲି ବିଭିନ୍ନ ମହଲରୁ ଅଭିଯୋଗ ହେଉଛି।
‘ପୁଲିସ୍‌ ଥାର୍ଡ ଡିଗ୍ରି ଦେଇ ଚାପ ପକାଇଲା’
ଜିତୁଙ୍କୁ ହତ୍ୟା ଅଭିଯୋଗରେ ଗିରଫ ହୋଇଥିଲେ ବରଗଡ଼ ବିଶି ପଡ଼ାର ହଲୁ ଗୁଲା ଏବଂ ରାଘବ ନାୟକ। ତେବେ ଜିତୁ ଫେରି ଆସିବା ପରେ ଏମାନେ ପୁଲିସ୍‌ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଏବଂ କ୍ଷତିପୂରଣ ଦେବାକୁ ଦାବି କରିଛନ୍ତି। ଉଭୟେ ସମାନ ଅଭିଯୋଗ କରି କହିଛନ୍ତି, ପୁଲିସ୍‌ ଗୋଟିଏ ଥାନାରୁ ଅନ୍ୟ ଥାନାକୁ ନେଇ ଥାର୍ଡ ଡିଗ୍ରି ପ୍ରୟୋଗ କରିଥିଲା। ଜିତୁକୁ ହତ୍ୟା କରିଥିବା ସ୍ୱୀକାର କରିବା ପାଇଁ ଚାପ ପକାଇଥିଲା। ମାତ୍ରାଧିକ ଚାପରେ ଆମେ ବାଧ୍ୟ ହୋଇ ମାନିଗଲୁ। ଗୋଟିଏ ବର୍ଷ ହତ୍ୟା ମାମଲାରେ ଜେଲ୍‌ ଗଲୁ ବୋଲି କହିଛନ୍ତି। ଉଭୟ ଯୁବକଙ୍କ ପରିବାର ଏଥିପାଇଁ ପୁଲିସକୁ ଦାୟୀ କରିଛନ୍ତି।
‘ପୁଲିସ୍‌ ଆଇନ- ସଂଗତ କାମ କରିିନି’
ଶବ ନପାଇ ପୁଲିସ୍‌ ହତ୍ୟା ମାମଲା ରୁଜୁ କରିବାକୁ ନେଇ ନୂଆ ଚର୍ଚ୍ଚା ମୁଣ୍ଡ ଟେକିଛି। ତେବେ ପୁଲିସ ଆଇନ ସଂଗତ କାମ କରିନି ବୋଲି ଜିଲ୍ଲା ଓକିଲ ସଂଘ ସଂପାଦକ ଲିପ୍‌ସିତ୍‌ ମିଶ୍ର ପ୍ରତିକ୍ରିୟାରେ କହିଛନ୍ତି। ଶବ ନମିଳିଲେ ପୁଲିସ୍‌ ହତ୍ୟା ମାମଲା ରୁଜୁ କରି ପାରିବ। କିନ୍ତୁ କାହାରିକୁ ହତ୍ୟା ମାମଲାରେ କୋର୍ଟ ଚାଲାଣ କରି ପାରିବ ନାହିଁ। ଶବ ନମିଳିବା କ୍ଷେତ୍ରରେ ମୃତ ବ୍ୟକ୍ତିର ଅଂଗ କିମ୍ବା ରକ୍ତ ଭିଜା ବସ୍ତ୍ର ଆଦି ଜବତ ହୋଇଥିଲେ ପୁଲିସ୍‌ର କାର୍ଯାନୁଷ୍ଠାନ ଚଳିଥାନ୍ତା ବୋଲି ଶ୍ରୀ ମିଶ୍ର କହିଛନ୍ତି।
ଜିତୁ ଘରକୁ ଫୋନ୍‌ କଲେନି କାହିଁକି?
ଜିତୁ ୧୯ ମାସ ଧରି ନିଖୋଜ ରହିଲେ। ଏହି ଅବଧି ମଧ୍ୟରେ ଦିଲ୍ଲୀରେ ବର୍ଷେ ଏବଂ ପରେ କୋଲକତାରେ ରହିଥିଲେ। ହେଲେ ଘର ଲୋକଙ୍କ ମୋବାଇଲ ନମ୍ବର ଥିବା ସତ୍ୱେ ସେ କାହିଁକି ଯୋଗାଯୋଗ କଲେନି? ଏହି ପ୍ରଶ୍ନ ଏବେ ବି ରହସ୍ୟ ଘେରରେ ରହିଛି। ଜିତୁ ମାନସିକ ଭାବେ ସୁସ୍ଥ ନଥିବାରୁ ଏହି ପ୍ରଶ୍ନର ଉତ୍ତର ମିଳିପାରିନାହିଁ। ତାଙ୍କ ବାପା ମନୋରଂଜନଙ୍କ କହିବାନୁସାରେ, ଡକାୟତି ଏବଂ ମାଡ୍‌ପିଟ୍‌ ପରେ ଜିତୁ ଏଭଳି ଭୟଭୀତ ହୋଇଯାଇଥିଲେ ଯେ ସେ ମାନସିକ ଭାରସାମ୍ୟ ହରାଇଥିଲେ। ଘରଲୋକଙ୍କ ଯୋଗାଯୋଗ ଭୁଲି ଯାଇଥିଲେ। କୋଲକତା ଆସିବା ପରେ ମାନସିକ ସ୍ଥିତିରେ ସୁଧାର ଆସିବା ପରେ ଘରର ମୋବାଇଲ ନମ୍ବର ମନେ ପକାଇ ସଂପୃକ୍ତ ଆଇସ୍କ୍ରିମ୍‌ ବିକାଳିଙ୍କୁ କହିଥିଲେ।

ସମ୍ବନ୍ଧିତ ଖବର