ବିଇଓ ଅଫିସ କିରାଣିଙ୍କୁ ୨ ବର୍ଷ ଜେଲ୍‌ ଦଣ୍ଡାଦେଶ

ପେନ୍‌ସନ କରାଇବାକୁ ଲାଞ୍ଚ ମାମଲା

ବୌଦ୍ଧ: ପେନସନ କରାଇବା ପାଇଁ ଲାଞ୍ଚ ନେବା ମାମଲାରେ ଭିଜିଲାନସ୍ ଦ୍ବାରା ଗିରଫ ବୌଦ୍ଧ ବ୍ଲକ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟର କିରାଣି ବୀରେନ୍ଦ୍ର ପଣ୍ଡା ୨ ବର୍ଷ କାରା ଦଣ୍ଡାଦେଶ ସହିତ ୫ ହଜାର ଟଙ୍କାର ଅର୍ଥ ଦଣ୍ଡାଦେଶରେ ଦଣ୍ଡିତ ହୋଇଛନ୍ତି। ଜରିମାନା ଅନାଦେୟ ଅଧିକ ୬ ମାସ କାରା ଦଣ୍ଡାଦେଶ ଦିଆଯାଇଛି। ଫୁଲବାଣୀ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟର ବିଚାରପତି ଭଗବାନ ପ୍ରଧାନ ଏହି ମାମଲାର ବିଚାର କରି ତାଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ଉପ‌ରୋକ୍ତ ଦଣ୍ଡାଦେଶ ଶୁଣାଇଛନ୍ତି।
ସୂଚନା ଅନୁସାରେ, ବୌଦ୍ଧ ଜିଲ୍ଲା ଗୁଡ଼ଭେଲିପଦର ପୁରୁଣାପାଣି ଗାଁର କାଳିଆ ସାଗର ଭାଲିଆପଦର ୟୁପି ସ୍କୁଲର ପ୍ରଧାନ ଶିକ୍ଷକ ପଦରୁ ଅବସର ନେବା ପରେ ଅସୁସ୍ଥ ହୋଇ ପଡ଼ିଥିଲେ। ତାଙ୍କ ପୁଅ ଦେବଦତ୍ତ ସାଗର ପେନସନ ଓ ବକେୟା ପାଇଁ ବୌଦ୍ଧ ବିଇଓଙ୍କ କାର୍ଯ୍ୟାଳୟକୁ ଯାଇଥିଲେ। କିରାଣି ବୀରେନ୍ଦ୍ର ପଣ୍ଡା ତାଙ୍କୁ ଏଥିପାଇଁ ପନ୍ଦର ଶହ ଟଙ୍କା ଲାଞ୍ଚ ମାଗିଥିଲେ। ଦେବଦତ୍ତ ଏ ନେଇ ବ୍ରହ୍ମପୁର ଭିଜିଲାନ୍ସ ବିଭାଗରେ ଅଭିଯୋଗ କରିଥିଲେ। ଫଳରେ ବିଭାଗ ଅଭିଯୁକ୍ତ କିରାଣି ବୀରେନ୍ଦ୍ରଙ୍କୁ ଲାଞ୍ଚ ନେବା ବେଳେ ଧରି କୋର୍ଟ ଚାଲାଣ କରିଥିଲା। ଏହି ମାମଲାରେ ଆଠ ଜଣ ସାକ୍ଷ୍ୟ ପ୍ରଦାନ କରିଥିଲେ। ମାମଲାକୁ ସରକାରଙ୍କ ତରଫରୁ ସ୍ୱତନ୍ତ୍ର ଭିଜିଲାନ୍ସ ପିପି ସୁରେଶ ମହାପାତ୍ର ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର