ହୋଟେଲ ମ୍ୟାନେଜମେଣ୍ଟ ଛାତ୍ରଙ୍କୁ ଚାକିରି ଲୋଭ ଦେଖାଇ ଠକେଇ 

କଟକ : ଓଡ଼ିଆ ହୋଟେଲ୍‌ ମ୍ୟାନେଜ୍‌ମେଣ୍ଟ ଛାତ୍ରଙ୍କୁ ଜାହାଜରେ ରୋଷେୟା ଚାକିରି ଲୋଭ ଦେଖାଇ କୋଟିଏରୁ ଅଧିକ ଟଙ୍କାର ଠକେଇ ସଂକ୍ରାନ୍ତର କ୍ରାଇମବ୍ରାଞ୍ଚ ସାଇବର ଥାନାରେ ମାମଲା ରୁଜୁ ହୋଇଛି। ଅଭିଯୋଗ ଅନୁଯାୟୀ ରୋଷେୟା ଚାକିରି ପାଇଁ ମାସକୁ ୪ ହଜାର ଡଲାର ଦରମା ମିଳିବ ବୋଲି ପ୍ରତିଶ୍ରୁତି ଦିଆଯିବା ସହ ଜାଲ୍‌ ନିଯୁକ୍ତି ପତ୍ର ବି ଦିଆଯାଇଥିଲା। ଅଭିଯୋଗକାରୀ ଭୁବନେଶ୍ୱରର ଛାତ୍ର ଭବାନୀ ଶଙ୍କର ତ୍ରିପାଠୀଙ୍କ ପାଖରୁ ପାଖାପାଖି ଦେଢ଼ ଲକ୍ଷ ଟଙ୍କା ଠକି ନିଆଯାଇ ଥିବା ବେଳେ ତାଙ୍କ ଭଳି ଏକାଧିକ ହୋଟେଲ୍‌ ମ୍ୟାନେଜ୍‌ମେଣ୍ଟ ଛାତ୍ରଙ୍କ ନିକଟରୁ କୋଟିଏରୁ ଉର୍ଦ୍ଧ୍ୱ ଟଙ୍କା ଠକେଇ ହୋଇଥିବା କୁହାଯାଉଛି। ଭବାନୀଙ୍କ ଅଭିଯୋଗ ଆଧାରରେ ସାଇବର ଥାନା ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ଭୁବନେଶ୍ୱର ବଡ଼ଗଡ଼ ଥାନା ଚିନ୍ତାମଣୀଶ୍ୱରରେ ରହୁଥିବା ହୋଟେଲ୍‌ ମ୍ୟାନେଜ୍‌ମେଣ୍ଟ ଛାତ୍ର ଭବାନୀ ଶଙ୍କର ତ୍ରିପାଠୀ ଗତ ଜୁନ୍‌ ୧୮ ତାରିଖରେ ନିଜ ଫେସ୍‌ବୁକ ପେଜ୍‌ରେ ଆମେରିକାର ‘ପ୍ରିନ୍‌ସେସ୍‌ କ୍ରୁଇସ୍‌’ ନାମକ ଜାହାଜ କମ୍ପାନିର ଲିଙ୍କ୍‌ ପାଇଥିଲେ। ଲିଙ୍କ ଖୋଲିବା ପରେ ସମ୍ପୃକ୍ତ ସଂସ୍ଥା ପକ୍ଷରୁ ଜାହାଜରେ ରୋଷେୟା ଭାବେ କାର୍ଯ୍ୟ କରିବାକୁ ନିଯୁକ୍ତି ସଂକ୍ରାନ୍ତ ବିଜ୍ଞପ୍ତି ସଂସ୍ଥାର  ଓ୍ଵବ୍‌ସାଇଟ୍‌ www.princess.comରେ ପ୍ରକାଶ ପାଇଥିବା ଦେଖିଥିଲେ। ସଂସ୍ଥାର ମାନବ ସମ୍ବଳ ବିଭାଗର ଅଧିକାରୀ ହ୍ଵାଟସ୍‌ଆପ୍‌ ଯୋଗେ ଭବାନୀଙ୍କୁ କଲ୍‌ କରି କହିଥିଲେ । ଆମେରିକା ଆସିବା ପାଇଁ ସଂସ୍ଥା ପକ୍ଷରୁ ଭିସା ଏବଂ ଫ୍ଲାଇଟ୍‌ ଟିକେଟ୍‌ ଯୋଗାଇବା ବାବଦରେ ପଞ୍ଜିକରଣ ଖର୍ଚ୍ଚ ୨୬ ହଜାର ଟଙ୍କା ମୁମ୍ବାଇର ଏସ୍‌ବିଆଇ ଶାଖାରେ ଜମା କରିଥିଲେ ଭବାନୀ । ଦ୍ୱିତୀୟ ପର୍ଯ୍ୟାୟରେ ଆମେରିକାରେ ଚାକିରି କରିବା ପୂର୍ବରୁ ଅନୁମତି ପାଇଁ ୫୫ ହଜାର ୧୮୦ ଟଙ୍କା ଦିଲ୍ଲୀରେ ଏସ୍‌ବିଆଇ ଶାଖାରେ ଥିବା ଏକ ଆକାଉଣ୍ଟରେ ଜମା କରିଥିଲେ। ତା’ ପରେ ତାଙ୍କ ନିକଟକୁ ଚାକିରି ସଂକ୍ରାନ୍ତ ନିଯୁକ୍ତିପତ୍ର ଆସିଥିଲା। ପୁଣି ଭିସା ବାବଦରେ ୫୦ ହଜାର ଟଙ୍କା ଜମା କରିବାକୁ କୁହାଯିବାରୁ ସେ ତାହାକୁ ବି ଜମା କରିଥିଲେ। କିନ୍ତୁ କୋରିଅର୍‌ ଆମେରିକାରୁ ଭାରତ ନଆସି ପାକିସ୍ତାନ ଯାଇଥିବା କହିବାରୁ ଭବାନୀଙ୍କ ସନ୍ଦେହ ହୋଇଥିଲା। ଏଭଳି ସ୍ଥିତିରେ ତାଙ୍କର ନିଯୁକ୍ତି ଦରକାର ନାହିଁ, ଜମା କରାଯାଇଥିବା ଟଙ୍କା ଫେରସ୍ତ କରିବାକୁ ସଂସ୍ଥାର ଅଧିକାରୀଙ୍କୁ ଭବାନୀ ହ୍ଵାଟସ୍‌ଆପ୍‌ରେ ସୂଚନା ଦେଇଥିଲେ। କିନ୍ତୁ ଟଙ୍କା ଫେରସ୍ତ କରାଯାଇପାରିବ ନାହିଁ ବୋଲି ସଂସ୍ଥା ପକ୍ଷରୁ ଜବାବ ଦିଆଯାଇଥିଲା। ଫଳରେ ଭବାନୀ ଏ ସଂକ୍ରାନ୍ତରେ କ୍ରାଇମ୍‌ବ୍ରାଞ୍ଚ ସାଇବର ଥାନାର ଦ୍ୱାରସ୍ଥ ହୋଇଛନ୍ତି।

ସମ୍ବନ୍ଧିତ ଖବର