ପତ୍ନୀଙ୍କୁୁ ହତ୍ୟା ଉଦ୍ୟମ ମାମଲା: ସ୍ୱାମୀକୁ ୨ବର୍ଷ ଜେଲ୍‌

ଢେଙ୍କାନାଳ: ଏକ ହତ୍ୟା ଉଦ୍ୟମ ମାମଲାର ବିଚାର କରି ଢ଼େଙ୍କାନାଳ ସିଜେଏମ୍‌ ସୋନାଲି ପଟ୍ଟନାୟକ ସଦର ଥାନା କୋଇଲିପଙ୍ଗି ଗ୍ରାମର ଶ୍ରୀନିବାସ ନାଏକଙ୍କୁ ୨ବର୍ଷ ସଶ୍ରମ କାରାଦଣ୍ଡାଦେଶ ଶୁଣାଇଛନ୍ତି। ତା’ ସହିତ ୫ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି। ଜରିମାନା ଅନାଦେୟ ଅଧିକ ୩ମାସ ସଶ୍ରମ କାରାଦଣ୍ଡ ଭୋଗିବାକୁ ଆଦେଶ ହୋଇଛି। ସୂଚନା ଅନୁଯାୟୀ, କୋଇଲିପଙ୍ଗି ଗ୍ରାମର ଶ୍ରୀନିବାସ ନାଏକ ଗତ ୨୦୧୭ ମସିହା ଏପ୍ରିଲ୍‌ ୧୮ ତାରିଖରେ ସକାଳ ସାଢ଼େ ୮ଟା ବେଳେ ପତ୍ନୀ ବବିତାଙ୍କୁ ଏକ ବ୍ଲେଡରେ ବେକ ଓ ଛାତିକୁ କାଟି ପକାଇଥିଲେ।

ତାଙ୍କ ବାମହାତକୁ ମଧ୍ୟ ପିଟି ଭାଙ୍ଗି ଦେଇଥିଲେ। ପାରିବାରିକ କଳହକୁ କେନ୍ଦ୍ର କରି ହୋଇଥିବା ଏହି ଆକ୍ରମଣକୁ ନେଇ ବବିତାଙ୍କ ଭାଇ ସଦର ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ସଦର ଥାନାରେ ଏକ ମାମଲା ରୁଜୁ ହେବା ସହ ଅଭିଯୁକ୍ତ ସ୍ୱାମୀଙ୍କୁ କୋର୍ଟ ଚାଲାଣ କରାଯାଇଥିଲା। ମୁଖ୍ୟବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍‌ ସୋନାଲି ପଟ୍ଟନାୟକ ଶୁଣାଣି କାଳରେ ସାକ୍ଷ୍ୟ ପ୍ରମାଣକୁ ଆଧାର କରି ଗତ ୨୮ତାରିଖରେ ଏହି ରାୟ ପ୍ରଦାନ କରିଛନ୍ତି। ସରକାରଙ୍କ ପକ୍ଷରୁ ଆଇନଜୀବୀ ଅକ୍ଷୟ କୁମାର ଭୋଇ ମାମଲା ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର