ସନ୍ଦେହୀ ସ୍ୱାମୀର ନରକୀୟ କାଣ୍ଡ: ଶ୍ୱଶୁର ଘରେ ସ୍ତ୍ରୀର ଜୀବନ ନେଲା

ଖସି ପଳାଉଥିବା ବାପକୁ ଧରାଇଲା ପୁଅ

ପର୍ଜଙ୍ଗ : ବିବାହ ବନ୍ଧନର ୨୫ ବର୍ଷ ପରେ ସ୍ତ୍ରୀର ଚରିତ୍ରକୁ ନେଇ ମନରେ ଉପୁଜିଥିବା ସନ୍ଦେହ ଗତକାଲି ରାତିରେ ଭୟଙ୍କର ରୂପ ନେଇଛି। ପରିଣାମ ସ୍ୱରୂପ ସନ୍ଦେହ ନିଆଁରେ ଜର୍ଜରିତ ସ୍ୱାମୀ ସ୍ତ୍ରୀକୁ ରାତି ଅଧରେ ଶୋଇବା ଶେଯରେ ପଥରରେ ଛେଚି ହତ୍ୟା କରିଛି। ବିଳମ୍ବିତ ରାତିରେ ପର୍ଜଙ୍ଗ ଥାନା ସାଆନ୍ଦା ଫାଣ୍ଡି ଚାନ୍ଦପୁର ଗାଁରେ ଘଟିଥିବା ଏହି ଅଭାବନୀୟ ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ଖେଳାଇ ଦେଇଛି। ହତ୍ୟା ଅଭିଯୁକ୍ତ ଖସି ପଳାଉଥିବା ବେଳେ ନିଜ ପୁଅ ହାବୁଡ଼ରେ ପଡ଼ି ଥାନାକୁ ଯିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି।

ହତ୍ୟାର ଶିକାର ହୋଇଥିବା ମହିଳା  ହେଉଛନ୍ତି ପର୍ଜଙ୍ଗ ଥାନା ଚାନ୍ଦପୁର ଗାଁର ମେକି ନାଏକଙ୍କ ଝିଅ ରଞ୍ଜିତା ନାଏକ(୪୨)। ପର୍ଜଙ୍ଗ ଥାନା ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ୨୫ ବର୍ଷ ତଳେ ରଞ୍ଜିତା ହିନ୍ଦୋଳ ଥାନା ହାଣ୍ଡିଫୁଟା ଗାଁର ଗୌତମ ନାଏକ(୪୮)ଙ୍କୁ ବିବାହ କରିଥିଲେ। ତାଙ୍କର ଦୁଇ ଝିଅ  ଓ ଗୋଟିଏ ପୁଅ ଅଛନ୍ତି। ପୁଅ ରଞ୍ଜନ ନାଏକ ଟ୍ରକ୍‌ ଚାଳକ ଭାବେ କାମ କରନ୍ତି।

ପ୍ରାୟ ବର୍ଷକ ତଳେ ସ୍ତ୍ରୀ ରଞ୍ଜିତାଙ୍କ ଚରିତ୍ରକୁ ନେଇ ଗୌତମଙ୍କ ମନରେ ସନ୍ଦେହ ଉପୁଜିଥିଲା।  ସେଇଠୁ ଦାମ୍ପତ୍ୟ ଜୀବନରେ ସୃଷ୍ଟି ହୋଇଥିଲା ଝଡ଼। ସନ୍ଦେହ ଦିନକୁ ଦିନ ବଢ଼ିଚାଲିଲା। ତେଣୁ ସ୍ତ୍ରୀକୁ ଜୀବନରେ ମାରି ଦେବାକୁ ଗୌତମ ପୂର୍ବରୁ ଯୋଜନା କରିଥିଲେ। ଗତକାଲି ସ୍ତ୍ରୀକୁ ନେଇ ଶ୍ୱଶୁର ଘର ଚାନ୍ଦପୁରକୁ ଚାଲି ଆସିଥିଲେ ଗୌତମ। ସନ୍ଧ୍ୟାରେ ସ୍ୱାମୀ-ସ୍ତ୍ରୀ ସେଠାରେ ପହଞ୍ଚି ଥିଲେ।  ଘରେ ଝିଅ, ଜ୍ୱାଇଁଙ୍କ ଶୋଇବା ବ୍ୟବସ୍ଥା କରି ନିଜେ ପଡ଼ୋଶୀ ଘରକୁ ଶୋଇବାକୁ ଯାଇଥିଲେ। ରାତି ଅଧରେ ହଠାତ୍‌ ଗୌତମ ଶାଶୂଙ୍କୁ ଡାକ ପକାଇଥିଲେ। ‘ତୁମ ଝିଅର ଦେହ କ’ଣ ହେଉଛି’ ବୋଲି କହି ଘଟଣାସ୍ଥଳରୁ ଫେରାର୍‌ ହୋଇଯାଇଥିଲେ। ମେକି ଘରକୁ ଆସି ଦେଖିଲା ବେଳକୁ ଝିଅ ରଞ୍ଜିତା ରକ୍ତରେ ଜୁଟୁବୁଡ଼ୁ ହୋଇଥିଲେ। ମୁହଁକୁ ପଥରରେ ଛେଚା ଯାଇଥିଲା ବୋଲି ମେକି ପ୍ରକାଶ କରିଛନ୍ତି। ରାତିରେ ଗୌତମଙ୍କୁ ଖୋଜାଖୋଜି କରାଯାଇଥିଲା। କିନ୍ତୁ ତାଙ୍କର ପତ୍ତା ମିଳିନଥିଲା। ସକାଳ ହେବା ପରେ ଅଭିଯୁକ୍ତ ଗୌତମ ଖଇରପଶି ଘାଟରେ ବ୍ରାହ୍ମଣୀ ନଦୀ ପାର୍‌ ହୋଇ ଖସି ପଳାଇବାକୁ ଚେଷ୍ଟା କରିଥିଲେ। କିନ୍ତୁ ନଦୀ ଆରପାଖରେ ନିଜ ପୁଅ ରଞ୍ଜନ  ବାପାଙ୍କୁ ମୋଟଙ୍ଗା ଥାନା ପୁଲିସ ଜିମା ଦେଇଥିଲେ।  ଅଭିଯୁକ୍ତ ଗୌତମଙ୍କୁ ପର୍ଜଙ୍ଗ ଥାନା ପୁଲିସ ଆଣି ପଚରାଉଚରା ଜାରି ରଖିଛି।

ସମ୍ବନ୍ଧିତ ଖବର