ହୁଗୁଳିଲା ଶାହଙ୍କ ହୁଗୁଳାପଟ୍ଟା ସମୀକରଣ : ନବୀନ ଗଲେ ବିଜେଡି

ବିଜେପିକୁ ୧ ଲକ୍ଷ ଅନୁକମ୍ପା ରାଶି ଫେରାଇବେ

କୁକୁଡ଼ାଖଣ୍ତି : ଦେଢ଼ ବର୍ଷ ତଳେ, ୨୦୧୭ ଜୁଲାଇ ୪ ତାରିଖରେ ଗଞ୍ଜାମ ଜିଲ୍ଲା କୁକୁଡ଼ାଖଣ୍ତି ବ୍ଲକ ଗୋପାଳପୁର ନିର୍ବାଚନମଣ୍ତଳୀ ହୁଗୁଳାପଟାରୁ ବିିଜେପିର ଓଡ଼ିଶା ମିଶନ୍ ୧୨୦+ ଅଭିଯାାନ ଆରମ୍ଭ ହୋଇଥିଲା। ଦୀର୍ଘ ୧୭ ବର୍ଷ ଧରି ଓଡ଼ିଶା ଶାସନ କରୁଥିବା ବିଜେଡି ସରକାରକୁ ହୁଗୁଳାଇବାକୁ ନିଅଁ ପକାଇଥିଲା ବିଜେପି। ପାର୍ଟି ରାଷ୍ଟ୍ରୀୟ ଅଧୢକ୍ଷ ଅମିତ ଶାହା ଏହି ଅଭିଯାନ ପାଇଁ ମୂଳଦୁଆ ପକାଇବା ସହ ମୋ ବୁଥ ସବୁଠୁ ମଜବୁତ ଅଭିଯାନ ଓ ମିସନ-୧୨୦+ ଶୁଭାରମ୍ଭ କରିଥିଲେ। ଖାଲି ଏତିକି ନୁହେଁ, ହୁଗୁଳାପଟା ଗ୍ରାମର ବରା, ଆଳୁଚପ୍‌ ବିକାଳି ନବୀନ ସ୍ବାଇଁଙ୍କ ଘରେ ଆତିଥ୍ୟ ଗ୍ରହଣ କରି ଭୋଜନ କରିଥିଲେ। ଯେଉଁ ନବୀନଙ୍କ ଘରେ ଦିନେ ସ୍ଥାନୀୟ ଜନପ୍ରତିନିଧି ପାଦ ମାଡ଼ି ନଥିଲେ, ସେହି ଘର ସାରା ରାଜ୍ୟରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟି ଯାଇଥିଲା। ଦେଢ଼ ବର୍ଷ ପରେ ଶାହଙ୍କ ହୁଗୁଳାପଟ୍ଟା ରାଜନୀତି ସମୀକରଣ ହଠାତ୍‌ ହୁଗୁଳି ଯାଇଛି। ଯେଉଁ ଗ୍ରାମ ଗେରୁଆ ରଙ୍ଗରେ ଝଲସି ଥିଲା, ତାହା ଆଜି ସବୁଜମୟ ହୋଇଛି। ହୁଗୁଳାପଟ୍ଟା ସରପଞ୍ଚ ପ୍ରଦୀପ ମଲାଣଙ୍କ ସମେତ ୨ଶହରୁ ଅଧିକ ବିଜେପି କର୍ମୀ ଆଜି ବିଜେଡିରେ ସାମିଲ ହୋଇଛନ୍ତି। ଆଜି ଗ୍ରାମରେ ଆୟୋଜିତ ଜନସ˚ପର୍କ ପଦଯାତ୍ରାରେ ଗୋପାଳପୁର ବିଧାୟକ ଡ.ପ୍ରଦୀପ କୁମାର ପାଣିଗ୍ରାହୀଙ୍କ ଉପସ୍ଥିତିରେ ଏହି କର୍ମୀ ମାନେ ବିଜେଡିରେ ମିଶିଥିଲେ। ଆଉ ବିଜେପି ରାଷ୍ଟ୍ରୀୟ ଅଧୢକ୍ଷଙ୍କୁ ଭୋଜନରେ ଆପ୍ୟାୟିତ କରିଥିବା ନବୀନ ସ୍ବାଇଁ ବି ବିଜେଡିରେ ବିଧିବଦ୍ଧ ଭାବେ ସାମିଲ ହୋଇଛନ୍ତି। ଇତ୍ୟବସରରେ ତାଙ୍କୁ ବିଜେପି ପକ୍ଷରୁ ମିଳିଥିବା ୧ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଫେରାଇବେ ବୋଲି ଘୋଷଣା କରିଛନ୍ତି।

ଏହାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର‌୍‌ ଧରିଛି। ଜନସ˚ପର୍କ ପଦଯାତ୍ରାରେ ଅନ୍ୟ ମାନଙ୍କ ମଧୢରେ ବ୍ଲକ ଅଧୢକ୍ଷ କାମାକ୍ଷା ପ୍ରସାଦ ପାତ୍ର, ରାଜ୍ୟ ବିଜେଡି ଉପଦେଷ୍ଟା କୈଳାସ ରଣା, ସୁରେଶ ସାହୁ, କେ.ତାରିଣୀ, ଦିଲ୍ଲୀପ ପାତ୍ର, ସନ୍ତୋଷ ଚୌଧୁରୀଙ୍କ ସମେତ ବହୁ କର୍ମୀ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର