ସାଢେ଼ ତିନି ଲକ୍ଷ ଜରିମାନା:୫ ଲକ୍ଷ ଟଙ୍କାର ସାମଗ୍ରୀ ଜବତ

ବ୍ୟାସନଗର: କଳିଙ୍ଗନଗର ଅତିରିକ୍ତ ଜିଲାପାଳଙ୍କ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇ ବ୍ୟାସନଗର ତହସିଲ ପକ୍ଷରୁ ଆଜି ପଥରପଦା ପ˚ଚାୟତର ଏହି ଗ୍ରାମରେ ଥିବା ଏକ ଚିମିନି ଇଟାଭାଟି ଉପରେ ଚଢ଼ା କରାଯାଇଥିବା ନେଇ ସୂଚନା ଦିଆଯାଇଛି। ପ୍ରଶାସନ ପକ୍ଷରୁ ସାଢ଼େ ୩ଲକ୍ଷ ଟଙ୍କା ଜରିମାନା ଧାର୍ଯ୍ୟ କରାଯାଇଛି। ପଥରପଦାରେ ଥିବା ଇଟାଭାଟି ଦୀର୍ଘ ଦିନ ହେଲା ବେନିୟମ ଭାବେ ଚାଲି ଆସୁଥିଲା। ଜିଲା ପ୍ରଶାସନର ନିର୍ଦ୍ଦେଶ କ୍ରମେ ବ୍ୟାସନଗର ତହସିଲଦାର ନିରଞ୍ଜନ ବେହେରା, ପାଣିକୋଇଲି ଥାନା ଅଧିକାରୀ ଅଜୟ କୁମାର ଜେନା, କଳିଙ୍ଗନଗର ପ୍ରଦୂଷଣ ବୋର୍ଡ ଯନ୍ତ୍ରୀ ମନମୋହନ ମୁର୍ମୁ, ଆରଆଇ ବାବୁଲାଲ ସାମଲ, ରାଜସ୍ବ ସୁପରଭାଇଜର ଗୌରାଙ୍ଗ ଶତପଥୀ ପ୍ରମୁଖ ଚଢ଼ଉରେ ସାମିଲ ହୋଇଥିଲେ। ଚଢ଼ଉବେଳେ ସ˚ପୃକ୍ତ ଇଟାଭାଟିର ମାଲିକ ସନ୍ତୋଷ କୁମାର ବେହେରା ଅନୁପସ୍ଥିତ ଥିବାବେଳେ ପଥରପଦା ମୌଜାର ପ୍ଲଟ ନମ୍ବର ୪୨୯ରେ ବେନିୟମ ଭାବେ ୩ ଏକର ଗ୍ରାମ୍ୟ ଜଙ୍ଗଲ ଜାଗାକୁ ଅକ୍ତିଆର କରି ରଖିଥିବା ଜଣା ପଡିଥିଲା। ଏହି ସ୍ଥାନରେ ମାଟି, ବାଲି ଓ ଜମା ହୋଇଥିବା ଇଟାକୁ ପ୍ରଶାସନ ପକ୍ଷରୁ ଜବତ କରାଯାଇଛି। ୫ ହଜାର କ୍ୟୁବିକ ମିଟର ମାଟି, ଏକ ଲକ୍ଷ ୨୦ ହଜାର ଇଟା ଓ ୮୦ ହଜାର ପୋଡା ଇଟାକୁ ଜବତ କରାଯାଇଛି ଯାହାର ଆନୁମାନିକ ମୂଲ୍ୟ ୫ ଲକ୍ଷ ଟଙ୍କା ହେବ ବୋଲି କଳିଙ୍ଗନଗର ଅତିରିକ୍ତ ଜିଲାପାଳ ସନ୍ତୋଷ କୁମାର ମିଶ୍ର ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର