୩ ଦିନ ପରେ ଖୋଲିଲା ଧକୋଠା ବଜାର

ସନ୍ଧ୍ୟା ପରେ ଶୂନଶାନ

ଆନନ୍ଦପୁର: ଘସିପୁରା ନିର୍ବାଚନମଣ୍ତଳୀର ପୂର୍ବତନ ବିଧାୟକ ପ୍ରାର୍ଥୀ ତଥା ଆନନ୍ଦପୁରର ପୂର୍ବତନ ବ୍ଲକ ଅଧ୍ୟକ୍ଷ ରାମଚନ୍ଦ୍ର ବେହେରାଙ୍କ ହତ୍ୟା ଘଟଣାର ଚାରିଦିନ ପରେ ଆଜି ଧକୋଠାରେ ପରିସ୍ଥିତି ସାମାନ୍ୟ ସ୍ବାଭାବିକ ହୋଇଛି। ଆଜି ସକାଳୁ ଦୋକାନବଜାର ଖୋଲିଥିବାବେଳେ ଲୋକମାନେ କାରବାର କରିଛନ୍ତି। ତଥାପି ସଂଧ୍ୟା ପରେ ବଜାର ଶୂନଶାନ୍ ହୋଇଯାଇଥିବା ଦେଖିବାକୁ ମିଳିଛି। ଧକୋଠାରେ ପୁଲିସ୍‌ ଫୋର୍ସ ମୁତୟନ ହୋଇଥିଲେ ମଧ୍ୟ ଲୋକମାନେ ଭୟଭୀତ ଅବସ୍ଥାରେ ଅଛନ୍ତି। ଏଭଳି ହତ୍ୟା ଘଟଣା ସ୍ଥାନୀୟ ଅଞ୍ଚଳରେ ପୂର୍ବରୁ କେବେ ଘଟିନଥିଲା। ଲୋକମାନେ ସନ୍ଧ୍ୟା ପରେ ଘରୁ ବାହାରିବାକୁ ସୁରକ୍ଷିତ ମଣୁନାହାନ୍ତି। ହତ୍ୟାକାଣ୍ଡରେ ସଂପୃକ୍ତ ୫ ଜଣ ବିଜେଡି ସମର୍ଥକଙ୍କୁ ପୁଲିସ ଗିରଫ କରିଥିବାବେଳେ ଅନ୍ୟ ଅଭିଯୁକ୍ତମାନେ ଏବେ ବି ଫେରାର ରହିଛନ୍ତି। ଜୋନ୍‌-୧ ର ବିଜେଡି ଜିଲ୍ଲାପରିଷଦ ସଦସ୍ୟା ନିବେଦିତା ପୃଷ୍ଟିଙ୍କ ସ୍ବାମୀ ରଣଜିତ ପୃଷ୍ଟି ଓରଫ ସାନପୁଅ ଓ ତାଙ୍କ ସହଯୋଗୀମାନେ ରାଜ୍ୟ ବାହାରକୁ ଚାଲି ଯାଇଥିବା ନେଇ ଚର୍ଚ୍ଚା ହେଉଛି। ହତ୍ୟା ଘଟଣାରେ ବିଜେଡି ସମର୍ଥକମାନେ ସାମିଲ ରହିଥିବାବେଳେ ରାଜନୈତିକ ବିବାଦରୁ ଏହି ହତ୍ୟାକାଣ୍ତ ଘଟିଥିବା ନେଇ ସ୍ପଷ୍ଟ ହୋଇଛି। ହତ୍ୟାକାଣ୍ତ ପଛରେ ଜଣେ ମାଷ୍ଟର ମାଇଣ୍ତ ରହିଥିବାବେଳେ ପୁଲିସ କଲ୍‌ ରେକର୍ଡ ଯାଞ୍ଚ କରୁଥିବା ଜଣାପଡ଼ିଛି।
ଆଗକୁ ନିର୍ବାଚନ ରହିଥିବାରୁ ମନ୍ତ୍ରୀଙ୍କ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି ହେବାର ସମ୍ଭାବନା ରହିଥିବାରୁ ଏହାକୁ ପାରିବାରିକ ଝାମେଲାର ରୂପ ଦେବାକୁ ଚେଷ୍ଟା କରାଯାଉଛି, ଯାହାକୁ ନେଇ ରାମଚନ୍ଦ୍ରଙ୍କ ପରିବାର ଆପତ୍ତି ଉଠାଇଛନ୍ତି। ରାମଚନ୍ଦ୍ର ଘସିପୁରାରୁ ବିଧାୟକ ପ୍ରାର୍ଥୀ ଆଶାୟୀ ରହିଥିବାରୁ ବିଜେଡିରେ ଯୋଗଦେବା ପୂର୍ବରୁ ତାଙ୍କୁ ରାସ୍ତାରୁ ସଫା କରିବାପାଇଁ ଯୋଜନା ପ୍ରସ୍ତୁତ କରାଯାଇଥିଲା। ଅତୀତରେ ଘସିପୁରା ଅଞ୍ଚଳରେ ସଂଘଟିତ ଆକ୍ରମଣ/ହତ୍ୟା ଘଟଣା ଭଳି ଏଥର ରାମଚନ୍ଦ୍ରଙ୍କର ହାତଗୋଡ଼ ହାଣି ଦେବାକୁ ହତିଆର ମଧ୍ୟ ଯୋଗାଣ ହୋଇଥିଲା। ଏଥିପାଇଁ ମୋଟା ଅଙ୍କର ଡିଲ୍‌ ହୋଇଥିବା ନେଇ ଆଜି ଧକୋଠା ବଜାରରେ ଜୋରଦାର ଚର୍ଚ୍ଚା ହେଉଛି। ପୁଲିସ୍‌ ତୁରନ୍ତ ହତ୍ୟାକାଣ୍ତର ପ୍ରକୃତ କାରଣ ସମ୍ପର୍କରେ ସ୍ପଷ୍ଟ କରିବା ସହିତ ଅପରାଧୀ ଓ ମାଷ୍ଟରମାଇଣ୍ତକୁ ଗିରଫ କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର