ସୁନନ୍ଦାଙ୍କ ମୁଣ୍ଡରେ ସୁନା କଳସ

ଅପରାହ୍ଣରେ ପଦ୍ମ ଛାଡ଼ି ଶଙ୍ଖ ଧରିଥିଲେ ଦେବାଶିଷ, ବିଜୟଙ୍କ ଶିବିରରେ ନୈରାଶ୍ୟ

ଯାଜପୁର ରୋଡ଼/ବରୀ: ମୁକ୍ତି ସଂଗ୍ରାମର ପବିତ୍ର ମାଟିରେ ରୋଚକ ମୋଡ଼ ନେଇଛି ରାଜନୀତି। ରାଜନୈତିକ ହଟସିଟରେ ବସିଥିବା ହାଇପ୍ରୋଫାଇଲ ନେତା ଦେବାଶିଷ ନାୟକଙ୍କୁ ଦଳ ଏଥର ଭରସା କରି ନପାରି ବିଜେଡିକୁ ପ୍ରତ୍ୟାବର୍ତ୍ତନ କରିଥିବା ବରୀ ବ୍ଲକ ଅଧ୍ୟକ୍ଷା ସୁନନ୍ଦାଙ୍କ ମୁଣ୍ଡରେ ଦଳ ସୁନା କଳସ ଥାପିଛି। ସୁନନ୍ଦା ଟିକଟ ପାଇବା ପରେ ବବିଙ୍କ ମାଷ୍ଟର ଷ୍ଟ୍ରୋକ ବରୀରେ କାମ ଦେଇଛି ବୋଲି ଚର୍ଚା ଜୋର ଧରିଛି। ସେପଟେ ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପରିବାର ସହିତ ଘନିଷ୍ଠ ସମ୍ପର୍କ ରଖିଥିବା ଦେବାଶିଷଙ୍କୁ ହଟାଇବାରେ ‌ସଫଳ କେତେକ ନେତା ସଫଳ ହୋଇଛନ୍ତି।
ପଦ୍ମଛାଡ଼ି  ଅପରାହ୍ଣରେ ନବୀନ ନିବାସରେ ଶଙ୍ଖ ଧରିଥିବା ବରୀ ବ୍ଲକ ଅଧ୍ୟକ୍ଷା ସୁନନ୍ଦା ଦାସ। ସଂଧ୍ୟାରେ ଦଳର ହାଇକମାଣ୍ଡ ବରୀ ନିର୍ବାଚନ ମଣ୍ଡଳୀ ପାଇଁ ତାଙ୍କୁ ପ୍ରାର୍ଥୀ କରାଯାଇଥିବା ଘୋଷଣା କରିଛନ୍ତି। ସୁନନ୍ଦା ଟିକଟ ପାଇବା ପରେ ତାଙ୍କ ସମର୍ଥକଙ୍କ ମଧ୍ୟରେ ଆନନ୍ଦ ପ୍ରକାଶ ପାଇଛି। ସେ ବରୀ ଫେରିବା ପରେ ତାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦେବାକୁ ଯୋଜନା ଚାଲିଛି।
ହାଇପ୍ରୋଫାଇଲ ନେତା ବିଧାୟକ ଦେବାଶିଷ ନାୟକ ଓ ବିଜେଡି ରାଜ୍ୟ ସଂପାଦକ ବିଜୟ ନାୟକଙ୍କୁ ବରୀରୁ ପ୍ରାର୍ଥୀ କରିବା ପାଇଁ ସେମାନଙ୍କ ସମର୍ଥକମାନେ ଗତ ଦୁଇ ଦିନ ଧରି ନନୀନ ନିବାସ ସମ୍ମୁଖରେ ଦମ ଦେଖାଇବା ସହିତ ନାରାବାଜି ଦେଇ ପ୍ରାର୍ଥୀ କରିବାକୁ ଦାବି ଜଣାଇଥିଲେ। ହେଲେ ଦଳର ହାଇକମାଣ୍ଡ ଏସବୁକୁ ଭ୍ରୂକ୍ଷେପ କରି ନାହାନ୍ତି କି କାହାରି ଉପରେ ଆସ୍ଥା ପ୍ରକଟ କରି ପାରି ନାହାନ୍ତି।
୨୦୦୦ ମସିହାରୁ ଦେବାଶି‌ଷ ନାୟକ ଚାରି ଚାରି ଥର ବିଧାୟକ ଭାବେ ବିଜୟ ହୋଇଥିଲେ। ବିରୋଧୀ ଦଳର ପ୍ରତିଦ୍ବନ୍ଦ୍ବୀଙ୍କ ଆପେକ୍ଷା ନିଜ ଦଳ ବିଜେଡିର ଯେଉଁ ନେତାନେତ୍ରୀ ତାଙ୍କ ପାଇଁ ଭୟର ବାତାବରଣ ସୃଷ୍ଟି କରିଥିଲେ, ତାହା ସତରେ ପରିଣତ ହୋଇଛି।  ୨୦୧୪ନିର୍ବାଚନ ସମୟରେ ଟାଲିଙ୍କୁ ନେଇ ବିଦ୍ରୋହ ତୀବ୍ର ହେବାରୁ ଦେବାଶିଷ ତାଙ୍କୁ ପଛକୁ ଠେଲି ଦେଇ ଶେଷ ମୂହୁର୍ତ୍ତରେ ନିଜ ବଡ଼ଭାଇ ଦେବେନ୍ଦ୍ର ନାୟକଙ୍କ ଦ୍ବାରା ନିର୍ବାଚନ ପରିଚାଳନା କରାଇଥିଲେ। ନିର୍ବାଚନ ଜିତିବା ପରେ ପୁଣି ଟାଲି ଅଖଣ୍ଡ କ୍ଷମତାର ଅଧିକାରୀ ହୋଇଗଲେ। ଟାଲିଙ୍କ କାର୍ଯ୍ୟଧାରା ମଧ୍ୟ ଅନେକ ସମୟରେ ଦେବାଶିଷଙ୍କ ପାଇଁ ଅସନ୍ତୋଷର ମଞ୍ଜି ବୁଣିଥିବା ନେଇ ଚର୍ଚା ହୋଇଥିଲା।
ଅନ୍ୟପଟେ ବିଜେଡି ରାଜ୍ୟ ସମ୍ପାଦକ ବିଜୟ ନାୟକଙ୍କର ବରୀ ମାଟି ପ୍ରତି ‌ଅହେତୁକ ଆକ‌ର୍ଷଣ ଥିଲା। ସେ ମଧ୍ୟ ବରୀରେ ନିଜ ସମର୍ଥକଙ୍କ ଗହଣରେ ପୂଜାର୍ଚ୍ଚନା କରିଥିଲେ। ତାଙ୍କର ସମର୍ଥକମାନେ ଦଳର ହାଇକମାଣ୍ଡ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ନବୀନ ନିବାସ ଆଗରେ ଏକଜୁଟ ହୋଇ ଦମ୍ ଦେଖାଇବା ସହିତ ବିଜୟ ନାୟକଙ୍କୁ ବରୀରୁ ପ୍ରାର୍ଥୀ କରିବାକୁ ଦାବି ଜଣାଇଥିଲେ। ଦଳ ମୁଖିଆ ମହିଳା କାର୍ଡ ଖେଳି ସବୁ କଳ୍ପନାଜଳ୍ପନା, ଦାବିକୁ ସମୁଦ୍ରକୁ ନ‌ିକ୍ଷେପ କରି ଦେଇଛନ୍ତି।
ସୁନନ୍ଦାଙ୍କ ସଂଗଠନ ଓ ଦକ୍ଷତା ଉପରେ ଭରସା କରି ତାଙ୍କୁ ଦଳୀୟ ଟିକଟରେ ନିର୍ବାଚନ ଲଢ଼ିବାକୁ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଏଭଳି ଅପ୍ରତ୍ୟାଶ୍ରିତ ଘୋଷଣା ପରେ ଉଭୟ ଦେବାଶିଷ ଓ ବିଜୟଙ୍କ ସମର୍ଥକଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ତେବେ ବରୀର ରାଜନୈତିକ ପାଣିପାଗ ଏବଂ ପରିବେଶ ଉପରେ ସମସ୍ତଙ୍କ ନଜର ରହିଥିବାରୁ ପରିସ୍ଥିତି କଣ ହେବ ତାହା ସମୟ ସ୍ପଷ୍ଟ କରିବ ବୋଲି ଚର୍ଚା ହେଉଛି।

ସମ୍ବନ୍ଧିତ ଖବର