କୃଷି ବିଭାଗ ଓ ବୀମା କମ୍ପାନିଙ୍କ ମଧୁଚନ୍ଦ୍ରିକା:ପ୍ରଧାନମନ୍ତ୍ରୀ ଫସଲ ବୀମାରୁ ଜୁନାଗଡ଼ ଚାଷୀ ବଞ୍ଚିତ

ଜୁନାଗଡ଼: କଳହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକରେ ଲଘୁଚାପ ଜନିତ ବର୍ଷା ଯୋଗୁଁ ହାତୀନଦୀରେ ପଞ୍ଚମ ବନ୍ୟା ଦେଖାଦେଇଥିଲା। ବୀମା କମ୍ପାନି ଦ୍ୱାରା ଏପର୍ଯ୍ୟନ୍ତ କ୍ଷୟକ୍ଷତି ଆକଳନ ନକରିବା ଯୋଗୁଁ ଚାଷୀ ବୀମା ପାଇବା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପଞ୍ଚମ ଥର ବନ୍ୟା ହୋଇ ଚାଷୀଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗି ଦେଇଥିବା ବେଳେ କୃଷି ବିଭାଗ ଓ ବୀମା କମ୍ପାନିଙ୍କ ଚାଷୀଙ୍କ ପ୍ରତି ବୈମାତୃକ ମନୋଭାବ ଯୋଗୁଁ ଚାଷୀମାନେ ମୁଣ୍ଡରେ ହାତଦେଇ ବସିବା ନେଇ ସାଧାରଣରେ ଉଦ୍‌ବେଗ ପ୍ରକାଶ ପାଇଛି।
ପ୍ରକାଶ ଯେ, ଚଳିତ ଖରିଫ ଋତୁରେ ଜୁନାଗଡ଼ ବ୍ଲକରେ ୨୮୬୪୪ ଚାଷ କରାଯାଇଛି। ସେଥିମଧ୍ୟରୁ ଛୋରିଆଗଡ଼ ପଞ୍ଚାୟତରେ ୮୫ ହେକ୍ଟର ଜମିରେ ଚାଷ କ୍ଷତିଗ୍ରସ୍ତ ହୋଇଛି। ସେହିଭଳି ମେରିଆବନ୍ଧଲିରେ ୬୨ ହେକ୍ଟର, ବକ୍ସିତୁଲସିପାଲିରେ ୬୨ ହେକ୍ଟର, ତଳମଲାରେ ୩୫୦ ହେକ୍ଟର, ଭଇଁରିଗୁଡାରେ ୪୦ ହେକ୍ଟର, ପଲାସରେ ୧୧୨ ହେକ୍ଟର, ଦୁନ୍ଦେଲମାଲରେ ୧୯୯ ହେକ୍ଟର, ବୁଢିଦରରେ ୧୧୫ ହେକ୍ଟର, ସନ୍ୟାସୀ କୁଣ୍ଡମାଲରେ ୨୯ ହେକ୍ଟର, ନନ୍ଦୋଲରେ ୧୪୦ ହେକ୍ଟର, ତଲଜାରିଙ୍ଗରେ ୯୩ ହେକ୍ଟର, ଗୌଡଛେଣ୍ଡିଆରେ ୯୪ ହେକ୍ଟର, ଚାରବାହାଲରେ ୫୨ ହେକ୍ଟର, ଦେଦରରେ ୧୫୧ ହେକ୍ଟର, ଚାରଭାଟିରେ ୨୫ ହେକ୍ଟର, ହାବସପୁରରେ ୧୦୦ ହେକ୍ଟର, ମହିଚଲାରେ ୬୮ ହେକ୍ଟର, ବାଙ୍କପଲାସରେ ୧୯୦ ହେକ୍ଟର, ବଳଧିଆମାଲରେ ୪୩ ହେକ୍ଟର, କାଲିଆକୁଣ୍ଡଳରେ ୨୭୧ ହେକ୍ଟର, ଆଟିଗାଁରେ ୩୯୦ ହେକ୍ଟର, ଚିଚୈଗୁଡାରେ ୫୭ ହେକ୍ଟର, ମାଲିଗୁଡାରେ ୧୩୭ ହେକ୍ଟର, ନକଟିଗୁଡାରେ ୩୬ ହେକ୍ଟର, କେନ୍ଦୁପାଟିରେ ୨୫୪ ହେକ୍ଟର, ମୁଣ୍ଡରାଗୁଡାରେ ୭୪ ହେକ୍ଟର, ରାଜପୁରରେ ୭୮ ହେକ୍ଟର, ବଣିଜରାରେ ୭୧ ହେକ୍ଟର, ଦାସିଗାଁରେ ୧୮୮ ହେକ୍ଟର, କଲେଇଗାଁରେ ୧୦୨ ହେକ୍ଟର, ମାଟିଗାଁରେ ୧୦୫ ହେକ୍ଟର, କାଲୋପଲାରେ ୮୩ ହେକ୍ଟର, ପିଲିକିଆରେ ୫୮ ହେକ୍ଟର, ଚିଙ୍ଗୁଡିସରରେ ୭୦ ହେକ୍ଟର, ଜୁନାଗଡ ଏନଏସିରେ ୪୦ ହେକ୍ଟର ସମେତ ୪୧୪୬ ହେକ୍ଟର ଚାଷ କ୍ଷତିଗ୍ରସ୍ତ ହୋଇଛି।

ସେହିଭଳି ୩୫୦୫ ହେକ୍ଟର ଜମିରେ ଧାନ ଓ ୬୪୨ ହେକ୍ଟର ଜମିରେ ଅଣଧାନ କ୍ଷତିଗ୍ରସ୍ତ ହୋଇଛି। କଳାହାଣ୍ଡି ଜିଲ୍ଲାରେ ରୟାଲ ସୁନ୍ଦରମ ବୀମା କମ୍ପାନି ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ପାଇଁ ଚୁକ୍ତିବଦ୍ଧ ହୋଇଛି। ବୀମା କମ୍ପାନି କହିବା ଅନୁସାରେ ଚାଷ ଜମିରେ ପାଣି ଥିବାର ୪୮ ଘଣ୍ଟା ମଧ୍ୟରେ ଚାଷୀମାନେ ବୀମା କମ୍ପାନିକୁ ଦରଖାସ୍ତ ଓ ବୀମା କରିଥିବା କାଗଜପତ୍ର ଇ-ମେଲ ଜରିଆରେ ଜଣାଇବା କଥା। ଚାଷୀମାନେ କୃଷି ବିଭାଗକୁ ଚାଷ କ୍ଷତି ନେଇ ଦରଖାସ୍ତ କରୁଛନ୍ତି। ତେଣୁ କୃଷି ବିଭାଗ ବୀମା କମ୍ପାନିକୁ ଚାଷୀଙ୍କ କ୍ଷତିଗ୍ରସ୍ତ ଉପରେ ଜଣାଇଲେ ୪୮ ଘଣ୍ଟା ପୁରିଯାଇଛି ଆଉ ହେବ ନାହିଁ ବୋଲି କହିବାରୁ ସାଧାରଣରେ ଉଦବେଗ ପ୍ରକାଶ ପାଇଛି। ଏ ନେଇ ଜୁନାଗଡ଼ ସହକାରୀ କୃଷି ଅଧିକାରୀ ନୌକେଶ୍ୱର ନାଗଙ୍କୁ ପଚାରିବାରୁ ସେ କହିଥିଲେ ଯେ, ବୀମା କମ୍ପାନି ନିଜେ ଆସି କ୍ଷତିଗ୍ରସ୍ତ ଚାଷ ଉପରେ ତଦାରଖ କରିବା କଥା କିନ୍ତୁ ବୀମା କମ୍ପାନି ତାହା କରୁ ନାର୍ହିଁ। ସେହିଭଳି ବୀମା କମ୍ପାନି କୃଷିବିଭାଗ ସହିତ ମଧ୍ୟ ଯୋଗାଯୋଗରେ ନାହିଁ। ବର୍ତ୍ତମାନ ବହୁ ଚାଷୀଙ୍କ କ୍ଷତିଗ୍ରସ୍ତ ରିପୋର୍ଟ ବୀମା କମ୍ପାନିକୁ ଇ-ମେଲ ଯୋଗେ ଜଣାଇଛୁ। ଚାଷୀଙ୍କ ବୀମା ଟଙ୍କା ପାଇବା ପାଇଁ ଚେଷ୍ଟା କରୁଛୁ ବୋଲି କହିଥିଲେ। ଅନ୍ୟ ପକ୍ଷରେ ବୀମା କମ୍ପାନିର ଏଜେଣ୍ଟ ଯୋଜିନ୍ଦ୍ର ନାଏକଙ୍କୁ ଯୋଗାଯୋଗ କରିବାରୁ ଯୋଗାଯୋଗ ହୋଇନଥିଲା।

ସମ୍ବନ୍ଧିତ ଖବର