କେସିଙ୍ଗା: କେସିଙ୍ଗା ସହରର ୱାର୍ଡ ନଂ ୧୦ ଓ ବ୍ଲକର ମଶାଣିମୁଣ୍ଡା ଗାଁରେ ଏବେ କିଡିନି ଫେଲ୍ ରୋଗ ବଢ଼ିବାରେ ଲାଗିଛି। ଏହି ରୋଗରେ ଗତ ପ୍ରାୟ ଏକବର୍ଷ ମଧ୍ୟରେ ୬ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଏବେ ବି ୧୫ରୁ ଅଧିକ ଲୋକ ଆକ୍ରାନ୍ତ ହୋଇ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି। ଏବେ ସୁଦ୍ଧା କାରଣ ଅସ୍ପଷ୍ଟ ହୋଇଥିବା ବେଳେ ଗତ କିଛି ମାସ ମଧ୍ୟରେ ଲଗାତାର ଏଭଳି ମୃତ୍ୟୁ ନେଇ ଲୋକେ ଆତଙ୍କିତ ହୋଇ ପଡ଼ିଛନ୍ତି। କେହିକେହି ପାଣି ପାଇଁ ଏହି ରୋଗ ହେଉଥିବା କଥା କହୁଥିବା ବେଳେ ଏହା ଅନ୍ୟ କାରଣରୁ ବି ହେଉଥିବା ଆଲୋଚନା ହେଉଛି । ବୁଢ଼ାଡଙ୍ଗର ପାହାଡ଼କୁ ଲାଗି ୱାର୍ଡ ନଂ ୧୦ ଓ ମଶାଣିମୁଣ୍ଡା ଗ୍ରାମ ରହିଛି। ୱାର୍ଡ ନଂ ୧୦ରେ ପ୍ରାୟ ୩୦୦୦ ଜନସଂଖ୍ୟା ଥିବା ବେଳେ ୩୪ ଗୋଟି ନଳକୂପ ଓ ୮ ଟି ଷ୍ଟାଣ୍ଡପୋଷ୍ଟ ରହିଛି। ଏହି ୱାର୍ଡର ଅଧିକାଂଶ ଲୋକ ନଳକୂପ ପାଣି ଉପରେ ନିର୍ଭର କରିଥାନ୍ତି। ପାହାଡ଼ିଆ ଅଂଚଳର ପାଣି ହୋଇଥିବାରୁ ଏଠିକାର ପାଣି ଭଲ ରହୁ ନଥିବା ଅଭିଯୋଗ ହୋଇଛି। ଏଣୁ ପାଣି ବି ଏହି ରୋଗର ଏକ ମୁଖ୍ୟ କାରଣ କୁହାଯାଉଛି।
Sambad is now on WhatsApp
Join and get latest news updates delivered to you via WhatsApp
ସଚେତନତା ଅଭାବରୁ ମଦ୍ୟପଙ୍କ ସଂଖ୍ୟା ବି ଅଂଚଳରେ ବେଶି। ଗତ କିଛି ମାସ ମଧ୍ୟରେ କିଡ୍ନି ଫେଲ୍ ରୋଗରେ ଏହି ୱାର୍ଡର ସୁରେଶ ବେସ୍ରା, ସୁରଥ ବେସ୍ରା, ମୁନା ଛତ୍ରିଆ, କାର୍ତ୍ତିକ, ଅନିଲ ଓ ମଣି ପ୍ରାଣ ହରାଇଛନ୍ତି। ଏବେ ବି ଏହି ଓ୍ଵାର୍ଡରେ ୧୦ରୁ ଅଧିକ ରୋଗୀ ଆକ୍ରାନ୍ତ ହୋଇଛନ୍ତି। ଏହି ୱାର୍ଡର ଅଧିକାଂଶ ଲୋକ ଦାରିଦ୍ର୍ୟ ସୀମାରେଖା ତଳେ ଅଛନ୍ତି। ଦୈନନ୍ଦିନ ଗୁଜୁରାଣ କରି ପେଟ ପୋଷିଥାନ୍ତି। କିଡନି ଫେଲ୍ ରୋଗ ବହୁତ ବ୍ୟୟବହୁଳ ହୋଇଥିବାରୁ ଏମାନଙ୍କ ପାଇଁ ଚିକିତ୍ସା କଷ୍ଟସାଧ୍ୟ ହୋଇପଡ଼େ। ପୁଣି କେସିଙ୍ଗାରେ ଚିକିତ୍ସା ବ୍ୟବସ୍ଥା ଠିକ ନଥିବା, ବିଶେଷଜ୍ଞ ଡାକ୍ତର ନଥିବା ଯୋଗୁଁ ଲୋକେ ବହୁତ ହଇରାଣ ହରକତ ହୁଅନ୍ତି। କଳାହାଣ୍ଡି ଜିଲ୍ଲାରେ ବି ଏହି ରୋଗୀମାନଙ୍କ ପାଇଁ ସଠିକ ଚିକିତ୍ସା ବ୍ୟବସ୍ଥା ନଥିବାରୁ ଏମାନେ ଚିକିତ୍ସା ପାଇଁ ବୁର୍ଲା, ବିଶାଖାପାଟଣା, ଓ କଟକ ଉପରେ ନିର୍ଭର କରିଥାନ୍ତି। କିଛି ଦିନ ଚିକିତ୍ସା ପରେ ଟଙ୍କା ସରିଗଲେ ଘରକୁ ଫେରିଆସି ମୃତ୍ୟୁ ମୁଖରେ ପଡ଼ିଥାନ୍ତି। ଏପରି ଏକ ବର୍ଷ ମଧ୍ୟରେ ଏହି ୱାର୍ଡର ସୁରେଶ ବେସ୍ରା ଓ ସୁରଥ ବେସ୍ରା ଆକ୍ରାନ୍ତ ହୋଇ ମୃତ୍ୟୁ ବରଣ କରିଥିବାରୁ ତାଙ୍କ ପରିବାର ଉଜୁଡ଼ି ଯାଇଛି।
ସେହିପରି ମଶାଣିମୁଣ୍ଡା ମଧ୍ୟ ବୁଢ଼ାଡଙ୍ଗର ପାହାଡ଼ ତଳକୁ ଲାଗିକି ରହିଛି। ଏହି ଗ୍ରାମରେ ବି ଦିନକୁ ଦିନ କିଡ଼ନି ଫେଲ୍ ରୋଗୀ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏବେ ବି ଏହି ରୋଗରେ ଆକ୍ରାନ୍ତ ହୋଇ ଅର୍ଥ ଅଭାବରୁ ଚିକିତ୍ସା କରାଇ ନପାରି ଲୋକେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି। ହଜାରେ ଜନସଂଖ୍ୟା ବିଶିଷ୍ଟ ଏହି ଗ୍ରାମର ବି ବହୁ ଲୋକ ଅତ୍ୟନ୍ତ ଗରିବ। ଏଣୁ ରୋଗର ଚିକିତ୍ସା କରି ନପାରି ମୃତ୍ୟୁ ମୁଖରେ ପଡୁଛନ୍ତି। ଗତ ଏକ ବର୍ଷ ମଧ୍ୟରେ ଏହିପରି ଲୋକଙ୍କର କିଡ଼ନି ଫେଲ ରୋଗରେ ମୃତ୍ୟୁ ନେଇ ଅଂଚଳବାସୀ ଭୟଭୀତ ହୋଇପଡ଼ିଛନ୍ତି। ଏଣୁ ଏହି ରୋଗର କାରଣ କଣ ତାର ତଦନ୍ତ ପାଇଁ ଏକ ଟିମ ପଠାଇବାକୁ ଜିଲ୍ଲା ପ୍ରଶାସନ ପାଖରେ ଦାବି ହୋଇଛି। ସେହିପରି ଏହି ରୋଗରେ ଆକ୍ରାନ୍ତ ରୋଗୀମାନଙ୍କୁ ଏବଂ ରୋଗରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଥିବା ଲୋକଙ୍କ ପରିବାରଗୁଡ଼ିକୁ ସରକାରୀ ସାହାଯ୍ୟ ଦେବା ପାଇଁ ବିଭିନ୍ନ ମହଲରେ ଦାବି ହୋଇଛି।