ଅବହେଳିତ ପିପଳପଦର ପଞ୍ଚାୟତର ଲୋକଙ୍କ ଚେତାବନୀ, ରାସ୍ତା ନିର୍ମାଣ କର ନଚେତ ୨୦୧୯ ହେବ ଭୋଟ ବର୍ଜନ

ଲକ୍ଷ୍ମୀପୁର: କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ଅନ୍ତର୍ଗତ ପିପଳପଦର ଗ୍ରାମପଞ୍ଚାୟତର ୪ଖଣ୍ଡ ଗ୍ରାମକୁ ସ୍ୱାଧୀନତାର ସତୁରି ବର୍ଷ ପରେ ମଧ୍ୟ ପ୍ରଶାସନ ତରଫରୁ ରାସ୍ତା ଖଣ୍ଡିଏ ହୋଇପାରିଲା ନାହିଁ। ଫଳରେ ନିର୍ବାଚନ ଆଉ ମାତ୍ର ୪ ମାସ ଥିବା ବେଳେ, ରାଜ୍ୟସରକାର ତୁରନ୍ତ ରାସ୍ତା ତିଆରି କରନ୍ତୁ, ନଚେତ୍‌ ସଂପୂର୍ଣ୍ଣ ପିପଳପଦର ଗ୍ରାମପଞ୍ଚାୟତର ୬ ହଜାରରୁ ଉର୍ଦ୍ଧ୍ୱ ଭୋଟର ଭୋଟ ବର୍ଜନ କରିବା ସକାଶେ ଧମକ ଦେଇଛନ୍ତିା

କୋରାପୁଟ ଜିଲ୍ଲାର ଜଙ୍ଗଲ ପାହାଡ ପର୍ବତ ଘେରା ଦୁର୍ଗମ ଅଞ୍ଚଳରେ ପିପଳପଦର ଗ୍ରାମପଞ୍ଚାୟତ ରହିଛି। ଏହି ଗ୍ରାମପଞ୍ଚାୟତ ଅଧିନରେ ଲୁଲୁପଦର, ପିସ୍କାଡାଙ୍ଗ, ଚୁଚୁକଣା, ରାମିଝୋଲା ଭଳି ଅନେକ ଗାଁକୁ ବର୍ତମାନ ସୁଧା ରାସ୍ତା ହୋଇ ପାରିନାହିଁ। ଗାଁ ମାନଙ୍କୁ ରାସ୍ତା ନଥିବା କାରଣରୁ ଗର୍ଭବତୀ ମହିଳାଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଥିବା ରୋଗୀ ଓ ଗାଁର ଛାତ୍ରଛାତ୍ରୀମାନେ ଲକ୍ଷ୍ମୀପୁର ବ୍ଲକ ସଦର ମହକୁମାକୁ ଯିବା ଆସିବା ସକାଶେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତିା ବିଶେଷ କରି ବ୍ଲକ ସଦର ମହକୁମାର କେସକାପାଡି ଛକ ଠାରୁ ପ୍ରାୟ ୮ କିଲୋମିଟର ରାସ୍ତା ଅବସ୍ଥା ଶୋଚନୀୟ ହୋଇଥିବା କାରଣରୁ ୪ଖଣ୍ଡ ଗାଁର ୩ ହଜାରରୁ ଉର୍ଦ୍ଧ୍ୱ ଜନସାଧାରଣ ସବୁବେଳେ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତିିା

ରାସ୍ତାରେ ଦୁଇଚକିଆ ଯାନ ଯିବା ଏତେ କେତେ କଷ୍ଟ ହେଉଛି ଯେ, ଏହି ଗାଁକୁ ୪ ଚକିଆ ଯାନ ହେଉ ଅବା ଆମୁଲାନ୍‌ସ କିପରି ବା ଆସିବ, ରୋଗୀ ଓ ଗର୍ଭବତୀଙ୍କ ପାଇଁ କେବଳ ଆଶା ଦିଦିଙ୍କୁ ଦିଆଯାଇଥିବା ଷ୍ଟ୍ରେଚର ହିଁ ସାହା ଭରଷା। ରୋଗୀଙ୍କୁ ଶବ ଭଳି ଷ୍ଟ୍ରେଚରରେ ଡାକ୍ତରଖାନାକୁ ବୋହି କି ନିଆଯାଉଛି। ଗାଁରେ ଯଦି ଏକାଥରକେ ଦୁଇଜଣ ରୋଗୀ ହୋଇଯାଆନ୍ତି, ତା’ହେଲେ ଷ୍ଟ୍ରେଚର୍‌ ଟିଏ ବି ମିଳି ପାରେ ନାହିଁ। ପରେ ଖଟଟିକୁ କାଉଡି କରି ବୋହି ନେବା ବ୍ୟତୀତ ଅନ୍ୟ ଉପାୟ ନଥାଏ। ଏମାନଙ୍କୁ ଆମୁଲାନ୍‌ସ ସାତସପନ। ଆଗକୁ ୨୦୧୯ ନିର୍ବାଚନ ରହିଛି। ତେଣୁ ସଂପୂର୍ଣ୍ଣ ଗ୍ରାମପଞ୍ଚାୟତର ୬ ହଜାରରୁ ଅଧିକ ଭୋଟର ରାସ୍ତା କାମ ନହେଲେ ଭୋଟ ବର୍ଜନ କରିବାକୁ ସିର ପ୍ରାସ୍କା, କୁମ୍ବେଶ୍ୱର ପ୍ରାସ୍କା ଭଳି ଅନେକ ଗ୍ରାନବାସୀ ଧମକ ଦେଇଛନ୍ତି।

ସମ୍ବନ୍ଧିତ ଖବର