ଦୂରଗାମୀ ବସକୁ ଜବତ କଲା ଆରଟିଓ:ପୁଲିସ ସହ ଧସ୍ତାଧସ୍ତି, ୩ଗିରଫ

ମାଲକାନଗିରି: ମାଲକାନଗିରିର ଜିଲ୍ଲା ଆଂଚଳିକ ପରିବହନ ବିଭାଗ ପକ୍ଷରୁ ଆଜି ଚଢ଼ାଉ କରାଯାଇ ଦୂରଗାମୀ ବସ ଗୁଡିକକୁ ଜବତ କରାଯାଇଛି। ଏହି ଦୂରଗାମୀ ବସ ଗୁଡିକ ଟୁର ଏବଂ ଟ୍ରାଭେଲସ୍ ଲେଖି ଯାତ୍ରୀ ପରିବହନ କରୁଥିବାରୁ ସରକାରଙ୍କ ତରଫରୁ ତୁରନ୍ତ ଜବତ କରିବା ପାଇଁ ନିର୍ଦେଶ ଦିଆଯାଇଥିଲା। ନିର୍ଦେଶ ପାଇବା ପରେ ମାଲକାନଗିରି ଜିଲ୍ଲା ଆଂଚଳିକ ପରିବହନ ଅଧିକାରୀ ପ୍ରହ୍ଲାଦ ବେହେରା ଆଜି ସମସ୍ତ ବସକୁ ଅଟକାଇ ଜବତ କରିଥିଲେ। ତେବେ ଗାଡି ଗୁଡିକକୁ ଜବତ କରାଯିବା ପରେ ଘରୋଇ ବସ ସଂଘ କର୍ମକର୍ତ୍ତା ଆଂଚଳିକ ପରିବହନ ବିଭାଗ କାର୍ଯ୍ୟାଳୟରେ ପହଞ୍ଚି ପାଟିତୁଣ୍ଡ କରିଥିଲେ। ମାଲକନଗିରି ପୁଲିସ ପହଞ୍ଚି ପରିସ୍ଥିତିକୁ ଶାନ୍ତ କରିବାକୁ ଚେଷ୍ଟା କରିଥିଲା। ତେବେ ଘରୋଇ ବସ ସଂଘର କର୍ମକର୍ତ୍ତା ରାସ୍ତା ଆବରୋଧ କରିବାକୁ ଚେଷ୍ଟା କରିଥିଲେ। ଏହି ସମୟରେ ପୁଲିସ ସହ ଘରୋଇ ବସ ସଂଘର କର୍ମକର୍ତ୍ତାଙ୍କ ମଧ୍ୟରେ ଧସ୍ତଧସ୍ତି ହୋଇଥିଲା। ଦୀର୍ଘ ସମୟ ଧରି ଉତ୍ତେଜନା ସୃଷ୍ଟି ହୋଇଥିଲା।

ଶେଷରେ ପୁଲିସ ୩ ଜଣଙ୍କୁ ଗିରଫ କରିଥିବା ଜଣାପଡିଛି।
ସୂଚନାଯୋଗ୍ୟ, ଦୀର୍ଘ ଦିନ ଧରି ମାଲକାନଗିରି ଠାରୁ ଭୁବନେଶ୍ବରକୁ ଟୁର ଆଣ୍ଟ ଟ୍ରାଭଲସ ପରମିଟ ଥାଇ ବସ ଗୁଡିକ ଯାତ୍ରୀ ନେବା ଆଣିବା କରୁଥିଲେ। ଏନେଇ ପୁଲିସ ଏବଂ ଆଂଚଳିକ ପରିବହନ ନିକଟରେ ଅଭିଯୋଗ ମଧ୍ୟ ରହିଥିଲା। କିନ୍ତୁ ଲୋକଙ୍କ ସୁବିଧା ଏବଂ ବଡବଡିଆଙ୍କ ଚାପ ଯୋଗୁଁ ଏହି ବସ ଗୁଡିକକୁ ଜବତ କରାଯାଇ ପାରୁନଥିଲା। ତେବେ ସରକାରଙ୍କ ନିର୍ଦେଶ ପରେ ଆରଟିଓ ଶ୍ରୀ ବେହେରା ଆଜି ବସ ଗୁଡିକକୁ ଜବତ କରିଥିଲେ ଏବଂ କେଶ ରୁଜୁ କରିଥିଲେ। ତେବେ ମାଲକାନଗିରିରେ ରହିଥିବା ଦୁଇଟି ଘରୋଇ ବସ ମାଲିକ ସଂଘ ପକ୍ଷରୁ ଏହାକୁ ନେଇ ବିରୋଧ କରାଯାଇଥିଲା। ତେବେ ଗୋଟିଏ ବସ ମାଲକ ସଂଘର ସଭାପତି ରମେଶ ପଟନାୟକଙ୍କ ନେତୃତ୍ବରେ କିଛି ସଂଘ କର୍ମକର୍ତ୍ତା ଆଂଚଳିକ ପରିବହନ କାର୍ଯ୍ୟାଳୟ ସମ୍ମୁଖରେ ରାସ୍ତା ଅବରୋଧ କରିଥିଲେ।

ଏମାନଙ୍କୁ ହଟାଇବା ପାଇଁ ପୁଲିସ ସେଠାରେ ପହ଼ଞ୍ଚିଥିଲା। ପୁଲିସ ପହଞ୍ଚିବା ପରେ ଏଭଳି ନକରିବା ପାଇଁ ରମେଶ ପଟନାୟକଙ୍କୁ ପରାମର୍ଶ ଦିଆଯାଇଥିଲା। କିନ୍ତୁ ବାରମ୍ବାର କହିବା ପରେ ମଧ୍ୟ କୌଣସି ଫଳପ୍ରଦ ହୋଇନଥିଲା। ସଂଘ ଏବଂ ପୁଲିସ ମଧ୍ୟରେ କିଛି ସମୟ ଯୁକ୍ତିତର୍କ ମଧ୍ୟ ହୋଇଥିଲା। ଶେଷରେ ପୁଲିସ ତିନି ଜଣଙ୍କୁ କାବୁ କରି କେଶ ରୁଜୁ କରିଥିବା ଆଇଆଇସି ସୌମେନ୍ଦୁ ଶେଖର ତ୍ରିପାଠୀ ପ୍ରକାଶ କରିଥିଲେ। ଅନ୍ୟଦିଗରେ ଆଉ ଏକ ଘରୋଇ ମାଲକ ସଘର ସଭାପତି ଭକ୍ତ ଚରଣ ବିନମ୍ର ହୋଇ ବସ ଗୁଡିକକୁ ଛାଡି ଦେବାକୁ ନେହୁରା ହେଉଥିବା ଦଖିବାକୁ ମିଳିଥିଲା। ଏହାର କାରଣ ଥିଲା ଆଦିବାସୀ ଛାତ୍ରଛାତ୍ରୀ ଜବତ ହୋଇଥିବା ଦୁଇଟି ବସରେ ଆଜି ସଂଧ୍ୟା ବେଳେ ରାଉଲକେଲା ଗସ୍ତ କରିଥାନ୍ତେ। ତେବେ ଆଂଚଳିକ ପରିବହନ ବିଭାଗ ପକ୍ଷରୁ ଏହାକୁ ଖଣ୍ଡନ କରାଯାଇଥିଲା।

ସମ୍ବନ୍ଧିତ ଖବର