ଚାଷୀଙ୍କ ପାଇଁ ଗର୍ଜିଲା ବିଜେପି

ନବରଙ୍ଗପୁର,୨୧/୧୨: ନବରଂଗପୁର ଜିଲ୍ଲାର ଚାଷୀ ସମସ୍ୟା ନେଇ ଆଜି ଗର୍ଜିଛି ବିଜେପି। ଏକ ବିଶାଳ ଶୋଭାଯାତ୍ରାରେ ଚାଉଁରୀଆଗୁଡା ଠାରୁ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ପହଞ୍ଚିବା ପରେ ପ୍ରତିବାଦ ସଭା ଆୟୋଜନ କରିଥିଲା ବିଜେପି। ଦଳର ଜିଲ୍ଲା ସଭାପତି ଗୋବିନ୍ଦ ଜୈନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତଏହି ପ୍ରତିବାଦ ସଭାରେ ରାଜ୍ୟ ସଭାପତି ବସନ୍ତ ପଣ୍ଡା ଯୋଗଦେଇ ବିଜେଡି ସରକାର ଅମଳରେ ନବରଙ୍ଗପୁର ଜିଲ୍ଲାରେ ଗୋଟିଏ ହେଲେ ନଦୀରେ ଡ୍ୟାମ ନିର୍ମାଣ କରାଯାଇନି କି ଚାଷୀ ଚାଷୀଙ୍କ ଜମିକୁ ଜଳସେଚନର ବ୍ୟବସ୍ଥା ହୋଇପାରି ନାହିଁ ବୋଲି କହିଥିଲେ। ଚାଷୀ କେବଳ ବର୍ଷା ଜଳ ଉପରେ ନିର୍ଭର କରୁଛନ୍ତି। ମୁଖ୍ୟମନ୍ତ୍ରୀ କେବଳ ନଡିଆ ଭାଙ୍ଗିବାରେ ବ୍ୟସ୍ତ ଅଛନ୍ତି କିନ୍ତୁ ପ୍ରକଳ୍ପ କାର୍ଯ୍ୟକାରୀ ହୋଇପାରୁ ନାହିଁ। ନବୀନ ସରକାର ଚାଷୀ ବିରୋଧୀ ଅଟନ୍ତି ବୋଲି କହିଥିଲେ। ଏହି ଜିଲ୍ଲାରେ ମେଡିକାଲ ଗୁଡିକରେ ଆବଶ୍ୟକ ସଂଖ୍ୟକ ଡାକ୍ତର ନାହାନ୍ତି କିନ୍ତୁ ଜିଲ୍ଲାପାଳ ପୁରସ୍କାର ପାଉଛନ୍ତି। ବିଦ୍ୟାଳୟରେ ଶିକ୍ଷକ ଓ ଭିତ୍ତିଭୂମି ନାହିଁ। ନବରଙ୍ଗପୁର ଓ ନୂଆପଡାର ଜିଲ୍ଲାପାଳ ଜିଲ୍ଲାରେ ବିକାଶ ହୋଇଥିବା ରିପୋର୍ଟ ପ୍ରଦାନ କରିବାରୁ ନବ ଭାରତ ମିଶନରେ ସାମିଲ ହୋଇପାରିଲା ନାହିଁ । ଜିଲ୍ଲାପାଳ ମାନେ ଠିକ ଭାବେ ରିପୋର୍ଟ ନଦେବାରୁ ନବରଙ୍ଗପୁର ଜିଲ୍ଲା ପ୍ରଧାନମନ୍ତ୍ରୀ ଫସଲ ବୀମାରୁ ବଞ୍ଚିତ ହୋଇଛି।

ଜିଲ୍ଲାରେ ମକା ଚାଷୀ ମାନେ ସରକାରୀ ଧାର୍ଯ୍ୟ ଦରରେ ମକା ବିକ୍ରି କରିପାରୁ ନାହାନ୍ତି। ସରକାର ମକା ପ୍ରକ୍ରିୟାକରଣ ୟୁନିଟ କରୁ ନାହାନ୍ତି। ନବରଙ୍ଗପୁର କଲେଜ ସରକାରୀ ହୋଇପାରିଲା ନାହିଁ। ଯେଉଁ ଖବର କାଗଜ ନବୀନଙ୍କୁ ଶ୍ରେଷ୍ଠ ପ୍ରଶାସକ ଭାବେ ପ୍ରମାଣ ପତ୍ର ଦାଖଲ କରିଛି ସେହି ଖବର କାଗଜ ଏଠାକୁ ଯେତିକି ଆସୁନାହିଁ ଶ୍ରେଷ୍ଠ ପ୍ରଶାସକ ବୋଲି ତା ଠାରୁ ଅଧିକ ପ୍ରଚାରପତ୍ର ରାଜ୍ୟରେ ଟଙ୍ଗା ଯାଇଛି। ଏପଟେ ମନ୍ତ୍ରୀ ଦାମ ରାଉତଙ୍କ ବିବାଦୀୟ ମନ୍ତବ୍ୟ ଦେବା ଛାଡୁ ନାହାନ୍ତି। କେତେବେଳେ ଅଙ୍ଗନବାଡି କର୍ମୀ ମାନଙ୍କୁ ଘଇତା ଛାଡି ବୋଲି କହୁଛନ୍ତି ତ କେତେବେଳେ ବ୍ରାହ୍ମଣ ମାନଙ୍କୁ ଭିକାରୀ ବୋଲି କହୁଛନ୍ତି। ବିଜେଡି ସରକାରଙ୍କୁ ହଟାଇବାକୁ ହେଲେ ସଂକଳ୍ପ ନେଇ ଏକଜୁଟ ହେବାକୁ ପଡିବ ବୋଲି ଶ୍ରୀ ପଣ୍ଡା କହିଥିଲେ।

ଅନ୍ୟ ମାନଙ୍କ ମଧ୍ୟରେ ପୂର୍ବତନ ମନ୍ତ୍ରୀ ହିମାଂଶୁ ମେହେର କହିଥିଲେ ଯେ ରାଜ୍ୟ ଦୁର୍ନୀତିର ଗନ୍ତାଘର ପାଲଟିଛି। ୧ ଲକ୍ଷ କୋଟି ଟଙ୍କାର ଖଣି ଦୁର୍ନୀତିି ଏବଂ ଚିଟଫଣ୍ଡ ଦୁର୍ନୀତି ସହ ଶାସକ ଦଳର ବିଧାୟକ ଓ ମନ୍ତ୍ରୀମାନେ ଲିପ୍ତ ରହିଥିବା କହିଥିଲେ। ଭାବାନୀପାଟନାର ବିଜେପି ନେତା ଭବେନ୍ଦ୍ର ପଣ୍ଡା କହିଥିଲେ ଚାଷୀ ଆତ୍ମହତ୍ୟା କରିଲେ ଏହା ପ୍ରେମ ଜନିତ ବୋଲି କହୁଛନ୍ତି ବୋଲି ସରକାରଙ୍କୁ ଆକ୍ଷେପ କରିଥିଲେ। ଏହାପରେ ଦଳ ପକ୍ଷରୁ ଉପଜିଲ୍ଲାପାଳଙ୍କୁ ବିଭିନ୍ନ ସମସ୍ୟା ନେଇ ଦାବିପତ୍ର ପ୍ରଦାନ କରିଥିଲେ। ଚାଷୀଙ୍କ ଠାରୁ ସରକାରୀ ଦରରେ ମକା କିରାଯାଉ ନଥିବା ବେଳେ ଆରଏମସି ଗେଟ୍‌ ଗୁଡିକରେ ୧୪ଶହ ଟଙ୍କାରେ କିଣିଲା ଭଳି ରସିଦ କଟାଯାଉଛି। ତାହା ମଧ୍ୟ ଆରଏମସିର ଅଧ୍ୟକ୍ଷଙ୍କ ଦସ୍ତଖତରେ । ଏଭଳି ସଲାସୁତରାରେ ଆରଏମସିର ଭାଗ କେତେ ବୋଲି ବିଜେପି ରାଜ୍ୟ ସଭାପତି ପ୍ରଶ୍ନ କରିଥିଲେ। ଉପଜିଲ୍ଲାପାଳ ଏ ନେଇ ଉପରିସ୍ଥ ଅଧିକାରୀଙ୍କୁ ଜଣାଇ ପଦକ୍ଷେପ ନେବେ ବୋଲି କହିଥିଲେ।
ଏହି ପ୍ରତିବାଦ ସଭା ଓ ରାଲିରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ସାଂସଦ ପର୍ଶୁରାମ ମାଝୀ , ଜିଲ୍ଲା ଯୁବ ସଭାପତି କାହ୍ନ ଦାସ, କୁଞ୍ଜ ବିହାରୀ ଦାସ, ଝାଡେଶ୍ୱର ଖାଡଙ୍ଗା, ମନୋରମା ନାୟକ, ମନୋଜ ମହାଙ୍କୁଡ, ଶ୍ୟାମ ସୁନ୍ଦର ମାଝୀ, ଅନନ୍ତ ପଣ୍ଡା, ସନ୍ତୋଷ ମହାପାତ୍ର, ଜଗଦୀଶ ବିଷୋୟୀ ପ୍ରିତିସ୍ନିଗ୍ଧା ମହାପାତ୍ର, ରମେଶ ସାହୁ, କାଶିନାଥ ଦାସ, ସୁତମ ଭତ୍ରା, ସନ୍ତୋଷ ପାତ୍ର, ଦିବାକର ପୂଜାରୀ, ଜୟନ୍ତ ପାତ୍ର ପ୍ରମୁଖ ସାମିଲ ଥିଲେ।

ସମ୍ବନ୍ଧିତ ଖବର