ଗାଁ ଦାଣ୍ଡରେ ନିର୍ଯାତନା ଘଟଣା:ନ୍ୟାୟ ଦାବି କଲେ ପୀଡ଼ିତା

ପାପଡାହାଣ୍ଡିି: ଅନୈତିକ ସଂପର୍କ ଥିବା ଅଭିଯୋଗରେ ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ବୁଆଲିବେଡା ଗ୍ରାମର ଜଣେ ଅଙ୍ଗନଓ୍ଵାଡି କର୍ମୀ ଓ ପାପଡାହାଣ୍ଡିର ଜଣେ ଯୁବକଙ୍କୁ ଲଣ୍ଡା କରି ଗାଁରେ ବୁଲାଇବା ଓ ବାନ୍ଧି ମାଡ ମାରିବା ଘଟଣା ସମଗ୍ର ରାଜ୍ୟରେ ହଇଚଇ ସୃଷ୍ଟି କରିଥିଲା। ଏହି ଘଟଣାକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି। ଅନ୍ୟପଟେ ନିର୍ଯାତିତ ମହିଳା ଜଣକ ନିଜ ଜୀବନ ବଞ୍ଚାଇବାକୁ ପାପଡାହାଣ୍ଡି ଅଞ୍ଚଳରେ ଆତ୍ମଗୋପନ କରିଛନ୍ତି। ନିଜ ଜୀବନକୁ ବିପଦ ରହିଥିବା ମହିଳା ଜଣକ କହିଛନ୍ତି। ଏଭଳି ନିର୍ଯାତନା ପରେ ସେ ନିଜର ଦୁଇ ସନ୍ତାନଙ୍କୁ ନେଇ କିଭଳି ଚଳିବେ ବୋଲି ମଧ୍ୟ କହିଛନ୍ତି।

ଏହି ଘଟଣାରେ ନ୍ୟାୟ ଦେବାକୁ ସେ ଦାବି କରିଛନ୍ତି।
ଶୁକ୍ରବାର ଦିନ ଘଟିଥିବା ଏହି ଘଟଣା ପାଇଁ ମହିଳା ଜଣକ ନିଜ ସ୍ୱାମୀଙ୍କ ସହ ଗ୍ରାମର ନବୀନ କଚିମ, ପ୍ରସାଦ କଚିମ, ରାହୁଲ କଚିମ, ସୁମିତ କଚିମ, ସୁଭଦ୍ରା କଚିମ, ସୁରଭି କଚିମ, ନିତ୍ୟା କଚିମଙ୍କ ସମେତ ଅନ୍ୟ କିଛି ଜଣଙ୍କୁ ଦାୟୀ କରିଛନ୍ତି। ମହିଳା ଜଣକ ବହୁ ବର୍ଷ ତଳେ ପ୍ରେମ ବିବାହ କରିଥିଲେ। ତେବେ ବିବାହାର କିଛି ଦିନ ପରେ ସ୍ୱାମୀ ତାଙ୍କୁ ବିଭିନ୍ନ ନିର୍ଯାତନା ଦେବା ସହ ମାରପିଟ କରୁଥିବା ମହିଳା ଜଣକ ଅଭିଯୋଗ କରିଛନ୍ତି। ନିର୍ଯର୍ାତନା ଅସହ୍ୟ ହେବାରୁ ଦୁଇ ବର୍ଷ ତଳେ ସେ ସ୍ୱାମୀଙ୍କ ବିରୋଧରେ ଉମରକୋଟ ଥାନାରେ ଏତଲା ଦେବା ସହ ନବରଙ୍ଗପୁର ମା’ଘରର ଦ୍ୱାରସ୍ଥ ହୋଇଥିଲେ। ପରେ ପୁଲିସ ସ୍ୱାମୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଏହାର କିଛି ଦିନ ପରେ ଉଭୟ ପରିବାର ମଧ୍ୟରେ ବୁଝାମଣା ହେବା ପରେ ସ୍ୱାମୀଙ୍କୁ ଜେଲରୁ ମୁକଳାଇଥିଲେ। ଜେଲରୁ ଆସିବା ପରେ ସ୍ୱାମୀ ସହିତ ମିଳିମିଶି ରହୁଥିଲେ।

କିନ୍ତୁ କିଛି ଦିନ ପରେ ପୁଣି ଥରେ ପୂର୍ବ ରାଗ ରଖି ମାରପିଟ କରିବା ସହ ଅଙ୍ଗନାଓ୍ଵାଡି କେନ୍ଦ୍ରକୁ ଯାଇ ଚାଉଳ ଓ ଅନ୍ୟ ଖାଦ୍ୟ ସାମଗ୍ରୀ ଆଣି ବାହାରେ ବିକ୍ରି କରି ଦେଉଥିବା ମହିଳା ଜଣକ ଅଭିଯୋଗ କରିଛନ୍ତି। ଇତି ମଧ୍ୟରେ ସ୍ୱାମୀ ଓ ତାଙ୍କ ପରିବାର ବିଭିନ୍ନ ମିଥ୍ୟା ଆରୋପ କରି ତାଙ୍କୁ ବଦନାମ କରୁଥିଲେ। ଗତ ଶୁକ୍ରବାର ଦିନ ଜଣେ ପୁରୁଷଙ୍କ ସହ ଅନୈତିକ ସଂପର୍କ ଥିବା ଗ୍ରାମବାସୀ ଆଣିଥିବା ଅଭିଯୋଗ ସଂପୂର୍ଣ୍ଣ ରୂପେ ମିଥ୍ୟା ବୋଲି ମହିଳା ଜଣକ କହିଛନ୍ତି। ଏହି ଘଟଣାରେ ସଂପୃକ୍ତ ସମସ୍ତଙ୍କୁ ଗିରଫ କରିବାକୁ ମହିଳା ଜଣକ ଦାବି କରିଛନ୍ତି। ବର୍ତମାନ ମୋ ଜୀବନ ପ୍ରତି ବିପଦ ରହିଛି। ଯଦି ଆଗାମୀ ଦିନରେ କୌଣସି ଅଘଟଣ ଘଟେ ତେବେ ଏଥି ନିମନ୍ତେ ଘଟଣା ଦିନ ଉପସ୍ଥିତ ଲୋକେ ଦାୟୀ ରହିବେ ବୋଲି ମହିଳା ଜଣକ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର