ମାତିଲେ ବ୍ୟାଙ୍କ ଲୁଟେରା

ଅନୁଗୁଳରେ ଆନ୍ଧ୍ର ବ୍ୟାଙ୍କ, ରଣପୁରରେ ଗ୍ରାମ୍ୟ ବ୍ୟାଙ୍କ

ଅନୁଗୁଳ/ରଣପୁର : ଅନୁଗୁଳ ଏବଂ ରଣପୁରରେ ଆଜି ଦୁଇଟି ବଡ଼ ଧରଣର ବ୍ୟାଙ୍କ ଡକାୟତି ହୋଇଛି। ଅନୁଗୁଳର ଆନ୍ଧ୍ର ବ୍ୟାଙ୍କରୁ ୨୩ ଲକ୍ଷ ଟଙ୍କା ଏବଂ ତିନି କିଲୋ ସୁନା ଲୁଟି ନେଇଥିବା ବେଳେ ରଣପୁର ଆନ୍ଧ୍ର ବ୍ୟାଙ୍କରୁ ୨୫୬ ପ୍ୟାକେଟ ସୁନା ଏବଂ ୮୦ ହଜାର ଟଙ୍କା ଲୁଟି ନେଇଛନ୍ତି।

ଅନୁଗୁଳ ଶଙ୍କର ସିନେମା ରୋଡ୍‌ସ୍ଥିତ ଆନ୍ଧ୍ର ବ୍ୟାଙ୍କ୍‌ରୁ ଆଜି ବଡ଼ଧରଣର ଡକାୟତି ହୋଇଛି। ଛଅ ଜଣ ଡକାୟତ ଦିନ ସାଢ଼େ ୧୦ଟା ବେଳେ ବ୍ୟାଙ୍କ୍‌ କର୍ମଚାରୀଙ୍କ ମୁଣ୍ଡରେ ମାଉଜର୍‌ ଲଗାଇ ଷ୍ଟ୍ରଙ୍ଗ୍‌ ରୁମ୍‌ରୁ ନଗଦ ୨୨ଲକ୍ଷ ୭୯ହଜାର ୫୦୪ ଟଙ୍କା ଏବଂ ୨କେଜି ୯୨୧ଗ୍ରାମ୍‌ ସୁନାଗହଣା ଲୁଟି ଫେରାର୍‌ ହୋଇଯାଇଛନ୍ତି।

ଲୁଟ୍‌ ସୁନାର ଆନୁମାନିକ ମୂଲ୍ୟ ୭୮ଲକ୍ଷ ୭୬ହଜାର ଟଙ୍କା ହେବ ବୋଲି ଆକଳନ କରାଯାଇଛି। ବ୍ୟାଙ୍କ୍‌ ଡେପୁଟି ମ୍ୟାନେଜର୍‌ଙ୍କ ସମେତ ଅନ୍ୟ କର୍ମଚାରୀ ଓ ଗ୍ରାହକଙ୍କୁ ଭୟଭୀତ କରି ମାଡ଼ ବି ମାରିଛନ୍ତି। ପ୍ରାୟ ୩୦ମିନିଟ୍‌ ଧରି ବ୍ୟାଙ୍କ୍‌ ଭିତରେ ଅତି ଯୋଜନାବଦ୍ଧ ଭାବେ ଡକାୟତମାନେ ଏଭଳି ଲୁଟ୍‌ପାଟ୍‌ ଓ ଆତଙ୍କ ମଚାଇବା ପରେ ଚତୁରତାର ସହିତ ଯିବା ପୂର୍ବରୁ ବ୍ୟାଙ୍କ୍‌ ସିସି କ୍ୟାମେରା ମନିଟର୍‌ ଓ ହାର୍ଡ ଡିସ୍କ୍‌ ସାଂଗରେ ନେଇ ଯାଇଛନ୍ତି। ତେବେ ଏଭଳି ଡକାୟତି ଘଟଣା ଆନ୍ଧ୍ର ବ୍ୟାଙ୍କ୍‌ରେ ଦ୍ୱିତୀୟଥର ପାଇଁ ଘଟିଛି। ୧୯୯୮ମସିହାରେ ବି ଅନୁରୂପ ଢଙ୍ଗରେ ପ୍ରାୟ ୧୧ଲକ୍ଷ ଟଙ୍କା ବ୍ୟାଙ୍କ୍‌ରୁ ଲୁଟ୍‌ ହୋଇଥିଲା। ଆଜି ଦିନ ଦ୍ୱିପ୍ରହରରେ ପୁଣି ଏ ପ୍ରକାର ଡକାୟତି ଘଟଣା ସାରା ସହରରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।

ସବୁଦିନ ପରି ଆଜି ଦିନ ୧୦ଟା ବେଳେ ବ୍ୟାଙ୍କ୍‌ ଖୋଲିବା ପରେ ପ୍ରଥମେ କର୍ମଚାରୀମାନେ ଭିତରକୁ ଯାଇଥିଲେ। ଗ୍ରାହକମାନେ ବାହାରେ ଅପେକ୍ଷା କରିଥିଲେ। ଏହି ଡକାୟତମାନେ ବି ଗ୍ରାହକ ସାଜି ଗେଟ୍‌ ବାହାରେ ଅପେକ୍ଷା କରିଥିଲେ। ସାଢ଼େ ୧୦ଟା ବେଳେ ସୁରକ୍ଷା କର୍ମୀ ଯେତେବେଳେ ସମସ୍ତଙ୍କୁ ବ୍ୟାଙ୍କ୍‌ ଭିତରକୁ ଛାଡ଼ିଲେ, ସେତେବେଳେ ଏମାନେ ବି ଅତି ଆରାମରେ ଗ୍ରାହକଙ୍କ ସହିତ ଭିତରକୁ ପ୍ରବେଶ କଲେ। ସମସ୍ତେ ହିନ୍ଦୀ ଓ ବଂଗଳା ଭାଷାରେ କଥା ହେଉଥିଲେ। ବ୍ୟାଙ୍କ୍‌ ଭିତରକୁ ସମସ୍ତେ ପ୍ରବେଶ କରିବା ପରେ ପ୍ରଥମେ ସୁରକ୍ଷା କର୍ମୀଙ୍କୁ ମାଡ଼ ମାରି ବାନ୍ଧି ପକାଇଲେ। ଏହାପରେ ଉଭୟ କର୍ମଚାରୀ ଓ ଗ୍ରାହକଙ୍କୁ ମାଉଜର୍‌ରେ ଭୟଭୀତ କରାଇଥିଲେ। କର୍ମଚାରୀଙ୍କୁ ମାଡ଼ ମାରି ଗୋଟିଏ ଘରେ କୈଦ୍‌ କରିଥିଲେ। ଗ୍ରାହକମାନଙ୍କୁ ତଳେ ଧାଡ଼ି ଧାଡ଼ି କରି ବସାଇ ଦେଇଥିଲେ। କାଳେ କିଏ ଫୋନ୍‌ କରି ଦେବ, ସେଥିପାଇଁ ସମସ୍ତଙ୍କ ମୋବାଇଲ୍‌ ଛଡ଼ାଇ ନେଇ ଗୋଟିଏ ଜାଗାରେ ଠୁଳ କରିଦେଲେ। ଫାଟକ ନିକଟରେ ଜଣେ ଡକାୟତ ସାଧାରଣ ଲୋକ ଭଳି ବସିଥିଲା। ବାହାରୁ ଗ୍ରାହକ ଆସିବା ମାତ୍ରେ ତାଙ୍କୁ ଭିତରକୁ ଭିଡ଼ି ନେଇ ବସାଇ ଦିଆଯାଉଥିଲା। ଷ୍ଟ୍ରଙ୍ଗ୍‌ ରୁମ୍‌ ଖୋଲି ଜଣେ ଡକାୟତ ବ୍ୟାଗ୍‌ରେ ଟଙ୍କା ଓ ସୁନାଗହଣା ଭର୍ତ୍ତି କରିଥିଲା। ଦୁଇଟି ବ୍ୟାଗ୍‌ରେ ଅଲଗା ଅଲଗା କରି ଟଙ୍କା ଓ ସୁନାଗହଣା ଭର୍ତ୍ତି କରି କାନ୍ଧରେ ପକାଇଥିଲା। ପୁଲିସ ହାତରେ କୌଣସି ସୁରାକ୍‌ ନ ଛାଡ଼ିବା ପାଇଁ ଶେଷ ମୁହୂର୍ତ୍ତରେ ଡକାୟତମାନେ ମ୍ୟାନେଜର୍‌ଙ୍କ ରୁମ୍‌ରେ ପଶି ତାର କାଟି ସିସି କ୍ୟାମେରା ହାର୍ଡଡିସ୍କ୍‌ ଓ ମନିଟର୍‌ ନେଇ ଯାଇଛନ୍ତି। ଯିବା ପୂର୍ବରୁ ସାଂଗରେ ଆଣିଥିବା ଏକ ତାଲାକୁ ବ୍ୟାଙ୍କ୍‌ର ମୁଖ୍ୟ ଫାଟକରେ ପକାଇ ଅତି ସନ୍ତର୍ପଣର ସହ ଫେରାର୍‌ ହୋଇଯାଇଛନ୍ତି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତାଲା ଭାଂଗି ଭିତରକୁ ପ୍ରବେଶ କରି ବନ୍ଦୀ ଥିବା ଗ୍ରାହକଙ୍କୁ ଦୀର୍ଘ ସମୟ ପଚରା ଉଚରା କରି ଛାଡ଼ି ଦେଇଛି।

ସେହିପରି ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ୍‌ ଅନ୍ତର୍ଗତ କୋଇଲମାସ୍ଥିତ ସାରଙ୍ଗଧରପୁର ଓଡ଼ିଶା ଗ୍ରାମ୍ୟବ୍ୟାଙ୍କ୍‌ ଶାଖାରେ ଆଜି ଦିନ ଦ୍ୱିପ୍ରହରେ ବ୍ୟାଙ୍କ୍‌ ଭିତରେ ୫ ଜଣ ଡକାୟତ କର୍ମଚାରୀଙ୍କୁ ମାଉଜର ଦେଖାଇ ୨୫୬ ପ୍ୟାକେଟ୍‌ ସୁନା ଅଳଙ୍କାର ଓ ନଗଦ ୮୦ ହଜାର ଟଙ୍କା ଲୁଟି ନେଇଛନ୍ତି। ମଧ୍ୟାହ୍ନ ଗୋଟାଏ ବେଳେ ସାରଙ୍ଗଧରପୁର ଓଡ଼ିଶା ଗ୍ରାମ୍ୟବ୍ୟାଙ୍କ ଶାଖାକୁ ୨ଟି ମୋଟର ସାଇକଲ ଯୋଗେ ୫ ଜଣ ଡକାୟତ ମୁଣ୍ଡରେ ହେଲ୍‌ମେଟ୍‌ ଓ ମୁହଁରେ ଧଳା କନାର ପଟି ବାନ୍ଧି ଆସିଥିଲେ। ଏହି ସମୟରେ ବ୍ୟାଙ୍କ ମଧ୍ୟରେ ଜଣେ ହେଲେ ଗ୍ରାହକ ନ ଥିଲେ। ତେବେ ସେମାନଙ୍କ ମଧ୍ୟରୁ ୨ ଜଣ ବ୍ୟାଙ୍କ ସମ୍ମୁଖ ଗେଟ୍‌ରେ ମାଉଜର ଧରି ଜଗିରହିଥିବା ବେଳେ ୨ ଜଣ ବ୍ୟାଙ୍କ ଭିତରକୁ ପ୍ରବେଶ କରିଥିଲେ। ଅନ୍ୟ ଜଣେ ମୋଟର ସାଇକଲ ପାଖରେ ଛିଡ଼ା ହୋଇଥିଲା। ବ୍ୟାଙ୍କ୍‌ ଭିତରକୁ ପ୍ରବେଶ କରିଥିବା ଦୁଇ ଡକାୟତ ଭାରପ୍ରାପ୍ତ ଶାଖା ମ୍ୟାନେଜର୍‌ ଦୁର୍ଗାଚରଣ ବଳିୟାରସିଂହଙ୍କ ମୁଣ୍ଡରେ ମାଉଜର୍‌ ଲଗାଇ ଲକର୍‌ ରୁମକୁ ନେଇଯାଇଥିଲେ। ତୁରନ୍ତ ଡକାୟତମାନେ ଲକର୍‌ରେ ଥିବା ୨୫୬ ପ୍ୟାକେଟ୍‌ ସୁନା ଅଳଙ୍କାର ଓ ନଗଦ ୮୦ ହଜାର ଟଙ୍କା ଉଠାଇ ନେଇଥିଲେ। ପରେ ସମସ୍ତ ବ୍ୟାଙ୍କ୍‌ କର୍ମଚାରୀଙ୍କୁ ଗୋଟିଏ ରୁମ୍‌ରେ ରଖି ବାହାର ପଟୁ କବାଟ ଦେଇ ମାତ୍ର ୧୫ ମିନିଟ୍‌ରେ ଅପରେସନ୍‌ ଶେଷକରି ପଳାଇଥିଲେ।

ସମ୍ବନ୍ଧିତ ଖବର