ଦଶପଲ୍ଲା/ନୟାଗଡ଼ : ଦଶପଲ୍ଲାଠାରୁ ମାତ୍ର ୨ କିମି ଦୂର ଶିମିଳିସାହି ପଂଚାୟତ କାର୍ଯ୍ୟାଳୟରେ ଆଜି ଭତ୍ତା ଟଙ୍କା ପ୍ରଦାନ ବେଳେ ଦୁର୍ବୃତ୍ତମାନେ ୫ ରାଉଣ୍ଡ ଗୁଳି ଫୁଟାଇ ଦେଢ଼ ଲକ୍ଷ ଭତ୍ତା ଟଙ୍କା ଲୁଟି ନେଇଛନ୍ତି। ଗୁଳିମାଡ଼ରେ ଭତ୍ତା ନେବାକୁ ଆସିଥିବା ଜଣେ ବୃଦ୍ଧ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ଗୁରୁତର ଅବସ୍ଥାରେ ଦଶପଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରାଯାଇଛି। ସ୍ପଷ୍ଟ ଦିବାଲୋକରେ ବନ୍ଧୁକ ମୁନରେ ଏପରି ଲୁଟ୍ପାଟ୍ କରି ଦୁର୍ବୃତ୍ତମାନେ ପୁଣିଥରେ ପୁଲିସ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛନ୍ତି। ସେପଟେ ଏହାକୁ ନେଇ ସ୍ଥାନୀୟ ଅଂଚଳରେ ଉତ୍ତେଜନା ଦେଖାଦେଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ଆଜି ୧୫ ତାରିଖ ଥିବାରୁ ଏହି ପଂଚାୟତ କାର୍ଯ୍ୟାଳୟ ମଧ୍ୟରେ ଭତ୍ତା ଟଙ୍କା ବଂଟା ହେଉଥିଲା। ଗ୍ରାମସେବକ ରୀନା ଦେଈ ୧ ଲକ୍ଷ ୬୫ ହଜାର ଟଙ୍କା ଧରି କାର୍ଯ୍ୟାଳୟକୁ ଆସିଥିଲେ। ଭତ୍ତା ଟଙ୍କା ହିତାଧିକାରୀଙ୍କୁ ବଂଟନ ବେଳେ ଏକ ବାଇକ୍ରେ ୩ ଜଣ ଯୁବକ ସେଠାରେ ପହଂଚିଥିଲେ। ଜଣେ ସିଧା ପଂଚାୟତ କାର୍ଯ୍ୟାଳୟକୁ ପଶିଥିବା ବେଳେ ଅନ୍ୟ ୨ ଜଣ ବାହାରେ ୩/୪ ରାଉଣ୍ଡ ଗୁଳି ଫୁଟାଇଥିଲେ।
କେହି କିଛି ବୁଝିବା ପୂର୍ବରୁ ଭିତରକୁ ଯାଇଥିବା ଦୁର୍ବୃତ୍ତ ଜଣକ ପିଅନ ଦୟାନିଧି ଦେହୁରିଙ୍କ ମୁଣ୍ଡରେ ପିସ୍ତଲ ଲଗାଇବା ସହ ଚେୟାରରେ ବସିଥିବା ଗ୍ରାମ ସେବକ ରୀନା ଦେଈଙ୍କୁ ଏକ ଧକ୍କା ମାରିଥିଲେ। ଚୌକିଟି ଭାଙ୍ଗିଯିବାରୁ ରୀନା ତଳେ ପଡ଼ି ଯାଇଥିଲେ। ଏହି ସମୟରେ ଦୁର୍ବୃତ ଜଣକ ତାଙ୍କୁ ବନ୍ଧୁକ ଦେଖାଇ ଡ୍ରୟର୍ରେ ଥିବା ୧ ଲକ୍ଷ ୪୪ ହଜାର ୫ ଶହ ଟଙ୍କା ଧରି ବାହାରକୁ ଚାଲି ଯାଉଥିବାବେଳେ କିଛି ଲୋକ ସେମାନଙ୍କୁ ଅଟକାଇବାକୁ ଉଦ୍ୟମ କରିଥିଲେ। ଦୁର୍ବୃତ୍ତମାନେ ଆଉ ଏକ ରାଉଣ୍ଡ ଗୁଳି ଚଳାଇଥିଲେ। ଗୁଳିଟି ଭତ୍ତା ନେବାକୁ ଆସିଥିବା ଦେଢ଼ସର ଗାଁର ଛକେଇ ପ୍ରଧାନଙ୍କ ଡାହାଣ ହାତରେ ବାଜିଥିଲା। ଲୋକମାନେ ଭୟରେ ପଛେଇ ଯିବାରୁ ଦୁର୍ବୃତ୍ତମାନେ ଫେରାର ହୋଇଯାଇଥିଲେ। ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି। ସଂଧ୍ୟା ସୁଦ୍ଧା ଅପରାଧୀଙ୍କ କୌଣସି ସୁରାକ୍ ମିଳିନାହିଁ।