ଅଫିସ୍‌ ବନ୍ଦ କରି ବିଡିଓଙ୍କ ଭାଇ ବାହାଘରର ଭୋଜି ଖାଇବାକୁ ଗଲେ କର୍ମଚାରୀ, କାହାରିକୁ ନ ପାଇ ଲୋକେ ଅସନ୍ତୋଷ ବ୍ୟକ୍ତ କଲେ

କେନ୍ଦ୍ରାପଡା: ଗତକାଲି ରାଜକନିକା ବ୍ଲକ ଓ ତହସିଲ ଅଫିସରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିିଳିଥିଲା । ନିଜର ଅସୁବିଧା ଓ ସରକାରୀ ସୁବିଧା ପାଇବାକୁ ବ୍ଲକ ଅଫିସ ଆସିଥିଲେ ସାଧାରଣ ଲୋକେ ହେଲେ ଅଫିସରେ ନଥିଲେ ଅଫିସର  ବରଂ ଚେୟାର ଟେବୁଲ ଫାଙ୍କା ପଡିଥିଲା। କୌଣସି ଅଫିସର ନ ଥିବାରୁ ବିଭିନ୍ନ ବିଭାଗରେ ତାଲା ପଡିଥିଲା । ଆଉ ଲୋକେ ସୁବିଧା ନପାଇ ଅସନ୍ତୋଷ ପ୍ରକାଶ କରିଥିଲେ ।

ବ୍ଲକରେ ଅଫିସର ନଥିବା କଥା ବୁଝୁବୁଝୁ ଜଣାପଡ଼ିଲା କି ସବୁ ବାବୁମାନେ ବଡବାବୁମାନେ ବିଡିଓଙ୍କ ଭାଇଙ୍କ ବାହାଘର ଭୋଜି ଖାଇବାକୁ ଯାଇଛନ୍ତି । ବିଡିଓ ଓ ତହସିଲଦାର ଦାୟିତ୍ୱରେ ଥିବା ଡି.ଏସ ଶୁଭଦର୍ଶୀ ଯୋଶୀ ୮ ଦିନ ହେଲା ଛୁଟିରେ ଅଛନ୍ତି । ନିଜ ଭାଇ ବାହାଘର ପାଇଁ ସେ ଛୁଟିରେ ଥିବା ବେଳେ ଭୋଜି ଖାଇବା ପାଇଁ ଗତକାଲି ଅନ୍ୟ ଅଫିସରମାନେ ଯାଇଥିଲେ। ଭୋଜି ପାଇଁ ବରଗଡ ଯିବାକୁ ଥିବାରୁ ସମସ୍ତେ ଏକ ବସ କରି ବାହାରି ଯାଇଥିଲେ ଆଉ ଜଣେ ପିଅନକୁ ଜଗାଇ ଦେଇ ଯାଇଥିଲେ ବୋଲି କହିଛନ୍ତି ଲୋକେ । ତେବେ ଭୁଲ ଧରିବା ପରେ ସମସ୍ତେ ଛୁଟି ଦରଖାସ୍ତ ଦେଇ ଯାଇଥିବା ଛେପ ଢୋକି ଥଙ୍ଗେଇ ମଙ୍ଗେଇ କହିଛନ୍ତି ଅତିରିକ୍ତ ତହଲିଦାର ଦାୟିତ୍ୱରେ ଥିବା ଅଫିସର ଶୁଭ୍ରାଂଶୁ ସାହୁ ।

ତେବେ ଭୋଜି ଖାଇବାକୁ ବ୍ଲକ ଓ ତହସିଲ ଅଫିସର ସବୁ କର୍ମଚାରୀ ଚାଲିଯିବା ପରେ ସରକାରୀ ବାବୁଙ୍କ ଖାମଖିଆଲି ନୀତି ଓ ଚରମ ଅବହେଳାର ଚିତ୍ର ସାମ୍ନାକୁ ଆସିଛି । ଏକା ସାଙ୍ଗରେ ସବୁ କର୍ମଚାରୀ କେମିତି ଛୁଟିରେ ଗଲେ ଆଉ ତୃଣମୂଳସ୍ତରରେ ସରକାରୀ ଅଫିସରେ କେମିତି କାମ ହେଉଛି ତାକୁ ନେଇ ପ୍ରଶ୍ନ ଉଠିଛି ? ତେବେ ସରକାରୀ କାମରେ ଅବହେଳା କରିଥିବା କର୍ମଚାରୀଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ହେଉ ବୋଲି ଦାବି ମଧ୍ୟ ହୋଇଛି ।

ସମ୍ବନ୍ଧିତ ଖବର