ମୁଥୁଟ୍‌ ଫାଇନାନ୍‌ସରୁ ଡକାୟତି : ହିସାବ ସରୁନି, ସୁରାକ ମିଳୁନି

ସମ୍ବଲପୁର : ସହରର ବୁଢ଼ାରଜା ଫାଟକସ୍ଥିତ ମୁଥୁଟ୍‌ ଫାଇନାନ୍‌ସ ଡକାୟତି ଘଟଣାକୁ ଇତିମଧ୍ୟରେ ୪୮ଘଣ୍ଟା ଅତିକ୍ରାନ୍ତ ହୋଇଛି। ମାତ୍ର ମୁଥୁଟ୍‌ ଫାଇନାନ୍‌ସ କର୍ମଚାରୀ କେତେ ସୁନା ଓ ଟଙ୍କା ଡକାୟତମାନେ ନେଇଯାଇଛନ୍ତି ଓ କେତେ ସେମାନଙ୍କ ପାଖରେ ରହିଛି, ତାହାର ହିସାବ କରି ପାରି ନାହାନ୍ତି। ଛୋଟ ଛୋଟ ପୁଡ଼ିଆରେ ସୁନା ରଖାଯାଇଥିବାରୁ ଟିକିନିକି ହିସାବ କରିବାରେ ବିଳମ୍ବ ହେଉଥିବା କୁହାଯାଇଛି। ଯେତିକି ସୁନା ରହିଥିଲା, ସେଥିରୁ ୩୦ ପ୍ରତିଶତ ଡକାୟତମାନେ ଲୁଟି ନେଇଥିବା ବେଳେ ବାକି ୭୦ ପ୍ରତିଶତ ଥିବା ଜଣେ ବରିଷ୍ଠ ପୁଲିସ୍‌ ଅଧିକାରୀ ସୂଚନା ଦେଇଛନ୍ତି।

ଅପରପକ୍ଷରେ ଡକାୟତମାନଙ୍କୁ ଧରିବା ପାଇଁ ପୁଲିସ ପକ୍ଷରୁ ୪ଟି ଟିମ୍‌ ଗଠନ କରାଯାଇଛି। ଏଥିରୁ ୩ଟି ଟିମ୍‌ ବାହାର ରାଜ୍ୟକୁ ଯାଇଥିବା ଜଣାପଡ଼ିଛି। ହେଲେ ଏପର୍ଯ୍ୟନ୍ତ ପୁଲିସ୍‌କୁ ଠୋସ୍‌ ସୁରାକ ମିଳି ପାରି ନାହିଁ। ପୂର୍ବତନ ଏସ୍‌ପି ଅଖିଳେଶ୍ୱର ସିଂଙ୍କ ସମୟରେ ଅଇଁଠାପାଲି ଥାନା ଅଂଚଳରୁ ସମ୍ବଲପୁର ପୁଲିସ୍‌ ଏକ ଡକାୟତ ଦଳକୁ ଧରିଥିଲା। ସେମାନେ ପଂଜାବର ଜଳନ୍ଧର ଅଂଚଳର ବୋଲି ଜଣାପଡ଼ିଥିଲା। ଉକ୍ତ ଡକାୟତ ଦଳ ସମ୍ବଲପୁରର ଏକ ଘରୋଇ ଫାଇନାନ୍‌ସ କଂପାନିରୁ ଅର୍ଥ ଲୁଟ୍‌ କରିବାର ଯୋଜନା ରଖିଥିଲେ। ଯୋଜନାକୁ କାର୍ଯ୍ୟକାରୀ କରିବା ପୂର୍ବରୁ ସେମାନେ କିନ୍ତୁ ପୁଲିସ ହାତରେ ଧରାପଡ଼ିଯାଇଥିଲେ। ଡକାୟତି ପଛରେ ଏହି ଗ୍ୟାଂଗର ହାତ ରହିଥାଇପାରେ ବୋଲି ସନ୍ଦେହ କରୁଛି।

ଉଲ୍ଲେଖଯୋଗ୍ୟ ଯେ, ଗତ ୨୮ ତାରିଖ ଅପରାହଣ ସାଢ଼େ ୩ଟାରେ ଡକାୟତମାନେ ଏକ ମାରୁତି ସୁଇପ୍‌ଟ ଗାଡ଼ିରେ ମୁଥୁଟ୍‌ ଫାଇନାନସ ସମ୍ମୁଖରେ ପହଂଚି ଥିଲେ। ପିସ୍ତଲ ମୁନରେ ସେମାନେ ୩ଟି ବ୍ୟାଗ୍‌ରେ ସୁନା ଅଳଙ୍କାର ଓ ନଗଦ ଟଙ୍କା ଲୁଟି ନେଇଥିଲେ। ଡକାୟତମାନଙ୍କ ଆକ୍ରମଣରେ ସୁରକ୍ଷା କର୍ମୀ ଶରତ ଚନ୍ଦ୍ର ପଣ୍ଡା ଓ ହିସାବରକ୍ଷକ ଅଭିଳାଷ ନନ୍ଦ ଆହତ ହୋଇଛନ୍ତି। ଡକାୟତଙ୍କୁ ଧରିବା ଏହି ଘଟଣା ପୁଲିସ୍‌ ପାଇଁ ଚ୍ୟାଲେଂଜରେ ପରିଣତ ହୋଇଛି। ଏହି ଡକାୟତି କିଛି ବର୍ଷ ତଳେ ହୋଇଥିବା ଜ୍ୱେଲେରି ଓ୍ଵାଲର୍ଡ ଡକାୟତି ଘଟଣାର ସ୍ମୃତିକୁ ତାଜା କରି ଦେଇଛି।

ସମ୍ବନ୍ଧିତ ଖବର