ନାଇଟ୍ କୋଚ୍ ବସରୁ କଫ୍ ସିରପ୍‌ ଜବତ ଘଟଣା ୨ ଡ୍ରାଇଭର, କଣ୍ଡକ୍ଟର ସମେତ ୬ ଗିରଫ

ସୋନପୁର, : ଗତ ଗୁରୁବାର ଭୋର ୪ଟାରେ ସୋନପୁର ପୁଲିସ ଜୟ ମାତାଦୀ ନାମକ ଏକ ଯାତ୍ରୀବାହୀ ନାଇଟ୍ ଏକ୍ସପ୍ରେସ ବସ୍‌ (ଓଡି-୨୬-ସି-୯୮୭୭)ରୁ ୧୦ ପେଟି କଫ୍ ସିରପ୍‌ ଜବତ କରିଥିଲା। ଜବତ ୧୦ଟି ପେଟିରୁ ୧ ହଜାର ୬ ଶହଟି ଏସ୍‌କଫ କଫ୍‌ ସିରପ ବୋତଲ ବାହାରିଥିଲା। ସୋନପୁର ପୁଲିସ ଏହି ଘଟଣାର ପର୍ଦ୍ଦାଫାସ କରିବା ସହିତ ୬ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଶୁକ୍ରବାର ଏକ ସାମ୍ବାଦିକ ସମ୍ମିଳନୀରେ ଏସ୍‌ପି ଦେବୀ ପ୍ରସାଦ ଦାଶ ସବିଶେଷ ସୂଚନା ଦେଇଛନ୍ତି। ସୂଚନା ଅନୁସାରେ ଏହି ନାଇଟ୍ ଏକ୍ସପ୍ରେସ ବସ୍‌ରେ କଟକରୁ ଏହି କଫ୍‌ ସିରପ୍‌ ଲୋଡ୍‌ ହୋଇଥିଲା। ନୂଆପଡ଼ା ଜିଲ୍ଲା କୋମନାକୁ ଚୋରା ଚାଲାଣ ହେଉଥିଲା। ଖବର ପାଇ ସୋନପୁର ପୁଲିସ ପକ୍ଷରୁ ସୋନପୁର ବ୍ଲକ ଛକ ନିକଟରେ ଚଢ଼ଉ କରାଯାଇ ଉକ୍ତ ବସକୁ ଧରାଯାଇଥିଲା। ଯାଞ୍ଚ ସମୟରେ ୧ ହଜାର ୬ଶହ କଫ୍ ସିରପ ମିଳିଥିଲା। ଏଥିରେ ସଂପ୍ୃକ୍ତ ବସ୍‌ର ୨ ଜଣ ଡ୍ରାଇଭର, କଣ୍ଡକ୍ଟରଙ୍କ ସମେତ ୬ ଜଣଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତ ଡ୍ରାଇଭର ଜେହେରୁ ମେହେର (୪୫), ପୁରୁଷୋତ୍ତମ ସିଂହ (୪୮), କଣ୍ଡକ୍ଟର ରାମେଶ୍ବର ଦୁରିଆ (୩୯), ବିକାଶ ସାଗର ଦୁରିଆ (୩୫), ବୀର ନାଗ (୫୪) ଓ ଦୟାସାଗର ରାଉତ (୩୪)ଙ୍କୁ ଗିରଫ କରାଯାଇ ଆଜି କୋର୍ଟ ଚାଲାଣ କରାଯାଇଛି। ନୂଆପଡ଼ା ଜିଲ୍ଳା ସିନାପାଲି ଥାନା କପିଆ ଗାଁର ଜେହେରୁ କଟକରେ ବସ ଚଳାଉଥିବା ବେଳେ କଫ ସିରପ ବସରେ ରଖାଯାଇଥିଲା। ଜବତ ସମୟରେ କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ସାଣ୍ଟେମିରି ଗ୍ରାମର ଡ୍ରାଇଭର ପୁରୁଷୋତ୍ତମ ଗାଡ଼ି ଚଳାଉଥିଲେ। ଜବତ କଫ ସିରପ ରାଜଖଡ଼ିଆଳରେ ଓହ୍ଲାଇଲା ପରେ ସେଠାରୁ ରାଜଖଡ଼ିଆଳ ୱାର୍ଡନଂ ୨ର ନିବାସୀ ବୀର କଫ ସିରପକୁ ଆଣି ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଥାନା ଗୁଇମୁଣ୍ଡି ଗାଁର ଦୟାସାଗରଙ୍କ ଅଟୋରେ ଆଣି କୋମନା ୱାର୍ଡ ନଂ ୭ର ନିବାସୀ ବିକାଶଙ୍କ ପାଖରେ ପହଞ୍ଚାଇ ଥାନ୍ତା। ସେହିପରି ବସ କଣ୍ଡକ୍ଟର ନୂଆପଡ଼ା ଜିଲ୍ଲା ଗାନ୍ଧୀନଗର ଖଡ଼ିଆଳ ୱାର୍ଡନଂ ୧୩ର ବାସିନ୍ଦା ରାମେଶ୍ବର ମଧ୍ୟ ଏଥିରେ ସମ୍ପୃକ୍ତି ଥିବା ପୁଲିସ ତଦନ୍ତ ସମୟରେ ଜାଣି ପାରିଛି। ଏହିପରି ଭାବରେ ଏହି କଫ ସିରପ କାରବାରର ଯୋଜନାର ରହିଥିଲା। ଏମାନେ ଅନ୍ତଃଜିଲ୍ଲା କଫ ସିରପ ରାକେଟରେ ସମ୍ପୃକ୍ତି ଥିବା ପୁଲିସ ତଦନ୍ତ ସମୟରେ ଜାଣି ପାରିଛି। ଏହି ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଏସ୍‌ପି ରମେଶ ପାଣିଗ୍ରାହୀ, ଡିଏସ୍‌ପି ହେମସାଗର ନନ୍ଦ, ଏସ୍‌ଡିପିଓ ମିହିର ପଣ୍ଡା, ଆଇଆଇସି ଚନ୍ଦ୍ରମୋହନ ସିଂହ ପ୍ରମୁଖ ଉପସ୍ଥିତ ଥିଲେ। ସେହିପରି ଚଢ଼ଉରେ ଏସ୍‌ଆଇ କ୍ଷୀରୋଦ ବାଘ, ଏଏସ୍‌ଆଇ ସବ୍ୟସାଚୀ ପ୍ରଧାନ ପ୍ରମୁଖ ସାମିଲ ଥିବା ବେଳେ ତଦନ୍ତରେ ସୋନପୁର ଡ୍ରଗ୍ସ ଇନ୍‌ସପେକ୍ଟର ବାବୁଲାଲ ଟୁଡୁ, ସମ୍ବଲପୁର ଡ୍ରଗ୍ସ ଇନ୍‌ସପେକ୍ଟର ସୁଦର୍ଶନ ବିଶ୍ବାଳ ପ୍ରମୁଖ ସହଯୋଗ କରିଥିଲେ।

ସମ୍ବନ୍ଧିତ ଖବର