ପୁଲିସକୁ ଦୁର୍ବ୍ୟବହାର :ଅଧ୍ୟାପକ ଜେଲ୍‌ ଗଲେ

ସୋନପୁର: ପୁଲିସକୁ ଦୁର୍ବ୍ୟବହାର ପ୍ରଦର୍ଶନ କରି ଉଲୁଣ୍ଡା ଜୁନିଅର କଲେଜର ସଂସ୍କୃତ ଅଧ୍ୟାପକ ନିରଂଜନ ଦାଶ ଗିରଫ ହୋଇଛନ୍ତି। ପୁଲିସ ସୂତ୍ରରୁ ପ୍ରକାଶ ଯେ ମଙ୍ଗଳବାର ସନ୍ଧ୍ୟାରେ ସୋନପୁର ନଳିନୀ ଛକ ନିକଟରେ ପୁଲିସ ଏବଂ ଏମଭିଆଇ ପକ୍ଷରୁ ଯାନବାହନ ଯାଂଚ କରାଯାଉଥିଲା। ଏହି ସମୟରେ ଅଧ୍ୟାପକ ଶ୍ରୀ ଦାଶ ସେପଟୁ ତାଙ୍କ ବାଇକରେ ଯାଉଥିବା ବେଳେ ପୁଲିସ ଅଟକାଇବାକୁ ଚେଷ୍ଟା କରିଥିଲା। କିନ୍ତୁ ଶ୍ରୀ ଦାଶ ବାଇକକୁ ନଅଟକାଇ ଚାଲିଯାଉଥିବା ବେଳେ ପୁଲିସ ପିଛାକରି କିଛି ଦୂରରେ ତାଙ୍କୁ ଅଟକାଇଥିଲା। ଏହି ସମୟରେ ଶ୍ରୀ ଦାଶ ସେଠାରେ କାର୍ଯ୍ୟରତ ପୁଲିସ କର୍ମଚାରୀମାନଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିବା ସହିତ ଜୀବନରେ ମାରିଦେବାର ଧମକ ଦେଇଥିବା ଅଭିଯୋଗ ହୋଇଛି। ଏସଆଇ ବିଶ୍ୱଜିତ ଗଡ଼ନାୟକଙ୍କ ଲିଖିତ ଅଭିଯୋଗ ଆଧାରରେ ପୁଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତ ଅଧ୍ୟାପକ ଶ୍ରୀ ଦାଶଙ୍କୁ ଗିରଫ କରି ବୁଧବାର କୋର୍ଟ ଚାଲାଣ କରିଥିଲା। ସେଠାରେ ଜାମିନ ଆବେଦନ ଖାରଜ ହୋଇଯିବାରୁ ତାଙ୍କୁ ବିଚାର ବିଭାଗୀୟ ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି। ଏହି ଘଟଣାର ତଦନ୍ତ ଏସଆଇ ଅରତୀ କୁଅଁର କରୁଛନ୍ତି।

ସମ୍ବନ୍ଧିତ ଖବର