ସନ୍ଥକବିଙ୍କ ସମାଧି ପୀଠରେ ମାଘମେଳା ମହୋତ୍ସବରେ ସାରସ୍ୱତ ସମାରୋହ; ଭୀମ ଭୋଇଙ୍କ ବିପ୍ଳବ ବାଣୀ କାଳଜୟୀ

ସୋନପୁର/ଦେଉଳପଦର: ସୁବର୍ଣ୍ଣପୁର ଜିଲ୍ଲା ଖଲିଆପାଲି ସ୍ଥିତ ସନ୍ଥକବି ଭୀମ ଭୋଇଙ୍କ ସମାଧି ପୀଠରେ ମାଘମେଳା ମହୋତ୍ସବ-୨୦୧୮ ଅବସରରେ ମଙ୍ଗଳବାର ଭୀମ ଭୋଇ ସମାଧି ପୀଠ ଟ୍ରଷ୍ଟ ଏବଂ ଜିଲ୍ଲା ସଂସ୍କୃତି ବିଭାଗ ପକ୍ଷରୁ ଏକ ସାରସ୍ୱତ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ତଥା ଟ୍ରଷ୍ଟର ଅଧ୍ୟକ୍ଷ ଦାଶରଥି ଶତପଥୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଶିଳ୍ପ ଓ ନଗର ଉନ୍ନୟନ ମନ୍ତ୍ରୀ ନିରଂଜନ ପୂଜାରୀ ମୁଖ୍ୟ ଅତିଥି, ପଶ୍ଚିମ ଓଡ଼ିଶା ବିକାଶ ପରିଷର ଅଧ୍ୟକ୍ଷ କିଶୋର ମହାନ୍ତି, ଏସ୍‌ପି ପ୍ରଫୁଲ୍ଲ ପାତ୍ର, ଅତିରିକ୍ତ ରିଲିଫ କମିସନର ମିହିରଚାନ୍ଦ ମଲ୍ଲିକ, ଅତିରିକ୍ତ ଜିଲ୍ଲାପାଳ ବିଶ୍ୱନାଥ ବାରିକ ଓ ସୋନପୁର ବ୍ଲକ ଅଧ୍ୟକ୍ଷା ମନ୍ଦାକିନୀ ନାଗ ସମ୍ମାନିତ ଅତିଥି ଏବଂ ସାମ୍ବାଦିକ ଗୋରେଖନାଥ ସାହୁ ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ।

ସନ୍ଥକବି ଭୀମ ଭୋଇ ହେଉଛନ୍ତି ସାମାଜିକ ସଂସ୍କାର, କ୍ରାନ୍ତିକାରୀ ପରିବର୍ତ୍ତନ ଆଣିବାର ଦୂତ। ତାଙ୍କର ବାଣୀ କାଳଜୟୀ ବିଶ୍ୱ ବନ୍ଦିତ ଯାହାର ତୁଳନା କାହା ସହିତ କରାଯାଇ ପାରେନା। ମଧ୍ୟ ଯୁଗରେ ଭକ୍ତି ଆନ୍ଦୋଳନରେ ସାମାଜିକ ବିପ୍ଲବ, ସାମାଜିକ ସଂସ୍କାର ଆଦି ପାଇଁ ଅନେକ ପରାମାତ୍ମାଙ୍କ ଅବଦାନ ରହିଛି। କିନ୍ତୁ ଏହି ସବୁର ମୂଳ ଲକ୍ଷ୍ୟ ଥିଲା ଆଧ୍ୟାତ୍ମିକ ଚିନ୍ତାଧାରା ଜାଗ୍ରତ କରିବା। ଭୀମ ଭୋଇଙ୍କ ବିପ୍ଲବୀ ବାଣୀ କାଳଜୟୀ କାରଣ ତା’ର ମୂଳରେ ଅନ୍ତନିର୍ହିତ ଥିଲା ନିଗୁଢ ପ୍ରେମ। ଭୀମ ଭୋଇଙ୍କ ବାଣୀ କେବଳ ବିଶ୍ୱର ମାନବ ସମାଜର ମଙ୍ଗଳ ପାଇଁ ତଥା ଭୀମ ଭୋଇଙ୍କ ସାହିତ୍ୟରେ ବିଶ୍ୱ ଦୃଷ୍ଟି ଅନନ୍ୟ ଏବଂ ତାଙ୍କ ରଚନାରେ ବିଶ୍ୱରକ୍ଷା ପାଇଁ ସର୍ବାଧିକ ବ୍ୟାକୁଳତା ପ୍ରକାଶ ପାଇଛି ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ।

ଭୀମ ଭୋଇଙ୍କ ପ୍ରଚାର, ପ୍ରସାର ଏବଂ ଗବେଷଣା କ୍ଷେତ୍ରରେ ଆବଶ୍ୟକ ହେଉଥିବା ଅର୍ଥ ପଶ୍ଚିମ ଓଡ଼ିଶା ବିକାଶ ପରିଷଦରୁ ଯୋଗଇ ଦିଆଯିବ ବୋଲି ଏହାର ଅଧ୍ୟକ୍ଷ ଶ୍ରୀ ମହାନ୍ତି ପ୍ରତିଶ୍ରୁତି ଦେଇଥିଲେ। ଏହି ଅବସରରେ ବିଷ୍ଣୁପଦ ସେଠୀଙ୍କୁ ଭୀମ ଭୋଇ ସ୍ମୃତି ସମ୍ମାନ, ମିଲୁ ତାଣ୍ଡିଙ୍କୁ ମହିମା ସମ୍ମାନ, ଶ୍ୟାମସୁନ୍ଦର ମେହେରଙ୍କୁ ଭୀମ ଭୋଇ କଳା ସମ୍ମାନ, ବ୍ରଜମୋହନ ଦାନୀଙ୍କୁ ଭୀମ ଭୋଇ ସାହିତ୍ୟ ସମ୍ମାନ, ଅଖୋଜ ଷାଣ୍ଢଙ୍କୁ ଯୁବ ପ୍ରତିଭା ସମ୍ମାନରେ ସମ୍ମାନିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଭୀମ ଭୋଇ ସମାଧି ପୀଠର ତତ୍ୱାବଧାରକ ଛତ୍ରଧାରୀ ଅଗ୍ରଓାଲ ସ୍ୱାଗତ ଭାଷଣ, ମାନଭଂଜନ ମିଶ୍ର ଅତିଥି ପରିଚୟ ଏବଂ ସମ୍ପାଦକ ଜନ୍ମେଜୟ ସ୍ୱାଇଁ ବିବରଣୀ ପ୍ରଦାନ କରିଥିଲେ। ରାମଚନ୍ଦ୍ର ପୂଜାହାରୀ ଓ ଜନ୍ମେଜୟ ସ୍ୱାଇଁ ମାନପତ୍ର ପାଠ କରିଥିଲେ। ଏହି ଅବସରରେ ଐତିହାସିକ ଡ. ସଦାନନ୍ଦ ଅଗ୍ରଓାଲଙ୍କ ଅମର ଆତ୍ମାର ସଦଗତି କାମନା ପାଇଁ ୨ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା।

ସମ୍ବନ୍ଧିତ ଖବର