Sambad, Odisha Latest News, Breaking News Odisha, Odisha Current Headlines, Odisha News Online | Sambad.in

ବନ୍ଧୁକ ସଂସ୍କୃତିର ଭୟାବହତା

0 216

ବିଶ୍ୱର ମନୋରଞ୍ଜନ ରାଜଧାନୀ ଓ ଅନ୍ୟଥା ଖୋଲାମେଲା ଜୁଆ, ସୁରା-ସାକୀ କାରବାର ପାଇଁ ‘ପାପର ମହାନଗରୀ’ ଭାବେ ମଧ୍ୟ ଚର୍ଚ୍ଚିତ ଲାସ୍‌ ଭେଗାସ୍‌ରେ ଆଉ ଏକ ପାପ- ଆମେରିକାରେ ପ୍ରଚଳିତ ବିବାଦୀୟ ‘ବନ୍ଧୁକ ସଂସ୍କୃତି’ର ଭୟାବହ କୁପରିଣାମ ଦେଖିବାକୁ ମିଳିଛି। ଜଣେ ଚଉଷଠି ବର୍ଷ ବୟସ୍କ ବନ୍ଧୁକଧାରୀ ଆତତାୟୀର ପାଞ୍ଚମିନିଟ୍‌ର ଅବିଶ୍ରାନ୍ତ ଅନ୍ଧାଧୁନିଆ ଗୁଳିବର୍ଷାରେ ୫୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୫୧୫ ଜଣ ଆହତ ହୋଇଛନ୍ତି। ଏକ ସଙ୍ଗୀତ କାର୍ଯ୍ୟକ୍ରମକୁ ପ୍ରାୟ ୨୨ ହଜାର ଦର୍ଶକ ଉପଭୋଗ କରୁଥିବା ବେଳେ ନିକଟସ୍ଥ ଏକ ହୋଟେଲର ବିତିଶତମ ମହଲାରୁ ଆତତାୟୀର ଗୁଳିଚାଳନା ଥିଲା ଆମେରିକା ଇତିହାସର ସବୁଠାରୁ ଭୟଙ୍କର ବନ୍ଧୁକ ହିଂସା ଜନିତ ନରସଂହାର। ଏହା ପୂର୍ବରୁ ସ୍କୁଲରେ, ହୋଟେଲରେ, କ୍ଲବ୍‌ରେ, ବିଶ୍ୱବିଦ୍ୟାଳୟରେ ହୋଇଥିବା ଗଣହତ୍ୟାରେ ଆମେରିକାବାସୀ ବନ୍ଧୁକ ସଂସ୍କୃତିର ହିଂସ୍ର ରୂପ ଦେଖିଛନ୍ତି। କିନ୍ତୁ ଲାସ୍‌ ଭେଗାସ୍‌ ‘ଲୋନଓ୍ଵଲ୍‌ଫ’ ଷ୍ଟିଫେନ୍‌ ପାଡ଼ୋକ୍‌ ବନ୍ଧୁକ ମୁନରେ ରଚିଥିବା ହିଂସାର ତାଣ୍ଡବରେ ମୃତାହତଙ୍କ ସଂଖ୍ୟା ଏକ ନୂଆ ଅଲୋଡ଼ା କଳଙ୍କିତ ରେକର୍ଡ ସୃଷ୍ଟି କରିଛି, ଯାହା ଆମେରିକାର କୋହଳ ବନ୍ଧୁକ ନିୟନ୍ତ୍ରଣ ଆଇନକୁ ନେଇ ଚାଲିଥିବା ବିବାଦକୁ ଆହୁରି ତେଜି ଦେଇଛି।
ଧରାପଡ଼ିବା ପୂର୍ବରୁ ନିଜ ହୋଟେଲ କୋଠରିରେ ଆତ୍ମହତ୍ୟା କରିଥିବା ଆତତାୟୀ ଷ୍ଟିଫେନ୍‌କୁ ଆତଙ୍କବାଦୀ ସଂଗଠନ ଆଇଏସ୍‌ଆଇଏସ୍‌ ଇସ୍‌ଲାମିକ୍‌ ଜେହାଦର ସୈନିକ ବୋଲି ଚିତ୍ରଣ କରିଛି। ଆଇଏସ୍‌ର ନିର୍ଦ୍ଦେଶରେ ଆତତାୟୀ ଏହି କାଣ୍ଡ ଘଟାଇଥିବା ସଂଗଠନ ଦାବି କରିଛି। ତେବେ, ଆମେରିକାର ତଦନ୍ତକାରୀ ସଂସ୍ଥା ପକ୍ଷରୁ ଆଇଏସ୍‌ଆଇଏସ୍‌ର ଦାବିକୁ ପ୍ରତ୍ୟାଖ୍ୟାନ କରାଯାଇଛି। କୌଣସି ଆତଙ୍କବାଦୀ ସଂଗଠନ ସହ ଆତତାୟୀ ଷ୍ଟିଫେନ୍‌ର ସମ୍ପର୍କ ବିଷୟକୁ ଅସ୍ୱୀକାର କରାଯାଇଛି। ଆତତାୟୀର ଆପରାଧିକ ପୃଷ୍ଠଭୂମି ନେଇ ମଧ୍ୟ କୌଣସି ପ୍ରମାଣ ମିଳି ନାହିଁ। ଏ ଗଣହତ୍ୟା ପଛରେ ଆତତାୟୀର ଉଦ୍ଦେଶ୍ୟ କ’ଣ, ତାହା ମଧ୍ୟ ସ୍ପଷ୍ଟ ହୋଇ ନାହିଁ। ଆତତାୟୀର ଆତଙ୍କବାଦୀ ସଂଗଠନ ସହ ସମ୍ପର୍କ, ଆପରାଧିକ ପୃଷ୍ଠଭୂମି ଓ ଉଦ୍ଦେଶ୍ୟ ଅସ୍ପଷ୍ଟ, କିନ୍ତୁ ଗୋଟିଏ ବିଷୟ ଦିବାଲୋକ ପରି ସ୍ପଷ୍ଟ ଯେ ଲାସ୍‌ ଭେଗାସ୍‌ର ମାଟିକୁ ରକ୍ତ-ରଞ୍ଜିତ କରିଥିବା ଏହି ଗଣହତ୍ୟା କୋହଳ ବନ୍ଧୁକ ନିୟନ୍ତ୍ରଣ ଆଇନ ପ୍ରସୂତ ବନ୍ଧୁକ ସଂସ୍କୃତିର ଆଉ ଏକ ପରିଣାମ ଓ ଆମେରିକୀୟ ସମାଜ ପାଇଁ ଏହା ଯେ ଗୋଟିଏ ମହାମାରୀ ତା’ର ମଧ୍ୟ ଏକ ହିଂସ୍ର ପ୍ରମାଣ। ଆମେରିକୀୟ ସମାଜ ପାଇଁ ଏ ସଂସ୍କୃତି କେତେ ଆତ୍ମଘାତୀ ତା’ର କରୁଣ କାହାଣୀ ବୟାନ କରେ ବନ୍ଧୁକ ହିଂସା ସଂକ୍ରାନ୍ତ ଏହି ପରିସଂଖ୍ୟାନ। ୨୦୧୪ରୁ ୨୦୧୭ର ବର୍ତ୍ତମାନ ସୁଦ୍ଧା ବନ୍ଧୁକ ହିଂସାରେ ଆମେରିକାରେ ୫୨,୮୦୨ ଜଣଙ୍କ ପ୍ରାଣହାନି ଘଟିଛି। ୨୦୧୪ରେ ବନ୍ଧୁକ ହିଂସାରେ ୧୨,୫୭୧ ଜଣଙ୍କ ମୃତ୍ୟୁ ହୋଇଥିଲା ବେଳେ ପରବର୍ତ୍ତୀ ବର୍ଷ ଏହି ସଂଖ୍ୟା ୧୩,୫୦୦କୁ ବୃଦ୍ଧି ପାଇଥିଲା। ୨୦୧୬ରେ ୧୫,୦୭୯ଙ୍କ ଗୁଳିରେ ଜୀବନ ଯାଇଥିଲା। ଚଳିତ ୨୦୧୭ରେ ବର୍ତ୍ତମାନ ସୁଦ୍ଧା ୧୭୩ଟି ଗୁଳିକାଣ୍ଡରେ ୧୧,୬୫୨ ଜଣ ପ୍ରାଣ ହରାଇଲେଣି। ଆମେରିକାରେ ଦୈନିକ ହାରାହାରି ୯୦ ଜଣ ବନ୍ଧୁକ ହିଂସାର ଶିକାର ହେଉଛନ୍ତି। ଆମେରିକାର ଜନସଂଖ୍ୟା ବିଶ୍ୱ ଜନସଂଖ୍ୟାର ମାତ୍ର ୫ ପ୍ରତିଶତ, କିନ୍ତୁ ଆମେରିକୀୟଙ୍କ ପାଖରେ ଯେତିକି ବନ୍ଧୁକ ଅଛି ତାହା ସମଗ୍ର ବିଶ୍ୱରେ ବେସାମରିକ ବ୍ୟକ୍ତିଙ୍କ ପାଖରେ ଥିବା ବନ୍ଧୁକର ୩୫ରୁ ୫୦ ପ୍ରତିଶତ। ଏହା ସ୍ୱତଃ କୋହଳ ବନ୍ଧୁକ ଆଇନର ନକରାତ୍ମକ ଦିଗ ପ୍ରତି ଇଙ୍ଗିତ କରୁଛି। ୯|୧୧ ଆତଙ୍କବାଦୀ ଆକ୍ରମଣରେ ମୃତ୍ୟୁ ସଂଖ୍ୟା ଯାହା ଥିଲା, ପ୍ରତିବର୍ଷ ତା’ଠାରୁ ବହୁ ଅଧିକ ଆମେରିକୀୟ ବନ୍ଧୁକ ହିଂସାରେ ପ୍ରାଣ ହରାଉଛନ୍ତି। ଆମେରିକାର ଗଣମାଧ୍ୟମ ଅନୁଯାୟୀ ବିଗତ ଦୁଇ ଦଶକରେ ଆଫଗାନିସ୍ତାନ ଯୁଦ୍ଧରେ ଯେତିକି ମାର୍କିନ୍‌ ସୈନ୍ୟ ପ୍ରାଣ ହରାଇଛନ୍ତି, ବନ୍ଧୁକ ହିଂସାରେ ପ୍ରତିବର୍ଷ ତା’ଠାରୁ ଅଧିକ ଆମେରିକୀୟଙ୍କ ମୃତ୍ୟୁ ହୋଇଛି। ତେବେ ବିଡ଼ମ୍ବନା ହେଲା ଆମେରିକାର ରାଜନୈତିକ- ସାମାଜିକ ନେତୃତ୍ୱ ଆତଙ୍କବାଦ ନେଇ ବେଶ୍‌ ବିବ୍ରତ, ଅଥଚ ନିଜ ଦେଶର ବନ୍ଧୁକ ହିଂସା ନେଇ ନିର୍ଲିପ୍ତ।
ଆମେରିକୀୟ ସମାଜକୁ କବଳିତ କରିଥିବା ଏହି ବନ୍ଧୁକ ସଂସ୍କୃତିର ଉତ୍ସ ହେଲା ସମ୍ବିଧାନର ଦ୍ୱିତୀୟ ସଂଶୋଧନ ବଳରେ ପ୍ରଚଳିତ ବ୍ୟବସ୍ଥା। ଏହି ବ୍ୟବସ୍ଥା ଅନୁଯାୟୀ ଆତ୍ମରକ୍ଷା ପାଇଁ ଆମେରିକୀୟ ନାଗରିକଙ୍କ ବନ୍ଧୁକ ରଖିବାର ଅଧିକାର ରହିଛି। ଏହି ଅଧିକାର ଉପରେ ରାଷ୍ଟ୍ରର ହସ୍ତକ୍ଷେପ ଅତ୍ୟନ୍ତ ସୀମିତ। ଅନେକ ରାଜ୍ୟରେ ବନ୍ଧୁକ ନିୟନ୍ତ୍ରଣ ଆଇନ ଏତେ କୋହଳ ଯେ, କୌଣସି ବ୍ୟକ୍ତି ବନ୍ଧୁକ ରଖିଲେ ସୁଦ୍ଧା କର୍ତ୍ତପକ୍ଷଙ୍କ ଠାରେ ପଞ୍ଜୀକରଣ କିମ୍ବା ସୂଚନା ଦେବା ସୁଦ୍ଧା ବାଧ୍ୟତାମୂଳକ ନୁହେଁ। ଯେମିତି ଆତତାୟୀ ଷ୍ଟିଫେନ୍‌ ବାସିନ୍ଦା ଥିବା ନେଭାଦା ରାଜ୍ୟରେ ବନ୍ଧୁକ ରଖିବା ଲାଗି କୌଣସି ଅନୁମତି କିମ୍ବା ପଞ୍ଜୀକରଣର ଆବଶ୍ୟକତା ନାହିଁ। ସେଥିପାଇଁ ଆତତାୟୀର ହୋଟେଲ କୋଠରିରୁ ଗୋଟିଏ ନୁହେଁ, ଦଶ ପ୍ରକାର ବିଭିନ୍ନ କିସମର ବନ୍ଧୁକ ଜବତ କରାଯାଇଛି। କୋହଳ ଆଇନ ବନ୍ଧୁକ ସଂସ୍କୃତିକୁ ପ୍ରୋତ୍ସାହିତ କରୁଛି ଓ ନିୟମିତ ବ୍ୟବଧାନରେ ସ୍କୁଲ, ବିଶ୍ୱବିଦ୍ୟାଳୟ, କ୍ଲବ୍‌ ଓ ଅନ୍ୟ ସର୍ବସାଧାରଣ ସ୍ଥାନରେ ଗୁଳି ଫୁଟି ରକ୍ତପାତ ଘଟୁଟୁଛି। ଅଥଚ, ଆଇନକୁ କଡ଼ାକଡ଼ି କରିବା ଲାଗି ସହମତି ହୋଇ ପାରୁନାହିଁ। ବନ୍ଧୁକ ନିୟନ୍ତ୍ରଣ ଆଇନ ଆମେରିକାର ଏକ ବିବାଦୀୟ ରାଜନୈତିକ ପ୍ରସଙ୍ଗ। ରକ୍ଷଣବାଦୀ ଏହାର ସମର୍ଥନ କରୁଥିବା ବେଳେ ଉଦାରବାଦୀ ଏହାର ବିରୋଧ କରୁଛନ୍ତି। କିନ୍ତୁ ରକ୍ଷଣବାଦୀଙ୍କ ପଲା ଭାରି ରହିଛି। ଅନେକ ସମୟରେ ଏହି ବନ୍ଧୁକ ସଂସ୍କୃତି ବର୍ଣ୍ଣଗତ ହିଂସାକୁ ଉସ୍‌କାଉ ଥିବାରୁ ପୂର୍ବତନ ରାଷ୍ଟ୍ରପତି ବାରାକ୍‌ ଓବାମାଙ୍କ ଶାସନ କାଳରେ ବନ୍ଧୁକ ନିୟନ୍ତ୍ରଣ ଆଇନକୁ କଡ଼ାକଡ଼ି କରିବା ଲାଗି ଉଦ୍ୟମ ହୋଇଥିଲା। କିନ୍ତୁ ‘ଗନ୍‌ ଲବି’ ଭାବେ ପରିଚିତ ଏକ ପ୍ରଭାବଶାଳୀ ମହଲରୁ ଏହାର ବିରୋଧ ଯୋଗୁ ପ୍ରସ୍ତାବ ଆଗେଇ ପାରି ନଥିଲା। ଅନ୍ୟପକ୍ଷରେ ବର୍ତ୍ତମାନର ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ୍‌ ଏହି ପ୍ରସଙ୍ଗରେ ‘ଗନ୍‌ ଲବି’ର ସମର୍ଥନ କରୁଛନ୍ତି। ‘ଗନ୍‌ ଲବି’ର ଯୁକ୍ତି ହେଲା ଜଣେ ଭଲ ଚରିତ୍ରର ବ୍ୟକ୍ତି ପାଖରେ ବନ୍ଧୁକ ଥିଲେ ବି ସେ ତାର ଅପବ୍ୟବହାର କରିବ ନାହିଁ। ବନ୍ଧୁକ ଥିଲେ ବରଂ ସେ ଆତ୍ମରକ୍ଷା ନେଇ ନିଶ୍ଚିତ ହୋଇ ପାରିବ। ଆଇନ କଡ଼ାକଡ଼ିି ହେଲେ ଭଲ ଲୋକଙ୍କ ପାଇଁ ‘ଆତ୍ମରକ୍ଷା’ ପାଇଁ ବନ୍ଧୁକ ରଖିବା ସହଜ ହେବ ନାହିଁ। ଅନ୍ୟପକ୍ଷରେ ଯେ ଖଳ ଲୋକ ଓ ଯାହାର ଉଦ୍ଦେଶ୍ୟ ମନ୍ଦ ଆଇନ ଯେତେ କଡ଼ା ହେଲେ ବି ତା ପକ୍ଷରେ ବନ୍ଧୁକଟିଏ ଯୋଗାଡ଼ କରିବା ଆଦୌ କଠିନ ନୁହେଁ। ତେବେ କୋହଳ ଆଇନ ଫଳରେ ନାବାଳକ ମାନଙ୍କ ହାତରେ ମଧ୍ୟ ବନ୍ଧୁକ ପଡୁଛି ଓ ହିଂସା ଘଟୁଛି। ପୁଣି ଆତ୍ମରକ୍ଷା ପାଇଁ ଥିବା ବନ୍ଧୁକକୁ ଆକ୍ରମଣ ପାଇଁ ବ୍ୟବହାର କରାଯାଉଛି। ଅଧିକାର ପ୍ରତି ମାତ୍ରାତିରିକ୍ତ ମୋହ ଫଳରେ ଆମେରିକୀୟମାନେ ଏହାର ଭୟାବହତା ପ୍ରତି ଅନ୍ଧ ହୋଇ ପଡ଼ିଛନ୍ତି, ଯାହାର ପରିଣାମ ଲାସ ଭେଗାସ୍‌, ଓର୍‌ଲାଣ୍ଡୋ ନାଇଟ୍‌ କ୍ଲବ୍‌, ସାଣ୍ଡିହୁକ୍‌ ସ୍କୁଲ ଓ ଟେକ୍‌ସାସ୍‌ ବିଶ୍ୱବିଦ୍ୟାଳୟରେ ଘଟିଥିବା ଗଣହତ୍ୟା। ଆଶ୍ୱସ୍ତର ବିଷୟ ଯେ ଲାସ୍‌ ଭେଗାସ୍‌ ନରସଂହାର ପରେ କୋହଳ ବନ୍ଧୁକ ଆଇନ ବିରୋଧରେ ସ୍ୱର ଶାଣିତ ହୋଇଛି। ଉଭୟ କଂଗ୍ରେସ ଓ ସିନେଟ୍‌ର ଉଦାରବାଦୀ ସଦସ୍ୟମାନେ କଠୋର ବନ୍ଧୁକ ନିୟନ୍ତ୍ରଣ ଆଇନ ପାଇଁ ସାନି ଦାବି କରିଛନ୍ତି। କଠୋର ବନ୍ଧୁକ ଆଇନ ଦ୍ୱାରା ଯେ ହିଂସା ରୋକାଯାଇ ପାରିବ, ଏହାର ଉଦାହରଣ ହେଲା ଅଷ୍ଟ୍ରେଲିଆରେ ୧୯୯୬ରେ ଏକ ଗଣହତ୍ୟା ଘଟଣା ପରେ ସେଠାରେ ଅଣାଯାଇଥିବା ଆଇନରେ ପରିବର୍ତ୍ତନ। ବନ୍ଧୁକ ନିୟନ୍ତ୍ରଣ ଆଇନ କଡ଼ା ହେଲା ପରେ ଅଷ୍ଟ୍ରେଲିଆରେ ଗତ ଦୁଇ ଦଶକରେ ଗୋଟିଏ ହେଲେ ବନ୍ଧୁକ ହିଂସା ଜନିତ ଗଣହତ୍ୟା ଘଟଣା ଘଟିନାହିଁ।
ସଂପ୍ରତି ବିଶ୍ୱରେ ସାମାଜିକ ଓ ରାଜନୈତିକ ବାତାବରଣରେ ଯେଉଁ ପ୍ରକାର ପରିବର୍ତ୍ତନ ହେଉଛି ଓ ଉଦାରବାଦୀ ଭାବନା ଅପେକ୍ଷା ଚରମପନ୍ଥୀ ଚିନ୍ତାଧାରା ଯେମିତି ପ୍ରଭାବ ଓ କାୟା ବିସ୍ତାର କରିଚାଲିଛି, ସେ ଦୃଷ୍ଟିରୁ ହିଂସାର ପ୍ରତିଷେଧକ ସ୍ୱରୂପ ବନ୍ଧୁକ ନିୟନ୍ତ୍ରଣ ଆଇନ ସମେତ ଅସ୍ତ୍ରଶସ୍ତ୍ର ଆଇନ ନେଇ କୌଣସି ପ୍ରକାର କୋହଳ ଆଭିମୁଖ୍ୟ ସମାଜ ତଥା ମାନବଜାତି ପାଇଁ କ୍ଷତିକାରକ, ଆତ୍ମଘାତୀ ହୋଇପାରେ। ଲାସ୍‌ ଭେଗାସ୍‌ ଗଣହତ୍ୟା ଘଟଣାରେ କେବଳ ଆମେରିକାବାସୀଙ୍କ ପାଇଁ ନୁହେଁ, ସମଗ୍ର ବିଶ୍ୱ ସମୁଦାୟଙ୍କ ପାଇଁ ଶିକ୍ଷା ରହିଛି। କୌଣସି ଅଧିକାର ହିଂସା ପାଇଁ ଲାଇସେନ୍ସ ହୋଇ ନପାରେ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.

three × one =