Sambad, Odisha Latest News, Breaking News Odisha, Odisha Current Headlines, Odisha News Online | Sambad.in

ଶିଳ୍ପ ପାଣିପାଗ ବଦଳୁଛି!

0 377

ପୋସ୍କୋ, ଅର୍ସଲର-ମିତ୍ତଲ ଭଳି ‘ବିଗ୍‌ ଟିକେଟ୍‌’ ପ୍ରକଳ୍ପ ଓଡ଼ିଶା ମାଟି ଛାଡ଼ି ଚାଲିଯିବା, ଆହୁରି ଅନେକ ଶିଳ୍ପ ପ୍ରକଳ୍ପର ଅନିଶ୍ଚିତ ଭାଗ୍ୟ ଓ କାର୍ଯ୍ୟକାରିତାରେ ମନ୍ଥରତା ନେଇ ରାଜ୍ୟର ଶିଳ୍ପ ବାତାବରଣକୁ ଆଚ୍ଛନ୍ନ କରିଥିବା ନିରାଶା କ’ଣ କ୍ରମଶଃ ହଟିଯାଉଛି? କ’ଣ ଶିଳ୍ପ ପାଣିପାଗରେ ସକାରାତ୍ମକ ପରିବର୍ତ୍ତନ ଆସୁଛି ? ପୁଞ୍ଜି ଆକୃଷ୍ଟ କରିବା ଲାଗି ବର୍ଷକ ତଳେ ଆରମ୍ଭ ହୋଇଥିବା ଉଚ୍ଚାକାଂକ୍ଷୀ ‘ମେକ୍‌ ଇନ୍‌ ଓଡ଼ିଶା’ ତାର ଲକ୍ଷ୍ୟ ହାସିଲ ଦିଗରେ କ’ଣ ଠିକଣା ରାସ୍ତାରେ ଆଗଉଛି? ପ୍ରମୁଖ ଶିଳ୍ପ- ବ୍ୟବସାୟ ସଂଘ ‘ଆସୋଚାମ୍‌’ ପକ୍ଷରୁ ସଦ୍ୟ ପ୍ରକାଶିତ ଏକ ରିପୋର୍ଟକୁ ଯଦି ବିଶ୍ୱାସ କରାଯାଏ, ତେବେ ସେଥିରୁ ଉପରୋକ୍ତ ପ୍ରଶ୍ନଗୁଡ଼ିକ ଉପରେ ଆଶାବାଦର ଉଜ୍ଜ୍ୱଳ ସଂକେତ ମିଳୁଛି। ‘ଓଡ଼ିଶା-ଇକନୋମିକ୍‌ ଗ୍ରୋଥ୍‌ ଆଣ୍ଡ୍‌ ଇନ୍‌ଭେଷ୍ଟମେଣ୍ଟ ପରଫର୍‌ମାନ୍‌ସ ଆନାଲିସିସ୍‌’ ଶୀର୍ଷକ ଏହି ରିପୋର୍ଟ ଅନୁଯାୟୀ ଓଡ଼ିଶାରେ ଶିଳ୍ପ ଓ ପୁଞ୍ଜି ନିବେଶ ପାଇଁ ବାତାବରଣ ଅଧିକ ଅନୁକୂଳ ହେଉଛି।

୨୦୧୨-୧୩ରୁ ୨୦୧୬-୧୭ ପାଞ୍ଚବର୍ଷରେ ଓଡ଼ିଶା ୧୩.୨ ଲକ୍ଷ କୋଟି ଟଙ୍କାର ପୁଞ୍ଜି ଆକର୍ଷଣ କରି ରାଜ୍ୟଗୁଡ଼ିକ ମଧ୍ୟରେ ନିବେଶ କ୍ଷେତ୍ରରେ ତୃତୀୟ ସ୍ଥାନରେ ରହିଛି। କେବଳ ମହାରାଷ୍ଟ୍ର ଓ ଗୁଜରାଟ ରାଜ୍ୟ ଓଡ଼ିଶାଠାରୁ ଆଗରେ ଅଛନ୍ତି। ଶିଳ୍ପ ଓ ବ୍ୟବସାୟ ଅନୁକୂଳ ବାତାବରଣ ସୂଚକାଙ୍କ ଆଧାରରେ ପ୍ରସ୍ତୁତ ରାଜ୍ୟମାନଙ୍କ ମାନ୍ୟତା ତାଲିକାରେ ଓଡ଼ିଶା ଗତବର୍ଷ ତଳକୁ ଖସି ଯାଇଥିଲା। ଫଳରେ ରାଜ୍ୟକୁ ପୁଞ୍ଜି ପ୍ରବାହ ବାଧାପ୍ରାପ୍ତ ହୋଇପାରେ ବୋଲି ବିଭିନ୍ନ ମହଲରେ ଆଶଙ୍କା ପ୍ରକାଶ ପାଇଥିଲା। ‘ଆସୋଚାମ୍‌’ ରିପୋର୍ଟ ସେହି ଆଶଙ୍କା ଦୂର କରିଛି। ୨୦୧୫ରେ ମଧ୍ୟ ପୁଞ୍ଜି ଆକର୍ଷଣ କରିବାରେ ଓଡ଼ିଶା ରାଜ୍ୟଙ୍କ ମଧ୍ୟରେ ତୃତୀୟ ସ୍ଥାନରେ ଥିଲା। ୨୦୧୭ରେ ସେହି ସ୍ଥାନ ପୁଣି ଫେରି ପାଇଛି, ଯାହା ଶିଳ୍ପ ଓ ନିବେଶ ବାତାବରଣରେ ଉନ୍ନତିର ସଂକେତ ଦେଉଛି। ‘ମେକ୍‌-ଇନ୍‌-ଓଡ଼ିଶା’ର ସକାରାତ୍ମକ ପ୍ରଭାବର ମଧ୍ୟ ଏହା ଏକ ସବୁଜ ସୂଚନା।

ତେବେ ସାରା ଦେଶରେ ପାଞ୍ଚବର୍ଷରେ ନିବେଶ ହୋଇଥିବା ୧୭୭ ଲକ୍ଷ କୋଟି ଟଙ୍କାର ପୁଞ୍ଜିରୁ ଓଡ଼ିଶା ଭାଗରେ ୭.୪ ପ୍ରତିଶତ ପଡ଼ିବା ଯେତିକି ଆଶା ସୃଷ୍ଟି କରୁନାହିଁ, ପ୍ରକଳ୍ପ କାର୍ଯ୍ୟକାରିତା କ୍ଷେତ୍ରରେ ପୂର୍ବାପେକ୍ଷା ଉନ୍ନତ ପ୍ରଦର୍ଶନ ତା’ଠାରୁ ଅଧିକ ଆଶା ଓ ସମ୍ଭାବନା ପାଇଁ ଅବକାଶ ସୃଷ୍ଟି କରୁଛି। ରିପୋର୍ଟ ଅନୁଯାୟୀ ୨୦୧୨-୧୩ରେ ୬୨ ପ୍ରତିଶତ ପ୍ରକଳ୍ପର କାର୍ଯ୍ୟକାରିତାରେ ଅଗ୍ରଗତି ଧାର୍ଯ୍ୟ ଲକ୍ଷ୍ୟଠାରୁ ପଛରେ ଥିଲା। ପାଞ୍ଚବର୍ଷ ପରେ ମନ୍ଥର କାର୍ଯ୍ୟକାରିତା ଆକ୍ରାନ୍ତ ପ୍ରକଳ୍ପଗୁଡ଼ିକର ଭାଗ ୪୭ ପ୍ରତିଶତକୁ ଖସି ଆସିଛି। ଏହାର ଅର୍ଥ ନିର୍ମାଣାଧୀନ ଅଧାରୁ ଅଧିକ ପ୍ରକଳ୍ପର ଅଗ୍ରଗତି ସନ୍ତୋଷଜନକ। ଉଲ୍ଲେଖନୀୟ ହେଲା, ପ୍ରକଳ୍ପ କାର୍ଯ୍ୟକାରିତାରେ ଜାତୀୟ ସ୍ତରରେ ପ୍ରଦର୍ଶନଠାରୁ ଓଡ଼ିଶାର ପ୍ରଦର୍ଶନ ଉନ୍ନତତର। ଜାତୀୟ ସ୍ତରରେ ୫୪ ପ୍ରତିଶତ ପ୍ରକଳ୍ପର ଅଗ୍ରଗତି ଧାର୍ଯ୍ୟ ଲକ୍ଷ୍ୟଠାରୁ ପଛରେ ପଡ଼ିଛି।

ରାଜ୍ୟରେ ଶିଳ୍ପ ପ୍ରତିଷ୍ଠା କ୍ଷେତ୍ରରେ ଦେଖାଯାଉଥିବା ଜମିଠାରୁ ଆରମ୍ଭ କରି କଞ୍ଚାମାଲ ପର୍ଯ୍ୟନ୍ତ ବିଭିନ୍ନ ସମସ୍ୟାର ସମାଧାନ କ୍ଷେତ୍ରରେ ସରକାରୀ ସ୍ତରରେ ତତ୍ପରତା, ସମୟୋଚିତ ପଦକ୍ଷେପର ଏହା ସୁଫଳ। ପ୍ରକଳ୍ପଗୁଡ଼ିକର କାର୍ଯ୍ୟକାରିତା ତ୍ୱରାନ୍ଵିତ ହୋଇଛି। ତେବେ ଏଥିରେ ଆତ୍ମସନ୍ତୋଷ ଲାଭର କୌଣସି ଅବକାଶ ନାହିଁ। କାରଣ, ରିପୋର୍ଟ ଅନୁଯାୟୀ ଓଡ଼ିଶାକୁ ଆସିଥିବା ୯୦୦ ପ୍ରକଳ୍ପ ମଧ୍ୟରୁ ଏବେ ବି ୪୧୩ଟି ପ୍ରକଳ୍ପର କାର୍ଯ୍ୟକାରିତା ଅହେତୁକ ମନ୍ଥରତାର ଶିକାର। ଫଳରେ ପ୍ରାୟ ଛଅ ଲକ୍ଷ କୋଟି ଟଙ୍କାର ପୁଞ୍ଜି ବିନିଯୋଗ ପ୍ରଭାବିତ ହୋଇଛି। ଏହି ପ୍ରକଳ୍ପଗୁଡ଼ିକର କାର୍ଯ୍ୟକାରିତାକୁ ତ୍ୱରାନ୍ଵିତ କରିବା ଲାଗି ଦକ୍ଷତା ବୃଦ୍ଧି , ‘ଯୁଦ୍ଧକାଳୀନ’ ଭିତ୍ତିରେ ପଦକ୍ଷେପ ନେବା ସକାଶେ ‘ଆସୋଚାମ୍‌’ର ପରାମର୍ଶକୁ ସରକାରୀ କଳ ଗୁରୁତ୍ୱ ଦେବେ ବୋଲି ଆଶା କରାଯାଏ।

ଶିଳ୍ପାୟନ ପ୍ରସଙ୍ଗରେ ଓଡ଼ିଶା ଦୃଷ୍ଟିରୁ ‘ଆସୋଚାମ୍‌’ ରିପୋର୍ଟରୁ ମିଳୁଥିବା ଆଉ ଏକ ସକାରାତ୍ମକ ସଂକେତ ହେଲା, ଅଣ-ଖଣିଜ ଭିତ୍ତିକ ଶିଳ୍ପ ପାଇଁ ନିବେଶକଙ୍କ ମଧ୍ୟରେ ଅଧିକ ଆଗ୍ରହ। ପାରମ୍ପରିକ ଭାବେ ଖଣିଜ ସମ୍ପଦ ଭରା ଓଡ଼ିଶାରେ ଖଣିଜ ଭିତ୍ତିକ ଶିଳ୍ପ ପ୍ରତିଷ୍ଠା ପାଇଁ ନିବେଶକମାନେ ଅଧିକ ଆଗ୍ରହ ପ୍ରକାଶ କରିଥାନ୍ତି। କିନ୍ତୁ ଖଣିଜ ଉପରେ ଅତ୍ୟଧିକ ଗୁରୁତ୍ୱ ପରିବେଶ ତଥା ରାଜ୍ୟର ଦୀର୍ଘମିଆଦୀ ସ୍ୱାର୍ଥ ପାଇଁ ଅନୁକୂଳ ନୁହେଁ। ବିଗତ ଦିନରେ ଆଇନରେ ମଧ୍ୟ ପରିବର୍ତ୍ତନ ଯୋଗୁ ଖଣିଭିତ୍ତିକ ଶିଳ୍ପ ପ୍ରତିକୂଳତାର ସମ୍ମୁଖୀନ ହୋଇଛି। ଏଥିପାଇଁ କେତେକ ଖଣି-ଭିତ୍ତିକ ଶିଳ୍ପ ଆଗେଇ ପାରୁନାହିଁ। ପୋସ୍କୋ ପ୍ରକଳ୍ପ ବାତିଲ ହେବା ପଛରେ ଏହା ଅନ୍ୟତମ କାରଣ। ତେବେ ଖଣିଜ ଭିତ୍ତିକ ଶିଳ୍ପ ପ୍ରତି ନିବେଶକଙ୍କ ଅଧିକ ଆଗ୍ରହର ଧାରା ଭାଙ୍ଗି ଯାଇଛି। ରାଜ୍ୟକୁ ଆସିଥିବା ପୁଞ୍ଜିରୁ ସର୍ବାଧିକ ଭାଗ ୪୧.୫ ପ୍ରତିଶତ ମ୍ୟାନୁଫାକ୍‌ଚରିଂ କ୍ଷେତ୍ରରେ ବିନିଯୋଗ ହେବ। ନିବେଶରେ ଶକ୍ତି କ୍ଷେତ୍ରର ଭାଗ ୩୧ ପ୍ରତିଶତ। ଏହା ଏକ ସୁସ୍ଥ ସଂକେତ। ଅନ୍ୟପକ୍ଷରେ ଖଣି କ୍ଷେତ୍ରରେ ନିବେଶର ଭାଗ ମାତ୍ର ୯ ପ୍ରତିଶତ। ଏହା ଏହି ଖଣିଜ ସମ୍ପଦ ଭରା ରାଜ୍ୟର ଶିଳ୍ପାୟନର ଚିତ୍ର ଓ ଚରିତ୍ର ବଦଳୁଥିବାର ସୂଚନା ଦେଉଛି।

ରାଜନୈତିକ ଦୃଷ୍ଟିରୁ ଶିଳ୍ପାୟନ ନେଇ ‘ଆସୋଚାମ୍‌’ ରିପୋର୍ଟ ନିଶ୍ଚୟ ରାଜ୍ୟ ସରକାରଙ୍କୁ ଆଶ୍ୱସ୍ତ କରୁଥିବ। ରିପୋର୍ଟରେ ଅଙ୍କା ଯାଇଥିବା ଉଜ୍ଜଳ ଚିତ୍ର ନିଶ୍ଚିତ ଭାବେ କ୍ଷମତାସୀନ ସରକାରଙ୍କ ହାତରେ ବିରୋଧୀଙ୍କ ସମାଲୋଚନାର ମୁକାବିଲା ସକାଶେ ଏକ ଅସ୍ତ୍ର। କେବଳ ଏତିକି ନୁହେଁ, ଅର୍ଥନୀତି ଓ ଅଭିବୃଦ୍ଧିର ଉତ୍ସାହଜନକ ବିବରଣୀ ମଧ୍ୟ ବିରୋଧୀଙ୍କ ବିପକ୍ଷରେ ଶାସକ ପକ୍ଷଙ୍କୁ ଅଧିକ ବଳ ପ୍ରଦାନ କରୁଛି। ରିପୋର୍ଟ ଅନୁଯାୟୀ କେବଳ ସାମଗ୍ରିକ ଭାବେ ଓଡ଼ିଶାର ଅର୍ଥନୈତିକ ଅଭିବୃଦ୍ଧି ହାର ଜାତୀୟ ହାରଠାରୁ ଅଧିକ ହୋଇନାହିଁ, ଅର୍ଥନୀତିର ଅନ୍ୟ ସବୁ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର କୃଷି, ଶିଳ୍ପ, ସେବା, ଆଦିରେ ମଧ୍ୟ ରାଜ୍ୟର ଅଭିବୃଦ୍ଧି ଜାତୀୟ ହାରଠାରୁ ଅଧିକ।

ତେବେ ‘ଫେଲ୍‌ ପିଲାଙ୍କ ମଧ୍ୟରେ ଫାଷ୍ଟ’ ମାନସିକତାରେ ମନମୋଟା କରି ଆତ୍ମତୃପ୍ତି ଆତ୍ମଘାତୀ ସାବ୍ୟସ୍ତ ହୋଇପାରେ। ତେଣୁ, ଆହୁରି ଉନ୍ନତ ପ୍ରଦର୍ଶନ ଲାଗି ନିରନ୍ତର ପ୍ରୟାସ ଜାରି ରଖିବାକୁ ପଡ଼ିବ। ଏ ପ୍ରସଙ୍ଗରେ ରାଜନୈତିକ ଇଚ୍ଛାଶକ୍ତି, ଅମଲାତାନ୍ତ୍ରିକ ନିଷ୍ଠାର ତଥାପି ଯେଉଁ ନିଅଣ୍ଟ ରହିଛି, ତାହା ପୂରଣ ହେବା ଆବଶ୍ୟକ। ଏଠାରେ ଆଉ ଗୋଟିଏ ବିଷୟ ଉଲ୍ଲେଖ ନିଷ୍ପ୍ରୟୋଜନ ଯେ, କାଗଜପତ୍ରରେ ଏ ଉଜ୍ଜ୍ୱଳ ଚିତ୍ରରେ ଭଳି ନଯାଇ କ୍ଷେତ୍ରସ୍ତରରେ ବାସ୍ତବତାର ଅନୁଧ୍ୟାନ ନିହାତି ଜରୁରୀ। ଅଭିଜ୍ଞତା କହୁଛି, କାଗଜପତ୍ରରେ ଚିତ୍ର ଓ ବାସ୍ତବ ଚିତ୍ର ମଧ୍ୟରେ ଆକାଶ-ପାତାଳ ଫରକ ଥାଏ, ସେ ଫରକ ଯେତେ ସଂକୁଚିତ ହେବ, ସେତେ ଭଲ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.

seventeen − 3 =