ପ୍ରଶ୍ନରେ ସଂସଦର ଗରିମା

ବିରୋଧୀ ପକ୍ଷର ବିଭିନ୍ନ ଦଳଙ୍କ ପ୍ରାୟ ପ୍ରତିଦିନ ବିଭିନ୍ନ ପ୍ରସଙ୍ଗରେ ପ୍ରତିବାଦ, ହଟ୍ଟଗୋଳ ମଧ୍ୟରେ ବାରମ୍ବାର ମୁଲତବୀ ଯୋଗୁ ଗତ ଏକୋଇଶ ଦିନ ଧରି ଅଚଳାବସ୍ଥା ଲାଗି ରହିଥିବା ସଂସଦର ଉଭୟ ସଦନର ଅଧିବେଶନକୁ ଶେଷରେ ଶୁକ୍ରବାର ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରାଯାଇଛି। ଫଳତଃ, ବଜେଟ ଅଧିବେଶନର ବାଇଶ ଦିନିଆ ଦ୍ୱିତୀୟ ପର୍ଯ୍ୟାୟ ଏକପ୍ରକାର କୌଣସି ସଂସଦୀୟ କାର୍ଯ୍ୟ ବିନା ସମାପ୍ତ ହୋଇଛି। ଏହା ଗୋଟିଏ ବ୍ୟତିକ୍ରମ ନୁହେଁ ବରଂ ଏକ ଅସୁସ୍ଥ ଧାରାରେ ଆଉ ଗୋଟିଏ ଅଧ୍ୟାୟ। ଗତ ଗୋଟିଏ ଦଶକ ଧରି ସଂସଦର ପ୍ରାୟ ପ୍ରତ୍ୟେକ ଅଧିବେଶନରେ ଊଣା-ଅଧିକେ ଏହି ସମାନ ଚିତ୍ର ଦେଖିବାକୁ ମିଳିଛି। ସଂସଦୀୟ କାର୍ଯ୍ୟରେ କମ୍‌ ସମୟ ବିନିଯୋଗ ହେଉଥିବା ବେଳେ ବାକ୍‌ବିତଣ୍ଡା, ହଟ୍ଟଗୋଳରେ ଅଧିକ ସମୟ ବରବାଦ ହେଉଛି। ସବୁଠାରୁ ଅଧିକ ଅସ୍ୱସ୍ତିକର ବିଷୟ ହେଲା, ଭାରତୀୟ ଗଣତନ୍ତ୍ରର ସର୍ବୋଚ୍ଚ ଅନୁଷ୍ଠାନକୁ ଅର୍ଥପୂର୍ଣ୍ଣ ଆଲୋଚନା, ବିତର୍କର ମଞ୍ଚ ଭାବେ ନୁହେଁ, ବରଂ ପ୍ରତିବାଦ ତଥା ଆନ୍ଦୋଳନର ଏକ ମଞ୍ଚ ଭାବେ ବ୍ୟବହାର କରାଯାଉଛି। ଅସୁସ୍ଥ, ଅଶୋଭନୀୟ ହେଲେ ସୁଦ୍ଧା ଏହା ଏକ ନିଷ୍ଠୁର ବାସ୍ତବତା।

ସମ୍ବିଧାନ ପ୍ରଣେତା ବିଆର୍‌ ଆମ୍ବେଦକରଙ୍କ ମତ ଥିଲା- ଯୁକ୍ତରାଷ୍ଟ୍ର ଆମେରିକା ଭଳି ରାଷ୍ଟ୍ରପତି କୈନ୍ଦ୍ରିକ ଶାସନ ବ୍ୟବସ୍ଥା ଅପେକ୍ଷା ଭାରତରେ ଏକ ସଂସଦୀୟ ଶାସନ ପଦ୍ଧତି ଅଧିକ ଉପଯୁକ୍ତ। ଆମ୍ବେଦକରଙ୍କ ଯୁକ୍ତି ଥିଲା- ସଂସଦୀୟ ବ୍ୟବସ୍ଥାରେ ଦୈନନ୍ଦିନ ଭିତ୍ତିରେ ସରକାରଙ୍କୁ ଉତ୍ତରଦାୟୀ କରାଯାଇ ପାରିବ। ଏଥି ପାଇଁ ପ୍ରଶ୍ନ ଉତ୍ତରଠାରୁ ଆରମ୍ଭ କରି ମୁଲତବୀ ଓ ଅନାସ୍ଥା ପ୍ରସ୍ତାବ ପର୍ଯ୍ୟନ୍ତ ଅନେକ ବ୍ୟବସ୍ଥା ରହିଛି, ଯାହାଦ୍ୱାରା ସିଧାସଳଖ ସରକାରଙ୍କ କର୍ମ, ଅକର୍ମ ଓ ଅପକର୍ମର ତର୍ଜମା କରାଯାଇ କୈଫିୟତ ମଗାଯାଇ ପାରିବ। କିନ୍ତୁ ସଂସଦ ଚାଲିଲେ ତ ସରକାର ଉତ୍ତର ଦେବେ? ସଂସଦରେ ଅଚଳାବସ୍ଥା ଉତ୍ତରଦାୟିତ୍ୱ ଏଡ଼ାଇ ଯିବା ଲାଗି ସରକାରଙ୍କୁ ସୁଯୋଗ ଦେଉଛି। ଅନେକ ପୂର୍ବ ଅଧିବେଶନ ଭଳି ଏ ଅଧିବେଶନରେ ମଧ୍ୟ ସରକାରଙ୍କୁ ଉତ୍ତର ଦାୟୀ କରାଯିବା ଅବକାଶ ରହିଲା ନାହିଁ। ଅଚଳାବସ୍ଥା ଆଳରେ ବିନା ଆଲୋଚନାରେ ଅର୍ଥବିଲ୍‌ ଉପରେ ଅନେକ ବିବାଦୀୟ ସଂଶୋଧନ ଗୃହୀତ କରାଇ ନିଆଗଲା ଏପରିକି ଗୃହରେ ବିଶୃଙ୍ଖଳା ଆଳରେ ଚାରି ଚାରିଟି ନୋଟିସ୍‌ ସତ୍ତ୍ୱେ ଅନାସ୍ଥା ପ୍ରସ୍ତାବକୁ ସରକାର ଏଡ଼ାଇ ଯିବାକୁ ସମର୍ଥ ହେଲେ। ଏହା ନିଶ୍ଚିତ ଭାବେ ସଂସଦୀୟ ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହେଁ।

ଏବେ ଶାସକ ଓ ବିରୋଧୀ ପକ୍ଷଙ୍କ ମଧ୍ୟରେ ପରସ୍ପର କାଦୁଅ ଫିଙ୍ଗା ଚାଲିଛି। ଅଚଳାବସ୍ଥା ପାଇଁ ଶାସକ ପକ୍ଷ ବିରୋଧୀଙ୍କ ଆଡ଼କୁ ଅଙ୍ଗୁଳି ଦେଖାଉଛନ୍ତି। ବିରୋଧୀ ପକ୍ଷ ସରକାରୀ ଦଳକୁ ଦାୟୀ କରୁଛନ୍ତି। ତେବେ ଅଚଳାବସ୍ଥା ପାଇଁ ନା ଶାସକ ପକ୍ଷ ନା ବିରୋଧୀ, ନିଜ ଦାୟିତ୍ୱକୁ ଏଡ଼ାଇ ପାରିବେ। ସଂସଦର ଶୃଙ୍ଖଳିତ ସୁପରିଚାଳନା ମୁଖ୍ୟତଃ ଶାସକ ପକ୍ଷର ଦାୟିତ୍ୱ। ଶାସକ ଏନ୍‌ଡିଏ ପକ୍ଷ ସେହି କାର୍ଯ୍ୟ ସଂପାଦନ କରିନାହାନ୍ତି। ବିରୋଧୀଙ୍କ ସହ ଆପୋସ ଆଲୋଚନା ଜରିଆରେ ଅଚଳାବସ୍ଥାର ଅବସାନ ଲାଗି କୌଣସି ଆନ୍ତରିକ ପ୍ରୟାସ ହୋଇନାହିଁ। ଅନ୍ୟପକ୍ଷରେ ବିରୋଧୀ ପକ୍ଷଙ୍କଠାରୁ ଆଶା କରାଯାଏ ଯେ, ଗଠନମୂଳକ ବିରୋଧୀ ଭାବେ ସେମାନେ ଗୃହ ପରିଚାଳନାରେ ସହଯୋଗ କରିବେ। ବିରୋଧୀ ତାଙ୍କ ଜିଦ୍‌ରେ ଅଟଳ ରହି ବୁଝାମଣାର ବାଟ ବନ୍ଦ କରି ଦେଲେ। ସଂସଦ ବାହାରେ ପ୍ରତିବାଦରେ ୧୭ ବିରୋଧୀ ଦଳ ଏକାଠି ହୋଇ ପାରିଲେ। ଅନାସ୍ଥା ପ୍ରସ୍ତାବ ଉପରେ ସଂସଦ ଭିତରେ ଯଦି ବିରୋଧୀ ଦଳ ଏକାଠି ହୋଇ ଅନ୍ତତଃ ପାଞ୍ଚମିନିଟ୍‌ ପାଇଁ ଶୃଙ୍ଖଳା ରକ୍ଷା କରିଥାନ୍ତେ ତେବେ ଅନାସ୍ଥା ପ୍ରସ୍ତାବର ସମର୍ଥକଙ୍କ ମୁଣ୍ଡ ଗଣତିକୁ ଏଡ଼ାଇବା ବାଚସ୍ପତିଙ୍କ ପକ୍ଷରେ ସମ୍ଭବ ହୋଇ ନଥାନ୍ତା। ଅନାସ୍ଥା ପ୍ରସ୍ତାବ କେବଳ ନୋଟିସ୍‌ରେ ନ ରହି ଆଲୋଚନାକୁ ଆସି ପାରିଥାନ୍ତା। ଶାସକ ଓ ବିରୋଧୀ ପକ୍ଷ ପରସ୍ପରର ମୁକାବିଲା ମନୋଭାବ ପରିବର୍ତ୍ତେ ଯଦି ମିଳାମିଶାର ଆଭିମୁଖ୍ୟ ଗ୍ରହଣ କରିଥାନ୍ତେ, ତେବେ ସଂସଦର ଅଚଳାବସ୍ଥା ଏଡ଼ାଯାଇ ପାରିଥାନ୍ତା। ଅସଲ କଥା ହେଲା କୌଣସି ପକ୍ଷ ଆଲୋଚନା ପାଇଁ ଆଗ୍ରହୀ ନଥିଲେ। ଅବଶ୍ୟ, ଏ ଅଧିବେଶନ କାଳରେ ଶାସକ ବନାମ ବିରୋଧୀ ମୁକାବିଲା କିଛି ନୂଆ ନୁହେଁ। କଂଗ୍ରେସ ନେତୃତ୍ୱାଧୀନ ୟୁପିଏ ସରକାରରେ ଥିବା ବେଳେ ବିରୋଧୀ ଭାବେ ବିଜେପିର ଆଚରଣ ଓ ଉଚ୍ଚାରଣ ଯାହା ଥିଲା, ଏବେ ବିଜେପି ନେତୃତ୍ୱାଧୀନ ଏନ୍‌ଡିଏ ସରକାର ଅମଳରେ ବିରୋଧୀ ଭାବେ କଂଗ୍ରେସର ଆଚରଣ ଓ ଉଚ୍ଚାରଣ ଠିକ ସମାନ। ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀ ଏବଂ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ଯଥାକ୍ରମେ ରାଜ୍ୟସଭା ଓ ଲୋକସଭାରେ ବିରୋଧୀ ଦଳ ନେତା ଥିବା ବେଳେ ସଂସଦକୁ ଅଚଳ କରିବା ଲାଗି ବିଜେପି ପଦକ୍ଷେପର ଯଥାର୍ଥତା ପ୍ରତିପାଦନ ଲାଗି ଯାହା ଯୁକ୍ତି ରଖୁଥିଲେ, ଏବେ କଂଗ୍ରେସର ରାଜ୍ୟସଭା ଓ ଲୋକସଭାରେ ନେତା ଗୁଲାମ ନବୀ ଆଜାଦ ଓ ମଲିକାର୍ଜୁନ ଖାର୍ଗେ ସେହି ସମାନ ଯୁକ୍ତି ବାଢୁଛନ୍ତି। ସମସ୍ତେ ସେହି ଗୋଟିଏ ନାଉର ମଞ୍ଜି। ପକ୍ଷ ବଦଳିଲେ ସୁବିଧା ଅନୁଯାୟୀ ସ୍ୱର ବଦଳେ। ଏହି ସୁବିଧାବାଦୀ ରାଜନୀତି ପାଇଁ ସଂସଦୀୟ ଗଣତନ୍ତ୍ରରେ ଆଜି ନୀତି, ନୈତିକତା, ମୂଲ୍ୟବୋଧ ବିପନ୍ନ।

ସଂସଦ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ହେବା ପରେ ରାଜନୈତିକ ଦୃଷ୍ଟିରୁ ବିଜେପିର ମୁନାଫା-ଘାଟା, କଂଗ୍ରେସର ଫାଇଦା-ଲୁକ୍‌ସାନର ହିସାବ ଫର୍ଦ୍ଦ ତିଆରି ହେଉଛି। ଦାବି କରାଯାଉଛି ସଂସଦର ଏ ଅଚଳାବସ୍ଥାରୁ ବିଜେପି ଖାତାକୁ ଲାଭ ଆସିଛି। ଶାସକ ପକ୍ଷ ଆଶ୍ୱସ୍ତ ଯେ ମୋଦୀ ସରକାର ବିରୋଧରେ ଅନାସ୍ଥା ପ୍ରସ୍ତାବ ଆସି ପାରିଲା ନାହିଁ। ଫଳରେ ଏନ୍‌ଡିଏ ସହଯୋଗୀଙ୍କ ଅସନ୍ତୋଷ, ବିରୋଧ ଅଧିକ ବିଜ୍ଞପିତ ହେବାର ଆଶଙ୍କା ଟଳି ଯାଇଛି। ଅନାସ୍ଥା ପ୍ରସ୍ତାବ ଆଲୋଚନା ପାଇଁ ଲୋକସଭା କକ୍ଷକୁ ଆଣିବାରେ ବିଫଳତା ବିରୋଧୀ ଗୋଠରେ ଫାଟ ଓ ଭବିଷ୍ୟତରେ ବିରୋଧୀ ଏକତା ପ୍ରତି ଧକ୍କା ବୋଲି ବିଚାର କରାଯାଉଛି। ଅନ୍ୟପକ୍ଷରେ, କଂଗ୍ରେସର ଆକଳନ ହେଲା, ଅନାସ୍ଥା ପ୍ରସ୍ତାବ ଆଗତ ହୋଇପାରି ନଥିଲେ ସୁଦ୍ଧା ଏହା ଶାସକ ଏନ୍‌ଡିଏ ମେଣ୍ଟର ଦୁର୍ବଳତାକୁ ପଦାରେ ପକାଇ ଦେଇଛି। ସଂସଦ ଭିତରେ ବିରୋଧୀଙ୍କୁ ଏଡ଼ାଇବାରେ ସରକାର ସମର୍ଥ ହୋଇଥାଇ ପାରନ୍ତି, କିନ୍ତୁ ସଂସଦ ବାହାରେ ସରକାର ବିରୋଧରେ ନକାରାତ୍ମକ ବାତାବରଣ ଅଧିକ ଘନୀଭୂତ ହୋଇଛି। ଯେଉଁ ତିନିଟି ପ୍ରମୁଖ ଆଞ୍ଚଳିକ ଦଳ ଆନ୍ଧ୍ରପ୍ରଦେଶର ତେଲଗୁ ଦେଶମ୍‌, ୟାଇଏସ୍‌ଆର୍‌ କଂଗ୍ରେସ ଓ ତାମିଲନାଡୁର ଆନ୍ନାଡିଏମ୍‌କେ ଯଥାକ୍ରମେ ସ୍ୱତନ୍ତ୍ର ପାହ୍ୟା ରାଜ୍ୟ ଓ କାବେରୀ ଜଳ ବଣ୍ଟନ ପ୍ରସଙ୍ଗରେ ମୁଖ୍ୟତଃ ସଂସଦକୁ ଅଚଳ କରିଥିଲେ, ସେମାନେ ମଧ୍ୟ ଲାଭ ଦର୍ଜ କରିଥିବା ଅନୁଭବ କରୁଛନ୍ତି। ଏହାଦ୍ୱାରା ଘରୋଇ ମଇଦାନରେ ନିଜ ନିଜର ସ୍ଥିତି ସୁଦୃଢ଼ ହୋଇ ଥାଇପାରେ।

ବିଭିନ୍ନ ଦଳର ଲାଭ-କ୍ଷତିର ଏ ହିସାବଫର୍ଦ୍ଦ ଉପରେ ବିବାଦ ଓ ବିତର୍କର ଯଥେଷ୍ଟ ଅବକାଶ ରହିଛି। କିନ୍ତୁ, ଗୋଟିଏ ବିଷୟ ଉପରେ ବିବାଦ କିଂବା ବିତର୍କର କୌଣସି ଅବକାଶ ନାହିଁ ଯେ ବିଗତ ବାଇଶ ଦିନର ଅଚଳାବସ୍ଥା ଯୋଗୁ ଦେଶର ସର୍ବୋଚ୍ଚ ତଥା ପବିତ୍ରତମ ଗଣତାନ୍ତ୍ରିକ ଅନୁଷ୍ଠାନ ଭାବେ ସଂସଦର ହିସାବ ଖାତାରେ ଲାଭ ଘର ଶୂନ, ଖାଲି କ୍ଷତି ଓ କ୍ଷତି, ଚତୁର୍ବର୍ଗ କ୍ଷତି। ଭାରତୀୟ ଶାସନ ବ୍ୟବସ୍ଥାର ସର୍ବଶ୍ରେଷ୍ଠ ଅଙ୍ଗ ଭାବେ ଏହା ସଂସଦର ଗରିମା ଓ ଗୁରୁତ୍ୱକୁ ଆହୁରି ଅଧିକ କ୍ଷୁଣ୍ଣ କରିଛି। ସଂସଦର ଅବକ୍ଷୟ ପ୍ରକ୍ରିୟା ତ୍ୱରାନ୍ଵିତ ହେଉଥିବାର ଏହା ଅଶୁଭ ସଂକେତ, ଯାହା ସଂସଦର ପ୍ରାସଙ୍ଗିକତା ଉପରେ ଉଠୁଥିବା ସନ୍ଦେହକୁ ଅଧିକ ଘନୀଭୂତ କରିବା ଆଶଙ୍କା ସୃଷ୍ଟି କରୁଛି। ବହୁବର୍ଷ ତଳେ ୧୯୫୫ ସେପ୍ଟେମ୍ବର ୨୭ରେ ତତ୍କାଳୀନ ରାଜ୍ୟସଭା ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ଡ. ସର୍ବପଲ୍ଲୀ ରାଧାକୃଷ୍ଣନ୍‌ ଜଣେ ସଦସ୍ୟଙ୍କ ଅବାନ୍ତର ବୟାନକୁ ଗୃହର ବିବରଣୀରୁ ବାଦ୍‌ ଦେଇଥିଲେ। ତାଙ୍କ ନିଷ୍ପତ୍ତିର ଯଥାର୍ଥତା ସମ୍ପର୍କରେ ସେ କହିଥିଲେ- ଗୃହର ସୁନାମ ଓ ମର୍ଯ୍ୟାଦା ରକ୍ଷା ସଦନର ଅଧ୍ୟକ୍ଷ ଓ ପ୍ରତ୍ୟେକ ସଦସ୍ୟଙ୍କ ପରମ କର୍ତ୍ତବ୍ୟ। ସେହି କର୍ତ୍ତବ୍ୟ ପାଳନ ପୂର୍ବକ ସେ ସଦସ୍ୟଙ୍କ ବକ୍ତବ୍ୟକୁ ବିବରଣୀରୁ ବାଦ୍‌ ଦେଇଛନ୍ତି। ଡ. ରାଧାକୃଷ୍ଣନ୍‌ କହିଥିଲେ, ଏମିତି ଧାରଣା ହେବା ଉଚିତ ନୁହେଁ ଯେ ଏ ଗୃହର ସଦସ୍ୟମାନେ ଦାୟିତ୍ୱହୀନ ଓ ପେସାଦାର ଆନ୍ଦୋଳନକାରୀ। ଦୁର୍ଭାଗ୍ୟର ବିଷୟ, ଡ. ରାଧାକୃଷ୍ଣନ୍‌ ଯାହା ହେଉ ବୋଲି ଚାହୁଁନଥିଲେ, ତାହା ଏବେ ବାସ୍ତବତା। ସାଂସଦମାନେ ଦାୟିତ୍ୱହୀନ ଓ ନିଜ କର୍ତ୍ତବ୍ୟ ପ୍ରତି ସେମାନଙ୍କ ନିଷ୍ଠା ନାହିଁ ବୋଲି ଏକ ନକାରାତ୍ମକ ଧାରଣା ଦୃଢ଼ ହେବାରେ ଲାଗିଛି। ସମ୍ବିଧାନ ପ୍ରଣେତାମାନେ ମଧ୍ୟ ସଂସଦ ଓ ସାଂସଦଙ୍କ ସମ୍ପର୍କରେ ଲୋକଙ୍କ ମଧ୍ୟରେ ଏ ପ୍ରକାର ଧାରଣା ଆଶା କରି ନଥିଲେ।

ଭାରତୀୟ ଜନଗଣଙ୍କ ଆଶା-ଆକାଂକ୍ଷା, ଦେଶର ସାର୍ବଭୌମତାର ପ୍ରତୀକ ସଂସଦର ଗରିମା, ମର୍ଯ୍ୟାଦା କ୍ଷୁଣ୍ଣ କଲା ଭଳି କୌଣସି କାର୍ଯ୍ୟ ବରଦାସ୍ତ କରାଯାଇ ନପାରେ। ୧୯୬୩ ଫେବ୍ରୁଆରିରେ ରାଷ୍ଟ୍ରପତି ସଂସଦର ମିଳିତ ଅଧିବେଶନରେ ଭାଷଣ ଦେବା ବେଳେ କିଛି ସଭ୍ୟ ବ୍ୟାଘାତ ସୃଷ୍ଟି ଲାଗି ଉଦ୍ୟମ କରିଥିଲେ। ହିନ୍ଦୀ ବଦଳରେ ଇଂରେଜୀରେ ରାଷ୍ଟ୍ରପତିଙ୍କ ଭାଷଣର ଏହା ପ୍ରତିବାଦ ଥିଲା। ଜଣେ ରାଜ୍ୟସଭା ସଦସ୍ୟ କକ୍ଷତ୍ୟାଗ କରିଥିଲେ। ପର ଦିନ ପୂରା ସଂସଦ ଏକାଠି ହୋଇ ପୂର୍ବ ଦିନ ଘଟଣାର ନିନ୍ଦା କରି ଦୁଃଖ ପ୍ରକାଶ କରିଥିଲେ। ସଂସଦର ଗରିମା ରକ୍ଷା ଲାଗି ମାନ୍ୟବର ସାଂସଦମାନଙ୍କୁ ୧୯୬୩ର ସେ ସୁବର୍ଣ୍ଣ ସମୟକୁ ଫେରାଇ ଆଣିବାକୁ ପଡ଼ିବ। ଉଲ୍ଲେଖ ନିଷ୍ପ୍ରୟୋଜନ ଯେ ସଂସଦରେ ବିଧି ବ୍ୟବସ୍ଥା ବାହଲ କରି ଏହି ମହାନ୍‌ ଅନୁଷ୍ଠାନର ପବିତ୍ରତା ଓ ମର୍ଯ୍ୟାଦା ରକ୍ଷା ଲାଗି ସାଂସଦ ଓ ଦଳଙ୍କ ଆଭିମୁଖ୍ୟ, ଆଚରଣ ଓ ଉଚ୍ଚାରଣରେ ଆମୂଳଚୂଳ ସଂସ୍କାର ଏକାନ୍ତ ଅପରିହାର୍ଯ୍ୟ।

ସମ୍ବନ୍ଧିତ ଖବର