Sambad, Odisha Latest News, Breaking News Odisha, Odisha Current Headlines, Odisha News Online | Sambad.in

ଗଣତନ୍ତ୍ର ପ୍ରତି ମୋହଭଙ୍ଗ?

0 141

ବିଶ୍ୱର ସର୍ବବୃହତ୍‌ ଗଣତନ୍ତ୍ର ଭାବେ ଭାରତର ଆନ୍ତର୍ଜାତିକ ସମୁଦାୟରେ ଏକ ସ୍ୱତନ୍ତ୍ର ସମ୍ମାନ ତଥା ମର୍ଯ୍ୟାଦା ରହିଛି। ବିଶ୍ୱବାସୀଙ୍କ ନଜରରେ ଭାରତ ପ୍ରତିନିଧିମୂଳକ ଗଣତନ୍ତ୍ରର ଅନ୍ୟତମ ଶ୍ରେଷ୍ଠ ଉଦାହରଣ। କିନ୍ତୁ ଭାରତୀୟ ଗଣତନ୍ତ୍ର ନେଇ ଭାରତୀୟଙ୍କ ବିଚାର କ’ଣ ବଦଳୁଛି? କ’ଣ ଭାରତୀୟ ଜନଗଣଙ୍କ ମୋହ ଗଣତନ୍ତ୍ର ପ୍ରତି କ୍ରମଶଃ ଭଙ୍ଗ ହେଉଛି? ଶ୍ରେଷ୍ଠ ଶାସନତନ୍ତ୍ର କୁହାଯାଉଥିବା ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥା ପ୍ରତି ଭାରତର ସାଧାରଣ ଜନତାଙ୍କ ଆସ୍ଥା ଓ ବିଶ୍ୱାସରେ କ’ଣ ଭଟ୍ଟା ପଡ଼ି ଆସୁଛି? ଗଣତନ୍ତ୍ର ପ୍ରତି ବୀତସ୍ପୃହ ହୋଇ ଭାରତୀୟମାନେ କ’ଣ ନୂଆ ବିକଳ୍ପ ଶାସନତନ୍ତ୍ରର ତଲାସ ପାଇଁ ମନ ବଳାଇଲେଣି? ଆମେରିକାର ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ଗବେଷଣା ସଂସ୍ଥା ‘ପ୍ୟୁ’ର ସର୍ଭେ ରିପୋର୍ଟର ସୂକ୍ଷ୍ମ ଅନୁଶୀଳନ କଲେ ଉପରୋକ୍ତ ପ୍ରଶ୍ନଗୁଡ଼ିକ ସ୍ୱତଃ ଉଙ୍କି ମାରୁଛି। ବିଶ୍ୱର ଅଠାବନଟି ଦେଶରେ ଗଣତନ୍ତ୍ର ନେଇ ସାଧାରଣ ଲୋକଙ୍କ ଧାରଣା ସମ୍ପର୍କରେ ହୋଇଥିବା ଏହି ସର୍ଭେ ଅନୁଯାୟୀ, ଭାରତରେ ୭୯ ପ୍ରତିଶତ ଦେଶବାସୀ ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥାରେ ସନ୍ତୁଷ୍ଟ ଥିଲେ ସୁଦ୍ଧା ୫୫ ପ୍ରତିଶତଙ୍କ ମତରେ ଏକଛତ୍ରବାଦୀ କିଂବା ସାମରିକ ଶାସନ ଏକ ଉନ୍ନତ ବିକଳ୍ପ ହୋଇପାରେ।

ଉଲ୍ଲେଖନୀୟ ହେଲା, ଏସିଆର ଅନ୍ୟ କେତେକ ଗଣତାନ୍ତ୍ରିକ ରାଷ୍ଟ୍ରରେ ମଧ୍ୟ ଏକଛତ୍ରବାଦୀ କିମ୍ବା ସାମରିକ ଶାସନ ବ୍ୟବସ୍ଥା ସପକ୍ଷରେ ଅଧାରୁ ଅଧିକ ଜନତା ମତ ଦେଇଛନ୍ତି। କିନ୍ତୁ, ଭାରତରେ ଏ ପ୍ରକାର ମତ ରଖୁଥିବା ଲୋକଙ୍କ ଭାଗ ସର୍ବାଧିକ। ଫିଲିପାଇନ୍‌ସ ଓ ମାଲେସିଆରେ ଯଥାକ୍ରମେ ୫୦ ପ୍ରତିଶତ ଓ ୫୨ ପ୍ରତିଶତ ନାଗରିକ ସାମରିକ ଶାସନ କିମ୍ବା ଏକଛତ୍ରବାଦ ସପକ୍ଷରେ ମତ ଦେଇଥିବା ବେଳେ ୫୫ ପ୍ରତିଶତ ଭାରତୀୟ ନାଗରିକ ଏକଛତ୍ରବାଦ ସପକ୍ଷରେ ମତ ଦେଇଛନ୍ତି। ଏ ପ୍ରସଙ୍ଗରେ ସର୍ଭେରୁ ମିଳିଥିବା ଆଉ ଏକ ତଥ୍ୟ ମଧ୍ୟ ବିଶେଷ ଧ୍ୟାନ ଆକର୍ଷଣ କରୁଛି। ଦେଶର ଗଣତାନ୍ତ୍ରିକ ବ୍ୟବସ୍ଥା ଅନୁଯାୟୀ ଜନ ପ୍ରତିନିଧି ଭାବେ ନିର୍ବାଚିତ ରାଜନୈତିକ କାର୍ଯ୍ୟ ନିର୍ବାହୀଙ୍କ ହାତରେ ଶାସନର ଭାର ନ୍ୟସ୍ତ। କିନ୍ତୁ ସର୍ଭେ ଅନୁଯାୟୀ ୬୫ ପ୍ରତିଶତ ଭାରତୀୟଙ୍କ ମତ ବୈଷୟିକ ବିଶେଷଜ୍ଞଙ୍କୁ ନେଇ ସରକାର ଗଠନ ସପକ୍ଷରେ। ଏହାର ଅର୍ଥ, ନିର୍ବାଚିତ ଜନ ପ୍ରତିନିଧିଙ୍କ ବଦଳରେ ବୈଷୟିକ ବିଶେଷଜ୍ଞଙ୍କ ହାତରେ ଶାସନର ଦାୟିତ୍ୱ ନ୍ୟସ୍ତ ସକାଶେ ସଂଖ୍ୟାଗରିଷ୍ଠ ଭାରତୀୟ ଆଗ୍ରହୀ। ଏହା ରାଜନୈତିକ କାର୍ଯ୍ୟନିର୍ବାହୀଙ୍କ ଲୋକପ୍ରତିନିଧିଙ୍କ ପ୍ରତି ଅନାସ୍ଥାର ସୂଚକ।

ସର୍ଭେରୁ ମିଳିଥିବା ତଥ୍ୟରୁ ସଂକେତ ସ୍ପଷ୍ଟ ଯେ, ଭାରତୀୟମାନେ ମୋଟାମୋଟି ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥା ନେଇ ସନ୍ତୁଷ୍ଟ ଥିଲେ ସୁଦ୍ଧା ସରକାର ତଥା ଶାସନର ପ୍ରଦର୍ଶନ ଏବଂ ଲୋକଙ୍କ ଆଶା ଆକାଂକ୍ଷା ମଧ୍ୟରେ ବିରାଟ ବ୍ୟବଧାନ ରହୁଛି। ସାଧାରଣ ଲୋକ ନିଜର ବ୍ୟକ୍ତିଗତ ଜୀବନ ତଥା ସାମୂହିକ ଗୋଷ୍ଠୀ ଜୀବନରେ ଯେଉଁ ପ୍ରକାର ସାମାଜିକ ଅର୍ଥନୈତିକ ପରିବର୍ତ୍ତନ ଆଶା କରନ୍ତି, ଶାସନ ତାହା ପୂରଣ କରି ପାରୁନାହିଁ। ସେଥିପାଇଁ ବୋଧହୁଏ ବ୍ୟବସ୍ଥା ପ୍ରତି ମୋହଭଙ୍ଗ ହେଉଛି। ବିଗତ ସାଢ଼େ ସାତ ଦଶନ୍ଧି ଧରି ଭାରତରେ ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥାର କାର୍ଯ୍ୟକାରିତା ତଥା ପ୍ରମୁଖ ଗଣତାନ୍ତ୍ରିକ ଅନୁଷ୍ଠାନ ଗୁଡ଼ିକର କାର୍ଯ୍ୟଧାରାକୁ ଅନୁଧ୍ୟାନ କଲେ ସଂଖ୍ୟାଗରିଷ୍ଠ ଭାରତୀୟଙ୍କ ମନରେ ଏ ପ୍ରକାର ଗଣତନ୍ତ୍ର ପରିପନ୍ଥୀ ବିଚାର ଦାନା ବାନ୍ଧିବା ବିଶେଷ ଅସ୍ୱାଭାବିକ ମନେ ହେଉନାହିଁ। ସଂଖ୍ୟାଗରିଷ୍ଠ ଭାରତୀୟ ନାଗରିକଙ୍କ ମନକୁ ଆଜି ଯଦି ଏକଛତ୍ରବାଦ ଏକ ବିକଳ୍ପ ଶାସନତନ୍ତ୍ର ଭାବେ ଆସୁଛି, ତେବେ ସେଥିପାଇଁ ଆମର ରାଜନୈତିକ ବର୍ଗଙ୍କ ବିଫଳତା ଦାୟୀ। ନିଃସନ୍ଦେହ, ସ୍ୱାଧୀନତା ପରେ ଅର୍ଥନୀତିର ପ୍ରତ୍ୟେକ କ୍ଷେତ୍ର- କୃଷିଠାରୁ ଆରମ୍ଭ କରି ସୂଚନା ପ୍ରଯୁକ୍ତି ପର୍ଯ୍ୟନ୍ତ ଶିକ୍ଷା, ସ୍ୱାସ୍ଥ୍ୟ, ଭିତ୍ତିଭୂମି, କାରିଗରି ଆଦି ସବୁ କ୍ଷେତ୍ରରେ ଭାରତ ଉଲ୍ଲେଖନୀୟ ଅଗ୍ରଗତି ହାସଲ କରିଛି। ୧୯୪୭ର ଭାରତକୁ ଛାଡ଼ି ୨୦୧୭ର ଭାରତ ବହୁ ଆଗକୁ ଚାଲି ଆସିଛି।

ତେବେ ଗୋଟିଏ ପକ୍ଷରେ ଅଗ୍ରଗତିକୁ ସ୍ୱୀକାର କଲା ବେଳେ, ଅନ୍ୟପକ୍ଷରେ ଏହା ମଧ୍ୟ ସ୍ୱୀକାର କରିବାକୁ ପଡ଼ିବ ଯେ, ଭାରତର ସାମର୍ଥ୍ୟ ଓ ସମ୍ଭାବନା ଅନୁପାତରେ ପ୍ରଗତି ଯଥେଷ୍ଟ ନୁହେଁ। ପ୍ରଗତିର ରାସ୍ତାରେ ଭାରତ ଆହୁରି ଆଗକୁ ଯାଇ ପାରିଥାନ୍ତା। ସବୁ ପ୍ରକାର ସାମର୍ଥ୍ୟ ଓ ସମ୍ଭାବନା ସତ୍ତ୍ୱେ ଯଦି ଆଜି ବିକାଶ କ୍ଷେତ୍ରରେ ନିଅଣ୍ଟିଆ ଅବସ୍ଥା ଲାଗି ରହିଛି, ତେବେ ସେଥିପାଇଁ ରାଜନୈତିକ ସ୍ତରରେ ଇଚ୍ଛାଶକ୍ତି ଓ ନିଷ୍ଠାର ଅଭାବ ଦାୟୀ। ପ୍ରଗତିର ଉଜ୍ଜ୍ୱଳ ଆଲୋକରେ ବିଭିନ୍ନ କ୍ଷେତ୍ରରେ ପଛୁଆପଣର ଅନ୍ଧାରୁଆ ବାସ୍ତବତା ଲୁଚି ରହି ପାରିବନାହିଁ। ଗୋଟିଏ ପକ୍ଷରେ ସ୍ମାର୍ଟ ସିଟି, ବୁଲେଟ୍‌ ଟ୍ରେନ୍‌, ମଙ୍ଗଳ ଅଭିଯାନ ବିଷୟ ଚିନ୍ତା କରାଯାଉଛି, ଅଥଚ ଅନ୍ୟପକ୍ଷରେ ଅପପୁଷ୍ଟି, କ୍ଷୁଧା, ଉତ୍କଟ ଦାରିଦ୍ର୍ୟର ସଫଳ ମୁକାବିଲା ହୋଇ ପାରୁନାହିଁ। ବିକାଶଧାରାରେ ଏ ବିରୋଧାଭାସ ସାମାଜିକ ବୈଷମ୍ୟର ମଞ୍ଜି ବୁଣିବା ସହ ଅର୍ଥନୈତିକ ଅସମାନତା ବୃଦ୍ଧି ଲାଗି ଇନ୍ଧନ ଯୋଗାଉଛି। ଏ ପ୍ରକାର ବୈଷମ୍ୟ ମୂଳକ ସ୍ଥିତି ଗୋଟିଏ ଗଣତନ୍ତ୍ର ପାଇଁ ଆଦୌ ଅନୁକୂଳ ନୁହେଁ। ବ୍ୟବସ୍ଥା ଏ ଅସମାନତା ଦୂର କରିବାରେ ସଫଳ ହୋଇପାରୁ ନାହିଁ। ବୋଧହୁଏ ସେଥିପାଇଁ ସଂଖ୍ୟାଗରିଷ୍ଠ ଜନତା ଗଣତନ୍ତ୍ର ଆଡୁ ମୁହଁ ଫେରାଇ ଅନ୍ୟ ବିକଳ୍ପ ଆଡ଼କୁ ଅନାଉଛନ୍ତି।

ଗଣଙ୍କ ମଧ୍ୟରେ ଗଣତନ୍ତ୍ରର ପତିଆରା କ୍ଷୁଣ୍ଣ ହେବାର ଆହୁରି ଅନେକ କାରଣ ରହିିଛି। କିନ୍ତୁ ସେଥିରୁ ଦୁଇଟି ପ୍ରମୁଖ କାରଣ ହେଲା, ଗଣତାନ୍ତ୍ରିକ ଅନୁଷ୍ଠାନର କାର୍ଯ୍ୟଧାରାରେ ବିଲକ୍ଷଣ ଏବଂ ରାଜନୈତିକ ଜୀବନର ନୀତି, ଆଦର୍ଶ ଓ ମୂଲ୍ୟବୋଧର ଅବକ୍ଷୟ। ଭାରତୀୟ ଗଣତନ୍ତ୍ରର ସର୍ବୋଚ୍ଚ ଅନୁଷ୍ଠାନ ହେଲା ସଂସଦ। ଅଥଚ, ସଂସଦର କାର୍ଯ୍ୟଧାରା ଯାହା ସେଥିରେ ଗଣତନ୍ତ୍ରର ଏ ସର୍ବୋଚ୍ଚ ମଞ୍ଚ ନେଇ ଲୋକଙ୍କ ମନରେ ଆଶା ଅପେକ୍ଷା ନିରାଶା ଅଧିକ। ଭାରତୀୟ ସଂସଦ ଭାରତୀୟ ଜନଗଣଙ୍କ ଆଶା ଓ ଆକାଂକ୍ଷାର ପ୍ରତୀକ ହେବା ଆଶା କରାଯାଏ। କିନ୍ତୁ, ଜନତା ସଂସଦରେ ସେମାନଙ୍କ ଆଶା ଓ ଆକାଂକ୍ଷାର ପ୍ରତିଫଳନ ଦେଖିପାରୁ ନାହାନ୍ତି। ଜନସ୍ୱାର୍ଥ ଓ ଜାତୀୟ ସ୍ୱାର୍ଥ ଜଡ଼ିତ ପ୍ରସଙ୍ଗ ଉପରେ ଅର୍ଥ ପୂର୍ଣ୍ଣ ବିତର୍କ ଅପେକ୍ଷା, ଅଧିକ ସଂସଦୀୟ ସମୟ ଅଯଥା ବାକ୍‌ବିତଣ୍ଡା, ହଟ୍ଟଗୋଳରେ ଅପଚୟ ହେଉଛି। କାର୍ଯ୍ୟନିର୍ବାହୀକୁ ପ୍ରଭାବଶାଳୀ ଢଙ୍ଗରେ ଉତ୍ତରଦାୟୀ କରିବା ବ୍ୟବସ୍ଥାପକ ସଭାର ଦାୟିତ୍ୱ। କିନ୍ତୁ ବ୍ୟବସ୍ଥାପକ ସଭା ତାହା କରିପାରୁ ନାହିଁ। ଯେହେତୁ, ସଂସଦ କାର୍ଯ୍ୟନିର୍ବାହୀ ଉପରେ ଅଙ୍କୁଶ ରଖିପାରୁନାହିଁ, କାର୍ଯ୍ୟନିର୍ବାହୀର ଆଚରଣ ଓ ଚରିତ୍ର ମଧ୍ୟ ଅଧିକ ସମ୍ବେଦନଶୂନ୍ୟ ଓ ଉତ୍ତରଦାୟିତ୍ୱ ଶୂନ୍ୟ ହୋଇପଡୁଛି। କାର୍ଯ୍ୟନିର୍ବାହୀ ଓ ବ୍ୟବସ୍ଥାପକ ସଭାର ଏ ନିଷ୍କ୍ରିିୟତା ଓ ଉଦାସୀନତା ଜନିତ ଶୂନ୍ୟତା ବ୍ୟବସ୍ଥାର ଅନ୍ୟତମ ପ୍ରମୁଖ ଅଙ୍ଗ ନ୍ୟାୟପାଳିକାକୁ ହସ୍ତକ୍ଷେପ ପାଇଁ ସୁଯୋଗ ଦେଉଛି। ଫଳତଃ ଶାସନ ବ୍ୟବସ୍ଥାରେ ସମ୍ବିଧାନ ନିର୍ଦ୍ଧାରିତ ଭାରସାମ୍ୟ ବାଧାପ୍ରାପ୍ତ ହେଉଛି। ଭାରସାମ୍ୟ ନ ରହିଲେ କୌଣସି ବ୍ୟବସ୍ଥା ପ୍ରଭାବଶାଳୀ ହୋଇପାରିବ ନାହିଁ।

ଗଣତନ୍ତ୍ରରେ ନିର୍ବାଚନ ହେଉଛି ପବିତ୍ରତମ କସରତ। ନିର୍ବାଚନ ପ୍ରକ୍ରିୟାର ବିଶ୍ୱସନୀୟତା ଉପରେ ଗଣତନ୍ତ୍ରର ବିଶ୍ୱସନୀୟତା ନିର୍ଭର କରେ। କିନ୍ତୁ ଭାରତରେ ନିର୍ବାଚନ ପ୍ରକ୍ରିୟା ଏତେ ମାତ୍ରାରେ ଭ୍ରଷ୍ଟାଚାର ପ୍ରବଣ ଯେ, ଏହା ପୂରା ଗଣତାନ୍ତ୍ରିକ ବ୍ୟବସ୍ଥାର ବିଶ୍ୱସନୀୟତା ତଥା ପବିତ୍ରତା ଉପରେ ଅନେକ ସମୟରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ପୁଣି ରାଜନୈତିକ ଜୀବନରେ ସଂକୀର୍ଣ୍ଣ ଦଳୀୟ ଓ ବ୍ୟକ୍ତିଗତ ସ୍ୱାର୍ଥ, କ୍ଷମତା ଅଭିଳାଷ ଆଗରେ ମୂଲ୍ୟବୋଧ, ନୀତି ଓ ନୈତିକତା ଗୌଣ ହୋଇ ଯାଇଛି। ନୀତି, ନୈତିକତା, ମୂଲ୍ୟବୋଧ ଗଣତନ୍ତ୍ରର ଆତ୍ମା। ଏହା ବିନା ଏକ ସୁସ୍ଥ ଗଣତନ୍ତ୍ର ତିଷ୍ଠି ରହିପାରିବ ନାହିଁ।

ତେଣୁ ‘ପ୍ୟୁ’ ସର୍ଭେର ତଥ୍ୟ ଭାରତୀୟ ରାଜନୈତିକ ବର୍ଗଙ୍କ ପାଇଁ ଏକ ଚେତାବନୀ ଓ ଆହ୍ଵାନ ମଧ୍ୟ। ଚେତାବନୀ ହେଲା ବ୍ୟବସ୍ଥା ଯେମିତି ଚାଲିଛି, ସେମିତି ଚାଲିଲେ ଲୋକଙ୍କ ଗଣତନ୍ତ୍ର ପ୍ରତି ମୋହଭଙ୍ଗର ପ୍ରକ୍ରିୟା ଅଧିକ ତ୍ୱରାନ୍ଵିତ ହେବ। ଆହ୍ଵାନ ହେଲା, ଗଣତନ୍ତ୍ର ପ୍ରତି ପତଳା ପଡୁଥିବା ଲୋକଙ୍କ ଆସ୍ଥା ଓ ବିଶ୍ୱାସ ଅଧିକ ଦୃଢ଼ୀଭୂତ କରିବା ଲାଗି ଶାସନ ଓ ଗଣତାନ୍ତ୍ରିକ ଅନୁଷ୍ଠାନ ଗୁଡ଼ିକର ଚରିତ୍ରରେ ଉତ୍ତରଦାୟିତ୍ୱ, ସମ୍ବେଦନଶୀଳତା ଓ ଦକ୍ଷତା ସ୍ପଷ୍ଟ ପ୍ରତିଫଳିତ ହେବା ଉଚିତ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.

thirteen − twelve =