ପ୍ରଥମ ସେମିଫାଇନାଲ

0 290

କର୍ଣ୍ଣାଟକର ୨୨୪ ଜଣିଆ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ଗୁରୁବାର ଶେଷ ହୋଇଛି। ଦିନକ ପରେ ମେ’ ୧୨ରେ ରାଜ୍ୟର ପାଖାପାଖି ପାଞ୍ଚ (୪.୯୭) କୋଟି ଭୋଟର ସେମାନଙ୍କ ମତଦାନ ଅଧିକାର ସାବ୍ୟସ୍ତ କରିବେ। ଜାତୀୟ ରାଜନୀତି ଦୃଷ୍ଟିରୁ ଦକ୍ଷିଣ ରାଜ୍ୟର ଏହି ନିର୍ବାଚନ ବିଶେଷ ଗୁରୁତ୍ୱ ବହନ କରେ। ଊଣେଇଶ ସାଧାରଣ ନିର୍ବାଚନ ପୂର୍ବରୁ କର୍ଣ୍ଣାଟକ ଭୋଟ ଲଢ଼େଇକୁ ପ୍ରଥମ ସେମିଫାଇନାଲ କୁହାଯାଇପାରେ। ଆଉ ମାତ୍ର କିଛି ମାସ ପରେ ତିନିଟି ବିଜେପି ଶାସିତ ରାଜ୍ୟ- ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ଼ରେ ହେବାକୁ ଥିବା ବିଧାନସଭା ନିର୍ବାଚନ ହେବ ଦ୍ୱିତୀୟ ସେମିଫାଇନାଲ। କର୍ଣ୍ଣାଟକ ଭୋଟ ଫଳାଫଳର ପ୍ରଭାବ କେବଳ ରାଜ୍ୟରେ ସୀମିତ ରହିବ ନାହିଁ, ଜାତୀୟ ରାଜନୀତିକୁ ମଧ୍ୟ ଏହା ବିଶେଷ ଭାବେ ପ୍ରଭାବିତ କରିବ। ବିଶେଷକରି, ଊଣେଇଶ ସାଧାରଣ ନିର୍ବାଚନ ନେଇ ରାଜନୈତିକ ପାଣିପାଗର ସୂଚନା ଦେବ। ମୋଟ ଉପରେ କର୍ଣ୍ଣାଟକ ଜନାଦେଶ ଏକା କେବଳ ପରବର୍ତ୍ତୀ ପାଞ୍ଚବର୍ଷ ପାଇଁ ରାଜ୍ୟରେ କେଉଁ ଦଳ ଶାସନରେ ରହିବ, ତାହା ନିର୍ଦ୍ଧାରଣ କରିବ ନାହିଁ, ଦିଲ୍ଲୀ ଦୌଡ଼ରେ କେଉଁ ପକ୍ଷର କେତେ ସମ୍ଭାବନା ତାହା ମଧ୍ୟ କିଛି ମାତ୍ରାରେ ନିର୍ଣ୍ଣୟ କରିବ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଲା, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱର ଚମକ ତଥା ଆବେଦନ ଊଣେଇଶ ମୁକାବିଲା ଅବ୍ୟବହିତ ପୂର୍ବରୁ ଚଉଦ ତୁଳନାରେ ଆଜିର ଦିନରେ କେତେ, ତା’ର ସଂକେତ ଦେବ। କଂଗ୍ରେସର ନୂତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ପାଇଁ ମଧ୍ୟ ଏହା ଏକ ଅଗ୍ନି ପରୀକ୍ଷା। ଉଭୟଙ୍କ ପାଇଁ ଏହା ବ୍ୟକ୍ତିଗତ ପ୍ରତିଷ୍ଠା ଓ ମର୍ଯ୍ୟାଦାର ପ୍ରଶ୍ନ। ବିଜେପି ଦୃଷ୍ଟିରୁ ବିଚାର କଲେ କର୍ଣ୍ଣାଟକରେ ବିଜୟ ହିନ୍ଦୁତ୍ୱ ଦଳର ପୁନର୍ବାର ଦିଲ୍ଲୀ ଦଖଲ ସମ୍ଭାବନାକୁ ଉଜ୍ଜ୍ୱଳ କରିବ, ଅନ୍ୟପକ୍ଷରେ ପରାଜୟ ଦଳର ଊଣେଇଶ ସମ୍ଭାବନାକୁ ଗୁରୁତର ଭାବେ ପ୍ରଭାବିତ କରିବ। କଂଗ୍ରେସ ପାଇଁ କର୍ଣ୍ଣାଟକ ଏକ ପ୍ରକାର ‘କର ବା ମର’ ସ୍ଥିତି। ଦଳ ରାଜ୍ୟରେ ଯଦି ପୁନର୍ବାର କ୍ଷମତାକୁ ଫେରେ ତେବେ ତାହା ସର୍ବପୁରାତନ ଦଳ କଂଗ୍ରେସ ପାଇଁ ମୃତ୍ୟୁ ସଞ୍ଜୀବନୀ ସଦୃଶ ହେବ। ଅନ୍ୟଥା, ଅବକ୍ଷୟମୁଖୀ ଦଳ ଯେ ପୁନରୁଦ୍ଧାର ରାସ୍ତାଠାରୁ ଏବେ ବି ବହୁ ଦୂରରେ, ତାହା ପ୍ରମାଣିତ ହେବ। କର୍ଣ୍ଣାଟକ ରାଜନୀତିରେ ତୃତୀୟ ଶକ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍‌.ଡି.ଦେବାଗୌଡ଼ଙ୍କ ଜେଡି(ଏସ୍‌)ର ଖାଲିି ପ୍ରାସଙ୍ଗିକତା ନୁହେଁ, ଅସ୍ତିତ୍ୱ ମଧ୍ୟ ନିର୍ବାଚନରେ ଦାଓରେ ଲାଗିଛି।

ତେବେ ବିଡ଼ମ୍ବନା ହେଲା, ଏତେ ଗୁରୁତ୍ୱପୂର୍ଣ୍ଣ, ସୁଦୂରପ୍ରସାରୀ ପ୍ରଭାବ ରଖୁଥିବା ନିର୍ବାଚନରେ ବହୁତ କିଛି ବାଜିରେ ଲାଗିଛି। ଅଥଚ ପନ୍ଦର ତାରିଖ ଅପରାହ୍‌ଣ ବେଳକୁ ଭୋଟଗଣତି ପରେ ଯେଉଁ ଜନାଦେଶ ଆସିବ, ତା’ର ଚିତ୍ର ଓ ଚରିତ୍ର କ’ଣ ହେବ, ସେ ନେଇ କେହି ନିଶ୍ଚିତ ନୁହନ୍ତି। ପ୍ରତିଦ୍ୱନ୍ଦ୍ୱୀ ଦଳ, ରାଜନୈତିକ ପଣ୍ଡିତ ସମସ୍ତେ ଖାଲି ଅନ୍ଧାରରେ ବାଡ଼ି ବୁଲାଉଛନ୍ତି। ଏହା ହିଁ ଗଣତନ୍ତ୍ରର ଯାଦୁ ଓ ସୌନ୍ଦର୍ଯ୍ୟ। ଭୋଟର ହିଁ ଭଗବାନ, ଶେଷ ପର୍ଯ୍ୟନ୍ତ କାହା ମୁଣ୍ଡରେ କଳସ ଢାଳିବେ, ତାହା ଅନିଶ୍ଚିତ। ଏ ଅନିଶ୍ଚିତତାର ଏକ ମୁଖ୍ୟ କାରଣ ହେଲା କର୍ଣ୍ଣାଟକ ବିଧାନସଭା ନିର୍ବାଚନର ଇତିହାସ। ଗତ ତିନି ଦଶକରେ ରାଜ୍ୟର ଭୋଟରମାନେ କୌଣସି କ୍ଷମତାସୀନ ଦଳକୁ ଲଗାତାର ଦ୍ୱିତୀୟ ଥର ପାଇଁ ଶାସନ ଡୋରି ଦେଇ ନାହାନ୍ତି। ଅନ୍ୟପକ୍ଷରେ ଦିଲ୍ଲୀରେ କ୍ଷମତାରେ ଥିବା ଦଳ ସପକ୍ଷରେ କର୍ଣ୍ଣାଟକର ଭୋଟର ଅନୁକୂଳ ମତ ପୋଷଣ କରିବା ଅତ୍ୟନ୍ତ ବିରଳ। ସଂଯୋଗକୁ ଏଥର ମୁକାବିଲାର ଦୁଇ ପ୍ରମୁଖ ପ୍ରତିଦ୍ୱନ୍ଦ୍ୱୀଙ୍କ ମଧ୍ୟରୁ କଂଗ୍ରେସ ଗତ ପାଞ୍ଚବର୍ଷ ହେଲା ରାଜ୍ୟରେ ଶାସନରେ ଅଛି। ଅନ୍ୟପକ୍ଷରେ ଅନ୍ୟତମ ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ବିଜେପି ଗତ ଚାରିବର୍ଷ ହେଲା ଦିଲ୍ଲୀରେ ସରକାର କରିଛି।

୧୯୮୯ରେ ଜନତା ଦଳକୁ ହଟାଇ କଂଗ୍ରେସ ରାଜ୍ୟରେ କ୍ଷମତାକୁ ଆସିଥିଲା। ପାଞ୍ଚବର୍ଷ ପରେ ପୁଣି ଜନତା ଦଳ ଫେରିଥିଲା। ପାଞ୍ଚବର୍ଷ ବ୍ୟବଧାନ ପରେ ୧୯୯୯ରେ କଂଗ୍ରେସ ପୁଣି ଶାସନକୁ ଆସିଥିଲା। ୨୦୦୪ରେ କଂଗ୍ରେସ ବିରୋଧରେ ଜନାଦେଶ ଯାଇଥିଲେ ସୁଦ୍ଧା କୌଣସି ଦଳକୁ ପୂର୍ଣ୍ଣ ବହୁମତ ମିଳି ନଥିଲା। ମେଣ୍ଟ ସରକାର ଚାରିବର୍ଷ ରହିବା ପରେ ୨୦୦୮ରେ ପ୍ରଥମ ଥର ପାଇଁ ବିଜେପି କ୍ଷମତାକୁ ଆସିଥିଲା ଏବଂ କଂଗ୍ରେସ-ଜନତା ପାଞ୍ଚବର୍ଷୀୟା ପାଳି ଅଦଳବଦଳ ଧାରା ଭାଙ୍ଗିଥିଲା। ୨୦୧୩ରେ ବିଜେପିକୁ ହରାଇ କଂଗ୍ରେସ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ସହ ସରକାର ଗଢ଼ିଥିଲା। ଏହି ଧାରାରେ ଏଥର ସରକାରରେ ବିଜେପିର ପାଳି। କିନ୍ତୁ କେନ୍ଦ୍ରରେ ବିଜେପି ଶାସନରେ ଥିବାରୁ ଏହି ଧାରା ଜାରି ରହିବା ଅନିଶ୍ଚିତ। କାରଣ ଦିଲ୍ଲୀରେ ସରକାରରେ ଥିବା ଦଳ ପ୍ରତି କର୍ଣ୍ଣାଟକ ଭୋଟରଙ୍କ ବିମୁଖତା ମଧ୍ୟ ଆଉ ଏକ ଧାରା। ୧୯୮୪ର ଐତିହାସିକ ବିଜୟ ସହ ରାଜୀବ ଗାନ୍ଧୀଙ୍କ ନେତୃତ୍ୱରେ କଂଗ୍ରେସ କେନ୍ଦ୍ରରେ ସରକାର କରିଥିଲା। କିନ୍ତୁ ବର୍ଷକ ପରେ ୧୯୮୫ କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ କଂଗ୍ରେସକୁ ଭୋଟର ପ୍ରତ୍ୟାଖ୍ୟାନ କରିଥିଲେ। ୧୯୯୯ରେ ବିଜେପି ନେତୃତ୍ୱାଧୀନ ଏନ୍‌ଡିଏ ଦିଲ୍ଲୀରେ ଶାସନକୁ ଆସିଥିଲା, କିନ୍ତୁ କର୍ଣ୍ଣାଟକରେ ବିଜେପିକୁ ଭୋଟ ମିଳି ନଥିଲା। ୨୦୦୮ରେ ଦିଲ୍ଲୀରେ କଂଗ୍ରେସ ଶାସନ ଥିଲା, ଅଥଚ କର୍ଣ୍ଣାଟକରେ ଦଳକୁ ପରାଜୟର ମୁହଁ ଦେଖିବାକୁ ପଡ଼ିଥିଲା। ଅବଶ୍ୟ, ୨୦୧୩ ବେଳକୁ ଦିଲ୍ଲୀରୁ କଂଗ୍ରେସର ବିଦାୟ ଏକ ପ୍ରକାର ସ୍ପଷ୍ଟ ହୋଇ ସାରିଥିଲେ ସୁଦ୍ଧା, କର୍ଣ୍ଣାଟକ ଭୋଟର କଂଗ୍ରେସ ସହ ରହିଥିଲେ।

ଉପରୋକ୍ତ ଦୁଇଟି ଧାରା- ବିଧାନସଭାର ପାଞ୍ଚବର୍ଷୀୟା ପାଳି ଅଦଳବଦଳ ଏବଂ କେନ୍ଦ୍ରରେ କ୍ଷମତାସୀନ ଦଳ ପ୍ରତି ବିମୁଖତା ମଧ୍ୟରୁ ଗୋଟିଏ ଏଥର ଭାଙ୍ଗିବା ପ୍ରାୟ ନିଶ୍ଚିତ। କିନ୍ତୁ କେଉଁ ଧାରା ଭାଙ୍ଗିବ? ତା’ର ହିତାଧିକାରୀ କିଏ ହେବ? ନା ଏକ ତ୍ରିଶଙ୍କୁ ବିଧାନସଭାରେ ତୃତୀୟ ଶକ୍ତି ଦେବାଗୌଡ଼ଙ୍କ ଜେଡି (ଏସ୍‌) ‘କିଙ୍ଗ୍‌ ମେକର’ ଭାବେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବ? ଏ ସବୁ ପ୍ରଶ୍ନର ଉତ୍ତର ଅତ୍ୟନ୍ତ ଜଟିଳ। ଏଥିପାଇଁ ପନ୍ଦର ତାରିଖ ଅପରାହ୍‌ଣରେ ଭୋଟଗଣତି ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ। ତେବେ ପ୍ରଶ୍ନ ଗୁଡ଼ିକର ଉତ୍ତର ଯାହା ବି ମିଳୁ, ବିଗତ ପ୍ରାୟ ଦୁଇ ମାସର ନିର୍ବାଚନ ପ୍ରଚାର ଅଭିଯାନ କାଳରେ ଭାରତୀୟ ନିର୍ବାଚନୀ ରାଜନୀତିର ଦୁଇଟି ଦିଗ- ଗୋଟିଏ ସକାରାତ୍ମକ, ଅନ୍ୟଟି ନକରାତ୍ମକ ସାମନାକୁ ଆସିଛି। ସକାରାତ୍ମକ ଦିଗଟି ହେଲା, ବିଧାନସଭା ନିର୍ବାଚନରେ ଜାତୀୟ ପ୍ରସଙ୍ଗ ଅପେକ୍ଷା ରାଜ୍ୟ ତଥା ଆଞ୍ଚଳିକ ପ୍ରସଙ୍ଗର ଗୁରୁତ୍ୱ ଅଧିକ। ଏକ ସଂଘୀୟ ବ୍ୟବସ୍ଥା ପାଇଁ ଏହା ନିଶ୍ଚିତ ଭାବେ ଗୋଟିଏ ଭଲ ଲକ୍ଷଣ। ଯଦିଓ ଜାତୀୟ ସ୍ତରର ନେତାମାନେ ତାରକା ପ୍ରଚାରକ ଏବଂ ପ୍ରଚାର ଅଭିଯାନର ମଙ୍ଗ ମଧ୍ୟ ସେମାନଙ୍କ ହାତରେ, ତଥାପି କର୍ଣ୍ଣାଟକରେ ମୁଖ୍ୟତଃ ରାଜ୍ୟ ଭିତ୍ତିକ ପ୍ରସଙ୍ଗ ଗୁଡ଼ିକ ଉପରେ ଭୋଟ ଲଢ଼େଇ ହେଉଛି। ଲିଙ୍ଗାୟତଙ୍କୁ ସଂଖ୍ୟାଲଘୁ ସଂପ୍ରଦାୟର ମାନ୍ୟତା ପ୍ରଦାନ ଠାରୁ ଆରମ୍ଭ କରି ରାଜ୍ୟର ଅପେକ୍ଷାକୃତ ଅନୁନ୍ନତ, ଅନଗ୍ରସର ଉତ୍ତରାଞ୍ଚଳର ବିକାଶ ମୁଖ୍ୟ ପ୍ରସଙ୍ଗ ଭାବେ ଉଭା ହୋଇଛି। ପୂର୍ବବର୍ତ୍ତୀ ବିଜେପି ସରକାର ଏବଂ ବର୍ତ୍ତମାନ କ୍ଷମତାରେ ଥିବା କଂଗ୍ରେସ ସରକାରଙ୍କ ବିଭିନ୍ନ ଉନ୍ନୟନ ତଥା କଲ୍ୟାଣମୂଳକ ଯୋଜନା ଓ କାର୍ଯ୍ୟକ୍ରମ ଉପରେ ଭୋଟରଙ୍କୁ ପ୍ରଭାବିତ କରିବା ଲାଗି ଚେଷ୍ଟା କରାଯାଉଛି। ଯଦିଓ, ଧର୍ମ, ଜାତି ଓ ଅନ୍ୟାନ୍ୟ ବିଭାଜନକାରୀ ପ୍ରସଙ୍ଗକୁ ଉଠାଯାଉଛି, ତଥାପି ମୋଟାମୋଟି ସରକାରଙ୍କ ପ୍ରଦର୍ଶନ, ରାଜ୍ୟର ବିକାଶ , ଗରିବ କଲ୍ୟାଣ, ପ୍ରତିଦ୍ୱନ୍ଦ୍ୱୀ ଦଳଙ୍କ ନୀତି, ପ୍ରତିଶ୍ରୁତି ମୁଖ୍ୟତଃ ନିର୍ବାଚନ ମୁକାବିଲାର କେନ୍ଦ୍ରରେ ରହୁଛି। ଅବଶ୍ୟ, ଏହାର ଅର୍ଥ ନୁହେଁ ଯେ, ଅନ୍ୟ ଆଉ କୌଣସି ପ୍ରକାର ମାଧ୍ୟମରେ ଭୋଟରଙ୍କୁ ପ୍ରଭାବିତ କରାଯିବା ଲାଗି ଚେଷ୍ଟା କରାଯାଉ ନାହିଁ। ଗତାନୁଗତିକ ଭାବେ ଟଙ୍କା, ନିଶା ଓ ଅନ୍ୟ ଅସାଧୁ ଉପାୟରେ ଭୋଟରଙ୍କୁ ପ୍ରଭାବିତ କରିବା ଲାଗି ସବୁ ପ୍ରତିଦ୍ୱନ୍ଦ୍ୱୀ ଦଳ ପରସ୍ପର ସହ ତୀବ୍ର ପ୍ରତିଯୋଗିତା ଚଳାଇଛନ୍ତି। ଏହା ଭାରତୀୟ ନିର୍ବାଚନର ଏକ ବିଲକ୍ଷଣ।

ଏହା ବ୍ୟତୀତ କର୍ଣ୍ଣାଟକ ନିର୍ବାଚନ ପ୍ରଚାର ଅବସରରେ ସାମନାକୁ ଆସିଥିବା ସବୁଠାରୁ ନକରାତ୍ମକ ତଥା ଅସ୍ୱସ୍ତିକର ଦିଗଟି ହେଲା, ଭାରତୀୟ ରାଜନୀତିରେ ଗଣତାନ୍ତ୍ରିକ ମୂଲ୍ୟବୋଧର ଅବକ୍ଷୟ। ନିର୍ବାଚନୀ ରାଜନୀତିରେ ଅଯଥା ଆକ୍ରମଣଖୋର, ଅଶାଳୀନ ରୂପ କ୍ରମଶଃ ଅଧିକ ଉଗ୍ର ହେଉଥିବାର ଅଶୁଭ ସଂକେତ ମିଳିଛି। ଯୁଦ୍ଧରେ ଯେମିତି ସବୁକିଛି ବୈଧ, ନିର୍ବାଚନ ଜିଣିବା ପାଇଁ ବି ସେମିତି କିଛି ବି କୁହାଯାଇପାରେ, କିଛି ବି କରଣୀୟ। ଗୁଜୁରାଟ ବିଧାନସଭା ନିର୍ବାଚନ ସମୟରେ ନେତାଙ୍କ ବୟାନବାଜିରେ ଯେଉଁ ଆକ୍ରମଣାତ୍ମକ ରୂପ ଦେଖିବାକୁ ମିଳିଥିଲା, କର୍ଣ୍ଣାଟକରେ ତାହା ଆହୁରି ଅଧିକ ଉଗ୍ର ରୂପ ଧାରଣ କରିଛି। ନେତାଙ୍କ ମଧ୍ୟରେ ପରସ୍ପର ଆକ୍ଷେପ-ପ୍ରତିଆକ୍ଷେପ ଅନେକ ସମୟରେ ଖାଲି ଦାୟିତ୍ୱହୀନତା ନୁହେଁ, ସର୍ବନିମ୍ନ ଶାଳୀନତାର ସୀମା ସରହଦ ମଧ୍ୟ ଡେଇଁ ଯାଇଛି। ପ୍ରତିପକ୍ଷ ବିରୋଧରେ ନେତାମାନେ ବ୍ୟକ୍ତିଗତ ସ୍ତରକୁ ଖସି ଆସିଛନ୍ତି। ଅତ୍ୟନ୍ତ ଦୁର୍ଭାଗ୍ୟର ବିଷୟ ହେଲା, ଏହି ଅସ୍ୱସ୍ତିକର ଧାରାରେ ଦେଶର ମାନ୍ୟବର ପ୍ରଧାନମନ୍ତ୍ରୀ ମହୋଦୟ ନେତୃତ୍ୱ ନେଇଛନ୍ତି। ସମ୍ମାନନୀୟ ରାଜନେତାମାନେ ମନେ ରଖିବା ଉଚିତ ଯେ ନିର୍ବାଚନ ଯୁଦ୍ଧ ନୁହେଁ। ନିର୍ବାଚନ ଓ ରାଜନୀତିରେ କିଛି ନିର୍ଦ୍ଦିଷ୍ଟ ସୀମା ଓ ସରହଦ ରହିଛି। ସେହି ସୀମା ଭିତରେ ନ ରହିଲେ ଭୋଟ ଯିଏ ବି ଜିଣୁ, ଗଣତନ୍ତ୍ରର ପରାଜୟ ସୁନିଶ୍ଚିତ। ଭାରତୀୟ ରାଜନୀତିର ଗଣତାନ୍ତ୍ରିକ ମୂଲ୍ୟବୋଧ, ନୀତି, ନୈତିକତାର ଅବକ୍ଷୟର ଅଶୁଭ ସଂକେତ ଦେଉଥିବା ଆକ୍ରମଣଖୋର, ଅଶାଳୀନ ବୟାନବାଜି ଦ୍ୱାରା ଆକ୍ରାନ୍ତ କର୍ଣ୍ଣାଟକ ମଇଦାନରେ ଲଢ଼ା ଯାଉଥିବା ପ୍ରଥମ ସେମିଫାଇନାଲର ଫଳ ଯାହା ବି ହେଉ, ପରବର୍ତ୍ତୀ ଦ୍ୱିତୀୟ ସେମି ଓ ଊଣେଇଶ ଫାଇନାଲରେ ଅନ୍ତତଃ ଏହାର ପୁନରାବୃତ୍ତି ନହେଉ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.