ଦୁଇ ମେଣ୍ଟ ପାଇଁ ପରୀକ୍ଷା

0 199

ଗତ ବଜେଟ୍‌ ଅଧିବେଶନରେ ମୋଦୀ ସରକାର ବିରୋଧରେ ଅନାସ୍ଥା ପ୍ରସ୍ତାବ ନୋଟିସ୍‌ ଉପରେ ଟାଳଟୁଳ ପରେ ଲୋକସଭା ବାଚସ୍ପତି ସୁମିତ୍ରା ମହାଜନ ମୌସୁମୀ ଅଧିବେଶନର ପ୍ରଥମ ଦିନ ହିଁ ଅନାସ୍ଥା ପ୍ରସ୍ତାବକୁ ଗ୍ରହଣ କରି ନେଇଛନ୍ତି। ଶୁକ୍ରବାର ଲୋକସଭାରେ ଦୀର୍ଘ ବାର ଘଣ୍ଟାର ବିତର୍କ ପରେ ଅନାସ୍ଥା ପ୍ରସ୍ତାବ ଉପରେ ଭୋଟଗ୍ରହଣ ପାଇଁ ସୂଚୀ ଧାର୍ଯ୍ୟ ହୋଇଛି। ଫଳରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ଏନ୍‌ଡିଏ ସରକାର ପ୍ରଥମ ଅନାସ୍ଥା ପ୍ରସ୍ତାବର ସମ୍ମୁଖୀନ ହୋଇଛି।

ଗୋଟିଏ ସଂସଦୀୟ ଗଣତନ୍ତ୍ରରେ ଯେ କୌଣସି ସମୟରେ ଅନାସ୍ଥା ପ୍ରସ୍ତାବ କ୍ଷମତାସୀନ ସରକାର ପାଇଁ ଏକ ପରୀକ୍ଷା। ସେ ଦୃଷ୍ଟିରୁ ଚଳିତ ସରକାରଙ୍କ କାର୍ଯ୍ୟକାଳକୁ ଆଉ ମାତ୍ର ଆଠ ମାସ ବାକି ଥିବା ବେଳେ ମିଳିତ ବିରୋଧୀ ପ୍ରାୟୋଜିତ ଅନାସ୍ଥା ପ୍ରସ୍ତାବ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପାଇଁ ଏକ ପରୀକ୍ଷା। ତେବେ ଏ ପରୀକ୍ଷାର ଫଳ କ’ଣ ହେବ, ତାହା ଅଜଣା ନୁହେଁ। କେବଳ ସରକାର ନୁହନ୍ତି, ବିରୋଧୀ ମଧ୍ୟ ନିଶ୍ଚିତ ଯେ, ଅନାସ୍ଥା ପ୍ରସ୍ତାବ କାଟ ଖାଇଯିବ। ସଂଖ୍ୟା ଦୃଷ୍ଟିରୁ ଅନାସ୍ଥା ପ୍ରସ୍ତାବ ଯୋଗୁ ସରକାରଙ୍କ ପ୍ରତିି ବିପଦର କୌଣସି ଆଶଙ୍କା ନାହିଁ। ୫୪୫ ଜଣ ସଦସ୍ୟ ବିଶିଷ୍ଟ ଲୋକସଭାରେ ବର୍ତ୍ତମାନ ସାଂସଦଙ୍କ ସଂଖ୍ୟା ୫୩୫। ଅର୍ଥାତ୍‌ ଅନାସ୍ଥା ପ୍ରସ୍ତାବରୁ ବର୍ତ୍ତିବା ଲାଗି ସରକାରଙ୍କୁ ମାତ୍ର ୨୬୮ ସାଂସଦଙ୍କ ସମର୍ଥନ ଆବଶ୍ୟକ। ଅଥଚ, କ୍ଷମତାସୀନ ମେଣ୍ଟର ପ୍ରମୁଖ ଦଳ ବିଜେପିର ଏକାକୀ ସଭ୍ୟ ସଂଖ୍ୟା ୨୭୩ (ଦୁଇ ମନୋନୀତ ସଭ୍ୟଙ୍କ ସମେତ)। କେବଳ ଏକାକୀ ନିଜର ସଂଖ୍ୟା ବଳରେ ଅନାସ୍ଥା ପ୍ରସ୍ତାବକୁ କାଟ ଖୁଆଇବାର ସାମର୍ଥ୍ୟ ରଖୁଥିବା ବିଜେପି ସହ ଏନ୍‌ଡିଏ ସହଯୋଗୀ ଦଳଙ୍କ ଆହୁରି ୪୨ ସାଂସଦଙ୍କ ସରକାରଙ୍କ ପ୍ରତି ସମର୍ଥନ ରହିଛି। ସଂସଦୀୟ ବ୍ୟାପାର ମନ୍ତ୍ରୀ ଦାବି କରି ସାରିଛନ୍ତି ଯେ, ଅନାସ୍ଥା ପ୍ରସ୍ତାବ ବିରୋଧରେ ୩୧୫ ସାଂସଦ ସରକାରଙ୍କ ପଛରେ ଛିଡ଼ା ହେବେ। ଅନ୍ୟପକ୍ଷରେ, ବିରୋଧୀ ସାଂସଦଙ୍କ ସଂଖ୍ୟା ୨୨୨ ଟପୁ ନାହିଁ। ସେଥିରୁ ଆନ୍ନାଡିଏମ୍‌କେ, ତେଲେଙ୍ଗାନା ରାଷ୍ଟ୍ର ସମିତି (ଟିଆର୍‌ଏସ୍‌), ବିଜେଡି ଭଳିି କେତେକ ଦଳ ଅନାସ୍ଥା ପ୍ରସ୍ତାବ ଉପରେ ଭୋଟ ଗ୍ରହଣ ବେଳେ ଅନୁପସ୍ଥିତ ରହିବା ସମ୍ଭାବନା ଅଧିକ।

ସଂଖ୍ୟା ଦୃଷ୍ଟିରୁ ମୋଦୀ ସରକାର ବିରୋଧରେ ପ୍ରଥମ ଅନାସ୍ଥା ପ୍ରସ୍ତାବର ଭାଗ୍ୟ କ’ଣ ହେବ ସେ ନେଇ ଲେଶମାତ୍ର ସନ୍ଦେହ ନାହିଁ। ତଥାପି କ୍ଷମତାସୀନ ସରକାରଙ୍କ ଗତ ଚାରିବର୍ଷର କାର୍ଯ୍ୟର ସମୀକ୍ଷା ପାଇଁ ଏହା ଏକ ଅବସର। ଗୋଟିଏ ପକ୍ଷରେ ବିରୋଧୀ ଦଳ ଶାସନର ବିଫଳତା ଉପରେ ଆଲୋକପାତ କରି ସରକାରଙ୍କୁ ଘେରିବାକୁ ଚେଷ୍ଟା କରିବେ। ଅନ୍ୟପକ୍ଷରେ, ସରକାର ନିଜର ଉପଲବ୍‌ଧି, ସଫଳତା ଉପସ୍ଥାପନ କରିବାର ସୁଯୋଗ ପାଇବେ। ଅସହିଷ୍ଣୁତାଠାରୁ ଆରମ୍ଭ କରି ଗୋ-ସୁରକ୍ଷା ଆଳରେ ହିଂସା, ମହିଳା ବିରୋଧୀ ଅପରାଧ, ରାଜନୈତିକ ପ୍ରତିଦ୍ୱନ୍ଦ୍ୱୀଙ୍କ ବିରୋଧରେ ଆକ୍ରୋଶ, କେନ୍ଦ୍ର- ରାଜ୍ୟ ସମ୍ପର୍କ ଆଦି ବିଷୟ ବିତର୍କର ପରିସରକୁ ଆସିବ। କୃଷି ଓ କୃଷକଙ୍କ ସମସ୍ୟା, ଜାତୀୟ ନିରାପତ୍ତା, ବିକାଶ, ବେକାରି ଆଦି ଯେଉଁ ସବୁ ପ୍ରସଙ୍ଗ ସଂସଦରେ ଆଲୋଚନାକୁ ଆସି ପାରୁନଥିଲା, ଦେଶର ବୃହତ୍ତର ସ୍ୱାର୍ଥ ଜଡ଼ିତ ସେ ସବୁ ପ୍ରସଙ୍ଗ ଉପରେ ଆଲୋଚନା ହେବା ଆଶା କରାଯାଏ। ତେଣୁ ଭୋଟ ଅପେକ୍ଷା ଅନାସ୍ଥା ପ୍ରସ୍ତାବ ଉପରେ ବିତର୍କ ଅଧିକ ଗୁରୁତ୍ୱପୂର୍ଣ୍ଣ। ତେବେ ଅନାସ୍ଥା ପ୍ରସ୍ତାବ ଉପରେ ଭୋଟର କୌଣସି ଅପ୍ରତ୍ୟାଶିତ ଫଳର ସମ୍ଭାବନା ନଥିଲେ ସୁଦ୍ଧା, ଉଣେଇଶ ଲଢ଼େଇ ପାଖେଇ ଆସୁଥିବା ପରିପ୍ରେକ୍ଷୀରେ ରାଜନୈତିକ ଦୃଷ୍ଟିରୁ ଏ ସଂସଦୀୟ କସରତ ବେଶ୍‌ ଗୁରୁତ୍ୱ ବହନ କରେ। ମୋଦୀ ସରକାରଙ୍କ ପାଇଁ ଏହା ଏକ ପରୀକ୍ଷା ପଦବାଚ୍ୟ ହୋଇ ନପାରେ। କିନ୍ତୁ ଆଠ ମାସ ପରେ ମୁହାଁମୁହିଁ ହେବାକୁ ଯାଉଥିବା ଜାତୀୟ ରାଜନୀତିର ଦୁଇ ପରସ୍ପର ବିରୋଧୀ ମେଣ୍ଟ ପାଇଁ ଏହା ନିଶ୍ଚୟ ଏକ ପରୀକ୍ଷା। ଚଉଦରେ ଏନ୍‌ଡିଏ ମେଣ୍ଟରେ ଅଂଶୀଦାରଙ୍କ ମଧ୍ୟରେ ଯେଉଁ ଏକତା, ଭ୍ରାତୃତ୍ୱ ଭାବ, ସହଯୋଗ ଓ ସମନ୍ଵୟର ଚିତ୍ର ଥିଲା, ଅଠର ବେଳକୁ ତାହା ବଦଳି ଯାଇଛି। ମେଣ୍ଟ ଅଂଶୀଦାର ଓ ପ୍ରମୁଖ ଦଳ ବିଜେପି ମଧ୍ୟରେ ସମ୍ପର୍କରେ ପୂର୍ବ ଉଷ୍ମତା ଆଉ ନାହିଁ। ପ୍ରମୁଖ ଦଳ ବିଜେପିର ବଡ଼ ଭାଇ ପଣିଆ ନେଇ ଅନେକ ସହଯୋଗୀ କ୍ଷୁବ୍‌ଧ।

ଚଉଦର ଅନ୍ୟତମ ସହଯୋଗୀ ତେଲୁଗୁଦେଶମ୍‌ ମେଣ୍ଟରୁ ବାହାରି ଯାଇ ଏବେ ଏନ୍‌ଡିଏ ବିରୋଧରେ ଅନାସ୍ଥା ପ୍ରସ୍ତାବର ମୁଖ୍ୟ ସୂତ୍ରଧର। ଶିବସେନା ଏନ୍‌ଡିଏରେ ଥିଲେ ବି ନଥିଲା ଭଳି। ଶିବସେନା ଭଳି ଅନ୍ୟ ସହଯୋଗୀ ଦଳମାନେ ଖୋଲା ବିଦ୍ରୋହ ଘୋଷଣା କରିନଥିଲେ ସୁଦ୍ଧା ଅକାଳୀ ଦଳ ହେଉ ଅବା ନୀତୀଶ କୁମାରଙ୍କ ଜେଡି (ୟୁ) କିମ୍ବା ରାମବିଳାସ ପାଶ୍ୱାନ୍‌ଙ୍କ ଲୋକଶକ୍ତି ପାର୍ଟି ବିଭିନ୍ନ ସମୟରେ ନିଜର ଅସନ୍ତୋଷ ଜାହିର କରିବାର ସୁଯୋଗ ହାତଛଡ଼ା କରୁନାହାନ୍ତି। ତେଣୁ ସଂଖ୍ୟା ଦୃଷ୍ଟିରୁ ଏହି ସହଯୋଗୀଙ୍କ ସମର୍ଥନ ନେଇ ବିଜେପିର ତୁଙ୍ଗ ନେତୃତ୍ୱ ନିଶ୍ଚିତ ଥିଲେ ମଧ୍ୟ ବିତର୍କ ବେଳେ ସହଯୋଗୀଙ୍କ ସରକାର ଅନୁକୂଳ ଆଭିମୁଖ୍ୟ ନେଇ ନିଶ୍ଚିତ ନୁହନ୍ତି। ବିତର୍କ ଅବସରରେ ସହଯୋଗୀ ଦଳମାନେ ଯଦି ସରକାରଙ୍କ ନୀତି, କାର୍ଯ୍ୟକ୍ରମ ବିରୋଧରେ ନକାରାତ୍ମକ ଆଭିମୁଖ୍ୟ ଗ୍ରହଣ କରି ଏହାର ସମାଲୋଚନା କରନ୍ତି, ତେବେ ନିଶ୍ଚିତ ଭାବେ ତାହା ବିଜେପି ନେତୃତ୍ୱ, ବିଶେଷ କରି ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱକୁ ନୈତିକତା ଦୃଷ୍ଟିରୁ ଅଡୁଆରେ ପକାଇବ। ସହଯୋଗୀଙ୍କ ସମର୍ଥନ ନେଇ ସନ୍ଦେହର ଅବକାଶ ନଥିଲେ ସୁଦ୍ଧା ଅସନ୍ତୋଷ ଜଣାଇବା ଲାଗି କିଛି ସହଯୋଗୀ ଦଳ ସରକାରଙ୍କ ବିରୋଧରେ ଭୋଟ ଦେବା କିମ୍ବା ଭୋଟ ବେଳେ ଅନୁପସ୍ଥିତ ରହିବା ଆଶଙ୍କାକୁ ସମ୍ପୂର୍ଣ୍ଣ ଭାବେ ଏଡ଼ାଯାଇ ପାରିନାହିଁ। ତେବେ ସହଯୋଗୀଙ୍କ ଏ ପ୍ରକାର ବିରୋଧାତ୍ମକ ଭୋଟ କିମ୍ବା, ଭୋଟ ବେଳେ ଅନୁପସ୍ଥିତି ସରକାରଙ୍କ ଭାଗ୍ୟ ଓ ଭବିଷ୍ୟତକୁ ପ୍ରଭାବିତ କରିବାର ସମ୍ଭାବନା ନାହିଁ। ତଥାପି, ଶାସକ ମେଣ୍ଟରେ ଫାଟର ଏହା ଯେଉଁ ସଂକେତ ଦେବ, ତାହା ଉଣେଇଶ ଲଢ଼େଇରେ ଏନ୍‌ଡିଏର ସମ୍ଭାବନାକୁ ପ୍ରଭାବିତ କରିପାରେ।

ଅନ୍ୟପକ୍ଷରେ ଅନାସ୍ଥା ପ୍ରସ୍ତାବ ଶାସକ ମେଣ୍ଟ ପାଇଁ ଯେତେ କଡ଼ା ଏକ ପରୀକ୍ଷା ନୁହେଁ, ବିରୋଧୀ ମେଣ୍ଟ ପାଇଁ ତା’ଠାରୁ ବଡ଼ ଏକ କଡ଼ା ପରୀକ୍ଷା। ଅନାସ୍ଥା ପ୍ରସ୍ତାବ ଉପରେ ବିତର୍କ ଓ ଭୋଟ ନୂଆ କରି ଦାନା ବାନ୍ଧୁଥିବା ବିରୋଧୀ ମେଣ୍ଟରେ ଏକତା କେତେ ବାସ୍ତବ, ତା’ର ସୂଚନା ଦେବ। କର୍ଣ୍ଣାଟକରେ କୁମାର ସ୍ୱାମୀଙ୍କ ନେତୃତ୍ୱାଧୀନ ଜେଡି(ଏସ୍‌)- କଂଗ୍ରେସ ମିଳିତ ସରକାର ଶପଥ ଗ୍ରହଣ ଅବସରରେ ବିରୋଧୀ ଏକତାର ଯେଉଁ ଦୃଶ୍ୟ ପ୍ରଦର୍ଶିତ ହୋଇଥିଲା, ତାହା ଅପରିବର୍ତ୍ତିତ ରହିଛି ନା ସମୟର ସୁଅରେ ବଦଳି ଯାଇଛି, ଅନାସ୍ଥା ପ୍ରସ୍ତାବ ସପକ୍ଷରେ ଭୋଟ ସଂଖ୍ୟାରେ ତାହା ପ୍ରତିଫଳିତ ହେବ। ଏହା ଏକ ରାଜନୈତିକ ବାସ୍ତବତା ଯେ ଧର୍ମନିରପେକ୍ଷତାର ଧ୍ୱଜା ତଳେ ବିଜେପି ବିରୋଧରେ ଏକଜୁଟ ହୋଇଥିବା ଏହି ବିରୋଧୀ ମେଣ୍ଟର ରୂପରେଖ ତଥାପି ଚୂଡ଼ାନ୍ତ ହୋଇ ନାହିଁ। ବିରୋଧୀ ଏକତ୍ରୀକରଣର ସ୍ଥିତି ତଥାପି ତରଳ; ଯାହା ଏନ୍‌ଡିଏ ବିରୋଧରେ ଉଣେଇଶବେଳକୁ ଏକ ରାଜନୈତିକ ଧ୍ରୁବୀକରଣର ନିଶ୍ଚିତ ପ୍ରତିଶ୍ରୁତି ଦେଇ ପାରୁନାହିଁ। ଅନେକ ଅଣ-ବିଜେପି ବିରୋଧୀ ଦଳ ତଥାପି ଦାନା ବାନ୍ଧୁଥିବା ଏହି ବିରୋଧୀ ମେଣ୍ଟର ବାହାରେ ଅଛନ୍ତି। ତେବେ ଅଣ-ବିଜେପି ଶିବିରର ଦଳମାନଙ୍କ ପାଇଁ ପରସ୍ପରର ଅଧିକ ନିକଟତର ହୋଇ ସହଯୋଗ ଓ ସମନ୍ଵୟକୁ ବଢ଼ାଇବା ଲାଗି ଏହା ଏକ ସୁଯୋଗ।

ତେଣୁ ଶୁକ୍ରବାର ମୋଦୀ ସରକାର ବିରୋଧରେ ଅନାସ୍ଥା ପ୍ରସ୍ତାବ ଉପରେ ଭୋଟ ଫଳାଫଳ ନେଇ କୌଣସି ମହଲରେ କିଛି ଉତ୍କଣ୍ଠା ନାହିଁ। କିନ୍ତୁ ବାରଘଣ୍ଟିଆ କସରତ ଅବସରରେ ଉଣେଇଶ ପାଇଁ ନୂଆ ରାଜନୈତିକ ସମୀକରଣର କ’ଣ ସଂକେତ ମିଳିବ, ସେ ନେଇ ନିଶ୍ଚୟ ଉତ୍କଣ୍ଠା ରହିଛି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.