ସାତବର୍ଷର ଶାପ

0 408

ମନେ ହେଉଛି ମଧ୍ୟବର୍ତ୍ତୀକାଳୀନ କେନ୍ଦ୍ର ଅର୍ଥମନ୍ତ୍ରୀ ପୀୟୂଷ ଗୋୟାଲ୍‌ ସାମୟିକ ଅବ୍ୟାହତି ନେଇଥିବା ଅସଲ ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲିଙ୍କ ଅପେକ୍ଷା ଜଣେ ଅଧିକ ଲିଙ୍ଗ-ସଚେତନ, ନାରୀ-ଦରଦୀ ବ୍ୟକ୍ତି। ନରେନ୍ଦ୍ର ମୋଦୀ କ୍ୟାବିନେଟ୍‌ର ଦକ୍ଷତମ ସଦସ୍ୟ ରୂପେ ସୁନାମ ଅର୍ଜନ କରିଥିବା ଗୋୟାଲ୍‌ଙ୍କ ସମ୍ବନ୍ଧରେ ଏପରି ଧାରଣାର ଯଥାର୍ଥତା ପ୍ରତିପାଦନ କରିବା ପାଇଁ ଯଦି କୌଣସି ଗୋଟିଏ କାରଣ ପ୍ରଦାନ କରିବାକୁ କୁହାଯାଏ, ତେବେ ନିଃସନ୍ଦେହରେ ତାହା ହେବ ନାରୀମାନଙ୍କର ଏକ ମୌଳିକ ଅନ୍ତରଙ୍ଗ ଆବଶ୍ୟକତା ସାନିଟାରୀ ନାପ୍‌କିନ୍‌କୁ ‘ଜିଏସ୍‌ଟି’ ମୁକ୍ତ କରିବା ପାଇଁ ଏବେ ନିଆଯାଇଥିବା ନିଷ୍ପତ୍ତି। ଯଦିବା ଜିଏସ୍‌ଟି କାଉନ୍‌ସିଲ୍‌ ହିଁ ଏହି ନିଷ୍ପତ୍ତି ନେଇଛି, ଅରୁଣ ଜେଟ୍‌ଲିଙ୍କ ସମୟରେ ଦୁଇ ଡଜନ୍‌ ଥରରୁ ଅଧିକ କାଉନ୍‌ସିଲ ବୈଠକ ବସିଥିଲେ ମଧ୍ୟ ସେ ଏଭଳି ଉଚ୍ଛେଦ ପାଇଁ କୌଣସି ଆଗ୍ରହ ଦେଖାଇ ନଥିଲେ କିମ୍ବା ଉଦ୍ୟମ କରି ନଥିଲେ। ଉଚ୍ଛେଦ ପାଇଁ ହୋଇଆସୁଥିବା ଦେଶବ୍ୟାପୀ ମହିଳାମାନଙ୍କର ଦାବି ପତ୍ର ସେ କର୍ଣ୍ଣପାତ ମଧ୍ୟ କରି ନଥିଲେ।୨୦୧୭ ଜୁଲାଇ ପହିଲାରେ ଦେଶରେ ଜିଏସ୍‌ଟି କାର୍ଯ୍ୟକାରୀ ହେବାର ଠିକ୍‌ ଏକ ବର୍ଷ ପୂରଣ ହେବା ପର୍ଯ୍ୟନ୍ତ ଏହି ଉଚ୍ଛେଦ ପାଇଁ ହୋଇ ଆସୁଥିବା ଦାବିକୁ ଏକ ମାରାଥନ୍‌ ଅଭିଯାନ ବୋଲି କହିଲେ ଭୁଲ ହେବ ନାହିଁ, ଯେଉଁଥିରେ ବଲିଉଡ୍‌ ତାରକା ଅକ୍ଷୟ କୁମାର ତାଙ୍କର ଯୁଗାନ୍ତକାରୀ ଫିଲ୍ମ ‘ପ୍ୟାଡ୍‌ ମ୍ୟାନ୍‌’ ମାଧ୍ୟମରେ ଏକ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ। ପାରମ୍ପରିକ ଭାବରେ ଏକ ନିଷିଦ୍ଧ ଇଲାକାରେ ପ୍ରବେଶ କରି ତାହା ଯେଉଁ ଭଳି ଦେଶବ୍ୟାପୀ ସାମାଜିକ ସଚେତନତା ସୃଷ୍ଟି କରିଥିଲା ତାହାକୁ ୨୦୧୫ରେ ପରିଦୃଷ୍ଟ ହୋଇଥିବା ଏକ ସତସତିକା ମାରାଥନ୍‌ର ଏକ ଅନୁରୂପ ଦୁଃସାହସିକ ଘଟଣା ସହ ତୁଳନୀୟ ବୋଲି କୁହାଯାଇପାରେ। ଏହା ଥିଲା ୨୬.୨ ମାଇଲ୍‌ (୪୨.୨ କିମି) ଦୂରତା ବିଶିଷ୍ଟ ଲଣ୍ଡନ୍‌ ମାରାଥନ୍‌।

ସେ ଦୃଶ୍ୟର ନାୟିକା ଥିଲେ ସେ ବର୍ଷର ଅନ୍ୟତମ ଧାବିକା କିରନ୍‌ ଗାନ୍ଧୀ। ଆମେରିକାରେ ଜନ୍ମିତ ୨୬ ବର୍ଷୀୟା କିରନ୍‌ ସେ ବର୍ଷ ଏପ୍ରିଲ୍‌ରେ ଆୟୋଜିତ ଲଣ୍ଡନ୍‌ ମାରାଥନ୍‌ରେ ଭାଗ ନେଇଥିବା ଜଣେ ସାଧାରଣ ଧାବିକା ନଥିଲେ। ସେ ପୃଥିବୀର ସର୍ବାଧିକ ମର୍ଯ୍ୟାଦାଜନକ ବିଜ୍‌ନେସ୍‌ ଶିକ୍ଷାନୁଷ୍ଠାନ ରୂପେ ବିବେଚିତ ହାର୍ଭାଡ୍‌ ବିଜ୍‌ନେସ୍‌ ସ୍କୁଲ୍‌ରେ ଶିକ୍ଷା ଲାଭ କରିଥିବା ଜଣେ ଏମ୍‌ବିଏ ଡିଗ୍ରୀଧାରିଣୀ। କିନ୍ତୁ ତାଙ୍କର ପ୍ରତିଭା କେବଳ ଏକ ମେଧାବିନୀ ଛାତ୍ରୀ ହେବାରେ ସୀମିତ ନୁହେଁ। ସେ ମଧ୍ୟ ସଂଗୀତ କ୍ଷେତ୍ରରେ ଉତ୍କର୍ଷ ପ୍ରଦର୍ଶନ କରି ତାହାର ଏକ ଅଣପାରମ୍ପରିକ ଶାଖାରେ ବୃତ୍ତିଗତ ପାରଦର୍ଶିତା ପ୍ରଦର୍ଶନ କରିଛନ୍ତି- ସେ ହେଉଛନ୍ତି ଜଣେ ପେସାଦାର ଡ୍ରମ୍‌ ବାଦିକା (ସେ ପ୍ରସିଦ୍ଧ ବ୍ରିଟିସ୍‌ ର‍୍ୟାପ୍‌ ଗାୟିକା ‘ଏମ୍‌ଆଇଏ’ଙ୍କ କନସର୍ଟରେ ଡ୍ରମ୍‌ ବାଦନ କରନ୍ତି)। ସେଦିନ କିନ୍ତୁ ସେ ଯାହା ପ୍ରଦର୍ଶନ କରିଥିଲେ, ତାହାର ତାଙ୍କର ଏମ୍‌ବିଏ ଡିଗ୍ରୀ କିମ୍ବା ଡ୍ରମ୍‌ ବାଦନ ଦକ୍ଷତା ସହିତ କୌଣସି ସମ୍ପର୍କ ନଥିଲା: ମାରାଥନ୍‌ରେ ଭାଗ ନେବା ସମୟରେ ତାଙ୍କର ମାସିକ ଋତୁସ୍ରାବ ହେଉଥିଲେ ମଧ୍ୟ ସେ କୌଣସି ସାନିଟାରୀ ପ୍ୟାଡ୍‌ ବା ଟାମ୍ପନ୍‌ ବ୍ୟବହାର ନକରି ଦୌଡ଼ିବାରେ ଲାଗିଥିଲେ। ଫଳରେ ଅନିବାର୍ଯ୍ୟ ଭାବରେ ଯାହା ଘଟିବା କଥା ଘଟିଥିଲା- ତାଙ୍କର ପୋଷାକ ରକ୍ତ ଜୁଡୁବୁଡୁ ହୋଇ ଯାଇଥିଲା ଏବଂ ତାହାର ଚିତ୍ର ଟେଲିଭିଜନ୍‌ ସିଧାପ୍ରସାରଣ ଓ ସୋସିଆଲ୍‌ ମିଡିଆ ଆଦାନ ପ୍ରଦାନ ମାଧ୍ୟମରେ ବ୍ୟାପକ ପ୍ରସାର ଲାଭ କରି ଘୋର ଚାଞ୍ଚଲ୍ୟ ସୃଷ୍ଟି କରିଥିଲା। ଏଥିପାଇଁ ତାଙ୍କୁ ବିଭିନ୍ନ ମହଲରୁ ଘୋର ସମାଲୋଚନାର ସମ୍ମୁଖୀନ ହେବାକୁ ପଡ଼ିଥିଲା। କିରନ୍‌ କିନ୍ତୁ ଏଥିରେ ଦବି ନଯାଇ ନିଜ କାର୍ଯ୍ୟର ଯଥାର୍ଥତା ପ୍ରତିପାଦନ କରି ବିଭିନ୍ନ ସାକ୍ଷାତ୍‌କାରମାନଙ୍କରେ ଦୃଢ଼ ଯୁକ୍ତି ଉପସ୍ଥାପନ କରିଥିଲେ। ସେ କହିବା ଅନୁଯାୟୀ ମାରାଥନ୍‌ ପୂର୍ବଦିନ ରାତିରେ ତାଙ୍କର ଋତୁସ୍ରାବ ଆରମ୍ଭ ହୋଇଯାଇଥିଲେ ହେଁ ସେ ମାରାଥନ ଦୌଡ଼ିବା ସମୟରେ କୌଣସି ସାନିଟାରୀ କବଚ ପରିଧାନ ନକରିବା ପାଇଁ ନିଷ୍ପତ୍ତି ନେଇଥିଲେ। ବୁଦ୍ଧିମତୀ କିରନ୍‌ ବୁଝିଥିଲେ ଯେ ମାରାଥନ୍‌ ଟ୍ରାକ୍‌ ହେଉଛି ଏପରି ଏକ ସ୍ଥାନ ଯେଉଁଠି ପ୍ରତିଯୋଗୀର ସ୍ୱଚ୍ଛନ୍ଦତା ଦର୍ଶକର ରୁଚି ଅପେକ୍ଷା ଅଧିକ ଗୁରୁତ୍ୱ ବହନ କରିଥାଏ- ଟ୍ରାକ୍‌ରେ କେହି ତାଙ୍କୁ ବାଧା ଦେବା ପାଇଁ ସାହସ କରିବ ନାହିଁ। ତେଣୁ ‘‘ମୋର ଗୋଡ଼ ଦେଇ ରକ୍ତ ଝରି ଚାଲିଥିବା ଅବସ୍ଥାରେ ମୁଁ ସେଇ ଭଉଣୀମାନଙ୍କ ପାଇଁ ଦୌଡ଼ିବାରେ ଲାଗିଥିଲି, ଯେଉଁମାନଙ୍କ ପାଇଁ ଟାମ୍ପନ୍‌ (କିମ୍ବା ସାନିଟାରୀ ପ୍ୟାଡ୍‌) ଉପଲବ୍‌ଧ ନୁହେଁ, ଏବଂ ଯେଉଁମାନେ (ସେ ସମୟର) ମାଂସପେଶୀ ସଂକୋଚନ (କ୍ରାମ୍ପ୍‌) ଜନିତ ଯନ୍ତ୍ରଣାକୁ ଲୁଚାଇ କିଛି ଯନ୍ତ୍ରଣା ନଥିବାର ଅଭିନୟ କରନ୍ତି। ମୁଁ ଏହା ଘୋଷଣା କରିବାକୁ ଦୌଡ଼ିଥିଲି ଯେ ଏହା (ଯନ୍ତ୍ରଣା) ଅଛି ଏବଂ ଆମେ (ନାରୀମାନେ) ପ୍ରତି ଦିନ ତାହାକୁ ଦବାଇ ଦେବାକୁ ଚେଷ୍ଟା କରିଥାଉ।’’

‘ଇଭ୍‌’ଙ୍କର ଅଭିଶାପ (ଇଭ୍‌’ସ କର୍ସ) ରୂପେ ପରିଚିତ ଯେଉଁ ମାସିକ ଅନୁଚ୍ଚାରିତ ଯନ୍ତ୍ରଣାକୁ ଜନମାନସରେ ଭେଦ କରାଇବାକୁ ଏବଂ ସେ ଯନ୍ତ୍ରଣାକୁ ସହନୀୟ କରିବାରେ ସହାୟକ ହେବା ପାଇଁ ସାନିଟାରୀ ସୁରକ୍ଷା ପଦାର୍ଥମାନଙ୍କର ସାର୍ବଜନୀନ ଉପଲବ୍‌ଧତା ପାଇଁ କିରନ୍‌ ଗାନ୍ଧୀ ସେଦିନ ଲଣ୍ଡନ୍‌ ବୁକୁରେ ନିଜର ରକ୍ତ ଝରାଇଥିଲେ ପୃଥିବୀରେ ଜଣେ ନାରୀକୁ ତା’ର ଜୀବନକାଳ ମଧ୍ୟରେ ହାରାହାରି ପ୍ରାୟ ୨,୫୩୫ ଦିନ ତାହା ଭୋଗିବାକୁ ପଡ଼ିଥାଏ। ଅନ୍ୟ ପ୍ରକାରେ କହିଲେ ଜଣେ ନାରୀକୁ ତା’ର ଜୀବନର ମୋଟ ସାତବର୍ଷ ସମୟ ଇଭ୍‌ଙ୍କର ଏହି ଅଭିଶାପର ସମ୍ମୁଖୀନ ହେବାକୁ ପଡ଼ିଥାଏ। ଆଉ ପାଦରେ ଜୋତା ଥିଲେ ଯେମିତି ବନ୍ଧୁର ପଥରେ ଚାଲିବା ସହଜ ହୋଇପାରେ, ସେମିତି ପାଖରେ ଉପଯୁକ୍ତ ସାଧନ ଥିଲେ ଏହି ଅଭିଶାପର ସମ୍ମୁଖୀନ ହେବା ଅପେକ୍ଷାକୃତ ସହଜ ହୋଇପାରେ। ଏହି ସାଧନ ହେଉଛି ସାନିଟାରୀ ପ୍ୟାଡ୍‌ ବା ଟାମ୍ପନ୍‌ ବା କପ୍‌ ପରି ବିଭିନ୍ନ କବଚମାନ। ଏହାର ଅର୍ଥ ଜଣେ ସାଧାରଣ ନାରୀକୁ ତା’ ଜୀବନରେ ମୋଟ ସାତ ବର୍ଷ ଧରି ପାଖରେ ସାନିଟାରୀ ପ୍ୟାଡ୍‌ଟିଏ ଉପଲବ୍‌ଧ ଅଛି ବୋଲି ନିଶ୍ଚିତ ହେବାକୁ ପଡ଼ିବ। ଆଉ ଯଦି ଏ ସବୁ ପଦାର୍ଥ ଦୁର୍ମୂଲ୍ୟ ହୁଅନ୍ତି, ତେବେ ଅସ୍ୱଚ୍ଛଳ ବର୍ଗର ନାରୀମାନଙ୍କ ଜୀବନ ଯନ୍ତ୍ରଣା ଜର୍ଜରିତ ହୋଇଯାଏ, କାରଣ ସେମାନେ ଅର୍ଥ ଅଭାବରୁ ବିଭିନ୍ନ ଅସ୍ୱାସ୍ଥ୍ୟକର ଉପାୟ ଅବଲମ୍ବନ କରି ଏ ସାତବର୍ଷ କଟାଇ ଦେବାକୁ ଚେଷ୍ଟା କରନ୍ତି। ବିପଦର କଥା ଏକ ପୁରୁଷକୈନ୍ଦ୍ରିକ ସମାଜ ନାରୀମାନଙ୍କର ଏ ବିପଦ ବୁଝିବାକୁ ଅସମର୍ଥ ହୋଇଥାଏ- ଏହା ହିଁ ଜେଟ୍‌ଲିଙ୍କ ଉଦାସୀନତାର କାରଣ। ସୁଖର କଥା ଏହି ସମୟରେ କିରନ୍‌ ଗାନ୍ଧୀ କିମ୍ବା ମୁରୁଗାନାଥନ୍‌ କିମ୍ବା ଅକ୍ଷୟ କୁମାର କିମ୍ବା ପୀୟୂଷ ଗୋୟାଲଙ୍କ ଭଳି ସଚେତନ ସଂସ୍କାରକ ମାନଙ୍କର ଆବିର୍ଭାବ ଘଟିଛି। ତେବେ ଏଠାରେ କହି ରଖିବା ଦରକାର ସାନିଟାରୀ ପ୍ୟାଡ୍‌କୁ ଏବେ ଜିଏସ୍‌ଟି ମୁକ୍ତ କରାଯାଇଥିଲେ ହେଁ ଏହାର ପ୍ରସ୍ତୁତିରେ ବ୍ୟବହୃତ ଉପାଦାନମାନଙ୍କୁ କରମୁକ୍ତ କରାଯାଇ ନାହିଁ। ଗୋୟାଲ୍‌ ଆଉ ପାଦେ ଆଗକୁ ଯାଇ ସାନିଟାରୀ ପ୍ୟାଡ୍‌କୁ ‘ଜିରୋରେଟେଡ୍‌’ ପଦାର୍ଥ ଶ୍ରେଣୀରେ ଅନ୍ତର୍ଭୁକ୍ତ କରି ଏହି ବିକୃତି ଦୂର କରନ୍ତୁ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.