ପରିଷଦ ଆଶା, ଆଶଙ୍କା

ଓଡ଼ିଶାରେ ରାଜ୍ୟ ସ୍ତରରେ ବ୍ୟବସ୍ଥାପକ ସଭାର ଦ୍ୱିତୀୟ କକ୍ଷ ଗଠନ ଲାଗି ବିଧିବଦ୍ଧ ସାମ୍ବିଧାନିକ ପ୍ରକ୍ରିୟା ଆରମ୍ଭ ହୋଇଛି। ଦେଶର ଅନ୍ୟ ସାତଟି ରାଜ୍ୟ ଭଳି ଓଡ଼ିଶାରେ ମଧ୍ୟ ଦ୍ୱି-ସଦନ ବିଶିଷ୍ଟ ବ୍ୟବସ୍ଥାପକ ସଭା ସକାଶେ ବିଧାନ ପରିଷଦ ଗଠନ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍‌ର ଅନୁମୋଦନ ମିଳିଛି। ବର୍ତ୍ତମାନ ପରିବହନ ମନ୍ତ୍ରୀ ନୃସିଂହ ଚରଣ ସାହୁଙ୍କ ଅଧ୍ୟକ୍ଷତାରେ ଗଠିତ କମିଟିଙ୍କ ସୁପାରିସ କ୍ରମେ କ୍ୟାବିନେଟ୍‌ ଗ୍ରହଣ କରିଥିବା ପ୍ରସ୍ତାବ ଅନୁଯାୟୀ ତେଲେଙ୍ଗାନା ଢାଞ୍ଚାରେ ରାଜ୍ୟରେ ୪୯ ସଦସ୍ୟ ବିଶିଷ୍ଟ ବିଧାନ ପରିଷଦ ଗଠିତ ହେବ। ପରିଷଦକୁ ନଅ ଜଣ ସଦସ୍ୟ ମନୋନୀତ ଏବଂ ଅବଶିଷ୍ଟ ୪୦ ଜଣ ବିଧାୟକ, ପୌର-ପଞ୍ଚାୟତ ସଂସ୍ଥା, ଶିକ୍ଷକ ଓ ସ୍ନାତକଙ୍କୁ ନେଇ ଗଠିତ ସ୍ୱତନ୍ତ୍ର ନିର୍ବାଚନ ମଣ୍ଡଳୀ ଦ୍ୱାରା ନିର୍ବାଚିତ ହୋଇ ପରିଷଦକୁ ଆସିବେ। ବିଧାନ ପରିଷଦ ପାଇଁ ରାଜ୍ୟ ତହବିଲ ଉପରେ ବାର୍ଷିକ ଅତିରିକ୍ତ ୩୫ କୋଟି ଟଙ୍କାର ବୋଝ ପଡ଼ିବ।

ସମ୍ବିଧାନର ୧୬୯ ଧାରା ଅନ୍ତର୍ଗତ ବ୍ୟବସ୍ଥା ଅନୁଯାୟୀ ରାଜ୍ୟରେ ବିଧାନ ପରିଷଦ ଗଠନ ଏକ ଜଟିଳ, ସମୟସାପେକ୍ଷ ପ୍ରକ୍ରିୟା। କ୍ୟାବିନେଟ୍‌ ନିଷ୍ପତ୍ତି ପରେ ପ୍ରଥମେ ବିଧାନସଭାରେ ଏ ସଂକ୍ରାନ୍ତ ଏକ ସଂକଳ୍ପ ଗୃହୀତ ହେବ। ସଂକଳ୍ପ ଉପରେ କେନ୍ଦ୍ର କ୍ୟାବିନେଟ୍‌ରେ ବିଧାନ ପରିଷଦ ଗଠନ ପାଇଁ ଅନୁରୂପ ଏକ ପ୍ରସ୍ତାବ ଗୃହୀତ ହେଲେ, ଏହା ପୁଣି ଏକ ବିଧେୟକ ଆକାରରେ ସଂସଦରେ ଆଗତ ହେବ। ସଂସଦରେ ଆଇନ ପ୍ରଣୟନ ପରେ ଯାଇ ବିଧାନ ପରିଷଦ ଗଠିତ ହୋଇ ପାରିବ। ସମ୍ବିଧାନ ଅନୁଯାୟୀ କୌଣସି ରାଜ୍ୟରେ ବିଧାନ ପରିଷଦ ଗଠନ କିମ୍ବା ଉଚ୍ଛେଦ କ୍ଷମତା ସଂସଦ ଉପରେ ନ୍ୟସ୍ତ। ସଂସଦ ଦ୍ୱାରା କେତେକ ରାଜ୍ୟରେ ବିଧାନ ପରିଷଦ ଗଠିତ ହୋଇଥିବାର ନଜିର ଥିବା ବେଳେ, ଆଉ କେତେକ ରାଜ୍ୟରେ ବିଧାନ ପରିଷଦ ଉଚ୍ଛେଦର ମଧ୍ୟ ଉଦାହରଣ ରହିଛି। ବର୍ତ୍ତମାନ ଦୁଇଟି ରାଜ୍ୟ- ତାମିଲନାଡୁ ଏବଂ ଆସାମରେ ବିଧାନ ପରିଷଦ ଗଠନ ପ୍ରସ୍ତାବ ଝୁଲି ରହିଛି। ତାମିଲନାଡୁରେ ବିଧାନ ପରିଷଦ ଗଠନ ପାଇଁ ସଂସଦର ଅନୁମୋଦନ ମିଳି ସାରିଥିଲେ ମଧ୍ୟ ଆଇନଗତ ବିବାଦରେ ଛନ୍ଦି ହେବା ଯୋଗୁ ପରିଷଦ ଗଠନ ହୋଇ ପାରୁ ନାହିଁ। ଆସାମରେ ପରିଷଦ ଗଠନ ପ୍ରସ୍ତାବକୁ ୨୦୧୩ରେ କେନ୍ଦ୍ର କ୍ୟାବିନେଟ୍‌ର ଅନୁମୋଦନ ମିଳି ସାରିଛି। କିନ୍ତୁ ବର୍ତ୍ତମାନ ସୁଦ୍ଧା ସଂସଦରେ ଏ ସଂକ୍ରାନ୍ତ ବିଧେୟକ ଆଗତ ହୋଇ ନାହିଁ।

ରାଜ୍ୟ କ୍ୟାବିନେଟ୍‌ର ମୋହର ପରେ ବିଧାନ ପରିଷଦ ଗଠନର ଲମ୍ବା ପ୍ରକ୍ରିୟା ପ୍ରଥମ ପାଦ ଡେଇଁଛି। ଆଗାମୀ ବିଧାନସଭା ଅଧିବେଶନରେ ସଂକଳ୍ପ ପାରିତ ହେଲେ, ଯାହା ଏକପ୍ରକାର ନିଶ୍ଚିତ, ପ୍ରକ୍ରିୟା ଦ୍ୱିତୀୟ ପାଦ ଡେଇଁବ। ଏହା ପରେ ପ୍ରକ୍ରିୟା କେବେ ସଂପୂର୍ଣ୍ଣ ହେବ, ତାହା ଦିଲ୍ଲୀ ସରକାର ଉପରେ ନିର୍ଭର କରେ। ଅବଶ୍ୟ, ରାଜ୍ୟରେ କ୍ଷମତାସୀନ ବିଜେଡି ସରକାର ଏବଂ କେନ୍ଦ୍ରରେ କ୍ଷମତାସୀନ ଏନ୍‌ଡିଏ ମଧ୍ୟରେ ରାଜନୈତିକ ସମ୍ପର୍କ ଅବା ମୂଲଚାଲ ପ୍ରସ୍ତାବର ଭାଗ୍ୟ ନିର୍ଣ୍ଣୟରେ ନିର୍ଣ୍ଣାୟକ ହେବ। ତେବେ, ବିଧାନ ପରିଷଦ ଗଠନ ସଅଳ ହେଉ କି ବିଳମ୍ବିତ ହେଉ, ପ୍ରଶ୍ନ ଉଠୁଛି ବ୍ୟବସ୍ଥାପକ ସଭାର ଦ୍ୱିତୀୟ ସଦନ ଭାବେ ଓଡ଼ିଶା ପାଇଁ ବିଧାନ ପରିଷଦ କେତେ ଆବଶ୍ୟକ? ପ୍ରତ୍ୟକ୍ଷ ଭାବେ ନିର୍ବାଚିତ ଜନ ପ୍ରତିନିଧିଙ୍କୁ ନେଇ ବିଧାନସଭା ଥିବା ବେଳେ ମନୋନୀତ ଓ ଅପ୍ରତ୍ୟକ୍ଷ ଭାବେ ନିର୍ବାଚିତ ବିଭିନ୍ନ ବର୍ଗର ପ୍ରତିନିଧିଙ୍କୁ ନେଇ ପ୍ରସ୍ତାବିତ ଦ୍ୱିତୀୟ ସଦନ ରାଜ୍ୟର ସାମୂହିକ ସ୍ୱାର୍ଥ ଦୃଷ୍ଟିରୁ କେତେ ହିତକାରୀ? ଏହି ପ୍ରଶ୍ନ ଉପରେ ଓଡ଼ିଶାରେ ବିଧାନ ପରିଷଦ ଗଠନ ବିଷୟ ଚିନ୍ତା କରାଯିବା ଦିନ ଠାରୁ ବିତର୍କ ଲାଗି ରହିଛି। ଅବଶ୍ୟ, ଏହା କିଛି ନୂଆ ନୁହେଁ।

ଭାରତୀୟ ସମ୍ବିଧାନ ପ୍ରଣୀତ ହେବାର ଚଉଦ ବର୍ଷ ପୂର୍ବେ ବ୍ରିଟିସ୍‌ ଶାସନ କାଳରେ ଲାଗୁ ଭାରତ ସରକାର ଆଇନ-୧୯୩୫ରେ ପ୍ରାଦେଶିକ ସ୍ତରରେ ଦ୍ୱି-ସଦନ ବିଶିଷ୍ଟ ବ୍ୟବସ୍ଥାପକ ସଭାର ପ୍ରବର୍ତ୍ତନ ଦିନ ଠାରୁ ଏ ବିତର୍କ ଜାରି ରହିଛି। ଏ ପ୍ରସଙ୍ଗରେ କିନ୍ତୁ କୌଣସି ସହମତି ଆସି ପାରି ନାହିଁ। ସମ୍ବିଧାନ ସଭାରେ ମଧ୍ୟ ରାଜ୍ୟ ସ୍ତରରେ ବିଧାନସଭା ସହ ବିଧାନ ପରିଷଦ ବ୍ୟବସ୍ଥା ସପକ୍ଷରେ ସଂଖ୍ୟାଗରିଷ୍ଠ ମତ ଅନୁକୂଳ ନଥିଲା। ପରୀକ୍ଷାମୂଳକ ଭାବେ ନିର୍ଦ୍ଦିଷ୍ଟ କେତେକ ରାଜ୍ୟରେ ବିଧାନ ପରିଷଦ ପାଇଁ ସମ୍ବିଧାନରେ ବ୍ୟବସ୍ଥା କରାଯାଇଥିଲା ଓ ଅବଶିଷ୍ଟ ରାଜ୍ୟରେ ପରିଷଦ ଗଠନ ବିଷୟ ସଂପୃକ୍ତ ରାଜ୍ୟମାନଙ୍କ ଉପରେ ଛାଡ଼ି ଦିଆଯାଇଥିଲା। କିନ୍ତୁ ବିଧାନ ପରିଷଦ ଗଠନ ନେଇ ସଂପୂର୍ଣ୍ଣ କ୍ଷମତା ରାଜ୍ୟ ବିଧାନସଭା ଉପରେ ନ୍ୟସ୍ତ କରା ନଯାଇ ଏହାର ଗଠନ ଓ ଉଚ୍ଛେଦର ଚୂଡ଼ାନ୍ତ କ୍ଷମତା ସଂସଦ ହାତରେ ଦିଆଯାଇଛି। ଓଡ଼ିଶାରେ ମଧ୍ୟ ବିଧାନ ପରିଷଦ ପ୍ରସଙ୍ଗରେ ସହମତି ନାହିଁ। ବିଧାନ ପରିଷଦ ଗଠନ ବିଷୟ ଅନୁଧ୍ୟାନ ପାଇଁ ଗଠିତ ସର୍ବଦଳୀୟ କମିଟିକୁ ବିରୋଧୀ ଧଳ ସଦସ୍ୟଙ୍କ ବର୍ଜନ ଏହାର ପ୍ରମାଣ।

ସମ୍ବିଧାନର ଅନତ୍ୟମ ସଭ୍ୟ ଏମ୍‌.ଭି. କାମାଥଙ୍କ ଟିପ୍ପଣୀ ଥିଲା ରାଜ୍ୟ ସ୍ତରରେ ଦ୍ୱିତୀୟ ସଦନ କେବଳ ଅଯଥା ନୁହେଁ, ବିପଜ୍ଜନକ ମଧ୍ୟ। ରାଜ୍ୟ ସ୍ତରରେ ଦ୍ୱିତୀୟ ସଦନ ନେଇ ଜାରି ରହିଥିବା ବିପଦ ଏବଂ ଅଭିଜ୍ଞତା ପରିପ୍ରେକ୍ଷୀରେ ବିଧାନ ପରିଷଦର ଉଭୟ ସପକ୍ଷ ଓ ବିପକ୍ଷରେ ବଳିଷ୍ଠ ଯୁକ୍ତି ସବୁ ରହିଛି। ସପକ୍ଷରେ ଯୁକ୍ତି ହେଲା- ତରବରିଆ ଆଇନ ପ୍ରଣୟନ ବିରୋଧରେ ପରିଷଦ ଏକ ରକ୍ଷା କବଚ। ବିଧାନସଭାରେ ଗୃହୀତ ଏକ ବିଲ୍‌ ଉପରେ ପରିଷଦରେ ଅଧିକ ବିସ୍ତାରିତ ଆଲୋଚନାର ଅବକାଶ ରହିଛି। ପୁଣି କୌଣସି ବିଧେୟକକୁ ଅନ୍ତତଃ ଚାରି ମାସ ବିଳମ୍ବିତ କରିବା ଲାଗି ପରିଷଦର କ୍ଷମତା ଅନେକ ସମୟରେ ତରବରିଆରେ ହୋଇଥିବା ଭୁଲକୁ ସୁଧାରିବା ଲାଗି ପ୍ରଭାବଶାଳୀ ହୋଇପାରିବ। ସଂସଦୀୟ ଗଣତନ୍ତ୍ରରେ ଅନେକ ସମୟରେ ଭୋଟ ଠାରୁ ଗୋଟିଏ ପ୍ରସଙ୍ଗରେ ବିଚାର ଲାଗି ମତ ବା ଦୃଷ୍ଟିକୋଣ ଅଧିକ ଗୁରୁତ୍ୱପୂର୍ଣ୍ଣ। ବିଧେୟକ ପାରିତ ପାଇଁ ପରିଷଦର ଭୋଟ ନିର୍ଣ୍ଣାୟକ ହୋଇ ନପାରେ, କିନ୍ତୁ ଏହାର ମତ ନିଶ୍ଚୟ ଗୁରୁତ୍ୱପୂର୍ଣ୍ଣ। ଫଳରେ ନିମ୍ନ ସଦନ ବା ବିଧାନସଭାର ଏକଚାଟିଆ, ସ୍ୱେଚ୍ଛାଚାରିତା ଉପରେ ଏକ ପ୍ରଭାବଶାଳୀ ଅଙ୍କୁଶ କୁହାଯାଇପାରେ। ପ୍ରତ୍ୟକ୍ଷ ନିର୍ବାଚନ ପ୍ରତି ବିମୁଖ ପ୍ରତିଭାମାନଙ୍କ ପାଇଁ ପରିଷଦ ଏକ ସ୍ଥାନ। ନୀତି ପ୍ରଣୟନ ଓ ଶାସନରେ ଭାଗୀଦାର ହେବା ଲାଗି ପ୍ରତିଭାଧର ବିଶେଷଜ୍ଞଙ୍କ ପାଇଁ ଏହା ଏକ ସୁଯୋଗ। ରାଜ୍ୟ ସ୍ତରରେ ବରିଷ୍ଠଙ୍କ ସଦନ ସପକ୍ଷରେ ସବୁଠାରୁ ବଳିଷ୍ଠ ଯୁକ୍ତି ହେଲା, ଶସ୍ତା ଲୋକପ୍ରିୟତା ପାଇଁ ପରସ୍ପର ସହ ପ୍ରତିଦ୍ୱନ୍ଦ୍ୱିତା ଦୃଷ୍ଟିରୁ ବିଧାନସଭା ଭୋଟ-ସର୍ବସ୍ୱ ଜନପ୍ରତିନିଧିଙ୍କ ମଞ୍ଚ ହୋଇଥିବାରୁ ଆଇନ ପ୍ରଣୟନ ଓ ଶାସନର ଭାରସାମ୍ୟ ରକ୍ଷା ପାଇଁ ପରିଷଦର ଆବଶ୍ୟକତା ରହିଛି। ତେବେ ବିଧାନ ପରିଷଦ ସପକ୍ଷରେ ଯୁକ୍ତି ସବୁ ଯେତିକି ବଳିଷ୍ଠ, ଏହାର ବିପକ୍ଷରେ ଯୁକ୍ତି ସବୁ ତା’ଠାରୁ ଅଧିକ ବଳିଷ୍ଠ। ବିଗତ ସାତ ଦଶକରେ ବିଭିନ୍ନ ରାଜ୍ୟରେ ବିଧାନ ପରିଷଦର କାର୍ଯ୍ୟଶୈଳୀ ବିପକ୍ଷବାଦୀଙ୍କ ଯୁକ୍ତିକୁ ଅଧିକ ବଳିଷ୍ଠ କରୁଛି। ବିଧାନସଭାରେ ତରବରିଆ ନିଷ୍ପତ୍ତି ଏବଂ ଏକଚାଟିଆ ବିରୋଧରେ ପରିଷଦ ଏକ ରକ୍ଷା କବଚ ବୋଲି ଯାହା କୁହାଯାଉଛି, ତାହା ଭୁଲ ପ୍ରମାଣିତ ହୋଇଛି। ଅନେକ ସମୟରେ ବିଧାନସଭା ଓ ପରିଷଦରେ ଗୋଟିଏ ଦଳର ସଂଖ୍ୟାଗରିଷ୍ଠତା ଥିବାରୁ ‘ରକ୍ଷା କବଚ’ ଅକାମୀ ହୋଇଯାଏ। ପୁଣି ଯେତେବେଳେ ପରିଷଦରେ ବିରୋଧୀଙ୍କ ସଂଖ୍ୟାଗରିଷ୍ଠତା ରହେ, ବିଧାନସଭାର ସଂଖ୍ୟାଗରିଷ୍ଠତା ଆଧାରରେ କ୍ଷମତାସୀନ ଦଳର ସରକାର ଦ୍ୱାରା ଆଇନ ପ୍ରଣୟନ ବାଧାପ୍ରାପ୍ତ ହୁଏ। ପଞ୍ଜାବରେ ପରିଷଦରେ କଂଗ୍ରେସର ସଂଖ୍ୟାଗରିଷ୍ଠତା ଥିବାରୁ ଅକାଳୀ ଦଳ ସମସ୍ୟାର ସମ୍ମୁଖୀନ ହୋଇଥିଲା। ଯାହାର ପରିଣତି ସ୍ୱରୂପ ପରିଷଦ ଉଚ୍ଛେଦ ହେଲା। ସେଥିପାଇଁ କୁହାଯାଏ ଦ୍ୱିତୀୟ ସଦନର ସମର୍ଥନ ଉପରଠାଉରିଆ, ଅର୍ଥହୀନ ଏବଂ ଏହାର ବିରୋଧ ଦୁଷ୍ଟ ଚକ୍ରାନ୍ତମୂଳକ। ଅନେକ ରାଜ୍ୟର ବିଧାନ ପରିଷଦ ପ୍ରତିଭା ବିଶିଷ୍ଟ ବ୍ୟକ୍ତିମାନଙ୍କ ପାଇଁ ସୁଯୋଗ ପରିବର୍ତ୍ତେ, ପ୍ରତ୍ୟାଖ୍ୟାତ ରାଜନେତା ଏବଂ ବୋଲକରା, ତୋଷମଦକାରୀଙ୍କ ଥଇଥାନ କେନ୍ଦ୍ର ହୋଇଥିବାର ବହୁ ନଜିର ଅଛି।

ଅବଶ୍ୟ ସବୁ ବ୍ୟବସ୍ଥାରେ କିଛି ନା କିଛି ଦୋଷଗୁଣ ରହିଥାଏ। ସେ ଦୃଷ୍ଟିରୁ ବିଧାନ ପରିଷଦ କିଛି ବ୍ୟତିକ୍ରମ ନୁହେଁ। ତା’ ଭିତରେ ଅନୁଷ୍ଠାନ ଓ ବ୍ୟବସ୍ଥା କେମିତି ଚାଲିବ, ସେ ବିଷୟ ମଙ୍ଗ ଧରିଥିବା ବ୍ୟକ୍ତି ଓ ଗୋଷ୍ଠୀ ଉପରେ ନିର୍ଭର କରେ। ଦୋଷ ପାଇଁ କେତେକ ରାଜ୍ୟରେ ବିଧାନ ପରିଷଦର ଉଚ୍ଛେଦ ହୋଇଛି। ଗୁଣ ପାଇଁ ଅନ୍ୟ କେତେକ ରାଜ୍ୟରେ ପୁନଃ ସ୍ଥାପିତ କିମ୍ବା ନୂଆ କରି ଗଠନ ହୋଇଛି। ଓଡ଼ିଶାରେ ମଧ୍ୟ ପରିଷଦର ଗଠନ ପ୍ରସଙ୍ଗରେ ଗୁଣ ଯୋଗୁ ଆଶା ଓ ଦୋଷ ଯୋଗୁ ଆଶଙ୍କା ରହିଛି। ଏ ଆଶା ଓ ଆଶଙ୍କା ସେତେବେଳେ ଦୂର ହେବ, ଯେତେବେଳେ ପରିଷଦ ପ୍ରକୃତରେ କାର୍ଯ୍ୟକ୍ଷମ ହେବ। ନଈ ନ ଦେଖୁଣୁ ଆଗୁଆ ଟିପ୍ପଣୀ ଦେବା ଅପରିପକ୍ୱ ହେବ।

ସମ୍ବନ୍ଧିତ ଖବର