ଅହିଂସା ମାଂସ

0 173

‘‘ଜୀବ ମାରିଣ ମାଂସ ଖାଇ/ସେ ଜୀବ ବୈକୁଣ୍ଠେ ବସଇ।’’ ମନ ଓ ବିବେକ ମଧ୍ୟରେ ଲଢ଼େଇରେ ମନକୁ ସମ୍ପୂର୍ଣ୍ଣ ରୂପେ ଅନୁଶୋଚନାମୁକ୍ତ କରି ବିବେକ ବିରୁଦ୍ଧରେ କାର୍ଯ୍ୟ କରିବା ପାଇଁ କୌଣସି ବ୍ୟକ୍ତିକୁ ଉତ୍ସାହିତ କରିବା ପାଇଁ ଏହାଠାରୁ ଅଧିକ ପ୍ରଭାବଶାଳୀ ଉପଦେଶ ଆଉ କିଛି ନାହିଁ। ଜୀବମାନଙ୍କ ପ୍ରତି କରୁଣାଭାବ ଯୋଗୁଁ ଅନେକ ଲୋକ ମାଂସ ଖାଇବାକୁ କୁଣ୍ଠିତ ହୋଇଥାନ୍ତି। କିନ୍ତୁ ସେମାନେ ଯେତେବେଳେ ଜାଣିବେ ଯେ ମାଂସ ପାଇଁ କୌଣସି ଜୀବକୁ ହତ୍ୟା କରିବା ଏକ ପାପ କାର୍ଯ୍ୟ ନୁହେଁ, ବରଂ ପୁଣ୍ୟ କାର୍ଯ୍ୟ- କାରଣ ଏହା ଦ୍ୱାରା ନିହତ ଜୀବ ତତ୍‌କ୍ଷଣାତ୍‌ ଚିର ସୁଖମୟ ବୈକୁଣ୍ଠପୁରୀକୁ ଚାଲିଯାଏ, ସେମାନଙ୍କର ମାଂସ ଭକ୍ଷଣ ପ୍ରତି ଏ ପ୍ରକାର କୁଣ୍ଠା ଦୂରୀଭୂତ ହୋଇଯିବା ନିଶ୍ଚିତ। ଜୀବ-ହିଂସାର ଏପରି ଚତୁର ଯଥାର୍ଥତା ପ୍ରତିପାଦନର ତୁଳନା ନାହିଁ।

Panda Mobile only

କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ମାନେକା ଗାନ୍ଧୀ ଯଦି ଏହି ଭାଗବତ ବାଣୀ କେବେ ଶୁଣନ୍ତେ, ଏଥିରେ କୌଣସି ସନ୍ଦେହ ନାହିଁ ଯେ ସେ ଏହାକୁ ଶଠତାର ଚରମ ଉଦାହରଣ ରୂପେ ଭର୍ତ୍ସନା କରନ୍ତେ। ଜଣେ ପ୍ରାଣୀ-ପ୍ରେମୀ ରୂପେ ଘରେ ଘରେ ସୁପରିଚିତ ମାନେକା ଏହି ପୁରାଣ ବାଣୀକୁ କାଟିବା ପାଇଁ ଆଉ ଏକ ଲୋକପ୍ରିୟ ‘ପୁରାଣ’ର ପଙ୍‌କ୍ତି ଉଦ୍ଧାର କରନ୍ତେ, ଯାହା ବର୍ଷକ ତଳେ ସେ କରିବା ଦେଖାଯାଇଥିଲା। ତାମିଲନାଡୁର ବାଇବଲ ରୂପେ ପରିଚିତ କବି ତିରୁଭାଲ୍ଲଭାର୍‌ଙ୍କ ରଚିତ ‘ପୋଟୁମରାଇ’ (‘ସାର୍ବଜନୀନ ବେଦ’)ର ବାଣୀ ଅହିଂସାର ପ୍ରମୁଖ ପୂଜାରୀ ମହାତ୍ମା ଗାନ୍ଧୀଙ୍କୁ ଉଦ୍‌ବୁଦ୍ଧ କରିଥିଲା ବୋଲି ମାନେକା ପ୍ରକାଶ କରି ଏହାର ଯେଉଁ କେତେକ ପଦ ଉଦ୍ଧାର କରିଥିଲେ ସେଥିରୁ ଗୋଟିଏ ଦୁଇଟି ଏଠାରେ ସ୍ଥାନୀତ କରାଯାଇପାରେ। ପଦ ୨୫୮: ‘‘କୌଣସି ଜୀବକୁ ବଧ କରି ଭକ୍ଷଣ କରିବାରୁ ନିବୃତ୍ତ ରହିବା ହଜାର ପୂଜା ଅର୍ଚ୍ଚନା, ତର୍ପଣ ଆଦି ଠାରୁ ଅଧିକ ଉତ୍ତମ।’’ ପଦ ୨୫୯: ‘‘ଯିଏ ଜୀବ ହତ୍ୟା କରେ ନାହିଁ ଏବଂ ମାଂସାହାର ପ୍ରତ୍ୟାଖ୍ୟାନ କରେ, ସମସ୍ତ ଜୀବଜଗତ୍‌ ତାକୁ ହାତ ଯୋଡ଼ି ପ୍ରଣତି ଜଣାଇବେ।’’

ଏହା ଜଣାଶୁଣା ମାନେକା ଗାନ୍ଧୀ ହେଉଛନ୍ତି ଶାକାହାରୀ ଏବଂ ଶାକାହାର ସପକ୍ଷରେ ଏକ ଦୃଢ଼ ଶାସ୍ତ୍ରାନୁମୋଦିତ ଆହ୍ଵାନ ସ୍ୱରୂପ ସେ ଏହି ତାମିଲ ‘ବେଦ’ର ଉଦ୍ଧାର କରିଥିଲେ। ମାଂସାହାର ବିରୁଦ୍ଧରେ ଯୁକ୍ତି କିନ୍ତୁ କେବଳ ଏପରି ନୈତିକ ଆହ୍ଵାନ ଉପରେ ଯେ ପର୍ଯ୍ୟବସିତ ନୁହେଁ ତାହା ବର୍ତ୍ତମାନ ସମୟରେ ଊଣା ଅଧିକେ ସୁବିଦିତ। ମାଂସାହାର କେବଳ ଯେ ସ୍ୱାସ୍ଥ୍ୟ ପାଇଁ ସମସ୍ୟା ସୃଷ୍ଟି କରେ, ତାହା ନୁହେଁ, ଏଥିଯୋଗୁଁ ପରିବେଶ ମଧ୍ୟ ଘୋର ବିପଦଗ୍ରସ୍ତ ହୋଇଥାଏ। ଗୋଟିଏ କିଲୋଗ୍ରାମ୍‌ ଗୋମାଂସ ଉତ୍ପନ୍ନ କରିବା ପାଇଁ କିପରି ହଜାର ହଜାର ଲିଟର ଜଳ ଏବଂ ଶହ ଶହ କିଲୋଗ୍ରାମ୍‌ ଖାଦ୍ୟଶସ୍ୟ ବ୍ୟବହୃତ ହୋଇଥାଏ କେବେଠାରୁ ଗବେଷକମାନେ ତାହା ସାବ୍ୟସ୍ତ କରିସାରିଛନ୍ତି। ଯଦି ମାଂସାହାରୀମାନେ ଶାକାହାରୀ ପାଲଟି ଯାଆନ୍ତେ ପୃଥିବୀରୁ ଅନାହାର ସମ୍ପୂର୍ଣ୍ଣ ଦୂରୀଭୂତ ହୋଇଯାଆନ୍ତା ଏବଂ ଜଳକଷ୍ଟ ମଧ୍ୟ ଅନେକାଂଶରେ ଲାଘବ ହୁଅନ୍ତା।
ମାଂସାହାରର ବିପଦ ଏତିକିରେ ମଧ୍ୟ ସୀମିତ ନୁହେଁ। ମାନେକା ଗାନ୍ଧୀ ଏହାର ଆଉ ଏକ ଭୟଙ୍କର ସାମାଜିକ କୁପରିଣାମ ପ୍ରତି ଏବେ ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି। ଏହା ହେଉଛି ଦେଶର ବିଭିନ୍ନ ଅଞ୍ଚଳରେ ନିକଟ ଅତୀତରେ ଦେଖାଦେଇଥିବା ଗୋରକ୍ଷକ-ହିଂସା। ଗୋ-ମାଂସ ଭକ୍ଷଣକାରୀମାନଙ୍କର ଚାହିଦା ପୂରଣ ନିମିତ୍ତ ଗୋ-ବଧ କରାଯାଇଥାଏ ଏବଂ ଗୋ-ବଧ ନିମିତ୍ତ କଂସେଇଖାନାମାନଙ୍କର ଆବଶ୍ୟକତା ପୂରଣ ପାଇଁ ଗୋ-ଚାଲାଣ କରାଯାଇଥାଏ। ଆଉ ଆତ୍ମନିଯୁକ୍ତ ଉଚ୍ଛଙ୍ଖଳ ଗୋ-ରକ୍ଷକମାନେ ଗୋ-ଚାଲାଣକାରୀମାନଙ୍କ ଉପରେ ହିଂସ୍ର ଆକ୍ରମଣ କରିଥାନ୍ତି। ସମସ୍ୟାର ସମାଧାନ ପାଇଁ ଅନେକ ରାଜ୍ୟରେ ସରକାର ଯୋଗାଣ ପାର୍ଶ୍ୱରେ ହସ୍ତକ୍ଷେପ କରି ଆଇନ ବଳରେ ଗୋ-ହତ୍ୟା ନିଷେଧ କରିବାକୁ ଏବଂ ଗୋରୁଚାଲାଣ ପ୍ରତି କଠୋର ନିୟନ୍ତ୍ରଣ ଲାଗୁ କରିବାକୁ ଚେଷ୍ଟା କରିଛନ୍ତି। କିନ୍ତୁ ଅର୍ଥଶାସ୍ତ୍ରର ଏକ ମୌଳିକ ନିୟମ ହେଲା ଯେଉଁଠି ଚାହିଦା ଥିବ, ଯୋଗାଣକୁ କେହି ଅଟକାଇ ପାରିବେ ନାହିଁ (ମଦ ନିଷେଧ କରାଯାଇଥିବା ତଥାକଥିତ ‘ଶୁଷ୍କ’ ରାଜ୍ୟମାନଙ୍କରେ ଏହାର ପ୍ରକୃଷ୍ଟ ଉଦାହରଣ ଦେଖିବାକୁ ମିଳିଥାଏ)। ତେଣୁ ଗୋ-ମାଂସ ଭକ୍ଷଣ ଚାଲିଥିବା ପର୍ଯ୍ୟନ୍ତ, ଗୋ-ଚାଲାଣ ଚାଲିଥିବ ଏବଂ ସମସ୍ୟା ଜୀବନ୍ତ ରହିଥିବ।
ଯଦି ମାନେକାଙ୍କ ଉପଦେଶ ମାନି ସମସ୍ତ ମାଂସହାରୀମାନେ ଶାକାହାରୀ ହୋଇଯାଆନ୍ତେ, ତେବେ ଚାହିଦା ପାର୍ଶ୍ୱ ଶୁଖିଲା ପଡ଼ନ୍ତା। ଏବଂ ଆପେ ଆପେ ଯୋଗାଣ ବନ୍ଦ ହୋଇ ସମସ୍ୟାର ଅନ୍ତ ଘଟନ୍ତା। ତେବେ ନିଜେ ଶାକାହାରୀ ହୋଇଥିଲେ ମଧ୍ୟ ମାନେକା ଜାଣନ୍ତି ଏହା ଏକ ଦିବା ସ୍ୱପ୍ନ ମାତ୍ର କାରଣ ଅଧିକାଂଶ ମାଂସାହାରୀମାନେ ମାଂସ ଠାରୁ ଦୂରେଇ ରହିପାରିବେ ନାହିଁ- ସେମାନେ ଶାକାହାରକୁ ଘାସକୁଟା ରୂପେ ଦେଖନ୍ତି ଯାହା ସେମାନଙ୍କ ବିଚାରରେ କେବଳ ଗାଈଗୋରୁମାନଙ୍କ ଆହାରଯୋଗ୍ୟ। ଅତଏବ ଚାହିଦା ପାର୍ଶ୍ୱରେ ହିଁ ସମସ୍ୟାର ସମାଧାନ ନିହିତ ଅଛି ବୋଲି ବିଶ୍ୱାସ କରୁଥିବା ମାନେକା ଏବେ ଏକ ସମ୍ପୂର୍ଣ୍ଣ ନୂତନ ଓ ଅଭିନବ ପ୍ରସ୍ତାବ ଦେଇଛନ୍ତି। ଏ ପ୍ରସ୍ତାବ ଅନୁସାରେ ମାଂସାହାରୀମାନେ ମାଂସ ଖାଇବେ, କିନ୍ତୁ ସେଥିପାଇଁ କୌଣସି ଜୀବକୁ ବଧ କରିବା ଦରକାର ହେବ ନାହିଁ। ଏ ମାଂସ ଗାଈ, ଛେଳି, ମେଣ୍ଢା ପରି ଜୀବଙ୍କଠାରୁ ନ ଆସି ଆସିବ ଗବେଷଣାଗାର ବା ‘ଲ୍ୟାବ୍‌’ରୁ। କୌଣସି ଏକ ନିର୍ଦ୍ଦିଷ୍ଟ ଜୀବର ଜୀବକୋଷକୁ ବ୍ୟବହାର କରି ଗବେଷଣାଗାରରେ ସେଇଭଳି ଅସଂଖ୍ୟ ଜୀବକୋଷ ସୃଷ୍ଟି କରି ବୈଜ୍ଞାନିକମାନେ କୃତ୍ରିମ ମାଂସ ପ୍ରସ୍ତୁତ କରିପାରିବେ, ମାନେକା ଯାହାର ନାମ ଦେଇଛନ୍ତି ‘ଅହିଂସା ମାଂସ’। ଗତ ସପ୍ତାହରେ ସେ ହାଇଦ୍ରାବାଦର ‘ସେଣ୍ଟର୍‌ ଫର୍‌ ସେଲୁଲାର୍‌ ଆଣ୍ଡ୍‌ ମଲିକ୍ୟୁଲାର୍‌ ବାୟୋଲୋଜି’ ଠାରେ ‘ପୁଷ୍ଟିସାରର ଭବିଷ୍ୟତ’ ଶୀର୍ଷକ ଏକ ଶୀର୍ଷ ସମ୍ମିଳନୀରେ ଦେଶରେ ଅହିଂସା ମାଂସର ବ୍ୟାପକ ଉତ୍ପାଦନ ଓ ପ୍ରସାର ପାଇଁ ଜୋର୍‌ସୋର୍‌ ଉଦ୍ୟମ କରିବା ପାଇଁ ଆହ୍ଵାନ ଦେଇଛନ୍ତି। ସେ ସେଠାରେ କହିଥିଲେ ଯେ ସର୍ବେକ୍ଷଣରୁ ଜଣାପଡ଼ିଛି ଦେଶର ଦୁଇ-ତୃତୀୟାଂଶ ମାଂସାହାରୀ ‘ଅହିଂସା ମାଂସ’ ଖାଇବା ପାଇଁ ଆଗ୍ରହୀ।
ମାନେକାଙ୍କ ସମାଧାନ ଯଦି କାହାକୁ କଳ୍ପନା ବିଳାସ ଭଳି ମନେହେଉଥାଏ, ସେମାନେ ଠିକ୍‌ ପାଞ୍ଚ ବର୍ଷ ତଳକୁ ଫେରି ଯାଇ ଏ ସମ୍ପର୍କିତ ଏକ ଖବର ଉପରେ ନଜର ପକାଇଲେ, ସମସ୍ତ ସନ୍ଦେହ ଦୂର ହୋଇପାରେ। ୨୦୧୩ ଅଗଷ୍ଟରେ ଲଣ୍ଡନ୍‌ ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ପୃଥିବୀର ପ୍ରଥମ ‘ଅହିଂସା ମାଂସ’ ବ୍ୟବହୃତ ବର୍ଗର୍‌ ପ୍ରସ୍ତୁତ କରା ହୋଇ ଭୋଜନ କରାଯାଇଥିଲା। ନେଦର୍‌ଲ୍ୟାଣ୍ଡ୍‌ସର ଏକ ଗବେଷଣା ପ୍ରତିଷ୍ଠାନରେ ବୈଜ୍ଞାନିକମାନେ ଏକ ଗାଈଠାରୁ ଜୀବକୋଷ ସଂଗ୍ରହ କରି ସେଥିରୁ ଉତ୍ପାଦନ କରିଥିବା ମାଂସପେଶୀକୁ ବ୍ୟବହାର କରି ଜଣେ ବିଶିଷ୍ଟ ପାଚକ ସେଠାରେ ବର୍ଗର୍‌ ପ୍ରସ୍ତୁତ କରିଥିଲେ ଏବଂ ଖାଦ୍ୟ ସ୍ୱାଦ ପରଖକାରୀମାନେ ତାହାକୁ ସର୍ବ ସମ୍ମୁଖରେ ଆସ୍ୱାଦନ କରିଥିଲେ। ତାହା ପ୍ରକୃତ ମାଂସ ପାଖାପାଖି ଭଳି ଲାଗୁଛି ବୋଲି ସେମାନେ ମତ ଦେଇଥିଲେ। ସମୟକ୍ରମେ ସ୍ୱାଦକୁ ଅବିକଳ କରାଯାଇ ପାରିବ ବୋଲି ମତ ପ୍ରକାଶ ପାଇଥିଲା। ଯଦି ମାନେକାଙ୍କ ସ୍ୱପ୍ନ ସଫଳ ହୁଏ ତେବେ ‘ଜୀବ ନ ମାରି ମାଂସ ଖାଇ’ ସମ୍ଭବ ହୋଇପାରିବ, କିନ୍ତୁ ଜୀବକୋଷ ଦାନ କରିଥିବା ଜୀବଟି ବୈକୁଣ୍ଠ ଯାଇପାରିବ କି ନାହିଁ, ତାହା ଆଉ ଏକ ପ୍ରଶ୍ନ!

ସମ୍ବନ୍ଧିତ ଖବର

Leave A Reply

Your email address will not be published.