ପ୍ରତିମୂର୍ତ୍ତି ରାଜନୀତି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ଭବ୍ୟ ସମାରୋହରେ ବୁଧବାର ବିଶ୍ବର ଉଚ୍ଚତମ ପ୍ରତିମୂର୍ତ୍ତି ‘ଷ୍ଟାଚ୍ୟୁ ଅଫ୍‌ ୟୁନିଟି’ର ଲୋକାର୍ପଣ କରିଛନ୍ତିି। ଗୁଜୁରାଟରେ ନର୍ମଦା ନଦୀର ଏକ କ୍ଷୁଦ୍ର ଦ୍ବୀପରେ ସୁରମ୍ୟ ପ୍ରାକୃତିକ ପରିବେଷ୍ଟନୀ ମଧୢରେ ନିର୍ମିତ ଭାରତର ପ୍ରଥମ ଉପ-ପ୍ରଧାନମନ୍ତ୍ରୀ ‘ଲୌହ ମାନବ’ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଏହି ବିଶାଳ ପ୍ରତିମୂର୍ତ୍ତିର ଉଚ୍ଚତା ୧୮୨ ମିଟର; ଯାହା ବିଶ୍ବବିଖ୍ୟାତ ଆମେରିକାର ୯୩ ମିଟରର ‘ଷ୍ଟାଚ୍ୟୁ ଅଫ୍‌ ଲିବର୍ଟି’ଠାରୁ ଦୁଇଗୁଣ ଅଧିକ ଉଚ୍ଚ। ବର୍ତ୍ତମାନ ସୁଦ୍ଧା ବିଶ୍ବର ଉଚ୍ଚତମ ପ୍ରତିମା ବୋଲି କୁହାଯାଉଥିବା ଚୀନ୍‌ର ‘ସ୍ପିଙ୍ଗ୍‌ ଟେମ୍ପଲ ବୁଦ୍ଧ’ (୧୫୩ ମିଟର)ଠାରୁ ୨୯ ମିଟର ଅଧିକ ଉଚ୍ଚ। ଭାରତ ଏକୀକରଣର ପୁରୋଧା ସର୍ଦ୍ଦାର ପଟେଲଙ୍କ ଏହି ପ୍ରତିମୂର୍ତ୍ତି ଏବ˚ ତାଙ୍କ ସ୍ମୃତିରେ ଉତ୍ସର୍ଗୀକୃତ ସ୍ମାରକୀ ନିର୍ମାଣ ଲାଗି ପ୍ରାୟ ତିନି ହଜାର କୋଟି ଟଙ୍କା ବ୍ୟୟ ହୋଇଛି। ନିଃସନ୍ଦେହ, ୨୬,୭୦୦ ଟନ୍‌ର ଲୁହା ଓ ବ୍ରୋଞ୍ଚ୍‌ ଏବ˚ ୨,୧୦,୦୦୦ ଘନ ମିଟର କ˚କ୍ରିଟ୍‌ରେ ନିର୍ମିିତ ଏହି ବିଶାଳ ଗଗନଶ୍ଚୁମ୍ଭୀ ପ୍ରତିମୂର୍ତ୍ତି ଭାରତୀୟ ବୈଷୟିକ କାରିଗରି ନିପୁଣତାର ଆଉ ଏକ ଉଜ୍ଜ୍ବଳ ସ୍ବାକ୍ଷର।

ତେବେ ଆକାଶ ମାର୍ଗରୁ ଭାରତୀୟ ବାୟୁସେନାର ହେଲିକାପ୍ଟରରୁ ପୁଷ୍ପ ବୃଷ୍ଟି ମଧୢରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ବାରା ଦେଶର ଗୌରବ ‘ଷ୍ଟାଚ୍ୟୁ ଅଫ୍‌ ୟୁନିଟି’ର ଲୋକାର୍ପଣ ସମାରୋହ ସମାପନ ନ ହେଉଣୁ ବିରୋଧାଭାସର ସ୍ବର ସହ ଏହାକୁ ନେଇ ଆରମ୍ଭ ହୋଇଯାଇଛି ସାନି ବିବାଦ। ପିତୁଳା ପୂଜାର ଏ ଦେଶରେ ରାଷ୍ଟ୍ରନେତା, ଐତିହାସିକ ବ୍ୟକ୍ତିତ୍ବ ଓ ଅନ୍ୟ ବରପୁତ୍ରଙ୍କ ପ୍ରତିମୂର୍ତ୍ତିକୁ କେନ୍ଦ୍ର କରି ରାଜନୈତିକ ବିବାଦ କିଛି ନୂଆ ନୁହେଁ। କେବଳ, ପ୍ରତିମୂର୍ତ୍ତି ନୁହେଁ, ସ୍ଥାନ, ରାସ୍ତା ଓ ଅନୁଷ୍ଠାନର ନାମକରଣ ଓ ପୁନଃ ନାମକରଣ ଆଦିକୁ କେନ୍ଦ୍ର କରି ନିୟମିତ ବ୍ୟବଧାନରେ ବିବାଦର ଝଡ଼ ଉଠି ଆସିଛି। ଏହି ପ୍ରକ୍ରିୟାରେ କେଉଁଠି ବରପୁତ୍ରଙ୍କ ପ୍ରତିମୂର୍ତ୍ତି ଭଙ୍ଗା ହୋଇଛି ତ ଆଉ କେଉଁଠି ପ୍ରତିମାକୁ ବିକୃତ କରାଯାଇଛି। ନୂଆ ନାମକରଣର ଫଳକ ଭଙ୍ଗା ଯାଇଛି। ଦେଶର ଉତ୍ତରରୁ ଦକ୍ଷିଣ ପର୍ଯ୍ୟନ୍ତ, ପୂର୍ବରୁ ପଶ୍ଚିମ ପର୍ଯ୍ୟନ୍ତ ଏହାର ଅନେକ ଦୁଃଖଦ ନଜିର ଦିଆଯାଇପାରେ, ଯାହା ଭାରତୀୟ ରାଜନୀତିର ଉଗ୍ର ଅସହିଷ୍ଣୁ ତଥା ହି˚ସ୍ର ଚରିତ୍ର ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କରିଥାଏ। ଭାରତୀୟ ରାଜନୀତିରେ ଦେଖାଯାଉଥିବା ଏହି ବିଲକ୍ଷଣର ମଞ୍ଜି କ’ଣ? ଐତିହାସିକ ବ୍ୟକ୍ତିତ୍ବ, ରାଷ୍ଟ୍ର ନାୟକ ଓ ଅନ୍ୟ ବରପୁତ୍ର ମାନଙ୍କ ନୀତି, ଆଦର୍ଶର ପ୍ରଚାର ଓ ପ୍ରସାର ସ୍ମାରକୀ ନିର୍ମାଣର ମୌଳିକ ଉଦ୍ଦେଶ୍ୟ ନ ହୋଇ ଯେତେବେଳେ ସମ୍ପୃକ୍ତ ବରପୁତ୍ର କିମ୍ବା ରାଷ୍ଟ୍ର ନାୟକଙ୍କ ‘ଲିଗାସି’ ଉପରେ ମାଲିକାନା ସାବ୍ୟସ୍ତ କରି ସାଧାରଣ ଦେଶବାସୀଙ୍କ ମଧୢରେ ତାଙ୍କ ପ୍ରତି ରହିଥିବା ସମ୍ମାନ ଓ ଆବେଗିକ ଆବେଦନରୁ ରାଜନୈତିକ ଫାଇଦା ଉଠାଇବା ମୂଳ ଉଦ୍ଦେଶ୍ୟ ହୁଏ, ସେତେବେଳେ ଅସ୍ବସ୍ତିକର ହେଲେ ସୁଦ୍ଧା ବିବାଦର ଝଡ଼ ଉଠିବା ଆଦୌ ଅସ୍ବାଭାବିକ କିମ୍ବା ଅପ୍ରତ୍ୟାଶିତ ନୁହେଁ। ମୋଟାମୋଟି କୁହାଯାଇପାରେ ବରପୁତ୍ରଙ୍କୁ ରାଜନୀତିର ପଶାପାଲିରେ ମୋହରା ଭାବେ ବ୍ୟବହାର କରିବା ବ୍ୟଗ୍ରତା ହିଁ ବିବାଦର ମଞ୍ଜି। ଏହି ଧାରାରେ ସର୍ଦ୍ଦାର ପଟେଲଙ୍କ ପ୍ରତିମୂର୍ତ୍ତିକୁ ନେଇ ଭୂମିପୂଜାଠାରୁ ଆରମ୍ଭ ହୋଇଥିବା ବିବାଦ ଏବେ ଲୋକାର୍ପଣ ପରେ ଅଧିକ ଘନୀଭୂତ ହୋଇ ସମ୍ପୂର୍ଣ୍ଣ ରାଜନୈତିକ ରଙ୍ଗ ନେବା କ୍ବଚିତ କାହାକୁ ବିସ୍ମିତ କରୁଛି। ଅବଶ୍ୟ, ପ୍ରତିମୂର୍ତ୍ତିକୁ ନେଇ ବିବାଦ କେବଳ ଭାରତୀୟ ଗଣତନ୍ତ୍ରରେ ସୀମିତ ନୁହେଁ, ତଥାକଥିତ ଉନ୍ନତ ପାଶ୍ଚାତ୍ୟ ଗଣତନ୍ତ୍ରରେ ମଧୢ ଏହା ଏକ ଧାରା। ନିକଟରେ ଆମେରିକାରେ ଯୁକ୍ତରାଷ୍ଟ୍ର ଗଠନ ପୂର୍ବର କେତେକ ସାମରିକ ବ୍ୟକ୍ତିିତ୍ବଙ୍କ ପ୍ରତିମୂର୍ତ୍ତିକୁ ବର୍ଣ୍ଣ ବୈଷମ୍ୟ ଓ ଶ୍ବେତାଙ୍ଗ ପ୍ରାଧାନ୍ୟବାଦୀ ବୋଲି ଅଭିଯୋଗ କରି ଭାଙ୍ଗି ଦିଆଯାଇଥିଲା।

ଭାରତର ଏକତା ଓ ସ˚ହତିର ଭିତ୍ତି ପକାଇଥିବା ମହାନ୍‌ ରାଷ୍ଟ୍ର ନାୟକଙ୍କ ନୀତି ଓ ଆଦର୍ଶର ବିପରୀତ ସ˚କେତ ଦେଉଥିବା ତାଙ୍କ ପ୍ରତିମୂର୍ତ୍ତିକୁ କେନ୍ଦ୍ର କରି ବିବାଦର ସଦ୍ୟତମ ପର୍ଯ୍ୟାୟର ସୂତ୍ରପାତ ହୋଇଛି ବିରୋଧୀଙ୍କ କଟାକ୍ଷପୂର୍ଣ୍ଣ ବୟାନବାଜିରୁ। ଉଲ୍ଲେଖନୀୟ ବିଷୟ ହେଲା, ପ୍ରତିମୂତ୍ତିର୍କୁ ନେଇ ଉଠୁଥିବା ପ୍ରତ୍ୟେକ ବିବାଦରେ ସମ୍ପୃକ୍ତ ପକ୍ଷମାନଙ୍କ ପରସ୍ପର ବିରୋଧରେ ସ୍ବର ଓ ଶବ୍ଦ ପ୍ରାୟ ସମାନ। ବିରୋଧୀମାନେ ପ୍ରତିମୂର୍ତ୍ତି ନିର୍ମାଣ ପଛରେ ରାଜନୈତିକ ଉଦ୍ଦେଶ୍ୟ ଥିବା ଅଭିଯୋଗ କରନ୍ତି। ଅନ୍ୟପକ୍ଷରେ ପ୍ରତିମୂର୍ତ୍ତି ନିର୍ମାଣ କରିଥିବା ପକ୍ଷର ଯୁକ୍ତି ହେଲା ଏହା ପଛରେ ରାଜନୀତି ନାହିଁ, ରାଷ୍ଟ୍ର ପ୍ରତି ନାୟକଙ୍କ ଅବଦାନର ଏହା ସ୍ବୀକୃତି ଏବ˚ ତାଙ୍କ ସ୍ମୃତି ପ୍ରତି ସମ୍ମାନ। ଠିକ୍‌ ଏହି ଧାରାରେ ଚଳିତ ବିବାଦରେ ମଧୢ ଆକ୍ଷେପ ପ୍ରତିଆକ୍ଷେପ ଚାଲିଛି। ପ୍ରଧାନମନ୍ତ୍ରୀ ଓ ଶାସକ ବିଜେପିର ରାଜନୈତିକ ଉଦ୍ଦେଶ୍ୟ ପ୍ରତି ଅଙ୍ଗୁୁଳି ଦେଖାଇ ବିରୋଧୀ ପକ୍ଷରୁ ଆସୁଥିବା ଅନେକ ବୟାନ ମଧୢରୁ ବହୁଜନ ସମାଜ ପାର୍ଟିର ସୁପ୍ରିମୋ ଦଳିତ ରାଣୀ ମାୟାବତୀଙ୍କ ବକ୍ତବ୍ୟ ବିଶେଷ ଉଲ୍ଲେଖ ଓ ଆଲୋଚନାର ଅପେକ୍ଷା ରଖୁଛି। ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀତ୍ବ କାଳରେ ଦଳିତ ନେତା ଓ ଐତିହାସିକ ଦଳିତ ବ୍ୟକ୍ତିତ୍ବଙ୍କ ପ୍ରତିମୂର୍ତ୍ତି ନିର୍ମାଣ କରି ମାୟାବତୀ ବିବାଦରେ ଛନ୍ଦି ହୋଇଥିଲେ। ମାୟାବତୀ ପ୍ରଶ୍ନ କରିଛନ୍ତି, ଯେଉଁମାନେ ସର୍ଦ୍ଦାର ପଟେଲଙ୍କ ବିଶାଳ ପ୍ରତିମୂର୍ତ୍ତି ନିର୍ମାଣ କରି ବାହା ବାହା ନେଉଛନ୍ତି, ସେମାନେ ଦଳିତ ତ୍ରାଣକର୍ତ୍ତା, ସମ୍ବିଧାନ ପ୍ରଣେତା ବି ଆର‌୍‌ ଆମ୍ବେଦକର ଏବ˚ ଦଳିତି ଅସ୍ମିତାର ପ୍ରତୀକ ଓ ଅନ୍ୟ ଦଳିତ ଜାଗରଣର ପ୍ରବାଦ ବ୍ୟକ୍ତିତ୍ବ ମାନଙ୍କ ପ୍ରତିମୂର୍ତ୍ତି ନିର୍ମାଣ ଓ ସ୍ମାରକୀ ସ୍ଥାପନକୁ ବିରୋଧ କରୁଥିଲେ କାହିଁକି? ସେ ମୁଖ୍ୟମନ୍ତ୍ରୀ ଥିବା ବେଳେ ଦଳିତ ବ୍ୟକ୍ତିତ୍ବଙ୍କ ପ୍ରତିମୂର୍ତ୍ତି ନିର୍ମାଣକୁ ଯେଉଁମାନେ ବିରୋଧ କରୁଥିଲେ ସେମାନେ କ୍ଷମା ଭିକ୍ଷା କରନ୍ତୁ ବୋଲି ମାୟାବତୀ ଦାବି କରିଛନ୍ତି। ସା˚ପ୍ରତିକ ବିବାଦ ପରିପ୍ରେକ୍ଷୀରେ ମାୟାବତୀଙ୍କ ପ୍ରଶ୍ନ ଓ ଦାବି ଅପ୍ରାସଙ୍ଗିକ କି ଅବାନ୍ତର କହି ଏଡ଼ାଇ ଦିଆଯାଇ ପାରିବ ନାହିଁ।

୨୦୦୮ରୁ ୨୦୧୨ ମଧ୍ୟରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଥିବା ବେଳେ ମାୟାବତୀ ୫ ହଜାର କୋଟିରୁ ଅଧିକ ଟଙ୍କା ବ୍ୟୟରେ ଆମ୍ବେଦକର, ବହୁଜନ ସମାଜବାଦୀ ପାର୍ଟିର ପ୍ରତିଷ୍ଠାତା କା˚ଶୀରାମ ଓ ଦଳିତ ଜାଗରଣର ଅନ୍ୟ ପ୍ରମୁଖ ନାୟକମାନଙ୍କ ଅନେକ ପ୍ରତିମୂର୍ତ୍ତି ଓ ସ୍ମାରକୀ ନିର୍ମାଣ କରିଥିଲେ। ଏହାର କେବଳ ବିରୋଧ ହୋଇନଥିଲା। ରାଜନୈତିକ ଉଦ୍ଦେଶ୍ୟରେ ଟିକସଦାତାଙ୍କ ଅର୍ଥ ବରବାଦ କରାଯାଇଛି ବୋଲି ଅଭିଯୋଗ କରି ସୁପ୍ରିମ୍‌କୋର୍ଟରେ ମଧ୍ୟ ମାମଲା ଦାଏର‌୍‌ ହୋଇଥିଲା। ଅବଶ୍ୟ, ମାୟାବତୀଙ୍କ ଶାସନ କାଳରେ କେବଳ ବହୁ ସ˚ଖ୍ୟକ ଆମ୍ବେଦକର ଓ କା˚ଶୀରାମଙ୍କ ପ୍ରତିମୂର୍ତ୍ତି ନିର୍ମାଣ ବିବାଦର ଝଡ଼ ସୃଷ୍ଟି କରି ନଥିଲା, ଦଳିତ ରାଣୀ ସ୍ବୟ˚ ନିଜର ପ୍ରାୟ ୪୦ ଟି ପ୍ରତିମୂର୍ତ୍ତି ଉତ୍ତର ପ୍ରଦେଶର ବିଭିନ୍ନ ଜିଲ୍ଲାରେ ପ୍ରତିଷ୍ଠା କରି ବିବାଦକୁ ଅଧିକ ଖୋରାକ ଯୋଗାଇଥିଲେ। ଏପରିକି, ବିଏସ୍‌ପିର ନିର୍ବାଚନ ଚିହ୍ନ ‘ହାତୀ’ର ମଧ୍ୟ ଅନେକ ପିତୁଳା ସରକାରୀ ପଇସାରେ ନିର୍ମିତ ହୋଇଥିଲା। ମାୟାବତୀଙ୍କ ପ୍ରତିମୂର୍ତ୍ତି ନିର୍ମାଣ ଅଭିଯାନ ପଛରେ ଯେ ଉଦ୍ଦେଶ୍ୟ ନିଶ୍ଚୟ ରାଜନୈତିକ ଥିଲା, ଏଥିରେ ସନ୍ଦେହ ନାହିଁ। ଦଳିତ ନେତା ଓ ଅନ୍ୟ ଦଳିତ ନାୟକଙ୍କ ପ୍ରତିମା ନିର୍ମାଣ କରି ସେ ଆମ୍ବେଦକରଙ୍କ ‘ଲିଗାସି’ ଉପରେ ମାଲିକାନା ଜାହିର କରି ଦଳିତଙ୍କ ମଧ୍ୟରେ ନିଜର ପ୍ରଭାବକୁ ନିରଙ୍କୁଶ କରିବାର ଉଚ୍ଚାଭିଳାଷ ରଖିଥିଲେ। ଦଳିତଙ୍କ ମଧ୍ୟରେ ବିଏସ୍‌ପିର ଏକଚାଟିଆ ପ୍ରତିଷ୍ଠା ଲାଗି ଏହା ଥିଲା ତାଙ୍କ ଯୋଜନା। ଯଦି ପ୍ରତିମୂର୍ତ୍ତି ନିର୍ମାଣ ଅଭିଯାନ ପଛରେ ମ୍ରାବତୀଙ୍କ ରାଜନୈତିକ ଉଦ୍ଦେଶ୍ୟ ଥିଲା, ତେବେ ସର୍ଦ୍ଦାର ପଟେଲଙ୍କ ପ୍ରତିମୂର୍ତ୍ତି ନିର୍ମାଣ ପଛରେ ପ୍ରଧାନମନ୍ତ୍ରୀ ମୋଦୀ ଏବ˚ ତାଙ୍କ ଦଳର ପ୍ରଚ୍ଛନ୍ନ ରାଜନୈତିକ ଉଦ୍ଦେଶ୍ୟ ନାହିଁ ବୋଲି କୁହାଯାଇପାରିବ ନାହିଁ।

ମୋଦୀଙ୍କ ‘କ˚ଗ୍ରେସ ମୁକ୍ତ ଭାରତ’ ଯୋଜନାର ଏହା ଗୋଟିଏ ଅ˚ଶ। ଗାନ୍ଧୀ, ନେହରୁଙ୍କୁ ଆଢ଼ୁଆଳକୁ ଠେଲି କ˚ଗ୍ରେସର ଅନ୍ୟ ନେତାମାନଙ୍କୁ ପ୍ରମୁଖତାର ସହ ଆଗରେ ରଖି ସର୍ବପୁରାତନ ଦଳର ମୁକାବିଲା ଲାଗି ଏକ ନୂଆ ରାଜନୈତିକ ମଞ୍ଚ ତିଆରି ଦିଗରେ ଏହା ଏକ ପ୍ରୟାସ। ମଦନ ମୋହନ ମାଲବ୍ୟ, ଲାଲ ବାହାଦୁର ଶାସ୍ତ୍ରୀ, ସୁଭାଷ ବୋଷଙ୍କୁ ମଧୢ କ˚ଗ୍ରେସଠାରୁ ଛଡ଼ାଇ ଆଣିବା ଏହି ଯୋଜନାର ଅ˚ଶବିଶେଷ। ସେ ଦିଗରେ ମଧୢ ଅତୀତରେ ପଦକ୍ଷେପ ନିଆଯାଇଛି। ଗାନ୍ଧୀ ଓ ନେହରୁଙ୍କ ପ୍ରଭାବକୁ ନିଷ୍ପ୍ରଭ କରିବା ଉଦ୍ଦେଶ୍ୟରେ ଗତ ସାଢେ଼ ଚାରିବର୍ଷ ମଧୢରେ ଏହି ଦୁଇ ରାଷ୍ଟ୍ର ନେତାଙ୍କ ବିପକ୍ଷରେ ଆମ୍ବେଦକର ଓ ପଟେଲଙ୍କୁ ଚତୁରତାର ସହ ଉପସ୍ଥାପିତ କରାଯାଇଛି। ଅନେକ ହିନ୍ଦୁତ୍ବବାଦୀ ନେତାଙ୍କ ନାମରେ ନୂଆ ଯୋଜନା ନାମିତ ହୋଇଛି। ‘ଷ୍ଟାଚ୍ୟୁ ଅଫ୍‌ ୟୁନିଟି’ର ଲୋକାର୍ପଣ ଅବସରରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉଦ୍‌ବୋଧନରେ ମଧୢ ରାଜନୀତି ସ୍ପଷ୍ଟ ବାରି ହେଉଛି। ୨୦୦୮ରୁ ୨୦୧୨ ମଧୢରେ ମାୟାବତୀ ଦଳିତ ବ୍ୟକ୍ତିତ୍ବଙ୍କ ପ୍ରତିମୂର୍ତ୍ତି ନିର୍ମାଣର ବିରୋଧୀମାନଙ୍କୁ ଯେଉଁ ସ୍ବରରେ ସମାଲୋଚନା କରୁଥିଲେ, ପ୍ରଧାନମନ୍ତ୍ରୀ ମୋଦୀଙ୍କ ଭାଷଣରେ ମଧୢ ପ୍ରତିମୂର୍ତ୍ତି ବିରୋଧୀଙ୍କ ପ୍ରତି ସେହି ସମାନ ସ୍ବର ପ୍ରତିଧ୍ବନିତ ହୋଇଥିଲା। ପରିସ୍ଥିତି ବଦଳିଲେ ପକ୍ଷ ବଦଳେ, କିନ୍ତୁ ସ୍ବର ସେହି ସମାନ ଗତାନୁଗତିକ। ପ୍ରତିମୂର୍ତ୍ତି, ସ୍ମାରକୀକୁ କେନ୍ଦ୍ର କରି ରାଜନୈତିକ ବିବାଦର ଚିତ୍ର କିମ୍ବା ଚରିତ୍ର ବଦଳୁନାହିଁ।

ଭାରତୀୟ ଏକତା ଓ ସ˚ହତିର ଆଦ୍ୟ ବିନ୍ଧାଣୀଙ୍କ ପ୍ରତିମୂର୍ତ୍ତିକୁ ନେଇ ଚଳିତ ବିବାଦ, ସେହି ଅସ୍ବସ୍ତିକର ଧାରାରେ ଆଉ ଏକ ଦୁଃଖଦ ଅଧୢାୟ ମାତ୍ର। ରାଷ୍ଟ୍ରନାୟକ, ଐତିହାସିକ ବ୍ୟକ୍ତିତ୍ବଙ୍କୁ ନେଇ ରାଜନୀତିର ପଶାପାଲିରେ ବସାଇ ଚାଲି ଆସୁଥିବା ଏହି ବିବାଦର ଧାରାରେ ପୂର୍ଣ୍ଣଚ୍ଛେଦ ପଡ଼ିବା ଉଚିତ। ଅବଶ୍ୟ, ଏହା ସେତେବେଳେ ସମ୍ଭବ, ଯେତେବେଳେ ଦେଶର ରାଜନୈତିକ ବର୍ଗ ହୃଦୟଙ୍ଗମ କରିବେ ଯେ, ରାଷ୍ଟ୍ରର ନେତା କିମ୍ବା ସେମାନଙ୍କ ‘ଲିଗାସି’ କୌଣସି ଦଳର ସମ୍ପତ୍ତି ନୁହେଁ, ଜାତୀୟ ସମ୍ପତ୍ତି। ଏହା ପଣ୍ୟ ନୁହେଁ ଯେ, ରାଜନୀତି ବଜାରରେ ଏହାର ଭାଗବଣ୍ଟା ହେବ।

ସମ୍ବନ୍ଧିତ ଖବର