ପଦ୍ମରେ ଦ୍ୱନ୍ଦ୍ୱ-ଶଙ୍ଖ ପାଇଁ ଫାନ୍ଦ?

ବିଜେପି ‘ପୋଷ୍ଟର ବୟ’ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜ୍ୟରେ କ୍ଷମତାସୀନ ବିଜେଡି ବିରୋଧରେ ରଣହୁଙ୍କାର ଛାଡୁଥିବା ଓଡ଼ିଶାର ଦଳୀୟ କର୍ମୀ ଓ କର୍ମକର୍ତ୍ତାଙ୍କ ଉତ୍ସାହରେ ପୁଣି ଥରେ ପାଣି ପକାଇ ଦେଇଛନ୍ତି। ଏଗାର ଦିନରେ ଓଡ଼ିଶାକୁ ପ୍ରଧାନମନ୍ତ୍ରୀଙ୍କ ଦ୍ବିତୀୟ ଗସ୍ତ ନେଇ ଦଳୀୟ ମହଲରେ ସାନି ଆଶା ଦାନା ବାନ୍ଧିଥିଲା ଯେ, ଖୋର୍ଦ୍ଧା ବରୁଣେଇ ପାହାଡ଼ ତଳ ସଭାରେ ବିଜେଡି ସରକାର ବିରୋଧରେ ମୋଦୀଙ୍କ ଶାଣହୀନ ଆକ୍ରମଣ ବଦଳରେ ବାରିପଦା ଛଉପଡ଼ିଆରେ ଆକ୍ରମଣ ଅଧିକ ଶାଣିତ ହେବ। ବାରିପଦାରେ ସ୍ବର ନରମ ବଦଳରେ ଗରମ ହେବ। ସମାଲୋଚନା ପରୋକ୍ଷ ପରିବର୍ତ୍ତେ ପ୍ରତ୍ୟକ୍ଷ ହେବ। ଶନିବାର କିନ୍ତୁ ଛଉପଡ଼ିଆ ଜନସଭାରେ ନା ମୋଦୀଙ୍କ ସ୍ବରରେ ନା ତାଙ୍କ ଅଙ୍ଗର ମୁଦ୍ରାରେ ଏମିତି ସ˚କେତ କର୍ମୀ ଦେଖିପାରିଥିଲେ, ଯାହା ସେମାନଙ୍କୁ ନିରାଶ କରିଛି। ଖୋର୍ଦ୍ଧା ସଭା ପରେ ଦଳୀୟ ମହଲରେ ସୃଷ୍ଟି ହୋଇଥିବା ମୃଦୁ ଦ୍ବନ୍ଦ୍ବକୁ ଏହା ଅଧିକ ଘନୀଭୂତ କରିଛି। ନିର୍ବାଚନ ବର୍ଷରେ ସାଧାରଣ ଜନତାଙ୍କୁ ମଧୢ କୌଣସି ରାଜନୈତିକ ବାର୍ତ୍ତା ଦେବାରେ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସଫଳ ହୋଇନାହିଁ।

ପ୍ରଧାନମନ୍ତ୍ରୀ ମୋଦୀ ବାରିପଦାଠାରେ ପ୍ରାୟ ପାଞ୍ଚହଜାର କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ ଅବସରରେ ଏଗାର ମିନିଟ୍‌ର ଭାଷଣ ଦେଇଥିଲେ। ଏହି ଭାଷଣରୁ କୌଣସି ରାଜନୈତିକ ବାର୍ତ୍ତା ଆଶା କରାଯାଉ ନଥିଲା। କିନ୍ତୁ ପରେ ଛଉପଡ଼ିଆଠାରେ ଜନସଭାରେ ଉଦ୍‌ବୋଧନରୁ ନିଶ୍ଚୟ ରାଜନୈତିକ ପ୍ରତପକ୍ଷଙ୍କ ବିରୋଧରେ ଆକ୍ରମଣ ସହ ମୋଦୀ ଓଡ଼ିଶାବାସୀଙ୍କୁ ଏକ ସ୍ପଷ୍ଟ ରାଜନୈତିକ ବାର୍ତ୍ତା ଦେବେ ବୋଲି ଆଶା ଥିଲା। ଛଉପଡ଼ିଆରେ ପ୍ରଧାନମନ୍ତ୍ରୀ ତାଙ୍କର ୨୯ ମିନିଟ୍‌ର ଭାଷଣରେ ପ୍ରତିପକ୍ଷଙ୍କ ବିରୋଧରେ ଅବଶ୍ୟ ବର୍ଷିଲେ। କିନ୍ତୁ ମୋଦୀଙ୍କ ଆକ୍ରମଣ ଏକପାଖିଆ ହୋଇଗଲା। ରାଜ୍ୟ ସ୍ତରରେ ବିଜେପିର ପ୍ରଧାନ ରାଜନୈତିକ ପ୍ରତିଦ୍ବନ୍ଦ୍ବୀ ବିଜେଡି ପରିବର୍ତ୍ତେ, ଜାତୀୟ ସ୍ତରରେ ପ୍ରଧାନ ପ୍ରତିଦ୍ବନ୍ଦ୍ବୀ କ˚ଗ୍ରେସକୁ ମୁଖ୍ୟତଃ ନିଶାଣରେ ରଖି ପ୍ରଧାନମନ୍ତ୍ରୀ ଜୋରଦାର ଶବ୍ଦ ବାଣ ଛାଡ଼ିଥିଲେ। ମୋଦୀଙ୍କ ସ୍ବର କ˚ଗ୍ରେସ ପାଇଁ ଗରମ ଥିବା ବେଳେ ବିଜେଡି ପାଇଁ ଥିଲା ନରମ। କ˚ଗ୍ରେସ ପ୍ରତି ଆକ୍ରମଣ ପ୍ରତ୍ୟକ୍ଷ ଥିବା ବେଳେ, ବିଜେଡି ପାଇଁ ଥିଲା ପରୋକ୍ଷ। ଖୋର୍ଦ୍ଧା ଭଳି ବାରିପଦାରେ ମଧୢ ପ୍ରଧାନମନ୍ତ୍ରୀ ମୁଖ୍ୟମନ୍ତ୍ରୀ କିମ୍ବା ଶାସକ ବିଜେଡିର ନାମ ନେଇ ନଥିଲେ। ମୋଦୀଙ୍କ ୨୯ ମିନିଟ୍‌ର ଭାଷଣରେ ଓଡ଼ିଶା ସମ୍ପର୍କିତ କେବଳ ଗୋଟିଏ ପ୍ରସଙ୍ଗ ସ୍ଥାନ ପାଇଥିଲା। ମହିଳା ସଶକ୍ତୀକରଣ ଓ ମହିଳା ସୁରକ୍ଷା। ପୂର୍ବାହ୍ନରେ ପୁରୀଠାରେ ମହିଳା ସ୍ବୟ˚ ସହାୟକ ଗୋଷ୍ଠୀଙ୍କ ସମାବେଶରେ ମୁଖ୍ୟମନ୍ତ୍ରୀ ନବୀନଙ୍କ ‘ମହିଳା କାର୍ଡ’ର ଔଜ୍ଜଲ୍ୟକୁ କମାଇବା ଲାଗି ଏହା ଥିଲା ମୋଦୀଙ୍କ ଏକ କୁଣ୍ଠିତ ଉଦ୍ୟମ। ପିପିଲି ଗଣଦୁଷ୍କର୍ମ ଘଟଣାରେ ପୀଡ଼ିତାଙ୍କୁ ନ୍ୟାୟ ନ ମିଳିବା ନେଇ ପ୍ରଧାନମନ୍ତ୍ରୀ ଯେଉଁ ପ୍ରଶ୍ନ କଲେ, ତାହା ପ୍ରଶ୍ନ କମ୍‌, ପରାମର୍ଶ ଅଧିକ ଭଳି ମନେ ହେଉଥିଲା। ମହିଳା ବିଲ୍‌ ପାଇଁ ଜାତୀୟ ସ୍ତରରେ ଅଭିଯାନ ଚଳାଇଥିବା ମୁଖ୍ୟମନ୍ତ୍ରୀଙ୍କ ଆଡ଼କୁ ମହିଳା ସଶକ୍ତୀକରଣ ପ୍ରସଙ୍ଗରେ ମୋଦୀ ଅଙ୍ଗୁଳି ଦେଖାଇବାକୁ ଚେଷ୍ଟା କରି ଶେଷରେ ମହିଳା କଲ୍ୟାଣ କାର୍ଯ୍ୟକ୍ରମକୁ ଆହୁରି ଅଧିକ ଗମ୍ଭୀରତାର ସହ ନେବା ଲାଗି ପରାମର୍ଶ ଦେଇ ପ୍ରଧାନମନ୍ତ୍ରୀ ଭାବେ କର୍ତ୍ତବ୍ୟ ସମ୍ପାଦନ କରିଥିଲେ।

ଚବିଶ ତାରିଖ ଖୋର୍ଦ୍ଧା ସଭାରେ ଉଠାଇଥିବା ପ୍ରଶ୍ନ ଗୁଡ଼ିକୁ ପ୍ରଧାନମନ୍ତ୍ରୀ ନା ଅଧିକ ଦମ୍‌ଦାର ଭାବେ ଦୋହରାଇଥିଲେ ନା ୨୬ ତାରିଖ ବିଜେଡି ପ୍ରତିଷ୍ଠା ଦିବସ ଅବସରରେ କେନ୍ଦ୍ରୀୟ ଅବହେଳା ନେଇ ମୁଖ୍ୟମନ୍ତ୍ରୀ ପଚାରିଥିବା ପ୍ରଶ୍ନ ଗୁଡ଼ିକର ଉତ୍ତର ରଖିଥିଲେ। ଖୋର୍ଦ୍ଧାରେ ଚିଟ୍‌ଫଣ୍ତ୍‌, ପିସି କାରବାର ବିଷୟ ଅନ୍ତତଃ ଛୁଇଁଥିଲେ। ଅଥଚ, ବାରିପଦା ସଭାରେ ଏ ପ୍ରସଙ୍ଗ ମୋଦୀ ମୁହଁରେ ଧରି ନଥିଲେ। ବିଡ଼ମ୍ବନା ଯେ, ସରକାରୀ କାର୍ଯ୍ୟକ୍ରମର ଗୋଟିଏ ମଞ୍ଚରେ ପ୍ରଧାନମନ୍ତ୍ରୀଙ୍କ ସହ ଚିଟ୍‌ଫଣ୍ତ୍‌ ଅଭିଯୁକ୍ତ ସା˚ସଦ ରାମଚନ୍ଦ୍ର ହାଁସଦା ବସିଥିଲେ। ସମ୍ଭବତଃ, ରାଫେଲ୍‌ ପ୍ରସଙ୍ଗରେ ଖୋଦ୍‌ କେନ୍ଦ୍ର ସରକାର ଦୁର୍ନୀତି ଅଭିଯୋଗରେ ଏମିତି ଛନ୍ଦି ହୋଇଛନ୍ତି ଯେ, ପ୍ରଧାନମନ୍ତ୍ରୀ ଓଡ଼ିଶାରେ ଭ୍ରଷ୍ଟାଚାର ପ୍ରସଙ୍ଗକୁ ଏଡ଼ାଇଯିବା ପସନ୍ଦ କଲେ। ତେବେ, ରାଫେଲ୍‌ ନେଇ ବିରୋଧୀଙ୍କ ଆକ୍ରମଣର ପାଲଟା ଜବାବରେ ପ୍ରଧାନମନ୍ତ୍ରୀ ଏକା କ˚ଗ୍ରେସକୁ ଲକ୍ଷ୍ୟରେ ରଖି ‘ଚୋର’ ବନାମ୍‌ ଚୌକିଦାର ବାଣ ଛାଡ଼ିଥିଲେ। ଖୋର୍ଦ୍ଧାରେ ଜଳସେଚନ ନେଇ ପ୍ରଧାନମନ୍ତ୍ରୀଙ୍କ ଅଭିଯୋଗର ତଥ୍ୟଭିତ୍ତିକ ଜବାବ ଦେବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ସପ୍ତାହେ ଲାଗି ଗଲା, କିନ୍ତୁ ମହିଳା ପ୍ରସଙ୍ଗରେ ମୋଦୀଙ୍କ ପ୍ରଶ୍ନର ଉତ୍ତର ଦେବାକୁ ବିଜେଡି ଘଣ୍ଟାଏ ମଧୢ ସମୟ ନେଲା ନାହିଁ। କାରଣ ମହିଳା ସୁରକ୍ଷା ଓ କଲ୍ୟାଣ ପ୍ରସଙ୍ଗରେ ବିଜେପି ଶାସିତ ଅନେକ ରାଜ୍ୟର ଅବସ୍ଥା ଠାରୁ ଓଡ଼ିଶାର ସ୍ଥିତି ଭଲ। ମୋଟ ଉପରେ ଧାରଣା ସୃଷ୍ଟି ହୋଇଛି ଯେ, ଖୋର୍ଦ୍ଧା ସଭାର ଏଗାର ଦିନ ପରେ ବିଜେଡି ପ୍ରତି ପ୍ରଧାନମନ୍ତ୍ରୀଙ୍କ ଆଭିମୁଖ୍ୟ ଅଧିକ ନରମ, ଅଧିକ କୋହଳ ହୋଇଛି।

ଏହାର କାରଣ କ’ଣ ହୋଇପାରେ? ଫେବ୍ରୁଆରି, ୨୦୧୭ ପଞ୍ଚାୟତ ନିର୍ବାଚନ ପରେ ରାଜ୍ୟରେ ଶାସକ ବିଜେଡି ପରେ ବିଜେପି ଦୁଇ ନମ୍ବର ରାଜନୈତିକ ଶକ୍ତିର ସ୍ଥାନ ଦାବି କରି ଆସୁଛି। ଏହା ଅଯଥାର୍ଥ ମଧୢ ନୁହେଁ। ବିଜେପୁରଠାରୁ ବିଜାତଳା ପର୍ଯ୍ୟନ୍ତ ପ୍ରତ୍ୟେକ ଉପ-ନିର୍ବାଚନରେ ବିଧାନସଭାରେ ମୁଖ୍ୟ ବିରୋଧୀ ମାନ୍ୟତା ପ୍ରାପ୍ତ କ˚ଗ୍ରେସକୁ ପଛରେ ପକାଇ ବିଜେପି ଶାସକ ବିଜେଡିର ପ୍ରଧାନ ପ୍ରତିଦ୍ବନ୍ଦ୍ବୀ ହୋଇଛି। ଏହି ସ୍ଥିତିରେ ଏକ ନମ୍ବର ସ୍ଥାନ ପାଇଁ ମୁଖ୍ୟ ପ୍ରତିଦ୍ବନ୍ଦ୍ବୀ ବିଜେଡି ପ୍ରତି ହିନ୍ଦୁତ୍ବ ସେନାପତିଙ୍କ ନରମ, କୋହଳ ଆଭିମୁଖ୍ୟ ନିଶ୍ଚୟ ରାଜ୍ୟ ବିଜେପିକୁ ଦ୍ବନ୍ଦ୍ବରେ ପକାଇଛି। କିନ୍ତୁ ଏହା ପଛରେ ଯେ କୌଣସି ଉଦ୍ଦେଶ୍ୟ ନ ଥିବ, ତାହା ସରଳ ଭାବେ ବିଶ୍ବାସ କରିନେବା ନିର୍ବୋଧତା ହେବ। ଏହି ନରମ ଆଭିମୁଖ୍ୟର ଦୁଇଟି ସମ୍ଭାବ୍ୟ କାରଣ ଥାଇପାରେ। ପ୍ରଥମ, ପରିବର୍ତ୍ତିତ ପରିସ୍ଥିତିରେ କେନ୍ଦ୍ରରେ ସରକାର ଗଠନ ପାଇଁ ସ˚ଖ୍ୟାର ଆବଶ୍ୟକ ହେଲେ ସହାୟତା ପାଇଁ ବିଜେଡି ଦ୍ବାର ବନ୍ଦ କରିଦେବାକୁ ବିଜେପି ନେତୃତ୍ବ ଚାହୁଁନାହାନ୍ତି। ବୁଝାମଣାର ବାଟ ଖୋଲା ରଖିବା ଉଦ୍ଦେଶ୍ୟରେ ସ˚ଯମ ଆଚରଣ କରୁଛନ୍ତି। ଦ୍ବିତୀୟ ସମ୍ଭାବ୍ୟ କାରଣ, ନରମ ଆଭିମୁଖ୍ୟ ଦ୍ବାରା ନିଜ ଦଳରେ ଦ୍ବନ୍ଦ୍ବ ସୃଷ୍ଟି କରି ପ୍ରତିପକ୍ଷ ବିଜେଡିକୁ ଫାନ୍ଦରେ ପକାଇବା ଲାଗି ଏହା ଏକ ଚତୁର ଚାଲ୍‌ ହୋଇପାରେ। ଏହାକୁ ବିଶ୍ବାସ କରି ଯଦି ରାଜ୍ୟରେ ପ୍ରଧାନ ପ୍ରତିଦ୍ବନ୍ଦ୍ବୀ ଭାବେ ଉଭା ହେଉଥିବା ବିଜେପି ପ୍ରତି ଶାସକ ବିଜେଡି ଢିଲା ଓ ଅସତର୍କ ହୁଅନ୍ତି, ତେବେ ପାଣି ଭିତରେ କୁମ୍ଭୀର ପିଠିରେ ବସିଥିବା ମାଙ୍କଡ଼ର ଦଶା ଭୋଗିବାକୁ ପଡ଼ିପାରେ। ପ୍ରଧାନମନ୍ତ୍ରୀ ଆକ୍ରମଣ ନରମ ହେଲେ ମଧୢ ମର୍ମଭେଦୀ ଓ ବିଜେଡିର ସ୍ପର୍ଶକାତର ସ୍ଥାନରେ ପ୍ରହାର। ଏ ପରିସ୍ଥିତିରେ ପ୍ରଧାନମନ୍ତ୍ରୀଙ୍କ କଥାରେ ବିଜେପିକୁ ହାଲୁକା ଭାବେ ନେଇ ସାମନ୍ୟତମ ଅସତର୍କତା ବିଜେଡି ଲାଗି ମହଙ୍ଗା ପଡ଼ିପାରେ। ଅବଶ୍ୟ, ବର୍ତ୍ତମାନ ସୁଦ୍ଧା ବିଜେଡିରେ ସେମିତି ଢିଲା କିମ୍ବା ଅସାବଧାନତାର ଲକ୍ଷଣ ଦେଖାଯାଇ ନାହିଁ। କେନ୍ଦ୍ରୀୟ ଅବହେଳା ଓ କୃଷି ପ୍ରସଙ୍ଗରେ ଲଢେ଼ଇକୁ ଦିଲ୍ଲୀ ଦରବାରକୁ ନେଇ ତାତି ବଳବତ୍ତର ରଖିବା ପ୍ରୟାସ ଚାଲିଛି। ତଥାପି, ମୋଦୀଙ୍କ ନରମ ଆଭିମୁଖ୍ୟର ଗଭୀରତାକୁ ଆକଳନ କରି ବିଜେଡି ଅଧିକ ସତର୍କ ନ ରହିଲେ ପରବର୍ତ୍ତୀ ଶହେ ଦିନ ମଧୢରେ ନରମ ଆଭିମୁଖ୍ୟ ଗରମରେ ବଦଳିବାକୁ ବେଶି ସମୟ ଲାଗିବ ନାହିଁ।

ସମ୍ବନ୍ଧିତ ଖବର