ପୂର୍ବତଟ ବିଭାଜନର ଚୋଟ

ରେଳବାଇ କ୍ଷେତ୍ରରେ ଓଡ଼ିଶା ପ୍ରତି ଅବହେଳା ଓ ଉପେକ୍ଷାର ଲମ୍ବା ଇତିହାସରେ ଆଉ ଏକ କଳା ଫର୍ଦ ଯୋଡ଼ି ହୋଇଛି। ଓଡ଼ିଶାବାସୀଙ୍କ ଦୀର୍ଘ ଦିନର ଦାବି ପରେ ୨୦୦୨ରେ ପ୍ରତିଷ୍ଠା ହୋଇଥିଲା ସ୍ବତନ୍ତ୍ର ପୂର୍ବତଟ ରେଳ ଜୋନ୍‌। ସତର ବର୍ଷ ପରେ ବୟଃପ୍ରାପ୍ତ ହୋଇ ଡେଣା ମେଲାଇ ଏହା ଉଡ଼ିବାକୁ ଆରମ୍ଭ କରୁଥିବା ବେଳେ ଏହାର ପକ୍ଷଚ୍ଛେଦନ କରାଯାଇଛି। ପଡେ଼ାଶୀ ଆନ୍ଧ୍ର ପ୍ରଦେଶକୁ ସନ୍ତୁଷ୍ଟ କରିବା ଲାଗି ଆଉ ଏକ ସ୍ବତନ୍ତ୍ର ରେଳ ଜୋନ୍‌ ‘ଦକ୍ଷିଣତଟ’ ଗଠନ ସକାଶେ ପୂର୍ବତଟ ରେଳ ଜୋନ୍‌ ଉପରେ ଚୋଟ ପଡ଼ିଛି; ଯାହା ଓଡ଼ିଶା ସ୍ବାର୍ଥ ଉପରେ ମଧୢ ଏକ ଘାତକ ଚୋଟ। ଦକ୍ଷିଣତଟ ରେଳ ଜୋନ୍‌ ଗଠନ ପାଇଁ ପୂର୍ବତଟ ରେଳ ଜୋନ୍‌ର ବିଭାଜନ କରାଯାଇଛି। ପୂର୍ବତଟ ଅଧୀନରେ ଥିବା ଵାଲ୍‌ଟିୟର‌୍‌ ରେଳ ଡିଭିଜନକୁ ସମ୍ପୂର୍ଣ୍ଣ ଭାଙ୍ଗି ଦିଆଯାଇଛି। ଏହି ଡିଭିଜନର ଆନ୍ଧ୍ର ଅଞ୍ଚଳକୁ ବିଶାଖାପାଟଣା ଡିଭିଜନରେ ମିଶାଇ ଦିଆଯାଇଥିବା ବେଳେ ଓଡ଼ିଶା ଓ ଛତିଶଗଡ଼ର ଅବଶିଷ୍ଟ ଅଞ୍ଚଳକୁ ନେଇ ରାୟଗଡ଼ାଠାରେ ଆଉ ଏକ ଡିଭିଜନ ଖୋଲାଯାଇଛି। ଏହି ନୂଆ ଡିଭିଜନ ପୂର୍ବତଟ ଅଧୀନରେ ରହିବ।

ଆନ୍ଧ୍ରପ୍ରଦେଶ ପାଇଁ ଏକ ସ୍ବତନ୍ତ୍ର ରେଳ ଜୋନ୍‌ ପ୍ରତିଷ୍ଠା ଲାଗି ରେଳବାଇର ଏ ପୁନର୍ଗଠନ ପ୍ରକ୍ରିୟା ନେଇ ଓଡ଼ିଶାର କୌଣସି ଆପତ୍ତି ରହି ନଥାନ୍ତା, ଯଦି ଏହି ପ୍ରକ୍ରିୟାରେ ଆନ୍ଧ୍ରପ୍ରଦେଶ ସହ ଓଡ଼ିଶାର ସ୍ବାର୍ଥକୁ ମଧୢ ସମାନ ଗୁରୁତ୍ବ ଦିଆଯାଇଥାନ୍ତା। ପୁନର୍ଗଠନରେ ଆନ୍ଧ୍ରର ସ୍ବାର୍ଥ ପ୍ରତି ଗୁରୁତ୍ବ ଦିଆଯାଇଥିବା ବେଳେ ଓଡ଼ିଶାର ସ୍ବାର୍ଥକୁ ଅବହେଳା କରାଯାଇଛି। ପୁନର୍ଗଠନ ପରିପ୍ରେକ୍ଷୀରେ ୨୦୧୯ରେ ଓଡିଶା କେନ୍ଦ୍ରୀୟ ପୂର୍ବତଟ ରେଳ ଜୋନ୍‌ର ଭାଗ୍ୟ ସହ ୧୯୩୬ରେ ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶର ଭାଗ୍ୟ ଅନେକା˚ଶରେ ମେଳ ଖାଉଛି। ଦୀର୍ଘ ଆନ୍ଦୋଳନ ପରେ ଓଡ଼ିଶାବାସୀ ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ପାଇଲେ, କିନ୍ତୁ ସେ ଥିଲା ଏକ ଖଣ୍ତିତ ଓଡ଼ିଶା। ଓଡ଼ିଆ ଭାଷାଭାଷୀ ଅନେକ ଅଞ୍ଚଳ ନବଗଠିତ ଓଡ଼ିଶା ସୀମା ମଧୢକୁ ନ ଆସି ପଶ୍ଚିମବଙ୍ଗ, ବିହାର, ମଧୢପ୍ରଦେଶ ଓ ଆନ୍ଧ୍ରପ୍ରଦେଶ ଆଦି ପଡେ଼ାଶୀ ରାଜ୍ୟରେ ରହିଗଲା। ସେମିତି ୨୦୦୨ରେ ଓଡ଼ିଶାର ରାଜଧାନୀ ଭୁବନେଶ୍ବରଠାରେ ମୁଖ୍ୟ ମୁଖ୍ୟାଳୟ ସହ ପୂର୍ବତଟ ରେଳ ଜୋନ୍‌ ପ୍ରତିଷ୍ଠା ହେଲା। ଅଥଚ, ଭୌଗୋଳିକ ଦୃଷ୍ଟିରୁ ଓଡ଼ିଶାର ସବୁ ଅଞ୍ଚଳ ଏହି ନୂତନ ଜୋନ୍‌ର ପରିସରଭୁକ୍ତ ହୋଇ ପାରିଲା ନାହିଁ। ସୁନ୍ଦରଗଡ଼ ଜିଲ୍ଲାର ବନ୍ଧମୁଣ୍ତା- ରାଉରକେଲାଠାରୁ ଆରମ୍ଭ କରି ଅବିଭକ୍ତ ସମ୍ବଲପୁର ଜିଲ୍ଲାର ଝାରସୁଗୁଡ଼ା, ବେଲପାହାଡ଼ ପର୍ଯ୍ୟନ୍ତ ବିସ୍ତୀର୍ଣ୍ଣ ଅଞ୍ଚଳ ପୂର୍ବତଟ ରେଳଜୋନ୍‌ ଅଧୀନକୁ ଆସିଲା ନାହିଁ। ଏହିସବୁ ଅଞ୍ଚଳ କୋଲ୍‌କାତାରେ ମୁଖ୍ୟ କାର୍ଯ୍ୟାଳୟ ଥିବା ଦକ୍ଷିଣ ପୂର୍ବ ରେଳ ଜୋନ୍‌ ଅଧୀନରେ ରହିଗଲା। ଏବେ ଯେତେବେଳେ ସତର ବର୍ଷ ପରେ ଆନ୍ଧ୍ରପ୍ରଦେଶ ପାଇଁ ସ୍ବତନ୍ତ୍ର କରି ଦକ୍ଷିଣତଟ ରେଳ ଜୋନ୍‌ ପ୍ରତିଷ୍ଠା ଲାଗି ସାନି ପୁନର୍ଗଠନ ହେଉଛି, ସେତେବେଳେ ୨୦୦୨ରେ ବାଦ୍‌ ପଡ଼ିଥିବା ଓଡ଼ିଶା ଅଞ୍ଚଳକୁ ପୂର୍ବତଟ ଜୋନ୍‌ରେ ସାମିଲ କରାଯିବା ବିଷୟ ବିଚାରକୁ ସୁଦ୍ଧା ନିଆ ନଯିବା ଦୁର୍ଭାଗ୍ୟଜନକ। ଏହା ରେଳବାଇ କ୍ଷେତ୍ରରେ ଓଡ଼ିଶା ପ୍ରତି କେନ୍ଦ୍ରର ନକରାତ୍ମକ ଆଭିମୁଖ୍ୟର ଦୁଃଖଦ ସ˚କେତ। ବାଦ୍ ପଡ଼ିଥିବା ଓଡ଼ିଶା ଅଞ୍ଚଳ ପୂର୍ବତଟ ଅଧୀନକୁ ଆସିଲା ନାହିଁ, କିନ୍ତୁ ବିକଳ୍ପ ସ୍ବରୂପ ପୂର୍ବତଯକୁ ଦିଆଯାଇଥିବା ଆନ୍ଧ୍ର ଅଞ୍ଚଳକୁ ଛଡ଼ାଇ ନିଆଗଲା। ଏହା ଆନ୍ଧ୍ରକୁ ନ୍ୟାୟ, କିନ୍ତୁ ଓଡ଼ିଶା ପ୍ରତି ଅନ୍ୟାୟ। ଯଦି ବାଦ୍‌ ପଡ଼ିଥିବା ଓଡ଼ିଶା ଅଞ୍ଚଳକୁ ପୂର୍ବତଟ ଜୋନ୍‌ରେ ସାମିଲ କରାଯାଇଥାନ୍ତା, ତେବେ ପୂର୍ବତଟ ହାତରୁ ଆନ୍ଧ୍ର ଅଞ୍ଚଳ କାଢ଼ି ନିଆଯିବା ଫଳରେ ହୋଇଥିବା କ୍ଷତିର କିଛି ମାତ୍ରାରେ ଭରଣା ହୋଇ ପାରିଥାନ୍ତା। ଓଡ଼ିଶାବାସୀ ଆଶ୍ବସ୍ତ ହୋଇଥାନ୍ତେ ଯେ ଅନ୍ତତଃ ଭୌଗୋଳିକ ଦୃଷ୍ଟିରୁ ପୂରା ଓଡ଼ିଶାର ରେଳବାଇ ବିକାଶ, ରେଳ ପ୍ରଶାସନ ଯାତ୍ରୀ ସେବା ଆଦି ପୂର୍ବତଟ ରେଳ ଜୋନ୍‌ର ପରିସରଭୁକ୍ତ ହେଲା। ଓଡ଼ିଶାର ଭାବାବେଗ ଦୃଷ୍ଟିରୁ ଏଭଳି କରାଯିବା ଅତ୍ୟନ୍ତ ନ୍ୟାୟୋଚିତ ଥିଲା। କିନ୍ତୁ ସତର ବର୍ଷ ତଳେ ଓଡ଼ିଶା ପ୍ରତି ହୋଇଥିବା ଅନ୍ୟାୟର କୌଣସି ସମାଧାନ ନ କରି, ପୂର୍ବତଟ ରେଳ ଜୋନର ବିଭାଜନ, ଓଡ଼ିଶା ଓ ଓଡ଼ିଶାବାସୀଙ୍କ କଟା ଘା’ରେ ଚୂନ ସଦୃଶ। କେନ୍ଦ୍ର ସରକାରଙ୍କ ରେଳ ମନ୍ତ୍ରଣାଳୟ ଓ ରେଳବାଇ ବୋର୍ଡଙ୍କ ବିଚାରରେ ଓଡ଼ିଶାର ସ୍ବାର୍ଥ, ସ୍ବାଭିିମାନ ଓ ଭାବାବେଗର ଯେ କୌଣସି ମୂଲ୍ୟ ନାହିଁ, ପୂର୍ବତଟ ରେଳ ଜୋନ୍‌ର ବିଭାଜନ ଏହାର ଆଉ ଏକ ପ୍ରମାଣ।

ପୂର୍ବତଟ ରେଳ ଜୋନ୍‌ର ବିଭାଜନର ଅର୍ଥ କେବଳ ଏହାର ଭୌଗୋଳିକ ପରିସରର ସ˚କୋଚନ ନୁହେଁ। ବିଭାଜନ ଫଳରେ ଜୋନ୍‌ ଏକାଧିକ ଦୃଷ୍ଟିରୁ ପ୍ରଭାବିତ ହେବ, ଏ ପ୍ରକ୍ରିୟାରେ ଓଡ଼ିଶାରେ ରେଳବିକାଶ ଓ ରେଳସେବା ମଧୢ ବାଧାପ୍ରାପ୍ତ ହେବା ଆଶଙ୍କାକୁ ଏଡ଼ାଯାଇ ନପାରେ। ପ୍ରଥମ, ଆନ୍ଧ୍ର ଅଞ୍ଚଳରେ ଥିବା ଭାଇଜାଗ୍‌ ଇସ୍ପାତ କାରଖାନା ଓ ବିଶାଖାପାଟଣା ବନ୍ଦର ଚାଲିଗଲା ପରେ ପୂର୍ବତଟ ଜୋନ୍‌ର ଆୟ ଉଲ୍ଲେଖନୀୟ ଭାବେ ହ୍ରାସ ପାଇବ। ଏକ ଆକଳନ ଅନୁଯାୟୀ ବିଶାଖାପାଟଣା ବନ୍ଦର ଓ ଭାଇଜାଗ୍‌ ଇସ୍ପାତ କାରଖାନା ପୂର୍ବତଟ ଜୋନ୍‌ର ପରିସରରୁ ବାହାରିଯିବା ଫଳରେ ଏହାର ଆୟ ବାର୍ଷିକ ପ୍ରାୟ ୫୦୦୦ କୋଟି ଟଙ୍କା କମିଯିବ। ଗତ ଗୋଟିଏ ଦଶକ ଧରି ପୂର୍ବତଟ ଜୋନ୍‌ର ବାର୍ଷିକ ଆୟ ହାରାହାରି ୧୫ ହଜାର କୋଟି ଟଙ୍କା ରହି ଆସିଛି। ଅଥଚ, କୌଣସି ବର୍ଷ ସମାନୁପାତିକ ଭାବେ ରେଳ ବଜେଟ୍‌ରେ ଓଡ଼ିଶା ପାଇଁ ଆବଶ୍ୟକ ବ୍ୟୟ ବରାଦ ହୁଏ ନାହିଁ। ଆୟ ପରିମାଣ ହ୍ରାସ ଫଳରେ ବ୍ୟୟବରାଦ ଆହୁରି କମିବ। ପୂର୍ବତଟ ଜୋନ୍‌ର ଆୟ ହ୍ରାସ ଯୋଗୁ ଓଡ଼ିଶା ମଧୢ ରାଜସ୍ବ ହରାଇବ। ପୂର୍ବତଟ ବିଭାଜନ ଜନିତ ଦ୍ବିତୀୟ ଗୁରୁତ୍ବପୂର୍ଣ୍ଣ ପ୍ରଭାବ ରେଳ ଇଞ୍ଜିନ୍‌, କୋଚ୍‌, ଵାଗନ୍‌ ଆଦି ରକ୍ଷଣାବେକ୍ଷଣ ଉପରେ ପଡ଼ିବ। ଡିଜେଲ ଇଞ୍ଜିନ୍‌ ଓ ଵାଗନ୍‌ କୋଚ୍‌ ଆଦିର ରକ୍ଷଣାବେକ୍ଷଣ ପାଇଁ ପୂର୍ବତଟ ରେଳ ଜୋନ୍‌ର ସବୁଠାରୁ ବଡ଼ ଵାର୍କସପ୍‌ ବିଶାଖାପାଟଣାରେ ଥିଲା। ଏବେ ବିଶାଖାପାଟଣା ଵାର୍କସପ୍‌ ପୂର୍ବତଟ ଅଧୀନରୁ ଚାଲିଯିବା ଫଳରେ ରକ୍ଷଣାବେକ୍ଷଣ ମଧୢ କିଛି ମାତ୍ରାରେ ବାଧାପ୍ରାପ୍ତ ହେବ; ଯାହା ରେଳସେବାର ଗୁଣାତ୍ମକ ମାନକୁ ପ୍ରଭାବିତ କରିପାରେ।

ଫେବ୍ରୁଆରିରେ ଅନ୍ତରୀଣ ରେଳ ବଜେଟ୍‌ରେ ଖୋର୍ଦ୍ଧା-ବଲାଙ୍ଗୀର ସମେତ ଅଧିକା˚ଶ ଗୁରୁତ୍ବପୂର୍ଣ୍ଣ ଓଡ଼ିଶା ରେଳ ପ୍ରକଳ୍ପ ପାଇଁ କମ୍‌ ବ୍ୟୟବରାଦ ପରେ ପରେ ପୁନର୍ଗଠନ ଆଳରେ ପୂର୍ବତଟ ରେଳ ଜୋନ୍‌ର ଏକତରଫା ବିଭାଜନ କଣ ସ˚କେତ ଦେଉଛି? ଚାରିବର୍ଷ ତଳେ ତତ୍କାଳୀନ ରେଳମନ୍ତ୍ରୀ ସୁରେଶ ପ୍ରଭୁ ଘୋଷଣା କରିଥିଲେ ଯେ, ରେଳବାଇ ପାଇଁ ଓଡ଼ିଶା ଏକ ‘ଫୋକସ୍‌ ରାଜ୍ୟ’। ପ୍ରଭୁଙ୍କ ଏହି ‘ଫୋକସ୍‌ ରାଜ୍ୟ’ ଘୋଷଣା ପଛରେ ନିଷ୍ଠା ଓ ଆନ୍ତରିକତା ଥିଲା। ଓଡ଼ିଶାର ବିଭିନ୍ନ ପ୍ରକଳ୍ପ ପାଇଁ ଅଧିକ ବ୍ୟୟବରାଦ, ରାଜ୍ୟ ସରକାରଙ୍କ ସହଯୋଗରେ ନୂଆ ପ୍ରକଳ୍ପ ପାଇଁ ଏମ୍‌ଓୟୁ ସ୍ବାକ୍ଷର ଓ ଏସ୍‌ପିଭି ଗଠନରେ ଏହା ପ୍ରତିଫଳିତ ହୋଇଥିଲା। ଏଥିରୁ ଓଡ଼ିଶା ପ୍ରତି ରେଳବାଇର ନକରାତ୍ମକ ଆଭିମୁଖ୍ୟ ବଦଳୁଥିବାର ସ˚କେତ ମଧ୍ୟ ମିଳୁଥିଲା। କିନ୍ତୁ ପ୍ରଭୁ ରେଳମନ୍ତ୍ରୀ ପଦରୁ ଗଲା ପରେ ଓଡ଼ିଶା ଆଉ ‘ଫୋକସ୍‌ ଷ୍ଟେଟ୍‌’ ହୋଇ ରହିନାହିଁ। ପୁଣି ସେହି ନକରାତ୍ମକ ଆଭିମୁଖ୍ୟ। ପ୍ରକଳ୍ପଗୁଡ଼ିକ ପାଇଁ ବ୍ୟୟବରାଦ ହ୍ରାସ, ବିଭିନ୍ନ ପ୍ରସ୍ତାବିତ ପ୍ରକଳ୍ପର ବାତିଲ, ଅନ୍ୟ କେତେକ ପ୍ରକଳ୍ପ ନେଇ ଅଯଥା ଟାଳଟୁଳ, ପାଣ୍ଠି ଥାଇ ମଧୢ ବିଭିନ୍ନ ଆଳରେ କମ୍‌ ବ୍ୟୟ ଓ ପ୍ରକଳ୍ପ କାର୍ଯ୍ୟକାରିତାରେ ମନ୍ଥରତା ଏହାର ପ୍ରମାଣ। ରେଳବାଇ କ୍ଷେତ୍ରରେ ଅବହେଳା, ଉପେକ୍ଷାର ଅଭିଶାପରୁ ଓଡ଼ିଶା ମୁକୁଳି ପାରୁନାହିଁ। ଓଡ଼ିଶାର ସ୍ବାର୍ଥ ଉପରେ ଚୋଟ ମାରି ପୂର୍ବତଟ ରେଳ ଜୋନ୍‌ର ବିଭାଜନ ଏହାର ସଦ୍ୟତମ ଅଶୁଭ ସ˚କେତ।

ତେବେ, ଗୋଟିଏ ଆଶା ଯେ, କେନ୍ଦ୍ର ସରକାର ଓ ରେଳବାଇର ତୁଙ୍ଗ କର୍ତ୍ତୃପକ୍ଷ ଇଚ୍ଛା କଲେ ପୂର୍ବତଟ ଜୋନ୍‌ର ବିଭାଜନରେ ଓଡ଼ିଶାର ସ୍ବାର୍ଥ ଉପରେ ଚୋଟ ଜନିତ କ୍ଷତର କିଛି ମାତ୍ରାରେ ଉପଶମ ନିଶ୍ଚୟ ହୋଇପାରିବ। ଦକ୍ଷିଣ-ପୂର୍ବ ରେଳବାଇ ଅଧୀନରେ ଥିବା ସମସ୍ତ ଅଞ୍ଚଳକୁ ପୂର୍ବତଟ ରେଳ ଜୋନ୍‌ର ପରିସରଭୁକ୍ତ କରାଯାଉ। ଏହାଦ୍ବାରା ରାଉରକେଲା ଇସ୍ପାତ କାରଖାନା, ଇବ୍‌- ଉପତ୍ୟକା କୋଇଲା କ୍ଷେତ୍ର, ଯୋଡ଼ା-ବଡ଼ବିଲ ଖଣି ଅଞ୍ଚଳ ପୂର୍ବତଟ ଅଧୀନକୁ ଆସିବ। ଫଳରେ ଭାଇଜାଗ୍‌ ଇସ୍ପାତ କାରଖାନା, ବିଶାଖାପାଟଣା ବନ୍ଦର କାଢ଼ି ନିଆଯିବା ଜନିତ ରାଜସ୍ବ କ୍ଷତିର କିଛି ପରିମାଣରେ ଭରଣା ହୋଇପାରିବ। ଇଞ୍ଜିନ୍‌, କୋଚ୍‌, ଵାଗନ୍‌ ଆଦିର ରକ୍ଷଣା ବେକ୍ଷଣ ପାଇଁ ବନ୍ଧମୁଣ୍ତା ଵାର୍କସପ୍‌ର କ୍ଷମତା ବୃଦ୍ଧି, ଆଧୁନିକୀକରଣ ସହ ଶୀତଳଭଣ୍ତାରରେ ପଡ଼ିଥିବା ଶୀତଳାପଲ୍ଲୀ ଵାଗନ୍‌ କାରଖାନା, କେସିଙ୍ଗା ଵାଗନ୍‌ ମରାମତିି ପ୍ରକଳ୍ପ ମମୁକାବିଲା ହୋଇପାରିବ। ରେଳବାଇ ମନ୍ତ୍ରଣାଳୟ, ରେଳବାଇ ବୋର୍ଡ ସର୍ବୋପରି କେନ୍ଦ୍ରର କ୍ଷମତାସୀନ ରାଜନୈତିକ ନେତୃତ୍ବ ଇଚ୍ଛା କଲେ ଏହା ଅସମ୍ଭବ ହେବନାହିଁ।

ପୂର୍ବତଟ ବିଭାଜନର ପ୍ରତିବାଦରେ ଓଡ଼ିଶାର କ୍ଷମତାସୀନ ଆଞ୍ଚଳିକ ଦଳ ବିଜେଡି ଆନ୍ଦୋଳନକୁ ଓହ୍ଲାଇଛି। ତେବେ, ଏ ପ୍ରସଙ୍ଗ ଓଡ଼ିଶାରେ କ୍ଷମତା ହାସଲ ପାଇଁ ବ୍ୟଗ୍ର ବିଜେପି ପାଇଁ ଏକ ସୁଯୋଗ। ବିଜେପିର ରାଜ୍ୟ ନେତୃତ୍ବ କେନ୍ଦ୍ର ସରକାରଙ୍କ ପାଖରେ ଓଡ଼ିଶାର ସ୍ବାର୍ଥ ଓ ଭାବାବେଗ ସହ ଯୋଡ଼ି ହୋଇଥିବା ଏ ଦାବି ଉଠାନ୍ତୁ। ଓଡ଼ିଶାର ସ୍ବାର୍ଥ ଓ ସ୍ବାଭିମାନର ରକ୍ଷା ପାଇଁ ଦଳର ଅଙ୍ଗୀକାର ଯେ ଭେଜାଲ୍‌ ନୁହେଁ, ତା’ର ପ୍ରମାଣ ଦେବା ଲାଗି ରାଜ୍ୟ ବିଜେପି ପାଇଁ ଏହା ଏକ ଅବକାଶ।

ସମ୍ବନ୍ଧିତ ଖବର