ଏତିକିରେ ମାନ୍ଦାବସ୍ଥା ହଟିବ?

0

ସାଧାରଣ ନିର୍ବାଚନ ପୂର୍ବରୁ ଆରମ୍ଭ ହୋଇଥିବା ସୁଧହାର ହ୍ରାସ ଧାରାକୁ ଭାରାତୀୟ ରିଜର୍ଭ ବ୍ୟାଙ୍କ୍‌ ନିର୍ବାଚନ ପରେ ମଧୢ ଜାରି ରଖିଛନ୍ତି। ଫେବ୍ରୁଆରି ଓ ଏପ୍ରିଲରେ ଦୁଇଟି କିସ୍ତିରେ ୦.୨୫% ଲେଖାଁ ସୁଧହାର ହ୍ରାସ ପରେ ଲଗାତାର ତୃତୀୟ ଥର ପାଇଁ ସୁଧ ହାର ପୁଣି ଆଉ ୦.୨୫% ହ୍ରାସ କରାଯାଇଛି। ଫଳରେ କେନ୍ଦ୍ରୀୟ ବ୍ୟାଙ୍କ୍‌ (ଆର‌୍‌ବିଆଇ) ବ୍ୟାବସାୟିକ ବ୍ୟାଙ୍କ ଗୁଡ଼ିକୁ ଦେଇଥିବା ଋଣ ଉପରେ ସୁଧହାର (ରେପୋ) ୨୦୧୦ ପରେ ସର୍ବନିମ୍ନ ୫.୭୫%କୁ ଖସି ଆସିଛି।

ଭାରତୀୟ ରିଜର୍ଭ ବ୍ୟାଙ୍କ୍‌ର ଛଅ ଜଣିଆ ମୁଦ୍ରାନୀତି କମିଟି ସର୍ବସମ୍ମତିକ୍ରମେ ସୁଧହାର ଆଉ ୨୫ ବେସିସ୍‌ ପଏଣ୍ଟ୍‌ କମାଇବା ପାଇଁ ନେଇଥିବା ନିଷ୍ପତ୍ତି ଆଦୌ ଅପ୍ରତ୍ୟାଶିତ ନୁହେଁଁ। ବର˚ ଆଶା କରାଯାଉଥିଲା ଯେ, ମାନ୍ଦାବସ୍ଥା ଦ୍ବାରା ଆକ୍ରାନ୍ତ ହୋଇ ଧିମା ଅର୍ଥନୀତିକୁ ଗତି ଦେବା ପାଇଁ ମୁଦ୍ରା କମିଟି ୫୦ ବେସିସ୍‌ ପଏଣ୍ଟ୍‌ ବା ପୂର୍ବ ଦୁଇ କିସ୍ତି ତୁଳନାରେ ‘ରେପୋ’ ରେଟ୍‌ ଦୁଇଗୁଣ ଅର୍ଥାତ୍‌ ୦.୫% ହ୍ରାସ କରିବେ। ତେବେ ସୁଧହାର ପ୍ରସଙ୍ଗରେ ମୁଦ୍ରାନୀତି କମିଟି ପୂର୍ବାପେକ୍ଷା ଅଧିକ କୋହଳ ନୀତି ଗ୍ରହଣ କରିଥିଲେ ସୁଦ୍ଧା ରକ୍ଷଣଶୀଳ ଭାବେ ଏଥର ମଧୢ ସୁଧହାର ହ୍ରାସ କିସ୍ତିକୁ ପୂର୍ବଭଳି ୦.୨୫%ରେ ଅପରିବର୍ତ୍ତିତ ରଖିଛନ୍ତି। ଅବଶ୍ୟ, ଏଥର ସୁଧହାର ସମୀକ୍ଷା ପ୍ରସଙ୍ଗରେ ଯାହା ଉଲ୍ଲେଖନୀୟ, ତା’ ହେଲେ ଆର‌୍‌ବିଆଇ ଅର୍ଥନୀତିରେ ମାନ୍ଦାବସ୍ଥାକୁ ଆନୁଷ୍ଠାନିକ ଭାବେ ସ୍ବୀକାର କରିଛନ୍ତି। ରିଜର୍ଭ ବ୍ୟାଙ୍କ୍‌ ମୁଖ୍ୟ ଶକ୍ତିକାନ୍ତ ଦାସ କହିଛନ୍ତି ଯେ, ଅର୍ଥନୀତିରେ ସା˚ପ୍ରତିକ ମାନ୍ଦାବସ୍ଥା ମୁଦ୍ରାନୀତି କମିଟିକୁ ନୀତି ବଦଳାଇବା ଲାଗି ବାଧୢ କରିଛି। ସୁଧହାର ପ୍ରସଙ୍ଗରେ ପୂର୍ବର ‘ନିଉଟ୍ରାଲ’ ପରିବର୍ତ୍ତେ ‘ଆକୋମୋଡେ଼ଟିଭ୍‌’ ନୀତି ଗ୍ରହଣ କରାଯାଇଛି। ଏହାର ଅର୍ଥ ଅର୍ଥନୀତିକୁ ଗତି ଦେଇ ପୁଣି ଦୃଢ଼ ଅଭିବୃଦ୍ଧି ରାସ୍ତାକୁ ଫେରାଇ ଆଣିବା ଦିଗରେ ଆର‌୍‌ବିଆଇ ଏବେ ଅଧିକ ସହଯୋଗପୂର୍ଣ୍ଣ କୋହଳ ଆଭିମୁଖ୍ୟ ଗ୍ରହଣ କରିବେ। ମୁଦ୍ରାସ୍ଫୀତି ହାର ସନ୍ତୋଷଜନକ (ଏପ୍ରିଲ-ସେପ୍ଟେମ୍ବର ୩- ୩.୧% ଓ ଅକ୍ଟୋବର-ମାର୍ଚ୍ଚ ୩.୪- ୩.୭%) ସ୍ତରରେ ରହିବା ନେଇ ଆକଳନ ଆର‌୍‌ବିଆଇ ପାଇଁ କୋହଳ ହେବାର ସୁଯୋଗ ଦେଇଛି। ଆର‌୍‌ବିଆଇର ନୀତି ପରିବର୍ତ୍ତନ ସ୍ପଷ୍ଟ ସୂଚନା ଦେଉଛି ଯେ, ନିକଟ ଭବିଷ୍ୟତରେ ସାନି ସୁଧହାର ବୃଦ୍ଧିର ସମ୍ଭାବନା ନାହିଁ। ଅନ୍ୟପକ୍ଷରେ ଆବଶ୍ୟକ ପଡ଼ିଲେ ଅର୍ଥନୀତିକୁ ଇନ୍ଧନ ଯୋଗାଇବା ପାଇଁ ଆଗାମୀ ଦିନରେ ସୁଧହାର ଆହୁରି ହ୍ରାସ କରାଯାଇପାରେ। ସୁଧହାର ହ୍ରାସର ଅର୍ଥ ଶସ୍ତା ଋଣ; ଯାହା ପୁଞ୍ଜି ବିନିଯୋଗକୁ ପ୍ରୋତ୍ସାହିତ କରି ଅର୍ଥନୈତିକ ଅଭିବୃଦ୍ଧିକୁ ତ୍ବରାନ୍ବିତ କରିବାରେ ସହାୟକ ହେବ। ଅର୍ଥନୈତିକ ଅଭିବୃଦ୍ଧି ସହ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟିର ସମ୍ଭାବନା ଯୋଡ଼ି ହୋଇଥାଏ। ମାନ୍ଦାବସ୍ଥା ଓ ବେକାରି-ଦ୍ବୈତ ଆହ୍ବାନର ମୁକାବିଲା ଦିଗରେ ଆର‌୍‌ବିଆଇ ପକ୍ଷରୁ ସୁଧହାର ହ୍ରାସ ଗୋଟିଏ କ୍ଷୁଦ୍ର ପଦକ୍ଷେପ।

ଉଲ୍ଲେଖ ଅନାବଶ୍ୟକ ଯେ, ଭାରତୀୟ ଅର୍ଥନୀତିରେ ସା˚ପ୍ରତିକ ସ୍ବାସ୍ଥ୍ୟ ଆଦୌ ଭଲ ନୁହେଁ। ୨୦୧୮-୧୯ ଆର୍ଥିକ ବର୍ଷର ଶେଷ ତିନିମାସରେ ଅଭିବୃଦ୍ଧି ହାର ୫ ବର୍ଷରେ ସର୍ବନିମ୍ନ ସ୍ତର ୫.୮% ଏବ˚ ସାମଗ୍ରିକ ଭାବେ ପୂରା ବର୍ଷର ଅଭିବୃଦ୍ଧି ୭% ତଳେ ୬.୮%କୁ ଖସିଛି। ସା˚ପ୍ରତିକ ମାନ୍ଦାବସ୍ଥା ପରିପ୍ରେକ୍ଷୀରେ ଆର‌୍‌ବିଆଇ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ଧାର୍ଯ୍ୟ ଅର୍ଥନୈତିକ ଅଭିବୃଦ୍ଧି ଲକ୍ଷ୍ୟକୁ ୭.୨%ରୁ ୭%କୁ କମାଇ ଦେଇଛନ୍ତି। ସା˚ପ୍ରତିକ ଅର୍ଥନୈତିକ ମାନ୍ଦାବସ୍ଥା ପଛରେ ଶିଲ୍ପ ଉତ୍ପାଦନ ହ୍ରାସ, ଖଣି ଓ କୃଷି କ୍ଷେତ୍ରରେ ମନ୍ଥରତା, ଭାରତୀୟ ଖାଉଟି, ବିଶେଷ କରି ଗ୍ରାମାଞ୍ଚଳ ଗ୍ରାହକଙ୍କ ମଧୢରେ ଚାହିଦାର ଅଭାବ ଆଦି ଅନେକ କାରଣ ରହିଛି। କିନ୍ତୁ ମାନ୍ଦାବସ୍ଥାର ପ୍ରମୁଖ କାରଣ ହେଲା, ନୂଆ ପୁଞ୍ଜି ବିନିଯୋଗରେ ତିରୋଟ। ଗୋଟିଏ ପଟେ ସରକାରୀ ଖର୍ଚ୍ଚ ବଢ଼ୁନାହିଁ, ଅନ୍ୟପକ୍ଷରେ ଘରୋଇ କ୍ଷେତ୍ରରେ ପୁଞ୍ଜି ବିନିଯୋଗ ମଧୢ ଆଶାଜନକ ନୁହେଁ। ପୁଞ୍ଜି ବିନିଯୋଗ କ୍ଷେତ୍ରରେ ଅନ୍ତରାୟ ହେଉଛି ମହଙ୍ଗା ଋଣ। କେନ୍ଦ୍ରୀୟ ବ୍ୟାଙ୍କ୍‌ର ଗଭର୍ଣ୍ଣର ଏକମତ ଯେ ଉପରୋକ୍ତ କାରଣ ଗୁଡ଼ିକ ଯୋଗୁ ଭାରତୀୟ ଅର୍ଥନୀତି ମାନ୍ଦାବସ୍ଥା ମଧୢକୁ ଠେଲି ହୋଇଯାଉଛି। ତାଙ୍କର ଆଶା ଯେ, ମାନ୍ଦାବସ୍ଥାର କାରଣ ଗୁଡ଼ିକର ନିରାକରଣ ଲାଗି ସୁଧହାର ହ୍ରାସ ଔଷଧର କାର୍ଯ୍ୟ କରିିବ।

ରିଜର୍ଭବ୍ୟାଙ୍କ୍‌ ଗଭର୍ଣ୍ଣର ମହୋଦୟ ଡାକ୍ତର ଭାବେ ହୁଏତ ଭାରତୀୟ ଅର୍ଥନୀତିକୁ ଆକ୍ରାନ୍ତ କରିଥିବା ଅପଲକ୍ଷଣ ଗୁଡ଼ିକ ଠିକ୍‌ ଚିହ୍ନଟ କରିଥାଇ ପାରନ୍ତି। କିନ୍ତୁ ରୋଗର ଉପଚାର ଲାଗି କେବଳ ସୁଧହାର ହ୍ରାସ ରୂପକ ଔଷଧ କ’ଣ ଯଥେଷ୍ଟ? ଫେବ୍ରୁଆରି ଓ ଏପ୍ରିଲ୍‌ରେ ମଧୢ ସୁଧ ହାର ହ୍ରାସ ବେଳେ ସମାନ ପ୍ରକାର ଆଶା ପ୍ରକାଶ କରାଯାଇଥିଲା। ମାନ୍ଦେଇ ଥିବା ଅର୍ଥନୀତିକୁ ଗତି ଦେବା ଲାଗି ସୁଧହାର ହ୍ରାସ ‘କୋରୋମିନ୍‌’ ଭଳି କାମ କରିବ ବୋଲି ଆଶା ପ୍ରକାଶ ପାଇଥିଲା। କିନ୍ତୁ କୋରାମିନ୍‌ କାଟୁ କଲା ନାହିଁ। ଅର୍ଥନୀତି ପୂର୍ବାପେକ୍ଷା ଆହୁରି ଧିମେଇଲା। ପୂର୍ବ ତିନିଟି ତିନିମାସିଆ ତୁଳନାରେ ଆର୍ଥିକ ବର୍ଷର ଶେଷ ତିନିମାସରେ ଅଭିବୃଦ୍ଧି ଆହୁରି ତଳକୁ ଖସିବା ଏହାର ଦୁଃଖଦ ସୂଚକ। ସୁଧ ହାର ହ୍ରାସ ସତ୍ତ୍ବେ ଅର୍ଥନୀତି ଗତି ଧରି ନପାରିବାର ମୁଖ୍ୟ କାରଣ ସୁଧହାର ହ୍ରାସର ଅଧା ସୁଦ୍ଧା ଲାଭ ତଳକୁ ଗଡ଼ିଲା ନାହିଁ। ଖୋଦ୍‌ ଆର‌୍‌ବିଆଇଙ୍କ ଆକଳନ ଅନୁଯାୟୀ ଫେବ୍ରୁଆରି ଓ ଏପ୍ରିଲ୍‌ରେ ଦୁଇଟି କିସ୍ତିରେ ମୋଟ ୫୦ ବେସିସ୍‌ ପଏଣ୍ଟ୍‌ ସୁଧ ହାର କମିଲା। ୫୦ ବେସିସ୍‌ ପଏଣ୍ଟରୁ ମାତ୍ର ୨୧ ବେସିସ୍‌ ପଏଣ୍ଟ୍‌ର ଲାଭ ତଳକୁ ଗଡ଼ିଲା। ଫଳତଃ ଋଣ ଯେତିକି ଶସ୍ତା ହେବ ବୋଲି ଆଶା କରାଯାଉଥିଲା, ସେତିକି ଶସ୍ତା ହେଲା ନାହିଁ। ଅନାଦାୟ ଋଣର ବିଶାଳ ପାହାଡ଼ର ବୋଝ ଯୋଗୁଁ ଚାପରେ ଥିବା ବ୍ୟାଙ୍କ୍‌ମାନେ ସୁଧହାର ହ୍ରାସର ଲାଭ ନା ଖାଉଟି ଋଣ ଆଶାୟୀ ଗ୍ରାହକ ନା ଉଦ୍ୟୋଗୀଙ୍କୁ ଦେଲେ। ଅର୍ଥନୀତି ଗତି ଧରିବା ପାଇଁ ଆବଶ୍ୟକ କରୁଥିବା ଇନ୍ଧନ-ପୁଞ୍ଜି ମିଳିଲା ନାହିଁ। ଏଥିରେ ଧିମେଇ ଚାଲିଥିବା ଅର୍ଥନୀତିର ଗତି ବଢ଼ିବ କେମିତି? ଏଥର ଯେମିତି ସୁଧହାର ହ୍ରାସର ଲାଭ ତଳକୁ ଗଡେ଼, ସେଥିପ୍ରତି ବ୍ୟାଙ୍କ୍‌ମାନେ ଯଦି ସମୁଚିତ ଧୢାନ ନ ଦିଅନ୍ତି, ତେବେ ଅବସ୍ଥାରେ ବିଶେଷ ପରିବର୍ତ୍ତନର ଆଶା କ୍ଷୀଣ। ଏହାଛଡ଼ା ‘ଆଇଏଲ୍‌ ଆଣ୍ତଏଫ୍‌ସି’ ଭୁଶୁଡ଼ି ପଡ଼ିବା ପରେ ଅଣବ୍ୟାଙ୍କି˚ ବିତ୍ତୀୟ କମ୍ପାନି (ଏନ୍‌ବିଏଫ୍‌ସି) କ୍ଷେତ୍ରରେ ଦେଖା ଦେଇଥିବା ସଙ୍କଟ ଏକ ବଡ଼ ସମସ୍ୟା।

ତେଣୁ, ଏ କଥାକୁ ମାନି ନେବାକୁ ପଡ଼ିବ ଯେ, ଏକା ସୁଧହାର ହ୍ରାସ ଅର୍ଥନୀତିରେ ମାନ୍ଦାବସ୍ଥା ଦୂର ଲାଗି ଯଥେଷ୍ଟ ନୁହେଁ। ଆହୁରି କେତେକ ସ˚ସ୍କାରଧର୍ମୀ ନୀତିଗତ ନିଷ୍ପତ୍ତି ଏକାନ୍ତ ଅପରିହାର୍ଯ୍ୟ; ଯାହା ଅର୍ଥନୀତିକୁ ପୁଞ୍ଜି ଆଗମନକୁ ପ୍ରୋତ୍ସାହିତ କରିବ। ମୁଦ୍ରାସ୍ପୀତି ହାର ନିୟନ୍ତ୍ରଣରେ ଥିବାରୁ ଆଉ ଗୋଟିଏ, ଦୁଇଟି କିସ୍ତି ସୁଧହାର ହ୍ରାସ ଦାୟିତ୍ବ ଆର‌୍‌ବିଆଇ ନେଇ ପାରନ୍ତି। କିନ୍ତୁ ଆନୁଷଙ୍ଗିକ ସ୍ବଳ୍ପମିଆଦୀ ଓ ଦୀର୍ଘମିଆଦୀ ସ˚ସ୍କାରମୂଳକ ପଦକ୍ଷେପ ଗ୍ରହଣର ଦାୟିତ୍ବ ସ˚ପୂର୍ଣ୍ଣ ଭାବେ ସରକାରଙ୍କର। ସୁଖର କଥା, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁନର୍ବାର ସରକାରକୁ ଫେରିବା ପରେ ମାନ୍ଦାବସ୍ଥାର ମୁକାବିଲା କରି ଅର୍ଥନୀତିକୁ ପୁଣି ଉଚ୍ଚ ଅଭିବୃଦ୍ଧି ରାସ୍ତାକୁ ଫେରାଇ ଆଣିବା ଏବ˚ ଉତ୍କଟ ବେକାରି ସମସ୍ୟାର ମୁକାବିଲା ସକାଶେ ଦୁଇଟି ପୃଥକ୍‌ ପୃଥକ୍‌ କ୍ୟାବିନେଟ୍‌ କମିଟି ଗଠନ କରିଛନ୍ତି। ଆଶା, ଏହି ଦୁଇ କ୍ୟାବିନେଟ୍‌ କମିଟି ଆର‌୍‌ବିଆଇ ସହ ସମନ୍ବୟ ରକ୍ଷା କରି ଅର୍ଥନୀତିକୁ ଉଚ୍ଚ ଅଭିବୃଦ୍ଧି ମୁହାଁ କରାଇବା ଦିଗରେ ଯଥୋଚିତ ପଦକ୍ଷେପ ଗ୍ରହଣ କରିବେ। ମନେ ରଖିବାକୁ ପଡ଼ିବ ଯେ ଅର୍ଥନୀତି ଉଚ୍ଚ ଅଭିବୃଦ୍ଧି ରାସ୍ତାକୁ ନ ଫେରିଲେ କେବଳ ବେକାରି ଆହୁରି ଉତ୍କଟତର ହେବ ନାହିଁ, ଦେଶର ସାମଗ୍ରିକ ବିକାଶ ଓ କଲ୍ୟାଣ ମଧୢ ପ୍ରଭାବିତ ହେବ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.