ଆଶା ଓ ଆହ୍ଵାନ

ଦେଶର ସର୍ବପୁରାତନ ରାଜନୈତିକ ଦଳ ୧୩୧ ବର୍ଷ ପୁରୁଣା କଂଗ୍ରେସରେ ନେତୃତ୍ୱ ପରିବର୍ତ୍ତନର ଔପଚାରିକତା ସମ୍ପନ୍ନ ହୋଇଛି। ୧୯୯୮ରୁ ଦୀର୍ଘ ଦୁଇ ଦଶକ ଧରି ଦଳର ମଙ୍ଗ ଧରି ଆସିଥିବା ୭୧ ବର୍ଷ ବୟସ୍କା ମାତା ସୋନିଆ ଗାନ୍ଧୀଙ୍କଠାରୁ ୪୭ ବର୍ଷ ବୟସ୍କ ପୁତ୍ର ରାହୁଲ ଶନିବାର ଦିନ କଂଗ୍ରେସ ଅଧ୍ୟକ୍ଷ ଭାବେ ଦାୟିତ୍ୱ ନେଇଛନ୍ତି। ୨୦୧୩ରୁ ଚାରିବର୍ଷ କାଳ ଦଳର ଉପାଧ୍ୟକ୍ଷ ଭାବେ ଶିକ୍ଷାନବିସ ରାଜକୁମାର ରାହୁଲ ଅଧ୍ୟକ୍ଷ ଭାବେ କଂଗ୍ରେସ ରାଜସିଂହାସନରେ ଅଭିଷିକ୍ତ ହୋଇ ବସ୍ତୁତଃ ମଥାରେ ଏକ କଣ୍ଟକିତ ମୁକୁଟ ଧାରଣ କରିଛନ୍ତି। ମୁକୁଟ କଣ୍ଟକିତ ଏଥିପାଇଁ ଯେ ସେ ଏମିତି ଏକ ସମୟରେ ମଙ୍ଗ ଧରିଛନ୍ତି, ଯେତେବେଳେ କଂଗ୍ରେସ ଡଙ୍ଗା ଟଳମଳ।

ରାହୁଲଙ୍କ ପୂର୍ବରୁ ଗାନ୍ଧୀ ନେହରୁ ପରିବାରର ପାଞ୍ଚଜଣ କଂଗ୍ରେସ ସଭାପତି ହୋଇଛନ୍ତି। କିନ୍ତୁ କାହାରି ସମୟରେ ଦଳର ସ୍ଥିତି ଏତେ ଶୋଚନୀୟ ନଥିଲା, ଯେତେ ବର୍ତ୍ତମାନ। ସବୁଠାରୁ ଲମ୍ବା ସମୟ ଧରି କଂଗ୍ରେସକୁ ନେତୃତ୍ୱ ଦେଇଥିବା ବିଦାୟୀ ସଭାନେତ୍ରୀ ମାତା ସୋନିଆ ମଧ୍ୟ ଏକ ସଙ୍କଟ ସମୟରେ ଦଳର ଦାୟିତ୍ୱ ନେଇଥିଲେ। ତେବେ ସୋନିଆଙ୍କ ନେତୃତ୍ୱରେ କଂଗ୍ରେସ ଅନିଶ୍ଚିତତା ଓ ଅସ୍ଥିରତାରୁ ମୁକୁଳି ଏକ ସମ୍ମାନଜନକ ସ୍ଥିତିକୁ ଉଠି ପାରିଥିଲା। ସୋନିଆଙ୍କ ନେତୃତ୍ୱ କେବଳ କନ୍ଦଳ ପ୍ରବଣ ଦଳରେ ସ୍ଥିରତା ଓ ଏକତା ବାହାଲ କରିନଥିଲା, ତାଙ୍କ ନେତୃତ୍ୱରେ ଦୁଇ ଦୁଇ ଥର ଜନାଦେଶ ପାଇ କ୍ରମାଗତ ଦଶବର୍ଷ ଧରି କ୍ଷମତାରେ ରହିଥିଲା। ଅନ୍ୟ ସମଭାବାପନ୍ନ ଦଳଙ୍କୁ ନେଇ ଗୋଟିଏ ମେଣ୍ଟକୁ ତିଷ୍ଠେଇ ରଖିବା ସୋନିଆଙ୍କ ଆଉ ଏକ ଉଲ୍ଲେଖନୀୟ ଉପଲବ୍‌ଧି।

କୋଡ଼ିଏ ବର୍ଷ ତଳେ ମାତା ସୋନିଆ ଦାୟିତ୍ୱ ନେବା ବେଳେ କଂଗ୍ରେସର ଯେଉଁ ସ୍ଥିତି ଥିଲା, ବର୍ତ୍ତମାନ ପୁତ୍ର ରାହୁଲ ଦଳର ସଭାପତି ଭାବେ ଅବସ୍ଥାପିତ ହେବା ବେଳେ ଦଳର ସ୍ଥିତି ତା’ଠାରୁ ଆହୁରି ଖରାପ। ଲୋକସଭାରେ ଦଳର ସଦସ୍ୟ ସଂଖ୍ୟା ସର୍ବକାଳୀନ କମ୍‌ ୪୪କୁ ଓ ଭୋଟ ଶତାଂଶ ମଧ୍ୟ ୨୦ ପ୍ରତିଶତକୁ ଖସି ଆସିଛି। (୨୦୦୯ରେ ଦଳର ଭୋଟ ଶତାଂଶ ୨୯ ପ୍ରତିଶତ ଥିଲା।) ଚଉଦ ସାଧାରଣ ନିର୍ବାଚନ ପରେ କେବଳ ପଞ୍ଜାବ ଓ କେନ୍ଦ୍ରଶାସିତ ପୁଡୁଚେରୀକୁ ଛାଡ଼ିଦେଲେ ଅନ୍ୟ ସବୁ ରାଜ୍ୟ ବିଧାନସଭାରେ ଦଳକୁ ପରାଜୟର ମୁହଁ ଦେଖିବାକୁ ପଡ଼ିଛି। ଗୋଟିଏ ପକ୍ଷରେ ସର୍ବପୁରାତନ ଦଳର ଜନାଧାର ସଙ୍କୁଚିତ ହୋଇଚାଲିଛି। ଅନ୍ୟପକ୍ଷରେ ଜାତୀୟ ସ୍ତରରେ ପ୍ରଧାନ ପ୍ରତିଦ୍ୱନ୍ଦ୍ୱୀ ବିଜେପିର ଜନାଧାର ସଂପ୍ରସାରିତ ହୋଇ ଚାଲିଛି। ଫଳରେ ସ୍ୱାଭାବିକ ଭାବେ ଦଳର ଅବକ୍ଷୟ ରୋକି ଗଡ଼ର ସୁରକ୍ଷା, ପୁଣି ଦଳକୁ ପୁନରୁଦ୍ଧାର ରାସ୍ତାକୁ ଆଣିବା ନୂଆ ସଭାପତିଙ୍କ ପାଇଁ ଆହ୍ଵାନକୁ ବହୁଗୁଣ ଅଧିକ କଡ଼ା କରି ଦେଉଛି।

ଦଳୀୟ ମୁଖ୍ୟ କାର୍ଯ୍ୟାଳୟରେ ନୂତନ କଂଗ୍ରେସ ସଭାପତିଙ୍କ ଅଭିଷେକ ଅବସରରେ ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂହ କହିଛନ୍ତି ଯେ ରାହୁଲ ଦେଶରେ ବର୍ତ୍ତମାନ ଚାଲିଥିବା ଭୟର ରାଜନୀତିକୁ ଆଶାର ରାଜନୀତିରେ ରୂପାନ୍ତରିତ କରିବେ। ତେବେ ଏଥିପାଇଁ ନୂଆ କଂଗ୍ରେସ ଅଧ୍ୟକ୍ଷଙ୍କୁ ପ୍ରଥମେ ନିରାଶାର ଅନ୍ଧାରରେ ଥିବା ନିଜ ଦଳ ମଧ୍ୟରେ ଆଶାର କିରଣ ବୁଣିବାକୁ ପଡ଼ିବ। କ୍ରମାଗତ ପରାଜୟ ଓ ପ୍ରତିପକ୍ଷର ଉତ୍ତରଣରେ ମନୋବଳ ହରାଇ ବସିଥିବା କଂଗ୍ରେସ ନେତା ଓ କର୍ମୀଙ୍କ ମଧ୍ୟରେ ଯଦି ରାହୁଲ ‘‘ଆମେ ପାରିବା’’ର ଆଶା ପୁଣି ଜାଗ୍ରତ କରିପାରନ୍ତି, ତେବେ ସ୍ୱତଃ କଂଗ୍ରେସ ଏକ ବିକଳ୍ପ ଭାବେ ସାଧାରଣ ଜନତାଙ୍କ ମନରେ ମଧ୍ୟ ଆଶା ଓ ସମ୍ଭାବନା ସୃଷ୍ଟି କରିପାରିବ। ଏହି ଲକ୍ଷ୍ୟ ହାସଲ ପାଇଁ ନୂଆ କଂଗ୍ରେସ ସଭାପତିଙ୍କ ଆଗରେ ସହସ୍ର ଆହ୍ଵାନ। ସେଥିରୁ କିନ୍ତୁ ଦୁଇଟି ହିମାଳୟତୁଲ୍ୟ ଆହ୍ଵାନ ଏଠାରେ ବିଶେଷ ଉଲ୍ଲେଖ ଓ ଆଲୋଚନାର ଅପେକ୍ଷା ରଖୁଛି। କାରଣ ଆଉ ମାତ୍ର ୬-୮ ମାସ ମଧ୍ୟରେ ହେବାକୁ ଥିବା କେତେକ ରାଜ୍ୟ ବିଧାନସଭା ନିର୍ବାଚନ ଏବଂ ଉଣେଇଶ ସାଧାରଣ ନିର୍ବାଚନରେ କଂଗ୍ରେସର ପ୍ରଦର୍ଶନ, ଏହି ଦୁଇଟି ଆହ୍ଵାନର ମୁକାବିଲାରେ ରାହୁଲଙ୍କ ସଫଳତା ଓ ବିଫଳତାର ମାତ୍ରା ନିର୍ଣ୍ଣୟ କରିବ।

ପ୍ରଥମ ଆହ୍ଵାନ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିପକ୍ଷରେ ଜଣେ ବିଶ୍ୱସନୀୟ ବିକଳ୍ପ ନେତା ଭାବେ ରାହୁଲ ନିଜକୁ ଗ୍ରହଣୀୟ କରିବାକୁ ପଡ଼ିବ। ନିଃସନ୍ଦେହ, ଗତ କିଛି ମାସ ମଧ୍ୟରେ ରାହୁଲଙ୍କ ନେତୃତ୍ୱର ଚିତ୍ର ଓ ଚରିତ୍ରରେ କିଛି ମାତ୍ରାରେ ଗୁଣାତ୍ମକ ପରିବର୍ତ୍ତନ ଆସିଛି। କିନ୍ତୁ ମୋଦୀଙ୍କ ବିକଳ୍ପ ଭାବେ ବିଶ୍ୱସନୀୟ ଓ ଗ୍ରହଣୀୟ ହେବା ଲାଗି ତାହା ଯଥେଷ୍ଟ ନୁହେଁ। ମୋଦୀଙ୍କ ଶୈଳୀର ଅନୁକରଣ କରି ସରକାରୀ ନୀତିର ସମାଲୋଚନା, ପ୍ରଧାନମନ୍ତ୍ରୀଙ୍କ ପ୍ରତି କଟାକ୍ଷ ଜନତାଙ୍କୁ ଆମୋଦିତ କରିପାରେ, କିନ୍ତୁ ପ୍ରଭାବିତ କରିବା ଲାଗି ଅକୁଳାଣ। କେବଳ ବିଜେପି ନୀତି ଓ କାର୍ଯ୍ୟକ୍ରମର ସମାଲୋଚନା ଓ କଟାକ୍ଷ ନୁହେଁ, ଲୋକଙ୍କ ଆଗରେ ବିକଳ୍ପ ଭାବେ କିଛି ଉନ୍ନତତର, ବାସ୍ତବଧର୍ମୀ ଓ ଲୋକାଭିମୁଖୀ ନୀତି, କାର୍ଯ୍ୟକ୍ରମ ଓ କାର୍ଯ୍ୟଶୈଳୀ ରଖିବାକୁ ପଡ଼ିବ। ତେବେ ଏ କ୍ଷେତ୍ରରେ ମଧ୍ୟ କଂଗ୍ରେସ ନିର୍ବୋଧ ହନୁକରଣର ଶିକାର ହେଉଥିବା ଭଳି ଅସ୍ୱସ୍ତିକର ସଂକେତ ମିଳୁଛି।

ଗୁଜୁରାଟ ନିର୍ବାଚନ ବେଳେ ହିନ୍ଦୁତ୍ୱର ମୁକାବିଲା ପାଇଁ ରାହୁଲଙ୍କ ଘନ ଘନ ମନ୍ଦିର ଯାତ୍ରା, ଦିଅଁ ଦେବତା ଦର୍ଶନ ଓ ପଇତା ଧାରଣର ପ୍ରଚାର ନିଶ୍ଚିତ ଭାବେ ସୁସ୍ଥ ବିକଳ୍ପ ନୁହେଁ। କଂଗ୍ରେସର ମୌଳିକ ଆଦର୍ଶ ଓ ଦର୍ଶନ ପ୍ରତି ନୂଆ ପିଢ଼ି ନେତାଙ୍କ ଅଙ୍ଗୀକାର ପ୍ରତି ଏହା ପ୍ରଶ୍ନବାଚୀ ସୃଷ୍ଟି କରୁଛି। ବିକଳ୍ପ ପରିବର୍ତ୍ତେ ଏହା ବିଭ୍ରାନ୍ତିର ମଞ୍ଜି ବୁଣିବାର ଆଶଙ୍କା ରହିଛି। ଅର୍ଥନୀତି ଓ ବିକାଶ ପ୍ରସଙ୍ଗରେ ମଧ୍ୟ ଗୁଣାତ୍ମକ ଦୃଷ୍ଟିରୁ ଉନ୍ନତ ବିକଳ୍ପର ଆବଶ୍ୟକତା ରହିଛି। ବାସ୍ତବତା ହେଲା ବର୍ତ୍ତମାନର ବିଜେପି ନେତୃତ୍ୱାଧୀନ ଏନ୍‌ଡିଏ ସରକାର ପୂର୍ବବର୍ତୀ କଂଗ୍ରେସ ନେତୃତ୍ୱାଧୀନ ୟୁପିଏର ଅର୍ଥନୈତିକ ଓ ବିକାଶ ମଡେଲକୁ ବସ୍ତୁତଃ ଗ୍ରହଣ କରିଛି। କେବଳ ପାର୍ଥକ୍ୟ କାର୍ଯ୍ୟକାରିତାର ଚରିତ୍ରରେ। ତେଣୁ ଅର୍ଥନୈତିକ ଅଭିବୃଦ୍ଧିକୁ ତ୍ୱରାନ୍ଵିତ କରି ଏହାର ସୁଫଳକୁ ଚାଷୀ, ଶ୍ରମିକ, ଦଳିତ, ଆଦିବାସୀ ଆଦି ସମାଜର ଦୁର୍ବଳ ବର୍ଗର ଶେଷ ମୁଣ୍ଡରେ ଥିବା ଦୁର୍ବଳତମ ବ୍ୟକ୍ତି ନିକଟରେ ପହଞ୍ଚାଇବା ପାଇଁ କାର୍ଯ୍ୟକ୍ରମ ରୂପାୟନର ଚରିତ୍ର ବଦଳାଇବା ପାଇଁ ବିକଳ୍ପ ନକ୍ସା ପ୍ରସ୍ତୁତ କରିବାକୁ ପଡ଼ିବ। ଏହାଦ୍ୱାରା ‘ବିକାଶର ଅନ୍ତର୍ଭୁକ୍ତୀକରଣ’ ଲକ୍ଷ୍ୟ ହାସଲ ହେବ ଏବଂ ‘ସବ୍‌କା ସାଥ୍‌ ସବ୍‌କା ବିକାଶ’ କେବଳ ଫମ୍ପା ସ୍ଲୋଗାନ ହୋଇ ରହିବ ନାହିଁ।

ନୂଆ କଂଗ୍ରେସ ସଭାପତିଙ୍କ ଆଗରେ ଦ୍ୱିତୀୟ ପ୍ରମୁଖ ଆହ୍ଵାନ ହେଲା ସାଂଗଠନିକ। ଏଥିରେ କୌଣସି ସନ୍ଦେହ ନାହିଁ ଯେ, ଆଭ୍ୟନ୍ତରୀଣ କନ୍ଦଳ ଜାତୀୟ ସ୍ତରଠାରୁ ଆରମ୍ଭ କରି ପଞ୍ଚାୟତ ସ୍ତର ପର୍ଯ୍ୟନ୍ତ କଂଗ୍ରେସ ସଂଗଠନକୁ କୋରି ଖାଇ ଯାଉଛି। ନେତା ବହୁଳ ଏ ଦଳରେ ଯେତିକି ନେତା ସେତିକି ଗୋଷ୍ଠୀ। ପ୍ରତ୍ୟେକ ଗୋଷ୍ଠୀର ‘ଘଇତା ପଛେ ମରୁ ସଉତୁଣୀ ରାଣ୍ଡ ହେଉ’ ମନୋଭାବ ଦଳ ପାଇଁ କାଳ ହେଉଛି। ଏମିତି କୌଣସି ରାଜ୍ୟ ନାହିଁ ଯେଉଁଠି କଂଗ୍ରେସ ବସ୍ତୁତଃ ବିଭାଜିତ ନୁହେଁ। ପରବର୍ତ୍ତୀ ଅଠର ମାସ ମଧ୍ୟରେ ନିର୍ବାଚନ ପାଇଁ ସଂଗଠନକୁ ପ୍ରସ୍ତୁତ କରିବାକୁ ହେଲେ ପ୍ରତ୍ୟେକ ସ୍ତରରେ ସାଂଗଠନିକ ପୁନର୍ବିନ୍ୟାସ ଏକାନ୍ତ ଆବଶ୍ୟକ। ରାଜ୍ୟସ୍ତରରେ ଦୃଢ଼ ନେତୃତ୍ୱ ବିନା ଦଳୀୟ ସଂଗଠନ ଦୃଢ଼ କିମ୍ବା ସକ୍ରିୟ ହୋଇ ପାରିବ ନାହିଁ। ଅନେକ ରାଜ୍ୟରେ କଂଗ୍ରେସ ସଂଗଠନ ସ୍ଥାଣୁତାର ଶିକାର। ଏ ଅବସ୍ଥା ନ ବଦଳିଲେ ଦଳର ସମ୍ଭାବନା ଉଜ୍ଜ୍ୱଳ ନୁହେଁ। ବରିଷ୍ଠ ଓ ପ୍ରବୀଣଙ୍କ ଅଭିଜ୍ଞତା ଏବଂ କନିଷ୍ଠ, ନବୀନଙ୍କ ପ୍ରତିଭା ଓ ଉତ୍ସାହର ସମ୍ମିଶ୍ରଣ ଦ୍ୱାରା ଦଳ ତା’ର ଜନାଧାରକୁ ସଂପ୍ରସାରିତ କରି ପୁନଃରୁଦ୍ଧାର ରାସ୍ତାକୁ ଫେରି ପାରିବ। ଏ ଦିଗରେ ନୂଆ ସଭାପତି କେତେଦୂର ସଫଳ ହେବେ, ସେ ନେଇ ବର୍ତ୍ତମାନ ସମୟରେ ନିଶ୍ଚିତ କରି ଆଗୁଆ କିଛି କୁହାଯାଇ ନ ପାରେ। କିନ୍ତୁ ଗୋଟିଏ ବିଷୟ ନିଶ୍ଚିତ କରି କୁହାଯାଇ ପାରିବ ଯେ, ଉପରୋକ୍ତ ଦୁଇଟି ପ୍ରଧାନ ଆହ୍ଵାନର ମୁକାବିଲାରେ ସଫଳତା ବିନା କଂଗ୍ରେସର ପୁନରୁଦ୍ଧାର ଆଶା ଖାଲି ଆଶାରେ ରହିଯିବ। ଆଶାର ରାଜନୀତି ପାଇଁ ଆଉ ଅବକାଶ ରହିବ କେଉଁଠି?

ସମ୍ବନ୍ଧିତ ଖବର