ବାଗଦାଦୀ ଯନ୍ତା

ଖ୍ରୀଷ୍ଟପୂର୍ବ ତୃତୀୟ ଶତାବ୍ଦୀରେ ଅତି ସାଧାରଣ ସ୍ତରରୁ ଉଠି ଯେତେବେଳେ ଚନ୍ଦ୍ରଗୁପ୍ତ ମୌର୍ଯ୍ୟ ମହାପରାକ୍ରମଶାଳୀ ମୌର୍ଯ୍ୟ ସାମ୍ରାଜ୍ୟ ପ୍ରତିଷ୍ଠା କଲେ, ସେତେବେଳକୁ ସେ ଅନେକ ଶତ୍ରୁ ତିଆରି କରି ସାରିଥିଲେ। କିନ୍ତୁ ସୌଭାଗ୍ୟକୁ ତାଙ୍କର ପରାମର୍ଶଦାତା ଥିଲେ ଅନନ୍ୟ ବିଚକ୍ଷଣ ପଣ୍ତିତ ଚାଣକ୍ୟ। ଚାଣକ୍ୟଙ୍କ ଉପଦେଶାନୁସାରେ ଚନ୍ଦ୍ରଗୁପ୍ତ ମୌର୍ଯ୍ୟ କେବଳ ମହିଳାମାନଙ୍କୁ ହିଁ ନିଜର ବ୍ୟକ୍ତିଗତ ଅଙ୍ଗରକ୍ଷୀ ରୂପେ ନିଯୁକ୍ତ କରିଥିଲେ ଏବ˚ ରାତିରେ କେଉଁ ପ୍ରକୋଷ୍ଠରେ ସେ ଶୟନ କରିବେ, ତାହା ଶେଷ ପର୍ଯ୍ୟନ୍ତ ଗୋପନୀୟ ହୋଇ ରହୁଥିଲା। ଚାଣକ୍ୟ କହୁଥିଲେ ଯେ ଶତ୍ରୁ ପକ୍ଷରୁ ବିପଦକୁ ଭୟ କରିବାର କୌଣସି କାରଣ ନାହିଁ। କାରଣ ଯେହେତୁ ତାହା ଅବଧାରିତ ସେଥିଲାଗି ପ୍ରସ୍ତୁତିର ସ୍ତର ସର୍ବଦା ଚୂଡ଼ାନ୍ତ। ତେବେ, ମିତ୍ରଙ୍କ ପ୍ରତି ସତର୍କତା ଜରୁରୀ। କାରଣ ସେହିମାନେ ହିଁ ସାଞ୍ଜୁର ଛିଦ୍ର ହୁଅନ୍ତି।
ରାମାୟଣରେ ବର୍ଣ୍ଣିତ ଅଛି ଯେତେବେଳେ ସୀତାଙ୍କୁ ଅପହରଣ କରିବା ଲାଗି ଦୁରାତ୍ମା ରାବଣ ସ୍ଥିର କଲା, ସେ ଜଣେ ସନ୍ନ୍ୟାସୀର ବେଶ ଧାରଣ କଲା। କାରଣ କେବଳ ବିଶ୍ବାସର ପାତ୍ର ହେଲେ ଯାଇ ଲକ୍ଷ୍ମଣଙ୍କ ଦ୍ବାରା ଟଣା ଯାଇଥିବା ତିନି ଗାରକୁ ସୀତା ଅତିକ୍ରମ କରିବେ ଏବ˚ ଅବଲୀଳା କ୍ରମେ ତା ଦ୍ବାରା ଅପହୃତ ହୋଇପାରିବେ। ସେ ମଧୢ ବୁଝିଥିଲା ଯେ ବିଶ୍ବାସ ଜନ୍ମାଇ ଶତ୍ରୁତା କରିବା ସହଜସାଧୢ।
ଖ୍ରୀଷ୍ଟପୂର୍ବ ୪୪ରେ ଯେତେବେଳେ ଜୁଲିଅସ ସିଜରଙ୍କୁ ହତ୍ୟା କରିବାର ଷଡ୍‌ଯନ୍ତ୍ର କରାଗଲା, ସେତିକି ବେଳେ ଏହି କାର୍ଯ୍ୟ ଲାଗି ଯାହାଙ୍କୁ ପ୍ରବର୍ତ୍ତା ଯାଇଥିଲା, ସେ ଥିଲେ ତତ୍କାଳୀନ ରୋମ ସାଧାରଣତନ୍ତ୍ରର ସିନେଟର ବ୍ରୁଟସ। ସିଜରଙ୍କୁ ହତ୍ୟା କରିବା ଲାଗି ବ୍ରୁଟସ ଥିଲେ ଯୋଗ୍ୟତମ, କାରଣ ସେ ଥିଲେ ସିଜରଙ୍କ ଘନିଷ୍ଠତମ ମିତ୍ର। ସେକ୍‌ସପିଅରଙ୍କ ରଚିତ ନାଟକ ‘ଜୁଲିଅସ୍‌ ସିଜର‌୍‌’ରେ ପ୍ରଦର୍ଶିତ ହୋଇଥିବା ଏହି ଦୃଶ୍ୟରେ ଯେତେବେଳେ ବ୍ରୁଟସ୍‌ ସିଜରଙ୍କ ପଛରୁ ପ୍ରାଣାନ୍ତକ ଛୁରିକା ଘାତ କରିଛନ୍ତି, ଟଳିପଡ଼ିବା ପୂର୍ବରୁ ପଛକୁ ଚାହିଁ ସିଜର ବିସ୍ମୟ ବିସ୍ଫାରିତ ନେତ୍ରରେ ବ୍ରୁଟସଙ୍କୁ ଚାହିଁ କହିଛନ୍ତି,‘ଏଟ୍‌ ଟୁ ବ୍ରୁୁଟ୍‌’, ଯାହାର ଅର୍ଥ ବ୍ରୁଟସ ତୁମେ ବି!
ଗଲା ୨୬ ତାରିଖ ଦିନ ପ୍ରାଣ ହରାଇଥିବା ପୃଥିବୀର ସବୁଠାରୁ ଦୁର୍ଧର୍ଷ ଓ କୁଖ୍ୟାତ ଆତଙ୍କବାଦୀ ସ˚ଗଠନ ‘ଆଇଏସ୍‌’(‘ଇସଲାମିକ୍‌ ଷ୍ଟେଟ୍‌’)ର ମୁଖ୍ୟ ନର-ପିଶାଚ ଆବୁ ବକ୍‌ର ଆଲ ବାଗଦାଦୀ ସୌଭାଗ୍ୟକୁ ଘୁଣାକ୍ଷରରେ ହେଲେ ମଧୢ ଚାଣକ୍ୟଙ୍କ ନାମ ଶୁଣି ନଥିବ ଅଥବା ଲେବାନନ୍‌ର ଉପନ୍ୟାସକାର ଵାଦି ଆଲ ବୁସ୍ତାନୀଙ୍କ ଦ୍ବାରା ହୋଇଥିବା ରାମାୟଣର ଆରବୀ ଅନୁବାଦ ବାବଦରେ ତାର ଲେଶ ମାତ୍ର ଧାରଣା ନ ଥିବ। ଏହା ମଧୢ ନିଶ୍ଚିତ ଯେ ଜଣେ ସମର୍ଥ ସାମରିକ ରଣନୀତିଜ୍ଞଙ୍କ ଭଳି ସୂକ୍ଷ୍ମ ବୁଦ୍ଧି ତା ପହଞ୍ଚରେ ନ ଥିବ। ସେଥିଲାଗି ବୋଧହୁଏ ସେ ଶତ୍ରୁ ଗହଳରେ ନିଜକୁ ବଞ୍ଚାଇ ରଖିବା ଲାଗି ଯେଉଁ ଯୋଜନା କରିଥିଲା, ତାହା ଶେଷରେ ହାସ୍ୟାସ୍ପଦ ଭଳି ମନେ ହେଲା। କିନ୍ତୁ ଅପର ପକ୍ଷରେ ତାକୁ ନିପାତ କରିବା ଲାଗି ପ୍ରତିପକ୍ଷ ଯେଉଁ ‘ଯନ୍ତା’(ଚାଣକ୍ୟଙ୍କ ସୂକ୍ଷ୍ମ ଦର୍ଶନ ଆଧାରିତ) ବସାଇଥିଲେ, ତାହା କାମ କଲା।
ସିରିଆସ୍ଥିତ ‘ଆଇଏସ୍‌’ ଗୋଷ୍ଠୀର ପରିତ୍ୟକ୍ତ ଦପ୍ତରରୁ ଆମେରିକୀୟ ସେନା ହାତରେ ପଡ଼ିଥିବା କିଛି ରସିଦ୍‌ରୁ ଯାହା ଜଣାପଡ଼ିଛି ତାହା ହେଲା, ବାଗ୍‌ଦାଦୀ ନିଜକୁ ସୁରକ୍ଷିତ ରଖିବା ଲାଗି ଶତ୍ରୁ ପକ୍ଷର ଆତଙ୍କବାଦୀ ସ˚ଗଠନ ‘ହୁର‌୍‌ରାସ ଆଲ ଦିନ’ର ସଦସ୍ୟମାନଙ୍କୁ ଅନ୍ତତଃ ୬୭,୦୦୦ ଡଲାର ଦେଇଥିଲା। ‘ଆଲ କାଏଦା’ ଆତଙ୍କବାଦୀ ସ˚ଗଠନ ସହିତ ସ˚ପୃକ୍ତ ‘ହୁର‌୍‌ରାସ ଆଲ ଦିନ’ର ସଦସ୍ୟମାନେ ତାକୁ ତାର ଅନ୍ତ ପର୍ଯ୍ୟନ୍ତ ସୁରକ୍ଷା ଦେଇ ଆସିଥିଲେ। ବାଗଦାଦୀ ପ୍ରାଣ ରକ୍ଷା ଲାଗି ମୁହୁର୍ମୁହୁ୍ଃ ନିଜର ବାସସ୍ଥାନ ବଦଳାଇ ପରିଶେଷରେ ଆସି ରହିଥିଲା ଇରାକ-ସିରିଆ ସୀମାରେଖା ନିକଟସ୍ଥ ‘ଇଦଲିବ’ ଅଞ୍ଚଳର ‘ବାରିସା’ ନାମକ ଗାଁର ଏକ ବିଜନ ଭିଲ୍ଲାରେ। ସେହି ଗାଁଟି ଥିଲା ‘ଆଇଏସ୍‌’ର ଏହି ଶତ୍ରୁ ଆତଙ୍କବାଦୀ ସ˚ଗଠନ ‘ହୁର‌୍‌ରାସ ଆଲ ଦିନ’ର କବ୍‌ଜାରେ। ବୋଧହୁଏ, ବାଗଦାଦୀ ଧରି ନେଇଥିଲା ଯେ ବିପଦ କେବଳ ଶତ୍ରୁ ପକ୍ଷରୁ ହିଁ ଆସିବ।
କିନ୍ତୁ ବିଡ଼ମ୍ବନା, ତାର ପ୍ରାଣ ଗଲା ତାର ଅନ୍ତରଙ୍ଗତମ ବଳୟରେ ରହିଥିବା ଜଣେ ବ୍ୟକ୍ତି ଦ୍ବାରା। ସେ ବାଗଦାଦୀର ଏଭଳି ଅନ୍ତରଙ୍ଗ ଥିଲା ଯେ ତା ଜରିଆରେ ବାଗଦାଦୀର ପିଛା କରୁଥିବା ‘କୁର୍ଦ୍ଦ’ ସୈନିକମାନେ ତାର ରକ୍ତ ନମୁନା ଯୋଗାଡ଼ କରିପାରିଥିଲେ, ଯାହା ବାଗ୍‌ଦାଦୀର ଡିଏନ୍‌ଏ ମାନଚିତ୍ର ପ୍ରସ୍ତୁତି ଲାଗି ଆବଶ୍ୟକ ଥିଲା। ‘ଏନ୍‌ବିସି’ ନାମକ ଏକ ଟେଲିଭିଜନ ଚ୍ୟାନେଲକୁ ଏକ ସାକ୍ଷାତକାର ଦେଇ ‘ସିରିଆନ୍‌ ଡେମୋକ୍ରାଟିକ୍‌ ଫୋର୍ସେସ୍‌’ ନାମକ ଏକ ମିଶ୍ରିତ କୁର୍ଦ୍ଦ-ଆରବ ବାହିନୀର ମୁଖ୍ୟ କମାଣ୍ଡର ଜେନେରାଲ ମଜଲୁମ ଅବଦି କେବଳ ଏତିକି କହିଛନ୍ତି ଯେ ସେହି ବ୍ୟକ୍ତି ଜଣେ ଆରବ ନାଗରିକ। ତାର ଅନେକ ସ˚ପର୍କୀୟ ‘ଆଇଏସ୍‌’ ସ˚ଗଠନରେ ସାମିଲ। ତେବେ, ଆଲ ବାଗଦାଦୀ ଦ୍ବାରା ତାର ପରିବାରର ସଦସ୍ୟମାନଙ୍କ ଉପରେ ହେଉଥିବା ନିର୍ମମ ନିର୍ଯାତନା ସକାଶେ ତଥା ‘ଆଇଏସ୍‌’ର ଆଉ କୌଣସି ଭବିଷ୍ୟତ ନାହିଁ ବୋଲି ନିଶ୍ଚିତ ହୋଇ ସେ ବାଗଦାଦୀର ବିନାଶ କରିବାକୁ ସ୍ଥିର କରିଥିଲା। ଜେନେରାଲ ଅବଦି କହିଛନ୍ତି ଯେ ତାର ଏଭଳି କାର୍ଯ୍ୟ ପଛରେ ମୂଳ ଉଦ୍ଦେଶ୍ୟ ଥିଲା ପ୍ରତିଶୋଧ। ଅବଦି କହିଥିଲେ- ‘ଧରି ନିଅନ୍ତୁ, ସେ ଥିଲା ବାଗଦାଦୀର ଜଣେ ବ୍ୟକ୍ତିଗତ ‘ସିକ୍ୟୁରିଟି ଅଫିସର’ (ଅଙ୍ଗ ରକ୍ଷୀ) ବା ସେହି ଭଳି କିଛି।’
ଗଲା ୨୯ ତାରିଖ ଦିନ ଏହି ସ୍ତମ୍ଭରେ ‘ରକ୍ତବୀର୍ଯ୍ୟ’ ଶୀର୍ଷକ ଲେଖାରେ ବାଗଦାଦୀର ନିଧନ ସ˚ପର୍କରେ ମତ ଦେବା ସମୟରେ ଏହା କୁହାଯାଇଥିଲା ଯେ ବାଗଦାଦୀର ମୃତ୍ୟୁ ସହିତ ‘ଆଇଏସ୍‌’ ସମାପ୍ତ ହୋଇଗଲା ବୋଲି ଧାରଣା ପୋଷଣ କରିବା ସ˚ପୂର୍ଣ୍ଣ ଭ୍ରମାତ୍ମକ ହେବ। ଏବେ ଖବର ଆସିଗଲାଣି ଯେ ବାଗଦାଦୀ ପରେ ‘ଆଇଏସ୍‌’ର ଉତ୍ତରାଧିକାରୀ ବଛା ଯାଇ ସାରିଲାଣି। ‘ଆଇଏସ୍‌’ ପକ୍ଷରୁ ଶପଥ ନିଆ ଗଲାଣି ଯେ ଯୁକ୍ତରାଷ୍ଟ୍ର ଆମେରିକା ବିରୋଧରେ ପ୍ରତିଶୋଧ ନିଆଯିବ। ଏହି ସମୟରେ ନୂଆ ନେତୃତ୍ବରେ ‘ଆଇଏସ୍‌’ର କାର୍ଯ୍ୟପନ୍ଥା କିଭଳି ହେବ, ତା ଉପରେ ବିଶ୍ବର ରାଷ୍ଟ୍ର ସମୂହ ସତର୍କ ଦୃଷ୍ଟି ରଖିବେ ନିଶ୍ଚୟ।
ତେବେ ସାନ୍ତ୍ବନା, ଗୋଟିଏ ନରାଧମର ଅନ୍ତ ଘଟିଛି। ତା ନିଜର ଅପକର୍ମର ସ୍ଫୁଲିଙ୍ଗ ତାର ପ୍ରାଣ ନେଇଛି। ‘ବାଗଦାଦୀ ଯନ୍ତା’ ଠିକଣା ଭାବେ ଠିକଣା ସମୟରେ କାମ ଦେଖାଇଛି।

ସମ୍ବନ୍ଧିତ ଖବର