ଘାତକ ପାର୍ଶ୍ୱ ପ୍ରତିକ୍ରିୟା!

ନିକଟରେ ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀ ସଂସଦରେ ମାନିଥିଲେ ଯେ ଦେଶର ଅର୍ଥନୀତି ମାନ୍ଦେଇଛି। ବିତ୍ତମନ୍ତ୍ରୀ ମହୋଦୟ ମାନ୍ଦାବସ୍ଥା ପାଇଁ ଅନେକ ବାହ୍ୟ ଓ ଆଭ୍ୟନ୍ତରୀଣ କାରଣ ଦର୍ଶାଇଥିଲେ। ତେବେ ସେହି କାରଣଗୁଡ଼ିକର ତାଲିକାରେ ଚଳିତ ସରକାରଙ୍କ ଦୁଇଟି ବଡ଼ ରାଜନୈତିକ ନିଷ୍ପତ୍ତି- ବିମୁଦ୍ରାୟନ ଓ ଜିଏସ୍‌ଟି ବ୍ୟବସ୍ଥାର ପ୍ରବର୍ତ୍ତନ- ନିର୍ଦ୍ଦିଷ୍ଟ ଭାବେ ସ୍ଥାନ ପାଇ ନଥିଲା। ମୋଦୀ ସରକାର ବର୍ତ୍ତମାନ ସୁଦ୍ଧା ମାନି ନାହାନ୍ତି କି ଆଗକୁ ମଧ୍ୟ ସ୍ୱୀକାର କରିବେ ନାହିଁ ଯେ ୨୦୧୬, ନଭେମ୍ବର ଆଠ ତାରିଖର ବିମୁଦ୍ରାୟନ ଏବଂ ପରେ ତରବରିଆ ଭାବେ ନୂଆ ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି) ବ୍ୟବସ୍ଥା ପ୍ରବର୍ତ୍ତନର ଅର୍ଥନୀତି ଉପରେ କୌଣସି ପ୍ରତିକୂଳ ପ୍ରଭାବ ପଡ଼ିଛି। ବାସ୍ତବତା ପ୍ରତି ମୁହଁ ମୋଡ଼ି ଦେଲେ ବାସ୍ତବତା ବଦଳି ଯାଏ ନାହିଁ। ଅର୍ଥନୀତି ଉପରେ ବିମୁଦ୍ରାୟନ ଓ ତରବରିଆ ଜିଏସ୍‌ଟିର ପ୍ରତିକୂଳ ପ୍ରଭାବ ପଡ଼ିଛି ଓ ପରିଣତି ସ୍ୱରୂପ ଅର୍ଥନୀତି ମାନ୍ଦାବସ୍ଥାରୁ ଯେ ମୁକୁଳି ପାରୁନାହିଁ ଏହା ଏକ ନିଷ୍ଠୁର ବାସ୍ତବତା। ଖୋଦ୍‌ ସରକାରଙ୍କ କେନ୍ଦ୍ରୀୟ ପରିସଂଖ୍ୟାନ ସଂଗଠନ (ସିଏସ୍‌ଓ)ପକ୍ଷରୁ ସଦ୍ୟ ପ୍ରକାଶିତ ଅର୍ଥନୈତିକ ଅଭିବୃଦ୍ଧି ନେଇ ଆଗୁଆ ଆକଳନରେ ଏହି ବାସ୍ତବତା ପ୍ରତିଫଳିତ ହୋଇଛି।

ସିଏସ୍‌ଓର ଆଗୁଆ ଆକଳନ ଅନୁଯାୟୀ ଚଳିତ ୨୦୧୭-୧୮ ବର୍ଷରେ ଭାରତୀୟ ଅର୍ଥନୀତିର ଅଭିବୃଦ୍ଧି ୬.୫ ପ୍ରତିଶତରେ ସୀମିତ ରହିବ। ଯାହା କେବଳ ଗତ ବର୍ଷର ୭.୧ ପ୍ରତିଶତରୁ କମ୍‌ ନୁହେଁ, ଗତ ଚାରିବର୍ଷରେ ମଧ୍ୟ ସର୍ବନିମ୍ନ। ୨୦୧୪-୧୫ରେ ଭାରତୀୟ ଅର୍ଥନୀତି ୭.୫ ପ୍ରତିଶତ ହାରରେ ସଂପ୍ରସାରିତ ହୋଇଥିବା ବେଳେ ପରବର୍ତ୍ତୀ ୨୦୧୫-୧୬ରେ ଅଭିବୃଦ୍ଧି ୮ ପ୍ରତିଶତକୁ ବୃଦ୍ଧି ପାଇଥିଲା। ୨୦୧୬-୧୭ରେ ଅଭିବୃଦ୍ଧି ୭.୧ ପ୍ରତିଶତକୁ ଖସିଥିଲା ଏବଂ ଚଳିତବର୍ଷ ଏହା ଆହୁରି ହ୍ରାସ ପାଇ ୬.୫କୁ ଖସିବ। ଅଭିବୃଦ୍ଧି ନେଇ ସିଏସ୍‌ଓ ଯେଉଁ ଆକଳନ କରିଛନ୍ତି ତାହା ଭାରତୀୟ ରିଜର୍ଭ ବ୍ୟାଙ୍କ୍‌ ଧାର୍ଯ୍ୟ କରିଥିବା ୬.୭ ପ୍ରତିଶତ ଅଭିବୃଦ୍ଧିଠାରୁ ମଧ୍ୟ କମ୍‌। ଗତ ଫେବ୍ରୁଆରିରେ ସରକାର ଇକୋନମିକ୍‌ ସର୍ଭେରେ ୬.୭୫ରୁ ୭.୫ ପ୍ରତିଶତ ପର୍ଯ୍ୟନ୍ତ ଅଭିବୃଦ୍ଧିର ଯେଉଁ ଆଶା ରଖିଥିଲେ, ତାହା ପୂରଣ ହୋଇପାରିବ ନାହିଁ। ସଂକେତ ସ୍ପଷ୍ଟ ଯେ, ଅର୍ଥନୈତିକ ଅଭିବୃଦ୍ଧିର ନିମ୍ନମୁଖୀ ଧାରା ଜାରି ରହିଛି। ସରକାର ମାନନ୍ତୁ କି ନମାନନ୍ତୁ ଏହି ଅବକ୍ଷୟ କିମ୍ବା ମାନ୍ଦାବସ୍ଥା ଲମ୍ବା ହେବା ପଛରେ ବିମୁଦ୍ରାୟନ ଓ ତରବରିଆ ଜିଏସ୍‌ଟି ଲାଗୁ ନିର୍ଣ୍ଣାୟକ କାରଣ। କଳାଟଙ୍କାର ଉଦ୍ଧାର, ଡିଜିଟାଲ କାରବାର ବୃଦ୍ଧି ଆଦି ଯେଉଁ ସବୁ ଲକ୍ଷ୍ୟ ହାସଲ ଉଦ୍ଦେଶ୍ୟରେ ବିମୁଦ୍ରାୟନ ପଦକ୍ଷେପ ନିଆଯାଇଥିଲା, ତାହା ତ ହାସଲ ହୋଇ ପାରିଲା ନାହିଁ, ଏହାର ଘାତକ ପାର୍ଶ୍ୱପ୍ରତିକ୍ରିୟାରୁ ଅର୍ଥନୀତି ତଥାପି ସମ୍ପୂର୍ଣ୍ଣ ମୁକ୍ତ ହୋଇ ପାରି ନାହିଁ। ସେମିତି ଜିଏସ୍‌ଟିରୁ ଭଲ ଫଳ ମିଳିବ ବୋଲି ଆଶା କରାଯାଉଥିଲା। ତେବେ ତରବରିଆ ଭାବେ ଲାଗୁ କରାଯିବା ଯୋଗୁ ପ୍ରାରମ୍ଭିକ ପର୍ଯ୍ୟାୟରେ ଅର୍ଥନୀତି ଏହାର ନକାରାତ୍ମକ ପ୍ରଭାବ ଭୋଗୁଛି। ଅନ୍ୟଥା ଗତବର୍ଷ ଅପେକ୍ଷା ଏଥର ଅଭିବୃଦ୍ଧି ଅଧିକ ମାନ୍ଦା ହେବାର ଆଶଙ୍କା ନଥାନ୍ତା।

ସିଏସ୍‌ଓର ଆଗୁଆ ଆକଳନ ସୂଚନା ଦେଉଥିବା ଅର୍ଥନୀତିର ମାନ୍ଦାବସ୍ଥା ପରିପ୍ରେକ୍ଷୀରେ ଯାହା ସବୁଠୁ ବଡ଼ ଚିନ୍ତାର ବିଷୟ, ତା’ହେଲା ବିପୁଳ ଶ୍ରମଶକ୍ତିକୁ କର୍ମସଂସ୍ଥାନ ଯୋଗାଇଥିବା ଦୁଇଟି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର-କୃଷି ଓ ଉତ୍ପାଦନ ଶିଳ୍ପ ଅପେକ୍ଷାକୃତ ଅଧିକ ସଂକୋଚନର ଶିକାର ହୋଇଛି। ଦେଶର ମୋଟ ଜିଡ଼ିପିରେ କୃଷିର ଅବଦାନ ୧୫ ପ୍ରତିଶତରୁ ବି କମ୍‌ ହେଲେ ସୁଦ୍ଧା ଏହି କ୍ଷେତ୍ରରେ ଶ୍ରମଶକ୍ତିର ଅଧାଅଧି ନିୟୋଜିତ। କୃଷି କ୍ଷେତ୍ରରେ ଅଭିବୃଦ୍ଧି ଯେତେ ଅଧିକ ହେବ, ଦେଶର ଅଧା ଲୋକସଂଖ୍ୟାର ଜୀବନ ଧାରଣ ମାନ ଉପରେ ତାହାର ସେତେ ଅଧିକ ସକାରାତ୍ମକ ପ୍ରଭାବ ପଡ଼ିବ। ମାତ୍ର ସିଏସ୍‌ଓଙ୍କ ଆଗୁଆ ଆକଳନ ଅନୁଯାୟୀ ଏହି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ଅଭିବୃଦ୍ଧି ମାତ୍ର ୨.୧ ପ୍ରତିଶତ ହେବ। ଗତ ୨୦୧୬-୧୭ରେ କୃଷି ଅଭିବୃଦ୍ଧି ୪.୯ ପ୍ରତିଶତ ଥିଲା। କୃଷି କ୍ଷେତ୍ରରେ ଅଭିବୃଦ୍ଧି ନିମ୍ନମୁଖୀ ହେବା ଏହାର ଅଶୁଭ ସୂଚନା ଯେ, ସଙ୍କଟ ଦେଇ ଗତି କରୁଥିବା କୃଷିର ଅବସ୍ଥା ସୁଧୁରିବା ପରିବର୍ତ୍ତେ ବିଗୁଡୁଛି। ବିମୁଦ୍ରାୟନ ଯୋଗୁଁ ଦେଶର ବିଭିନ୍ନ ସ୍ଥାନରେ କୃଷିଜାତ ସାମଗ୍ରୀର ବିକ୍ରିବଟାରେ ଦେଖା ଦେଇଥିବା ଅବ୍ୟବସ୍ଥା- ଅବିକ୍ରି ଓ ଅଭାବୀ ବିକ୍ରି ଜନିତ ଚାଷୀଙ୍କ ଦୁର୍ଦଶା ସିଏସ୍‌ଓଙ୍କ ପରିସଂଖ୍ୟାନ ବୟାନ କରୁଛି।

କୃଷି କ୍ଷେତ୍ରରେ ଏ ମାନ୍ଦା ଅଭିବୃଦ୍ଧି ସ୍ୱାଭାବିକ ଭାବେ ୨୦୨୨ ସୁଦ୍ଧା ଚାଷୀଙ୍କ ଆୟ ଦୁଇଗୁଣ ବୃଦ୍ଧି ଲକ୍ଷ୍ୟ ହାସଲ ନେଇ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି। କୃଷି ଆୟ ଦୁଇ ଗୁଣ ବଢ଼ିବା ଲାଗି ବାର୍ଷିକ ଅନ୍ତତଃ ୧୦ ପ୍ରତିଶତରୁ ଅଧିକ ହାରରେ ଅଭିବୃଦ୍ଧି ଜରୁରି ଥିବା ବେଳେ ଚଳିତବର୍ଷ ମାତ୍ର ୨.୧ ପ୍ରତିଶତ ଅଭିବୃଦ୍ଧି ଅତ୍ୟନ୍ତ ନୈରାଶ୍ୟଜନକ। କୃଷି ଭଳି ନିଯୁକ୍ତିର ଆଉ ଏକ ପ୍ରମୁଖ କ୍ଷେତ୍ର ହେଲା- ଉତ୍ପାଦନ ଶିଳ୍ପ। ଏ କ୍ଷେତ୍ରରେ ଅଭିବୃଦ୍ଧି ୨୦୧୬-୧୭ରେ ୭.୯ ପ୍ରତିଶତ ଥିଲା, ଯାହା ୨୦୧୭-୧୮ରେ ୪.୬ ପ୍ରତିଶତକୁ ଖସି ଆସିଛି। କ୍ରମଶଃ ଉତ୍କଟ ହେଉଥିବା ବେକାରି ସମସ୍ୟାର ମୁକାବିଲା ଲାଗି ଉତ୍ପାଦନ କ୍ଷେତ୍ରରେ ଅଧିକ ଅଭିବୃଦ୍ଧିର ଆବଶ୍ୟକତା ଥିବା ବେଳେ, ଏ କ୍ଷେତ୍ରରେ ପୂର୍ବାପେକ୍ଷା ସଂକୋଚନ ସମସ୍ୟାକୁ ଅଧିକ ଗୁରୁତର କରିବା ଆଶଙ୍କା ରହିଛି। ବେକାରି ସମସ୍ୟାର ମୁକାବିଲା ଲାଗି ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ସକାଶେ ଏ କ୍ଷେତ୍ରରେ ଦ୍ରୁତ ସମ୍ପ୍ରସାରଣ ଏକାନ୍ତ ଆବଶ୍ୟକ।

ଅର୍ଥନୀତିର ଏ ମନ୍ଥର ଅଭିବୃଦ୍ଧି ସ୍ୱାଭାବିକ ଭାବେ ସାଧାରଣ ଲୋକଙ୍କ ରୋଜଗାରକୁ ପ୍ରଭାବିତ କରିଛି। ହାରାହାରି ମୁଣ୍ଡପିଛା ଆୟରେ ଅଭିବୃଦ୍ଧି ଗତ ବର୍ଷ ତୁଳନାରେ ଚଳିତ ବର୍ଷ କମ୍‌ ରହିବ। ୨୦୧୬-୧୭ରେ ହାରାହାରି ମୁଣ୍ଡ ପିଛା ଆୟରେ ୯.୭ ପ୍ରତିଶତ ଅଭିବୃଦ୍ଧି ଘଟିଥିଲା। ସିଏସ୍‌ଓର ଆଗୁଆ ଆକଳନ ଅନୁଯାୟୀ ୨୦୧୭-୧୮ରେ ମୁଣ୍ଡ ପିଛା ଆୟ ୮.୩ ପ୍ରତିଶତ ବଢ଼ିବ। ପ୍ରଚଳିତ ମୂଲ୍ୟ ଅନୁଯାୟୀ ମୁଣ୍ଡ ପିଛା ଆୟ ୧,୦୩,୨୧୯ରୁ ୧,୧୧,୭୮୨ ଟଙ୍କାକୁ ଓ ସ୍ଥାୟୀ ମୂଲ୍ୟ ଆଧାରରେ ୮୨,୨୬୯ରୁ ୮୬,୬୬୦ ଟଙ୍କାକୁ ବୃଦ୍ଧି ପାଇବ ବୋଲି ଅଟକଳ କରାଯାଇଛି। ହାରାହାରି ମୁଣ୍ଡପିଛା ଆୟରେ ପୂର୍ବାପେକ୍ଷା କମ୍‌ ଅଭିବୃଦ୍ଧି ମୁଣ୍ଡପିଛା ଖର୍ଚ୍ଚକୁ ସଂକୁଚିତ କରିବ, ଯାହାର ପ୍ରତିକୂଳ ପ୍ରଭାବ ଅର୍ଥନୀତି ଉପରେ ପଡ଼ିବା ଆଶଙ୍କାକୁ ଏଡ଼ାଯାଇ ନପାରେ। ଚାହିଦା ବୃଦ୍ଧି ଅର୍ଥନୀତିକୁ ଗତି ଦେଇଥାଏ। କିନ୍ତୁ ଯଦି ଲୋକଙ୍କ ପାଖରେ ଟଙ୍କା ନାହିଁ, ତେବେ ଚାହିଦା ଆସିବ କୁଆଡୁ? ପୁଣି ହାରାହାରି ମୁଣ୍ଡପିଛା ଆୟର ଏ ମାମୁଲି ଅଭିବୃଦ୍ଧି, ଅର୍ଥନୈତିକ ଦୃଷ୍ଟିରୁ ଦୁର୍ବଳ ତଥା କମ୍‌ ଆୟକାରୀ ବର୍ଗଙ୍କ ଆର୍ଥିକ ଅବସ୍ଥାରେ ଉନ୍ନତି ନେଇ କୌଣସି ସମ୍ଭାବନା ସୃଷ୍ଟି କରୁନାହିଁ।

ତେବେ ସିଏସ୍‌ଓର ଆଗୁଆ ଆକଳନରେ ପ୍ରତିଫଳିତ ଅର୍ଥନୀତିର ଏହି ନିରାଶାଜନକ ଚିତ୍ର ଭିତରେ କିଛି ଆଶା ମଧ୍ୟ ରହିଛି। ପୂର୍ବବର୍ଷ ଅପେକ୍ଷା ଅଭିବୃଦ୍ଧି ହାର ହ୍ରାସ ପାଇଥିଲେ ମଧ୍ୟ ପୁଞ୍ଜି ବିନିଯୋଗ ହାର ପୂର୍ବାପେକ୍ଷା ବଢ଼ିଛି। ଏହା ଚାପରେ ଥିବା ଅର୍ଥନୀତି ପାଇଁ କିଛି ମାତ୍ରାରେ ଆଶା ସୃଷ୍ଟି କରୁଛି। ଗତ ବର୍ଷ ପୁଞ୍ଜି ବିନିଯୋଗର ସୂଚକ ଜିଏଫ୍‌ସିଏଫ୍‌ (ଗ୍ରସ୍‌ ଫିକସ୍‌ଡ କ୍ୟାପିଟାଲ୍‌ ଫର୍ମେସନ୍‌)ରେ ୨.୪ ପ୍ରତିଶତ ଅଭିବୃଦ୍ଧି ହୋଇଥିଲା। ଚଳିତ ବର୍ଷ ତାହା ୪.୫କୁ ବୃଦ୍ଧି ପାଇବ। ଅଧିକ ପୁଞ୍ଜି ବିନିଯୋଗ ଅର୍ଥନୀତିକ ଅଭିବୃଦ୍ଧିକୁ ଗତିଶୀଳ କରିବା ଲାଗି ଇନ୍ଧନ ଯୋଗାଇବ। ତେବେ ଅର୍ଥନୀତିକୁ ମାନ୍ଦାବସ୍ଥାରୁ ମୁକୁଳାଇବା ପାଇଁ ସରକାରୀ ପୁଞ୍ଜି ନିବେଶ ଉପରେ ଗୁରୁତ୍ୱ ଦେବାକୁ ପଡ଼ିବ ଓ ବ୍ୟାଙ୍କ୍‌ ଋଣ ପ୍ରଦାନରେ ମାନ୍ଦାବସ୍ଥାକୁ ଦୂର କରିବାକୁ ପଡ଼ିବ।

ନିଃସନ୍ଦେହ, ଅର୍ଥନୀତିର ସାଂପ୍ରତିକ ଅବସ୍ଥା ସରକାରଙ୍କ ପାଇଁ ନିଶ୍ଚିତ ଭାବେ ଏକ ଆହ୍ଵାନ। ଆସନ୍ତା ଫେବ୍ରୁଆରି ପହିଲା ଦିନ ଅର୍ଥମନ୍ତ୍ରୀ ଉଣେଇଶ ସାଧାରଣ ନିର୍ବାଚନ ପୂର୍ବରୁ ଏନ୍‌ଡିଏ ସରକାରଙ୍କ ଶେଷ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିବାକୁ ଯାଉଛନ୍ତି। ଆଶା, ବଜେଟ ପ୍ରସ୍ତୁତି ବେଳେ ସରକାର ସିଏସ୍‌ଓଙ୍କ ଆଗୁଆ ଆକଳନରେ ପ୍ରତିଫଳିତ ଅର୍ଥନୀତି ଓ ନିର୍ଦ୍ଦିଷ୍ଟ ଭାବେ ଏହାର ବିଭିନ୍ନ କ୍ଷେତ୍ରର ଚିତ୍ର ବିଚାରକୁ ନେବେ। ଅର୍ଥନୀତି ଉପରେ ବିମୁଦ୍ରାୟନ ଓ ଜିଏସ୍‌ଟିର ଲାଗିରହିଥିବା ପ୍ରତିକୂଳ ପ୍ରଭାବକୁ ପ୍ରତିହତ କରିବା ସକାଶେ ଆବଶ୍ୟକ ସୁଧାରମୂଳକ ପଦକ୍ଷେପ ନେବେ। ଅବଶ୍ୟ, ଅର୍ଥନୀତିକୁ ମାନ୍ଦାବସ୍ଥାରୁ ମୁକୁଳେଇ ପୁନର୍ବାର ଉଚ୍ଚ ଅଭିବୃଦ୍ଧି ରାସ୍ତାକୁ ଠେଲିବା ଲାଗି ଏତିକି ଯଥେଷ୍ଟ ନୁହେଁ। ଆହୁରି କିଛି ପ୍ରଗତିଶୀଳ ସଂସ୍କାରମୂଳକ ପଦକ୍ଷେପର ଅପେକ୍ଷା ରଖାଯାଉଛି। ତେବେ ଅର୍ଥନୀତିର ପୁନରୁଦ୍ଧାର ଲାଗି ସରକାର ଯାହାବି ଯୋଜନା ପ୍ରସ୍ତୁତ କରନ୍ତୁ ନା କାହିଁକି ସେଥିରେ ବେକାରି ମୁକାବିଲା ଓ ସଂକଟଗ୍ରସ୍ତ କୃଷିର ପୁନରୁଦ୍ଧାର ଉପରେ ପ୍ରାଥମିକତା ଦେବାକୁ ପଡ଼ିବ। ଏହି କ୍ଷେତ୍ର ପ୍ରତି ଅବହେଳା ରାଜନୈତିକ ଓ ସାମାଜିକ ଦୃଷ୍ଟିରୁ ମହଙ୍ଗା ସାବ୍ୟସ୍ତ ହୋଇପାରେ।

ସମ୍ବନ୍ଧିତ ଖବର