କୋଟିଆ ଗ୍ରାମପୁଞ୍ଜରୁ ବାର୍ତ୍ତା

0 115

ଓଡ଼ିଶା-ଆନ୍ଧ୍ରପ୍ରଦେଶ ସୀମା ବିବାଦର କେନ୍ଦ୍ରରେ ଥିବା କୋରାପୁଟ ଜିଲ୍ଲାର କୋଟିଆ ଗ୍ରାମପୁଞ୍ଜ ପୁଣି ଥରେ ଚର୍ଚ୍ଚାକୁ ଆସିଛି। ମଙ୍ଗଳବାର ଦିନ ଆନ୍ଧ୍ରର ସରକାରୀ ଅଧିକାରୀମାନେ ଏହି ସୀମାନ୍ତ ଗ୍ରାମପୁଞ୍ଜର ତଳଗଞ୍ଜେଇପଦର ଗାଁକୁ ଆସି ଗ୍ରାମବାସୀଙ୍କୁ ଭତ୍ତା ଓ କମ୍ବଳ ବାଣ୍ଟିଛନ୍ତି। ମାନ୍ୟବର ସୁପ୍ରିମ୍‌ କୋର୍ଟଙ୍କ ଦ୍ୱାରା ବାହାଲ ହୋଇଥିବା ସ୍ଥିତାବସସ୍ଥାକୁ ବଦଳାଇବା ଲାଗି ପଡ଼ୋଶୀ ରାଜ୍ୟର ସରକାରଙ୍କ ଏହା ଆଉ ଏକ ଅଭିସନ୍ଧିମୂଳକ ପଦକ୍ଷେପ। ଏହା ପ୍ରଥମ ଥର ନୁହେଁ, ଯେତେବେଳେ କୋଟିଆ ଗ୍ରାମପୁଞ୍ଜ ନେଇ ସ୍ଥିତାବସ୍ଥା ବଦଳାଇବା ଲାଗି ଉଦ୍ୟମ ହୋଇଛି। ବରଂ ବିଭ୍ରାନ୍ତି ସୃଷ୍ଟି କରି ସ୍ଥିତାବସ୍ଥା ବଦଳାଇବା ଉଦ୍ୟମ ପଡ଼ୋଶୀ ରାଜ୍ୟର ଏକ ସରକାରୀ ନୀତି ତଥା ପ୍ରଶାସନିକ କୌଶଳ। ଆନ୍ଧ୍ର ପ୍ରଦେଶର ସରକାରୀ ରେକର୍ଡରେ ତଳଗଞ୍ଜେଇପଦରକୁ ଗ୍ରାମପଞ୍ଚାୟତର ମାନ୍ୟତା ଦିଆଯାଇଛି। କେବଳ ତଳଗଞ୍ଜେଇପଦର ନୁହେଁ, କୋଟିଆ ଗ୍ରାମପୁଞ୍ଜରେ ଆନ୍ଧ୍ରର ଆଉ ଦୁଇଟି ତଥାକଥିତ ପଞ୍ଚାୟତ ରହିଛି।

ଏହି ପଞ୍ଚାୟତଗୁଡ଼ିକ ଅନ୍ତର୍ଗତ ଗ୍ରାମମାନଙ୍କୁ ଆନ୍ଧ୍ର ସରକାରୀ ଅଧିକାରୀ, ଜନପ୍ରତିନିିଧିଙ୍କ ଗସ୍ତ ଓ ବିଭିନ୍ନ ସରକାରୀ ଯୋଜନାରେ ଲୋକଙ୍କୁ ଅଯାଚିତ ଭାବେ ସାମିଲ କରି ଭତ୍ତା ଓ ମାଗଣା ସାମଗ୍ରୀ ବଣ୍ଟନ ଏକ ନିୟମିତ ବ୍ୟାପାର। ଏହା କିନ୍ତୁ କୋଟିଆ ଗ୍ରାମପୁଞ୍ଜର ସ୍ଥିତାବସ୍ଥାକୁ ବଦଳାଇ ପାରିନାହିଁ। ସେମିତି ଏଥର ମଧ୍ୟ ଆନ୍ଧ୍ରର ‘ଜନ୍ମଭୂମି’ ଯୋଜନାରେ ଭତ୍ତା ଓ କମ୍ବଳ ବଣ୍ଟନ ସ୍ଥିତାବସ୍ଥାକୁ ବଦଳାଇବା ସମ୍ଭାବନା କ୍ଷୀଣ। ତଥାପି ଏହା ନିଶ୍ଚିତ ଯେ ମଙ୍ଗଳବାର ଘଟଣାକ୍ରମ ଦୁଇ ପଡ଼ୋଶୀ ରାଜ୍ୟ ମଧ୍ୟରେ ସମ୍ପର୍କକୁ ଅଧିକ ତିକ୍ତ କରିବା ସହ ସୀମାନ୍ତ ଅଞ୍ଚଳର ଲୋକଙ୍କ ମନରେ ଅଯଥା ବିଭ୍ରାନ୍ତିକୁ ଘନୀଭୂତ କରିବ। ସ୍ଥିତାବସ୍ଥା ହେଲା- ୨୧ଟି ଗ୍ରାମ ଉପରେ ଆନ୍ଧ୍ରର ଦାବି ସତ୍ତ୍ୱେ କୋଟିଆ ଗ୍ରାମପୁଞ୍ଜର ୨୮ଟି ଗ୍ରାମ ଓ ୧୨ଟି ଜନବସତି ଉପରେ ଓଡ଼ିଶା ସରକାରଙ୍କ ପ୍ରଶାସନିକ ନିୟନ୍ତ୍ରଣ କାଏମ ରହିଛି। ଗ୍ରାମପୁଞ୍ଜରେ ଓଡ଼ିଶାର ୨୩ଟି ସ୍କୁଲ ଓ ୨୭ଟି ଅଙ୍ଗନବାଡ଼ି କେନ୍ଦ୍ର ରହିଛି। ଆଠହଜାରରୁ ଊର୍ଦ୍ଧ୍ୱ ଲୋକସଂଖ୍ୟା ବିଶିଷ୍ଟ କୋଟିଆ ଗାଁ ମାନଙ୍କରେ ସରକାରୀ ବିକାଶ ଓ କଲ୍ୟାଣମୂଳକ କାର୍ଯ୍ୟକ୍ରମ ଚାଲିଛି। ସ୍ଥିତାବସ୍ଥା ବଦଳି ନାହିଁ, କିନ୍ତୁ ପଡ଼ୋଶୀ ପକ୍ଷରୁ ମଙ୍ଗଳବାର ଭଳି ଉଦ୍ୟମ ଜାରି ରହିଲେ ସ୍ଥିତାବସ୍ଥା ଯେ ନବଦଳିବ ତାହା ନିଶ୍ଚିତ ନୁହେଁ। ତେଣୁ ତଳଗଞ୍ଜେଇ ପଦରରେ ଆନ୍ଧ୍ର ସରକାରଙ୍କ ଅନୁପ୍ରବେଶ ଓଡ଼ିଶା ପାଇଁ ଆଉ ଏକ ସତର୍କ ସଂକେତ।

କୋଟିଆ ଗ୍ରାମପୁଞ୍ଜରେ ଆନ୍ଧ୍ର ସରକାରଙ୍କ ଅନୁପ୍ରବେଶ ଓଡ଼ିଶାର ଆଞ୍ଚଳିକ, ଭାବଗତ ସଂହତି, ସ୍ୱାଭିମାନ ସହ ଯୋଡ଼ି ହୋଇଥିବା ଦୁଇଟି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ପ୍ରତି ଦୃଷ୍ଟି ଆକର୍ଷଣ କରୁଛି, ଯାହା ସରକାରୀ ଓ ରାଜନୈତିକ ସ୍ତରରେ ବିହିତ ପଦକ୍ଷେପର ଅପେକ୍ଷା ରଖୁଛି। ପ୍ରଥମେ ଯେଉଁ ପ୍ରସଙ୍ଗ ପ୍ରତି ତଳଗଞ୍ଜେଇପଦର ଘଟଣା ଧ୍ୟାନ ଆକର୍ଷଣ କରୁଛି ତା ହେଲା- ପଡ଼ୋଶୀ ରାଜ୍ୟଙ୍କ ସହ ନଦୀ ଜଳ ବିବାଦରେ ଛନ୍ଦି ହୋଇଥିବା ଓଡ଼ିଶା ପାଇଁ ସୀମା ବିବାଦର ସମାଧାନ ମଧ୍ୟ ସମାନ ଭାବେ ଗୁରୁତ୍ୱପୂର୍ଣ୍ଣ। ବିଧାନସଭାକୁ ରାଜ୍ୟ ସରକାର ଦେଇଥିବା ସୂଚନା ଅନୁଯାୟୀ ୧୧୪ଟି ସୀମାନ୍ତ ଗ୍ରାମକୁ କେନ୍ଦ୍ର କରି ପଡ଼ୋଶୀ ରାଜ୍ୟଙ୍କ ସହ ବିବାଦ ରହିଛି। ଆନ୍ଧ୍ର ସହ ସର୍ବାଧିକ ୮୮ଟି ଗ୍ରାମକୁ ନେଇ ବିବାଦ ଥିବା ବେଳେ ଅବଶିଷ୍ଟ ବିବାଦୀୟ ଗ୍ରାମ ବାଲେଶ୍ୱର, ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାରେ ରହିଛି। ଏ ସବୁ ଗ୍ରାମ ନେଇ ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡ ସହ ବିବାଦ ତୁଟୁନି। ସରକାରୀ ହିସାବରେ ନଥିଲେ ମଧ୍ୟ ଆଉ କେତେକ ସୀମାନ୍ତ ଗ୍ରାମ ମଧ୍ୟ ବିବାଦୀୟ। ଯେମିତି ସୁନ୍ଦରଗଡ଼ ଓ ନବରଙ୍ଗପୁର ଜିଲ୍ଲାର କିଛି ଗ୍ରାମକୁ ନେଇ ଛତିଶଗଡ଼ ସହ ବିବାଦ ରହିଛି।

ନଦୀ ଜଳ ବିବାଦର କାରଣ ମୁଖ୍ୟତଃ ଭୌଗୋଳିକ ହୋଇଥିବା ବେଳେ ସୀମା ବିବାଦର ମଞ୍ଜି ମୁଖ୍ୟତଃ ଐତିହାସିକ। ଭାଷା ଭିତ୍ତିରେ ୧୯୩୬ରେ ସ୍ୱତନ୍ତ୍ର ରାଜ୍ୟ ଭାବେ ଯେଉଁ ଓଡ଼ିଶା ଗଠନ ହେଲା, ତାହା ଥିଲା ଏକ ଖଣ୍ଡିତ ଓଡ଼ିଶା। ପଡ଼ୋଶୀ ବିହାର, ଆନ୍ଧ୍ର, ପଶ୍ଚିମବଙ୍ଗ ଓ ମଧ୍ୟପ୍ରଦେଶରେ ବିସ୍ତତ ଓଡ଼ିଆ ଭାଷାଭାଷୀ ଅଞ୍ଚଳ ରହିଗଲା। ଆଉ ଅଠର ବର୍ଷ ପରେ ସ୍ୱତନ୍ତ୍ର ଓଡ଼ିଶା ରାଜ୍ୟ ଗଠନର ଶହେ ବର୍ଷ ପୂର୍ତ୍ତି ପାଳିତ ହେବ। ଅଥଚ, ପଡ଼ୋଶୀଙ୍କ ସହ ସୀମା ବିବାଦ ‘ଯେଉଁଠି କି ସେଇଠି’ ରହିଛି। ପୁରୁଣା ବିବାଦ ତୁଟୁ ନଥିବା ବେଳେ ପଡ଼ୋଶୀଙ୍କ ବଡ଼ଭାଇ ପଣିଆ ଯୋଗୁ ନୂଆ ବିବାଦ ମୁଣ୍ଡ ଟେକୁଛି। ରାଜ୍ୟର ଆଞ୍ଚଳିକ, ଭାବଗତ ସଂହତି ଓ ସ୍ୱାଭିମାନ ପାଇଁ କଦାପି ଏହା ଏକ ଅନୁକୂଳ ଲକ୍ଷଣ ନୁହେଁ। ଅବଶ୍ୟ, ଏକା ଓଡ଼ିଶା ନୁହେଁ ଆହୁରି ଅନେକ ରାଜ୍ୟ ମଧ୍ୟ ପଡ଼ୋଶୀଙ୍କ ସହ ଆନ୍ତଃ ସୀମା ବିବାଦରେ ଛନ୍ଦି ହୋଇଛନ୍ତି, ଯାହା ଦେଶର ଏକତା ଓ ସଂହତି ପାଇଁ ପ୍ରତିକୂଳ ପରିବେଶ ସୃଷ୍ଟି କରୁଛି।

ଆନ୍ତଃ-ରାଜ୍ୟ ସୀମା ନିର୍ଦ୍ଧାରଣ କମିଟି ପକ୍ଷରୁ ସବୁ ଆନ୍ତଃ- ରାଜ୍ୟ ସୀମା ବିବାଦର ସ୍ଥାୟୀ ସମାଧାନ ଲାଗି ସାନି ଉଦ୍ୟମର ଏବେ ସମୟ ଆସି ଯାଇଛି। କେନ୍ଦ୍ର ପକ୍ଷରୁ ଏ ନେଇ ପକ୍ରିୟା ଆରମ୍ଭ ହେବା ଉଚିତ। ତେବେ ଅନ୍ୟ ରାଜ୍ୟ ମାନଙ୍କ ଅପେକ୍ଷା ଭାଷା ଭିତ୍ତିରେ ଦେଶର ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ସକାଶେ ସୀମା ବିବାଦର ସ୍ଥାୟୀ ସମାଧାନ ଅଧିକ ଗୁରୁତ୍ୱପୂର୍ଣ୍ଣ। ପୁଣି ସୀମା ବିବାଦର ସମାଧାନ ଲାଗି ଭାଷା ଭିତ୍ତିକ ପ୍ରଦେଶ ଭାବେ ଶତବାର୍ଷିକୀ ପାଳନ ଠାରୁ ଆଉ କ’ଣ ପ୍ରକୃଷ୍ଟ ଅବସର ହୋଇପାରେ? ୧୯୩୬ରେ ସ୍ୱତନ୍ତ୍ର ରାଜ୍ୟ ଗଠନର ଶତବାର୍ଷିକୀ ପାଳନ ବେଳେ ଓଡ଼ିଶା ଯେମିତି ସୀମା ବିବାଦର ବୋଝରୁ ସମ୍ପୂର୍ଣ୍ଣ ମୁକ୍ତ ହୋଇ ପାରିବ, ତାକୁ ଲକ୍ଷ୍ୟରେ ରଖି ଉଭୟ ରାଜନୈତିକ ଓ ନ୍ୟାୟିକ ସ୍ତରରେ ଯୋଜନାବଦ୍ଧ ପଦକ୍ଷେପ ଗ୍ରହଣ କରାଯାଉ। ସୀମା ବିବାଦର ସମାଧାନ ଖୋଜିଲା ବେଳେ ପଡ଼ୋଶୀ ରାଜ୍ୟଙ୍କ ସହ ଆପୋସ କଥାବାର୍ତ୍ତା ଉପରେ ସର୍ବାଧିକ ପ୍ରାଥମିକତା ଦେବାକୁ ପଡ଼ିବ।

ସୀମାନ୍ତବର୍ତ୍ତୀ କୋଟିଆ ଗ୍ରାମପୁଞ୍ଜର ଘଟଣାକ୍ରମ ଯେଉଁ ଦ୍ୱିତିୟ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ପ୍ରତି ଦୃଷ୍ଟି ଆକର୍ଷଣ କରୁଛି, ତା’ ହେଲା ସୀମାନ୍ତ ଅଞ୍ଚଳରେ ବିକାଶ ଓ ଶାସନ। ସରକାର ମାନି ନପାରନ୍ତି, କିନ୍ତୁ ଏହା ଏକ ନିଷ୍ଠୁର ବାସ୍ତବତା ଯେ ସୀମାନ୍ତବର୍ତ୍ତୀ ଅଞ୍ଚଳ ବିକାଶ ଓ ଶାସନର ଆଢୁଆଳରେ ରହିଯାଉଛି। ରାଜ୍ୟରେ ଯେଉଁ ସାତ ହଜାର ଗାଁକୁ ରାସ୍ତା ନାହିଁ, ସେଥିରୁ ଅଧିକାଂଶ ସୀମାନ୍ତ ଇଲାକାର। ରାସ୍ତା ନାହିଁର ଅର୍ଥ ଯୋଜନା ସେଠାରେ ଅପହଞ୍ଚ। ଉପର ସରକାରୀ ହାକିମ ତ ଦୂରେ ଥାଉ, ତଳିଆ କର୍ମଚାରୀଙ୍କ ମଧ୍ୟ ସୀମାନ୍ତ ଗାଁରେ ପାଦ ପଡ଼େ ନାହିଁ। ଶାସନ ଓ ବିକାଶ କ୍ଷେତ୍ରରେ ଥିବା ଏହି ନିଅଣ୍ଟିଆ ଅବସ୍ଥା, ପଡ଼ୋଶୀଙ୍କ ଅନୁପ୍ରବେଶ ଲାଗି ଅବକାଶ ତିଆରି କରୁଛି। ବିକାଶ ଓ ଶାସନରେ ଏ ନିଅଣ୍ଟିଆ ଅବସ୍ଥା ପାଇଁ କଡ଼ା ମୂଲ୍ୟ ମଧ୍ୟ ଦେବାକୁ ପଡୁଛି। ଏହାର ଦୁଃଖଦ ଉଦାହରଣ କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ୍‌ର ୧୨ଟି ବୋରା ଗ୍ରାମ। ଏହିସବୁ ଗ୍ରାମ କାଗଜପତ୍ରରେ ଓଡ଼ିଶାର, କିନ୍ତୁ ବାସ୍ତବତା ହେଲା ସେ ୧୨ଟି ଗ୍ରାମ ସମ୍ପୂର୍ଣ୍ଣ ଭାବେ ଆନ୍ଧ୍ରର ନିୟନ୍ତ୍ରଣକୁ ଚାଲିଯାଇଛି। ଏହି ନିଅଣ୍ଟିଆ ଅବସ୍ଥା ସୀମାନ୍ତ ଅଞ୍ଚଳ ଲୋକଙ୍କୁ ରାଜ୍ୟର ମୁଖ୍ୟ ସ୍ରୋତରୁ ଦୂରେଇ ରଖୁଛି।

ସ୍ଥଳ ବିଶେଷରେ ବିକାଶ ଓ ଶାସନ ନେଇ ଅସନ୍ତୋଷ ପ୍ରସୂତ ସରକାର ବିରୋଧୀ ମନୋଭାବ କ୍ରମଶଃ ବିଚ୍ଛିନ୍ନତାବାଦୀ ମନୋଭାବରେ ରୂପାନ୍ତରିତ ହେଉଛି। ଏ ପରିପ୍ରେକ୍ଷୀରେ ଗତ ଦଶ ବର୍ଷ ହେଲା ସରକାରଙ୍କ ବିଚାରାଧୀନ ଥିବା ଆଞ୍ଚଳିକ ବୈଷମ୍ୟ କମିସନ୍‌ଙ୍କ ସୀମାନ୍ତ ଅଞ୍ଚଳ ପାଇଁ ସ୍ୱତନ୍ତ୍ର ଉନ୍ନୟନ ବୋର୍ଡ ଗଠନ ଲାଗି ସୁପାରିସ ପ୍ରଣିଧାନ ଯୋଗ୍ୟ। ଅନ୍ୟ ଅଞ୍ଚଳ ଅପେକ୍ଷା ସୀମାନ୍ତ ଅଞ୍ଚଳର ବିକାଶ ସ୍ୱତନ୍ତ୍ର ଧ୍ୟାନର ଅପେକ୍ଷା ରଖେ ଓ ସେଥିପାଇଁ ସୀମାନ୍ତ ଅଞ୍ଚଳ ପାଇଁ ବିକାଶ ଓ ଶାସନର ଏକ ସ୍ୱତନ୍ତ୍ର ଢାଞ୍ଚା ଦରକାର। କମିସନ୍‌ଙ୍କ ଏହି ସୁପାରିସକୁ ସରକାର ଗୁରୁତ୍ୱର ସହ ବିଚାର କରନ୍ତୁ। ସୀମାନ୍ତ ଅଞ୍ଚଳର ଲୋକଙ୍କ ଶାସନ ଓ ବିକାଶର ନିଅଣ୍ଟିଆ ଜନିତ ଉପେକ୍ଷିତ, ଅବହେଳିତ ଭାବ ଦୂର ହେବା ଏକାନ୍ତ ଆବଶ୍ୟକ। ଏଥିପାଇଁ ବିକାଶ ଓ ଉତ୍ତମ ଶାସନ ପ୍ରଭାବଶାଳୀ ଆୟୁଧ। ବିକାଶ ଓ ଶାସନରେ ନିଅଣ୍ଟିଆ ଥିବା ପର୍ଯ୍ୟନ୍ତ ରାଜ୍ୟ ସହ ଉପାନ୍ତ ଅଞ୍ଚଳର ଆଞ୍ଚଳିକ ଓ ଭାଗବତ ସଂହତି ପୂର୍ଣ୍ଣତା ଲାଭ କରିପାରିବ ନାହିଁ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.