ପରୀକ୍ଷା ସ˚ସ୍କାର

ଅରୁଣ ମଜୁମଦାର

ରାଜ୍ୟରେ ପରୀକ୍ଷା କାଳ ଆରମ୍ଭ ହୋଇଗଲାଣି। ପରୀକ୍ଷା ସମୟ ହେଉଛି ସମସ୍ତଙ୍କ ଲାଗି ଗୁରୁତ୍ବପୂର୍ଣ୍ଣ। ବେଳେ ବେଳେ ସ୍କୁଲ ଓ କଲେଜର ପରୀକ୍ଷା ଜୀବନର ପରୀକ୍ଷା ଭଳି ହୋଇଯାଏ। ଆଗେ କାଗଜ କଲମର ପରୀକ୍ଷା ହେଉଥିଲା। ଏବେ ତା ସହିତ ଅନେକ ସ୍ଥଳେ ‘ଅନ୍‌ ଲାଇନ୍‌’ ପରୀକ୍ଷାମାନ ମଧ୍ୟ ହେଉଛି। ପରୀକ୍ଷା ବେଳେ ଛାତ୍ର, ଶିକ୍ଷକ, ଅଭିଭାବକ, ଶିକ୍ଷାବିଭାଗ, ପ୍ରଶାସନ ଆଦି ସମସ୍ତେ ତତ୍ପର ହୋଇପଡ଼ନ୍ତି। ପରୀକ୍ଷା କିଭଳି ଶୃଙ୍ଖଳିତ ଭାବରେ ଶେଷ ହେବ ଏବ˚ ଠିକ ସମୟରେ ନିର୍ଭୁଲ ଭାବରେ ପରୀକ୍ଷା ଫଳ ପ୍ରକାଶିତ ହେବ ଏ ଚିନ୍ତା ସମସ୍ତଙ୍କର ଥାଏ।

ତେବେ, ପରୀକ୍ଷା ପରିଚାଳନାର ନିର୍ଦ୍ଦିଷ୍ଟ କେତେକ ସ୍ତର ଥାଏ। ସେଗୁଡ଼ିକ ମଧୢରୁ କେତେ ଗୋଟି ହେଲା, ବିଭିନ୍ନ ସେଟ୍‌ର ପ୍ରଶ୍ନପତ୍ରକୁ ସତର୍କତାର ସହିତ ଅତ୍ୟନ୍ତ ଗୋପନୀୟ ଭାବରେ ପ୍ରସ୍ତୁତ କରିବା ଏବ˚ ସେଗୁଡ଼ିକ ଠିକ୍‌ ସମୟରେ ପରୀକ୍ଷାକେନ୍ଦ୍ର, ନୋଡାଲ ସେଣ୍ଟର ବା ପରୀକ୍ଷା ହବ୍‌କୁ ପଠାଇବା, ପରୀକ୍ଷା ସୂଚୀ ଘୋଷଣା କରିବା, ନିରପେକ୍ଷ ଭାବରେ ପରୀକ୍ଷା କେନ୍ଦ୍ର ଚୟନ, ନୋଡାଲ ସେଣ୍ଟର ଓ ହବ୍‌ଗୁଡ଼ିକର ନିର୍ଦ୍ଧାରଣ, ପରୀକ୍ଷକ, ନିରୀକ୍ଷକ, ସ୍କ୍ବାର୍ଡ ମେମ୍ବରମାନଙ୍କର ତାଲିକା ପ୍ରସ୍ତୁତି ଓ ନିଯୁକ୍ତି, ଫର୍ମ ପୂରଣ ସହିତ ଆଡ୍‌ମିଟ୍‌ କାର୍ଡ ପ୍ରେରଣ ଇତ୍ୟାଦି। ଏ ସମସ୍ତ କାର୍ଯ୍ୟର ଦାୟିତ୍ବରେ ଜଣେ ଜଣେ ପରୀକ୍ଷା ନିୟନ୍ତ୍ରକ ରହିଥାଆନ୍ତି।

ପରୀକ୍ଷା ହଲ୍‌ ଗୁଡ଼ିକର ପ୍ରସ୍ତୁତି ସହିତ ପିଇବା ପାଣି, ଆଲୁଅ, ସ୍ବତନ୍ତ୍ର ଶୌଚାଳୟ ଆଦିର ବ୍ୟବସ୍ଥା ପ୍ରତି ମଧ୍ୟ ବିଶେଷ ଦୃଷ୍ଟି ଦିଆଯାଇଥାଏ। ପରୀକ୍ଷା ସମୟରେ ତ୍ରିସ୍ତରୀୟ ଚେକି˚ ବ୍ୟବସ୍ଥା ରହିଛି। ଏହା ସହିତ ହଲ୍‌ଗୁଡ଼ିକରେ ସିସି କ୍ୟାମେରା ଦ୍ବାରା ନଜର ରଖାଯାଏ। ଏହା ବ୍ୟତୀତ ବାୟୋମେଟ୍ରିକ ଉପସ୍ଥାନ, ମୋବାଇଲ ନିଷେଧ ଭଳି କିଛି ବ୍ୟବସ୍ଥା ମଧୢ କରାଯାଇଥାଏ। ଏହାର ମୂଳ ଲକ୍ଷ୍ୟ ହେଉଛି ପରୀକ୍ଷାକୁ ପାରଦର୍ଶୀ ଓ ସ‌େନ୍ଦହମୁକ୍ତ କରିବା। ଏବେ ଅନେକ ପରୀକ୍ଷାରେ ପ୍ରଶ୍ନପତ୍ର ବିଭ୍ରାଟ, ପରୀକ୍ଷା କେନ୍ଦ୍ର ଫିକ୍ସି˚, କପିର ପ୍ରାଦୁର୍ଭାବ, ତ୍ରୁଟିପୂର୍ଣ୍ଣ ମୂଲ୍ୟାୟନ, ବିଳମ୍ବରେ ପରୀକ୍ଷା ଫଳ ପ୍ରକାଶ ଭଳି ଅପଲକ୍ଷଣମାନ ପରିଦୃଷ୍ଟ ହେଉଛି। ଏହାର ମୁକାବିଲା କରାଯିବା ଅତ୍ୟନ୍ତ ଜରୁରୀ।

ଅବଶ୍ୟ ଏଥିପାଇଁ ସ୍କୁଲ, ଗଣଶିକ୍ଷା ଏବ˚ ଉଚ୍ଚଶିକ୍ଷା ବିଭାଗ ତରଫରୁ ବହୁବିଧ ସ˚ସ୍କାର ଗ୍ରହଣ କରାଯାଇଛି। ତା ଭିତରୁ ଗୋଟିଏ ହେଲା ରାଜ୍ୟର ସମସ୍ତ ବିଦ୍ୟାଳୟରେ ମାର୍ଚ୍ଚ ମାସରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ବିଦ୍ୟାର୍ଥୀମାନଙ୍କ ବାର୍ଷିକ ପରୀକ୍ଷା ଏକକ ଭାବେ ଅନୁଷ୍ଠିତ କରାଇବା ସହିତ ସେହି ମାସରେ ଫଳ ପ୍ରକାଶ କରି ରିପୋର୍ଟ-କାର୍ଡ ପ୍ରଦାନ କରିବା ପାଇଁ ନିଷ୍ପତ୍ତି। ଏହାଦ୍ବାରା ପରୀକ୍ଷାକୁ ଶୃଙ୍ଖଳିତ କରିହେବ। ସେହିପରି ମାଟ୍ରିକ ପରୀକ୍ଷାରେ ଯେଉଁ ବିଦ୍ୟାଳୟରେ ପାସ୍‌ ହାର ଅତ୍ୟନ୍ତ ନିକୃଷ୍ଟ ସେଠାକାର ଶିକ୍ଷକମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରାଯିବାର ନିଷ୍ପତ୍ତି ମଧ୍ୟ ଏକ ଗୁରୁତ୍ବପୂର୍ଣ୍ଣ ସଂସ୍କାର। ମହାବିଦ୍ୟାଳୟଗୁଡ଼ିକର ପରୀକ୍ଷା ପାଇଁ ମଧୢ ବିଭିନ୍ନ ସ˚ସ୍କାର ମୂଳକ ପଦକ୍ଷେପମାନ ଗ୍ରହଣ କରାଯାଇଛି ଶିକ୍ଷାନୁଷ୍ଠାନରେ ସର୍ବନିମ୍ନ ୭୫% ଉପସ୍ଥାନ ନ ଥିଲେ ଛାତ୍ରଛାତ୍ରୀମାନଙ୍କୁ ପରୀକ୍ଷା ପାଇଁ ଅନୁମତି ଦିଆ ନ ଯିବା ତା ଭିତରୁ ଗୋଟିଏ। ସେହିଭଳି ଯୁକ୍ତ ଦୁଇ ପ୍ରଥମ ବର୍ଷରେ ବାର୍ଷିକ ବୋର୍ଡ ପରୀକ୍ଷା କରାଯିବା ଏବଂ ତହିଁରେ ଫେଲ୍‌ ହେଲେ ଛାତ୍ରଛାତ୍ରୀମାନେ ସପ୍ଲିମେଣ୍ଟାରି ପରୀକ୍ଷା ଦେଇ ପାସ କରିବାକୁ ବାଧ୍ୟ ହେବା ମଧ୍ୟ ଏକ ଉତ୍ତମ ସଂସ୍କାର।

ସେହିଭଳି ପରୀକ୍ଷା ଖାତାର ସଠିକ୍‌ ମୂଲ୍ୟାୟନ ପାଇଁ ପର୍ଯ୍ୟାପ୍ତ ସ˚ଖ୍ୟାରେ ମୂଲ୍ୟାୟନ କେନ୍ଦ୍ରମାନ ଖୋଲାଯିବା ଏବ˚ ତା’ସହିତ ଅନ୍‌ଲାଇନ୍‌ ଓ ଅଫ୍‌ଲାଇନ୍‌ ମୂଲ୍ୟାୟନର ବ୍ୟବସ୍ଥା ମଧ୍ୟ ଏଭଳି ସଂସ୍କାର ଅନ୍ତର୍ଭୁକ୍ତ। ମୂଲ୍ୟାୟନରେ ତ୍ରୁଟି ପାଇଁ ମୂଲ୍ୟାୟନକାରୀଙ୍କ ଉତ୍ତର ଖାତାର ପୁନର୍ବାର ମୂଲ୍ୟାୟନ, ମୂଲ୍ୟାୟନ କେନ୍ଦ୍ରଗୁଡ଼ିକରେ ସିସି କ୍ୟାମେରା ଓ ବାୟୋମାଟ୍ରିକ ଉପସ୍ଥାନ ବ୍ୟବସ୍ଥା, ମୂଲ୍ୟାୟନ କେନ୍ଦ୍ର ଭିତରକୁ ମୋବାଇଲ ନେବା ଉପରେ ନିଷେଧାଦେଶ ସହିତ ମୂଲ୍ୟାୟନ ଲାଗି ପାଉଣା ବୃଦ୍ଧି ଦ୍ବାରା ମୂଲ୍ୟାୟନ ପ୍ରକ୍ରିୟା ପୂର୍ବାପେକ୍ଷା ଉନ୍ନତ ମାନର ହେବ ବୋଲି ଆଶା।

ଏଣିକି ପ୍ରତି ସେମିଷ୍ଟାର ପରୀକ୍ଷା ପାଇଁ ଆଉ ବାରମ୍ବାର ଫର୍ମ ପୂରଣ ଓ ଆଡ୍‌ମିଟ୍‌ କାର୍ଡ ଡାଉନ ଲୋଡ କରିବାକୁ ପଡ଼ିବ ନାହିଁ। ନାମ ଲେଖା ସମୟରେ ଏହା ଗୋଟିଏ ଥର ଲାଗି କରାଯିବ। ସେହିପରି ‘ବ୍ୟାକ୍‌ ପେପର’ ପରୀକ୍ଷା ବିଳମ୍ବ ନ କରି ଗୋଟିଏ ସେମିଷ୍ଟାରର ତା’ ପର ସେମିଷ୍ଟାରରେ ହିଁ ତାକୁ ସଂପନ୍ନ କରାଯିବ।

ଏସବୁ ପରୀକ୍ଷା ସ˚ସ୍କାର ଓ ବ୍ୟବସ୍ଥା ପରିବର୍ତ୍ତନର କିଛି ଉଦାହରଣ ମାତ୍ର। ତେବେ ସଂସ୍କାରକୁ ଫଳପ୍ରସୂ କରିବା ଲାଗି ଯାହା ଆବଶ୍ୟକ ତାହା ହେଲା ସବୁ କାର୍ଯ୍ୟରେ ନିଷ୍ଠା ପ୍ରଦର୍ଶନ। କାର୍ଯ୍ୟ ସଂପାଦନ କରୁଥିବା ମାନବ ସମ୍ବଳ ଯଦି ଦାୟିତ୍ବ ନିର୍ବାହ କରିବାରେ ଆନ୍ତରିକତା ପ୍ରଦର୍ଶନ ନ କରନ୍ତି, ତେବେ କୌଣସି ସଂସ୍କାର କିଛି ହେଲେ ଲାଭ ଦେଇପାରିବ ନାହିଁ।

ଜି.ଏମ୍‌.କଲେଜ ରୋଡ଼, ସମ୍ବଲପୁର
ମୋ:୯୩୩୭୦୧୮୮୯୪

ସମ୍ବନ୍ଧିତ ଖବର