ଅନୁଭବଙ୍କ ସହ ପ୍ରଥମ ଥର ପାଇଁ ଏହି ନିର୍ଦ୍ଦେଶକ

ଭୁବନେଶ୍ୱର :ଓଲିଉଡ଼୍‍ର ଲୋକପ୍ରିୟ ନାୟକ ଅନୁଭବ ମହାନ୍ତି ଯେଉଁ ଫିଲ୍ମ ( ‘ଆଇ ଲଭ ୟୁ’)ରୁ କ୍ୟାରିଅର୍‌ ଆରମ୍ଭ କରିଥିଲେ ରିଂ ମାଷ୍ଟର୍‌ ହର ପଟ୍ଟନାୟକ। ତ’ପରେ ଅନୁଭବଙ୍କ ନିର୍ଦ୍ଦେଶନାଦେବାର ସୁଯୋଗ ପାଇଥିଲେ କେତେକ ବରିଷ୍ଠ ଏବଂ ନୂଆ ନିର୍ଦ୍ଦେଶକ। ଏମାନଙ୍କ ଭିତରେ ପ୍ରଶାନ୍ତ ନନ୍ଦ,ପ୍ରଭାକର୍‌,ଏସ୍‌ କେ ମୁରଲୀଧରନ୍‌,ହିମାଂଶୁ ପରିଜା,ବସନ୍ତ ସାହୁ, ମୁରଲୀ କ୍ରିଷ୍ଣା,ସୁଧାକର ବସନ୍ତ,ସୁଧାଂଶୁ ସାହୁ,ଅଶୋକ ପତି,ସୁଶାନ୍ତ ମଣି,ଦିଲୀପ ପଣ୍ଡା ଓ ରମେଶ ରାଉତ ପ୍ରମୁଖ ଅଛନ୍ତି।

ହେଲେ ଓଲିଉଡ଼୍‍ର ଜଣେ ଚର୍ଚ୍ଚିତ ନିର୍ଦ୍ଦେଶକଙ୍କୁ ପୂର୍ବରୁ କୌଣସି ଗୋଟିଏ ସିନେମାରେ ବି ଅନୁଭବଙ୍କୁ ନିର୍ଦ୍ଦେଶନା ଦେବାର ସୁଯୋଗ ମିଳି ନ ଥିଲା। ଏବେ ତାଙ୍କୁ ସେହି ସୁଯୋଗ ମିଳିଛି। ଆଗରୁ ଏହି ନିର୍ଦ୍ଦେଶକ ଜଣକ ଅରିନ୍ଦମ୍‌,ବାବୁସାନ୍‌,ଆକାଶ ଓ ସିଦ୍ଧାନ୍ତଙ୍କ ଭଳି ଟପ୍‌ ହିରୋଙ୍କୁ ଅବଶ୍ୟ ନିର୍ଦ୍ଦେଶନା ଦେଇଛନ୍ତି।ଏଠାରେ ଯେଉଁ ନିର୍ଦ୍ଦେଶକଙ୍କ କଥା କୁହାଯାଉଛି,ସେ ହେଲେ ତାପସ ସରଘରିଆ।


ତାପସ ନିରଂଜନ ରାଣାଙ୍କ ପ୍ରଯୋଜିତ ‘ପହିଲି ରଜ’ ସିନେମାରେ ନିର୍ଦ୍ଦେଶକ ଭାବେ ପରିଚିତ ହୋଇଥିଲେ। ଏହାପରେ ସେ ‘ରୁମ୍‌କୁ ଝୁମାନା’,‘ଇଶ୍କ ତୁ ହିଁ ତୁ’,‘କଳ୍‌କୀ’,‘ତୁ ମୋ ଲଭ୍‌ଷ୍ଟୋରି’,‘ହିରୋ ନମ୍ବର ଓ୍ଵାନ୍‌’ଏବଂ ‘ଓନ୍‌ଲି ପ୍ୟାର୍‌’ ଆଦି ସିନେମାର ନିର୍ଦ୍ଦେଶନା ଦେଇଛନ୍ତି। କିନ୍ତୁ ଏଥିମଧ୍ୟରୁ କୌଣସିଟିରେ ଅନୁଭବ ଅଭିନୟ କରି ନାହାନ୍ତି।
ଏବେ ତାପସ ସରଘରିଆ ତରଙ୍ଗ ସିନେ ପ୍ରଡ଼କସନ୍‌ର ଯେଉଁ ସିନେମାର ନିର୍ଦ୍ଦେଶନା ଦେଉଛନ୍ତି,ସେଥିରେ ନାୟକ ଭୂମିକାରେ ଅଭିନୟ କରୁଛନ୍ତି ଅନୁଭବ। ଏ ଦୃଷ୍ଟିରୁ ପ୍ରଥମ ଥର ତାପସଙ୍କ ସହ ଯୋଡ଼ି ହୋଇଛନ୍ତି ଅନୁଭବ। ତାପସ ଅନୁଭବଙ୍କୁ ନେଇ କେତେ ସଫଳ ହେଉଛନ୍ତି,ତାହା ଆଗାମୀ ରଜରେ ଫିଲ୍ମ ରିଲିଜ୍‌ ହେବାପରେ ଜଣାପଡ଼ିବ।

ସମ୍ବନ୍ଧିତ ଖବର