କିଏ ସତ କିଏ ମିଛ? କପିଲ୍‌ ନା ସୁନୀଲ

ମୁମ୍ବାଇ: ଦର୍ଶକଙ୍କୁ ଗୋଟାଏ ମଞ୍ଚରେ ରହି ଏକା ସାଙ୍ଗରେ ଦୁହେଁ ଜବରଦସ୍ତ ମନୋରଞ୍ଜନ ଦେଉଥିବା କପିଲ୍‌ ଶର୍ମା ଏବଂ ସୁନୀଲ ଗ୍ରୋଭରଙ୍କ ଯୋଡ଼ି ବିଷୟରେ ତ ଆପଣ ଜାଣିଥିବେ। କିଭଳି ଭାବେ ଦୁହିଁଙ୍କ ଭିତରେ ମନୋମାଳିନ୍ୟ ଘଟିବା ପରେ ମଞ୍ଚ ଭିନ୍ନ ହୋଇଥିଲା ତାହା ବି ତ ଜାଣିଥିବେ। ଯାହା ବି ହେଉ ଏବେ ସେ ଦୁହେଁ ପୁଣି ମିଶି କରି ଦର୍ଶକଙ୍କ ମନୋରଞ୍ଜନ କରାଇବେ ବୋଲି ଦର୍ଶକଙ୍କ ମନରେ ଏକ ଆଶା ସୃଷ୍ଟି ହୋଇଥିଲା। ଅତୀତରେ ସେ ଦୁହେଁ ହୁହିଁଙ୍କ ସହ ଆଉ କେବେ କାମ କରିବେ ନାହିଁ ବୋଲି କହିଥିଲେ ବି ‘ଫ୍ୟାମିଲ୍‌ ଟାଇମ୍‌ ଉଇଥ୍‌ କପିଲ୍‌ ଶର୍ମା’ରେ ଦୁହେଁ ଏକତ୍ର କାମ କରିବେ ବୋଲି ଗଣମାଧ୍ୟରେ ଚର୍ଚ୍ଚା ହୋଇଥିଲା।

ମାତ୍ର ନିକଟରେ ସୁନୀଲ କରିଥିବା ଏକ ଟୁଇଟ୍‌ ଦର୍ଶକଙ୍କୁ ଦ୍ୱନ୍ଦ୍ୱରେ ପକାଇଛି। ଏବେ ସମସ୍ତଙ୍କ ଦୃଷ୍ଟି କପିଲ୍‌ଙ୍କ ଉପରେ। ‘ଫିରାଙ୍ଗି’ ଚଳଚ୍ଚିତ୍ରର ପ୍ରମୋସେନ୍‌ ସମୟରେ କପିଲ୍‌ କହିଥିଲେ କି ସେ ପୁଣି ଥରେ ସୁନୀଲଙ୍କ ସହ କାମ କରିବାକୁ ଚାହିଁବେ। ଯେତେବେଳେ ସେ ଟିଭି ପରଦାକୁ ଆସିବେ ସୁନୀଲଙ୍କୁ ନିଶ୍ଚୟ ଯୋଗାଯୋଗ କରିବେ ବୋଲି ବି କହିଥିଲେ।

ସୁନୀଲ କିନ୍ତୁ ଟୁଇଟ୍‌ କରିଛନ୍ତି କି ‘ଏଯାଏ ମୋ ପାଖକୁ କପିଲ୍‌ଙ୍କର କିଛି କଲ୍‌ ଆସିଲା ନାହିଁ। ମୋ ଫୋନ୍‌ ନମ୍ବର ବି ସମାନ ଅଛି। ମୁଁ ଅନେକ ଦିନ ହେବ କଲ୍‌ର ଅପେକ୍ଷା କରିଥିଲି କିନ୍ତୁ କିଛି କଲ୍‌ ନଆସିବାରୁ ମୁଁ ଏକ ନୂଆ ପ୍ରକଳ୍ପରେ ସାଇନ୍‌ କରିଛି।’

ସୁନୀଲଙ୍କର ଏହି ଟୁଇଟ୍‌ର ଯବାବ ଦେଇ କପିଲ୍‌ ଲେଖିଛନ୍ତି, ‘ପାଜି ମୁଁ ତୁମକୁ ୧୦୦ରୁ ଊର୍ଧ୍ୱ ସମୟ କଲ୍‌ କରିଛି। ତୁମେ ବାହାରେ ଥାଅ। ମୋ ସହ କଥା ହୋଇପାରନାହିଁ। ଦୟା କରି ମିଥ୍ୟା ପ୍ରଚାର କରନାହିଁ।’

ଏପରିସ୍ଥିତିରେ ଦୁହିଁଙ୍କ ଭିତରୁ କିଏ ମିଛ କହୁଛି ଓ କିଏ ସତ କହୁଛି ତାହା ଏବେ ଦର୍ଶକଙ୍କ ପାଇଁ ଏକ ପ୍ରଶ୍ନବାଚୀ ପାଲଟିଗଲାଣି।

ସମ୍ବନ୍ଧିତ ଖବର